Bhagavad Gita: Chapter 7, Verse 29

ଜରାମରଣମୋକ୍ଷାୟ ମାମାଶ୍ରିତ୍ୟ ଯତନ୍ତି ଯେ ।
ତେ ବ୍ରହ୍ମ ତଦ୍‌ବିଦୁଃ କୃତ୍ସ୍ନମଧ୍ୟାତ୍ମଂ କର୍ମ ଚାଖିଳମ୍ ।।୨୯।।

ଜରା-ବୃଦ୍ଧାବସ୍ଥା; ମରଣ-ମୃତ୍ୟୁ; ମୋକ୍ଷାୟ - ମୋକ୍ଷ ଉଦ୍ଦେଶ୍ୟରେ; ମାଂ - ମୋତେ; ଆଶ୍ରିତ୍ୟ -ଆଶ୍ରୟ କରି; ଯତନ୍ତି -ଚେଷ୍ଟା କରନ୍ତି; ଯେ - ଯେଉଁମାନେ; ତେ -ସେମାନେ; ବ୍ରହ୍ମ -ବ୍ରହ୍ମ; ତତ୍ -ତାହା; ବିଦୁଃ -ଜାଣନ୍ତି; କୃତ୍ସ୍ନମ୍ - ସବୁକିଛି; ଆଧ୍ୟାତ୍ମଂ -ଜୀବ; କର୍ମ -କର୍ମଫଳ; ଚ-ଏବଂ; ଅଖିଳମ୍ - ସମଗ୍ର ।

Translation

BG 7.29: ଯେଉଁମାନେ ବାର୍ଦ୍ଧକ୍ୟ ଏବଂ ମୃତ୍ୟୁର କଷ୍ଟରୁ ମୁକ୍ତି ପାଇବାର ଅଭିଳାଷ ରଖି ମୋର ଆଶ୍ରିତ ହୁଅନ୍ତି, ସେମାନେ ବ୍ରହ୍ମ, ଜୀବ, କର୍ମ ପ୍ରତିକ୍ରିୟାର ସମଗ୍ର କ୍ଷେତ୍ର ବିଷୟରେ ଅବଗତ ହୁଅନ୍ତି ।

Commentary

ଶ୍ଲୋକ ୭/୨୬ରେ କୁହାଯାଇଛି ଯେ କୌଣସି ବ୍ୟକ୍ତି ନିଜ ବୁଦ୍ଧି ଦ୍ୱାରା ଭଗବାନଙ୍କୁ ଜାଣିପାରନ୍ତି ନାହିଁ । କିନ୍ତୁ ଯେଉଁମାନେ ତାଙ୍କର ଶରଣାଗତ ହୋଇ ତାଙ୍କ କୃପା ପ୍ରାପ୍ତ କରନ୍ତି, ସେହି କୃପା ବଳରେ ସେମାନେ ସହଜରେ ତାଙ୍କୁ ଜାଣି ପାରନ୍ତି । କଠୋପନିଷଦ କହେ:

ନାୟମାତ୍ମା ପ୍ରବଚନେନ ଲଭ୍ୟୋ
ନ ମେଧୟା ନ ବହୁନା ଶ୍ରୁତେନ
ଯମେବୈଷ ବୃଣୁତେ ତେନ ଲଭ୍ୟ-
ସ୍ତସ୍ୟୈଷ ଆତ୍ମା ବିବୃଣୁତେ ତନୂଙ୍‌ସ୍ୱାମ୍ । (୧.୨.୨୩)

“ଆଧ୍ୟାତ୍ମିକ ପ୍ରବଚନ ଶୁଣିବା ଦ୍ୱାରା, କିମ୍ବା ବୁଦ୍ଧିଦ୍ୱାରା, କିମ୍ବା ବିଭିନ୍ନ ପ୍ରକାରର ଉପଦେଶ ଶୁଣିବା ଦ୍ୱାରା ଭଗବାନଙ୍କୁ ଜାଣି ହେବ ନାହିଁ । କେବଳ ସେ ଯଦି ତାଙ୍କର କୃପା କୌଣସି ବ୍ୟକ୍ତିକୁ ପ୍ରଦାନ କରନ୍ତି, ତେବେ ସେହି ଭାଗ୍ୟଶାଳୀ ଜୀବ ତାଙ୍କୁ ଜାଣିପାରେ ।” ଭଗବାନଙ୍କୁ ଜାଣି ନେବା ପରେ, ତାଙ୍କ ସହିତ ସଂଯୁକ୍ତ କରି ଅନ୍ୟ ସବୁକିଛିର ଜ୍ଞାନ ସ୍ୱତଃ ହୋଇଯାଏ । ବେଦ କହେ: ଏକସ୍ମିନ୍ ବିଜ୍ଞାତେ ସର୍ବମିଦଂ୍ ବିଜ୍ଞାତଂ ଭବତି । “ଭଗବାନଙ୍କୁ ଜାଣି, ତୁମେ ସବୁକିଛି ଜାଣିନେବ ।”

ଅନେକ ସାଧକ ଆତ୍ମ-ଜ୍ଞାନକୁ ନିଜର ଅନ୍ତିମ ଲକ୍ଷ୍ୟ ଧାର୍ଯ୍ୟ କରିଥାନ୍ତି । କିନ୍ତୁ ଯେପରି, ଜଳର ଗୋଟିଏ ବିନ୍ଦୁ ସାଗରର ଏକ କ୍ଷୁଦ୍ର ଅଂଶ ଅଟେ, ଆତ୍ମଜ୍ଞାନ ବ୍ରହ୍ମଜ୍ଞାନର ଏକ କ୍ଷୁଦ୍ର ଅଂଶ ଅଟେ । ଯାହାର ବିନ୍ଦୁ ବିଷୟରେ ଜ୍ଞାନ ଥାଏ, ସେ ସାଗରର ଗଭୀରତା, ବ୍ୟାପ୍ତି ଏବଂ ଶକ୍ତିକୁ  ମଧ୍ୟ ଜାଣନ୍ତି, ଏପରି ଭାବିବା ଠିକ୍ ନୁହେଁ । ସେହିପରି ଯିଏ ଆତ୍ମାକୁ ଜାଣନ୍ତି, ସେ ଭଗବାନଙ୍କୁ ଜାଣିଥିବେ, ଏପରି ଭାବିବା ଭୁଲ୍ ଅଟେ । କିନ୍ତୁ ଯେଉଁମାନେ ବ୍ରହ୍ମଜ୍ଞାନ ପ୍ରାପ୍ତ କରନ୍ତି, ସେମାନେ ସ୍ୱତଃ ଅନୁଭବ କରନ୍ତି ଯେ ସବୁକିଛି ଭଗବାନଙ୍କର ଅଂଶ ଅଟେ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁମାନେ ତାଙ୍କର ଆଶ୍ରିତ ହୁଅନ୍ତି, ଭଗବାନଙ୍କ କୃପାରୁ ସେମାନେ ବ୍ରହ୍ମ, ଜୀବ ଓ କାର୍ଯ୍ୟ-କାରଣ ସମ୍ବନ୍ଧକୁ ଜାଣିପାରନ୍ତି ।