ଅଷ୍ଟମ ଅଧ୍ୟାୟ: ଅକ୍ଷର ବ୍ରହ୍ମ ଯୋଗ

ଅକ୍ଷର ବ୍ରହ୍ମ ଯୋଗ

ଏହି ଅଧ୍ୟାୟରେ କେତୋଟି ମହତ୍ତ୍ୱପୂର୍ଣ୍ଣ ଶବ୍ଦର ବ୍ୟାଖ୍ୟା କରାଯାଇଅଛି, ଯାହାର ବିସ୍ତୃତ ବର୍ଣ୍ଣନା ଉପନିଷଦରେ ଦେଖିବାକୁ ମିଳିଥାଏ ।  ତାଛଡା, ମୃତ୍ୟୁ ପରେ ଆତ୍ମାର କେଉଁ ଗତି ହୁଏ ତାହାର ବର୍ଣ୍ଣନା ମଧ୍ୟ କରାଯାଇଛି ।  ଆମେ ଯଦି ଦେହତ୍ୟାଗ କରିବା ସମୟରେ ଭଗବାନଙ୍କୁ ସ୍ମରଣ କରିପାରିବା, ତାହେଲେ ନିଶ୍ଚିତ ଭାବରେ ଆମେ ତାଙ୍କୁ ପାଇ ପାରିବା । ତେଣୁ ଆମେ ନିଜର ଦୈନନ୍ଦିନ କାର୍ଯ୍ୟ କରିବା ସହିତ ସର୍ବଦା ତାଙ୍କର ସ୍ମରଣ କରିବାକୁ ଅଭ୍ୟାସ କରିବା ଆବଶ୍ୟକ । ଆମେ ତାଙ୍କର ଗୁଣ,ଶୀଳ ଓ ବୈଶିଷ୍ଟ୍ୟ ଇତ୍ୟାଦିର ଚିନ୍ତନ କରି ତାଙ୍କୁ ସ୍ମରଣ କରିପାରିବା । ପୁନଶ୍ଚ ତାଙ୍କର ନାମ ଗାନ ପୂର୍ବକ ତାଙ୍କଠାରେ ସ୍ଥିର ଯୋଗିକ ଏକାଗ୍ରତାର ଅଭ୍ୟାସ ମଧ୍ୟ କରିପାରିବା । ଅନନ୍ୟ ଭକ୍ତି ଦ୍ୱାରା ଆମର ମନ ଯେତେବେଳେ ତାଙ୍କ ଠାରେ ପୂର୍ଣ୍ଣ ନିମଗ୍ନ ହୋଇଯିବ,ସେତେବେଳେ ଆମେ ଏହି ମାୟିକ ପରିସୀମାର ଊର୍ଦ୍ଧ୍ୱ ଦିବ୍ୟ ଜଗତରେ ପ୍ରବେଶ କରିବା ।

ଏହି ଅଧ୍ୟାୟରେ ଭୌତିକ ଜଗତର ଭିନ୍ନ ଭିନ୍ନ ଲୋକ ସମ୍ପର୍କରେ ବର୍ଣ୍ଣନା କରାଯାଇ ଅଛି । ସୃଷ୍ଟି ଚକ୍ରରେ, ଏହି ସବୁ ଲୋକ ଏବଂ ସେଥିରେ ଥିବା ଜୀବ ସମୁଦାୟ କିପରି ଭାବରେ ଉତ୍ପତ୍ତି ଲାଭ କରନ୍ତି ଏବଂ ପ୍ରଳୟ ସମୟରେ ସେମାନଙ୍କର ବିଲୟ କିପରି ହୁଏ,ତାହା ଏହି ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି । ଏହି ଦୃଶ୍ୟମାନ ଏବଂ ଅଦୃଶ୍ୟ ଜଗତର ଊର୍ଦ୍ଧ୍ୱରେ ଭଗବାନଙ୍କର ଲୋକ ଅବସ୍ଥିତ । ଯେଉଁମାନେ ଆଲୋକର ପଥ ଅନୁସରଣ କରନ୍ତି, ଶେଷରେ ସେମାନେ ଭଗବାନଙ୍କର ଲୋକରେ ପହଞ୍ଚନ୍ତି ଏବଂ ପୁନର୍ବାର ଏହି ନଶ୍ୱର ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ । ଅନ୍ୟ ପକ୍ଷରେ, ଯେଉଁମାନେ ଅନ୍ଧକାରର ଅନୁଗାମୀ ହୁଅନ୍ତି, ସେମାନେ ଜନ୍ମ, ବ୍ୟାଧି, ଜରା ଓ ମୃତ୍ୟୁର ଅନନ୍ତ ଚକ୍ରରେ ଘୂରି ବୁଲନ୍ତି ।

ଅର୍ଜୁନ କହିଲେ: ହେ ପୁରୁଷୋତ୍ତମ! ବ୍ରହ୍ମ କ’ଣ (ପରମ ସତ୍ୟ), ଆଧ୍ୟାତ୍ମ କ’ଣ ( ଜୀବାତ୍ମା) ଏବଂ କର୍ମ କ’ଣ? ଅଧିଭୂତ କାହାକୁ କୁହାଯାଏ ଏବଂ ଆଧିଦୈବ୍ୟ କିଏ? ଶରୀରରେ ଅଧିଯଜ୍ଞ କିଏ ଏବଂ ସେ ଅଧିଯଜ୍ଞ କିପରି ଅଟନ୍ତି? ହେ ଶ୍ରୀକୃଷ୍ଣ! ଏକାଗ୍ରଚିତ୍ତ ଯୋଗୀମାନେ ମୃତ୍ୟୁ ସମୟରେ କିପରି ଭାବରେ ଆପଣଙ୍କୁ ଜାଣନ୍ତି?

ଶ୍ରୀ ଭଗବାନ କହିଲେ: ସେହି ସର୍ବଶ୍ରେଷ୍ଠ ଅବିନଶ୍ୱର ସତ୍ତାକୁ ବ୍ରହ୍ମ କୁହାଯାଏ । ଜୀବର ନିଜସ୍ୱ ସତ୍ତାକୁ ଅଧ୍ୟାତ୍ମ କୁହାଯାଏ । ଜୀବର ଭୌତିକ ବ୍ୟକ୍ତିତ୍ୱର ଅଭିବୃଦ୍ଧି ନିମନ୍ତେ କରାଯାଉ ଥିବା କାର୍ଯ୍ୟକୁ କର୍ମ ବା ଫଳଦାୟକ କର୍ମ କୁହାଯାଏ ।

ହେ ଜୀବ ଶ୍ରେଷ୍ଠ, ପରିବର୍ତ୍ତନଶୀଳ ଭୌତିକ ଶରୀରକୁ ଅଧିଭୂତ କୁହାଯାଏ । ପରମେଶ୍ୱରଙ୍କର ବିଶ୍ୱରୂପ, ଯିଏ ସୃଷ୍ଟିର ଦେବତାଗଣଙ୍କର ଅଧ୍ୟକ୍ଷ ଅଟନ୍ତି, ତାଙ୍କୁ ଅଧିଦୈବ୍ୟ କୁହାଯାଏ । ମୁଁ ,ଯିଏ କି ସମସ୍ତଙ୍କ ହୃଦୟରେ ନିବାସ କରେ ଏବଂ ଯିଏ ସମସ୍ତ ଯଜ୍ଞର ଅଧିଷ୍ଠାତା, ଅଧିଯଜ୍ଞ ଅଟେ ।

ଯେଉଁମାନେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରନ୍ତି, ସେମାନେ ମୋତେ ପ୍ରାପ୍ତ କରିବେ । ଏଥିରେ କୌଣସି ସନ୍ଦେହ ନାହିଁ ।

ହେ କୁନ୍ତି ପୁତ୍ର! ବ୍ୟକ୍ତି ମୃତ୍ୟୁ ସମୟରେ ଯାହା ସ୍ମରଣ କରି ଦେହତ୍ୟାଗ କରେ, ସର୍ବଦା ସେହି ଚିନ୍ତନରେ ନିମଗ୍ନ ରହିଥିବା ଯୋଗୁଁ ସେ ସେହି ଅବସ୍ଥାକୁ ପ୍ରାପ୍ତ କରିଥାଏ ।

ଅତଏବ, ତୁମେ ସଦା ସର୍ବଦା ମୋର ସ୍ମରଣ କର ଏବଂ ନିଜର କର୍ତ୍ତବ୍ୟ ଭାବରେ ଯୁଦ୍ଧ କର । ମନ ଓ ବୁଦ୍ଧିକୁ ମୋ ଠାରେ ସମର୍ପଣ କରିବା ଦ୍ୱାରା, ତୁମେ ନିଶ୍ଚିତ ରୂପେ ମୋତେ ପ୍ରାପ୍ତ କରିବ, ଏଥିରେ ସନ୍ଦେହ ନାହିଁ ।

ହେ ପାର୍ଥ! ଅଭ୍ୟାସ ଦ୍ୱାରା, ତୁମେ ଯେତେବେଳେ ସର୍ବଦା ଅବିଚଳିତ ଭାବରେ ମୋର, ପରମ ପୁରୁଷ ଭଗବାନଙ୍କର, ଧ୍ୟାନ କରିବ, ନିଶ୍ଚିତ ରୂପେ ତୁମେ ମୋତେ ପ୍ରାପ୍ତ କରିବ ।

ଭଗବାନ ସର୍ବଜ୍ଞ, ସର୍ବ ପୁରାତନ, ଶାସକ, ସୂକ୍ଷ୍ମତା ଠାରୁ ମଧ୍ୟ ସୂକ୍ଷ୍ମ, ସମସ୍ତଙ୍କର ପାଳନକର୍ତ୍ତା, କଳ୍ପନାତୀତ ସ୍ୱରୂପର ଅଧିକାରୀ, ସୂର୍ଯ୍ୟଙ୍କଠାରୁ ଉଜ୍ଜ୍ୱଳ ଏବଂ ଅଜ୍ଞାନ ରୂପୀ ଅନ୍ଧକାର ଠାରୁ ଊର୍ଦ୍ଧ୍ୱରେ ଅଟନ୍ତି । ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ଯୋଗ ଦ୍ୱାରା ଅଭ୍ୟସ୍ତ ଅବିଚଳିତ ମନରେ, ନିଜର ପ୍ରାଣ (ପ୍ରାଣ ବାୟୁ)କୁ ଦୁଇ ଭ୍ରୁଲତା ମଧ୍ୟରେ ସ୍ଥିର ରଖି, ନିରନ୍ତର ଅତ୍ୟନ୍ତ ଭକ୍ତିଯୁକ୍ତ ହୋଇ, ଦିବ୍ୟ ପରମାତ୍ମାଙ୍କର ସ୍ମରଣ କରେ, ସେ ତାଙ୍କୁ ପ୍ରାପ୍ତ କରିଥାଏ ।

ବେଦଜ୍ଞ ପଣ୍ଡିତମାନେ ତାଙ୍କୁ ଅକ୍ଷର କହନ୍ତି; ବଡ ବଡ ତପସ୍ୱୀମାନେ ତାଙ୍କ ମଧ୍ୟରେ (ବ୍ରହ୍ମ ମଧ୍ୟରେ) ପ୍ରବେଶ କରିବା ପାଇଁ ସାଂସାରିକ ସୁଖ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି । ମୁଁ ବର୍ତ୍ତମାନ ସଂକ୍ଷେପରେ ତୁମକୁ ସେହି ଲକ୍ଷ୍ୟର ମାର୍ଗ ବିଷୟରେ କହିବି ।

ସମସ୍ତ ଇନ୍ଦ୍ରିୟ ଦ୍ୱାରକୁ ସଂଯମ କରି ଏବଂ ମନକୁ ହୃଦୟରେ ସ୍ଥିର କରି, ତତ୍‌ପଶ୍ଚାତ୍ ପ୍ରାଣବାୟୁକୁ ମସ୍ତିଷ୍କର ଉପରିଭାଗରେ ସ୍ଥିର କରି, ବ୍ୟକ୍ତି ସ୍ଥିର ଯୋଗିକ ଏକାଗ୍ରତାରେ ସ୍ଥିତ ରହିବା ଆବଶ୍ୟକ ।

ଯେଉଁ ବ୍ୟକ୍ତି ମୋତେ ଅଥବା ପରମ ପୁରୁଷ ଭଗବାନଙ୍କୁ ସ୍ମରଣ କରି ଏବଂ ଓଁକାର ମନ୍ତ୍ର ଉଚ୍ଚାରଣ କରି ଶରୀର ତ୍ୟାଗ କରେ, ସେ ନିଜର ପରମ ଚରମ ଲକ୍ଷ୍ୟ ପ୍ରାପ୍ତ କରେ ।

ହେ ପାର୍ଥ, ଯେଉଁ ଯୋଗୀମାନେ ଅନନ୍ୟ ଭାବରେ ମୋର ଚିନ୍ତନ କରନ୍ତି ଏବଂ ସର୍ବଦା ମୋ ଚିନ୍ତନରେ ମଗ୍ନ ରହନ୍ତି, ମୁଁ ସେମାନଙ୍କୁ ଅତି ସହଜରେ ପ୍ରାପ୍ତ ହୋଇଥାଏ ।

ମୋତେ ପ୍ରାପ୍ତ କରିବା ପରେ ମହାପୁରୁଷମାନେ ଏହି ନଶ୍ୱର ଏବଂ ଦୁଃଖମୟ ସଂସାରରେ ପୁର୍ନବାର ଜନ୍ମଗ୍ରହଣ କରନ୍ତି ନାହିଁ, କାରଣ ସେମାନେ ସର୍ବୋଚ୍ଚ ପରିପୂର୍ଣ୍ଣତା ହାସଲ କରିସାରିଛନ୍ତି ।

ହେ ଅର୍ଜୁନ! ବ୍ରହ୍ମାଣ୍ଡର ପ୍ରତ୍ୟେକ ମାୟିକ ଲୋକ, ଏପରିକି ସର୍ବୋଚ୍ଚ ବ୍ରହ୍ମଲୋକ ପର୍ଯ୍ୟନ୍ତ ଯାଇ ପୁନର୍ଜନ୍ମ ନେବାକୁ ପଡ଼ିଥାଏ । କିନ୍ତୁ ହେ କୁନ୍ତି ପୁତ୍ର! ମୋର ଲୋକ ପ୍ରାପ୍ତ କରିବା ପରେ ଆଉ ପୁନର୍ଜନ୍ମ ହୁଏ ନାହିଁ ।

ବ୍ରହ୍ମାଙ୍କର ଗୋଟିଏ ଦିନ (କଳ୍ପ) ହଜାର ସଂଖ୍ୟାର ଚର୍ତୁଯୁଗ (ମହାଯୁଗ) ସହିତ ସମାନ ଅଟେ ଏବଂ ତାଙ୍କ ରାତ୍ରିର ଅବଧି ମଧ୍ୟ ସେତିକି ଅଟେ । ଯେଉଁ ବିଜ୍ଞ ବ୍ୟକ୍ତି ଏହା ଜାଣନ୍ତି, ସେ ଦିବା ଓ ରାତିର ବାସ୍ତବିକ ସତ୍ୟତାକୁ ବୁଝିପାରନ୍ତି ।

ବ୍ରହ୍ମାଙ୍କର ଦିବସ ପ୍ରାରମ୍ଭରେ, ସମସ୍ତ ପ୍ରାଣୀ ଅପ୍ରକଟ ଅବସ୍ଥାରୁ ପ୍ରକଟ ହେବାକୁ ଆରମ୍ଭ କରନ୍ତି ଏବଂ ରାତ୍ରିର ଆଗମନରେ ସମସ୍ତ ଶରୀରଧାରୀ ପ୍ରାଣୀ ପୁନର୍ବାର ସେହି ଅପ୍ରକଟରେ ସମାହିତ ହୋଇଯାଆନ୍ତି ।

ବ୍ରହ୍ମାଙ୍କର ଦିନ ଆରମ୍ଭ ହେଲେ ଅସଂଖ୍ୟ ପ୍ରାଣୀ ଜନ୍ମ ଗ୍ରହଣ କରନ୍ତି ଏବଂ ରାତିର ଆଗମନରେ, ପରବର୍ତ୍ତୀ ଦିନରେ ପୁନର୍ବାର ପ୍ରକଟିତ ହେବା ପାଇଁ, ସେମାନେ ବିଲୁପ୍ତ ହୋଇଯାଆନ୍ତି ।

ବ୍ୟକ୍ତ ଏବଂ ଅବ୍ୟକ୍ତ ସୃଷ୍ଟିର ଉର୍ଦ୍ଧ୍ୱରେ ଆଉ ଏକ ଶାଶ୍ୱତ ଅବ୍ୟକ୍ତ ଜଗତ ରହିଛି । ସମସ୍ତ ଲୋକ ଲୋପ ହୋଇଗଲେ ମଧ୍ୟ ସେହି ଜଗତ ଲୋପ ହୁଏ ନାହିଁ ।

ସେହି ଅବ୍ୟକ୍ତ ଜଗତ ଜୀବର ଚରମ ଲକ୍ଷ୍ୟ ଅଟେ, ସେଠାରେ ପହଞ୍ôଚବା ପରେ ଜୀବ ଏହି ମାୟିକ ଜଗତକୁ ଫେରେ ନାହିଁ । ତାହା ମୋର ପରମ ଧାମ ଅଟେ ।

ସେହି ପରମ ଦିବ୍ୟ ପୁରୁଷ ସୃଷ୍ଟିର ସମସ୍ତଙ୍କଠାରୁ ଶ୍ରେଷ୍ଠତର ଅଟନ୍ତି । ଯଦିଓ ସେ ସର୍ବବ୍ୟାପକ ଏବଂ ସମସ୍ତ ଜୀବ ତାଙ୍କଠାରେ ନିବାସ କରନ୍ତି, ତଥାପି ତାଙ୍କୁ କେବଳ ଭକ୍ତି ଦ୍ୱାରା ହିଁ ଜାଣି ହୁଏ ।

ହେ ଭରତ ଶ୍ରେଷ୍ଠ! ମୁଁ ବର୍ତ୍ତମାନ ଏହି ଜଗତରୁ ତିରୋଧାନ ହେବାର ବିଭିନ୍ନ ମାର୍ଗ ବିଷୟରେ ବର୍ଣ୍ଣନା କରୁଅଛି । ଗୋଟିଏ ରାସ୍ତା ମୁକ୍ତି ପଥରେ ନେଇଯାଇଥାଏ ଏବଂ ଅନ୍ୟଟି ପୁନର୍ଜନ୍ମ ଦିଗକୁ ଅଗ୍ରସର କରାଏ । ଯେଉଁମାନେ ପରଂବ୍ରହ୍ମଙ୍କୁ ଜାଣନ୍ତି ଏବଂ ଯେଉଁମାନେ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳର ଛଅ ମାସ, ଶୁକ୍ଳ ପକ୍ଷ ଓ ଦିବସର ମଧ୍ୟାହ୍ନ ସମୟରେ ଦେହତ୍ୟାଗ କରନ୍ତି, ସେମାନେ ଚରମ ଲକ୍ଷ୍ୟକୁ ପ୍ରାପ୍ତ କରିଥାନ୍ତି । ଯେଉଁମାନେ ବୈଦିକ କର୍ମକାଣ୍ଡ ପାଳନ କରନ୍ତି, ସୂର୍ଯ୍ୟଙ୍କର ଦକ୍ଷିଣାୟନ କାଳର ଛଅ ମାସ, କୃଷ୍ଣ ପକ୍ଷ ଏବଂ ସନ୍ଧ୍ୟା ସମୟରେ ଦେହତ୍ୟାଗ କରନ୍ତି, ସେମାନେ ସ୍ୱର୍ଗପ୍ରାପ୍ତି କରିଥାନ୍ତି । ସ୍ୱର୍ଗର ସୁଖ ଉପଭୋଗ କରିସାରିବା ପରେ ସେମାନେ ପୁଣି ସଂସାରକୁ ଫେରିଆସନ୍ତି । ଆଲୋକ ଏବଂ ଅନ୍ଧକାରର ଏହି ଦୁଇଟି ପଥ ଏହି ସଂସାରରେ ହିଁ ରହିଅଛି । ଯେପରି ଆଲୋକର ପଥ ମୁକ୍ତି ଦିଗକୁ ନେଇଥାଏ ସେହିପରି ଅନ୍ଧକାରର ପଥ ପୁର୍ନଜନ୍ମ ଦିଗକୁ ନେଇଯାଏ ।

ହେ ପାର୍ଥ! ଯେଉଁ ଯୋଗୀମାନେ ଏହି ଦୁଇଟି ମାର୍ଗର ରହସ୍ୟ ଜାଣନ୍ତି, ସେମାନେ କଦାପି ବିଚଳିତ ହୁଅନ୍ତି ନାହିଁ । ତେଣୁ ସେମାନେ ନିରନ୍ତର ଯୋଗ ଅବସ୍ଥାରେ (ଭଗବାନଙ୍କ ସହିତ ଏକତ୍ୱ) ସ୍ଥିତ ରହନ୍ତି ।

ଯେଉଁ ଯୋଗୀମାନେ ଏହି ରହସ୍ୟକୁ ଜାଣନ୍ତି, ସେମାନେ ବୈଦିକ ପୂଜା-ବ୍ରତାଦି, ବେଦ ଅଧ୍ୟୟନ, ଯଜ୍ଞାଦିକ ଅନୁଷ୍ଠାନ, ଦାନ, କର୍ମ, ତପତ୍ସର୍ଯ୍ୟା ଇତ୍ୟାଦିର ଫଳ ଠାରୁ ଉଚ୍ଚତର ଫଳ ପ୍ରାପ୍ତ କରି ଥାଆନ୍ତି । ଏପରି ଯୋଗୀମାନେ ଭଗବାନଙ୍କର ପରମ ଧାମ ପ୍ରାପ୍ତ କରିଥାଆନ୍ତି ।