Bhagavad Gita: Chapter 8, Verse 12

ସର୍ବଦ୍ୱାରାଣି ସଂଯମ୍ୟ ମନୋ ହୃଦି ନିରୁଧ୍ୟ ଚ ।
ମୂଦ୍ର୍ଧ୍ନ୍ୟାଧାୟାତ୍ମନଃ ପ୍ରାଣମାସ୍ଥିତୋ ଯୋଗଧାରଣାମ୍ ।।୧୨।।

ସର୍ବଦ୍ୱାରାଣି - ଶରୀରର ସମସ୍ତ ଦ୍ୱାର; ସଂଯମ୍ୟ - ସଂଯତ କରି; ମନଃ -ମନକୁ; ହୃଦି - ହୃଦୟରେ; ନିରୁଧ୍ୟ - ନିରୋଧ କରି; ଚ - ମଧ୍ୟ; ମୂଦ୍ର୍ଧ୍ନି- ମସ୍ତିଷ୍କରେ; ଆଧାୟ - ସ୍ଥିର କରି; ଆତ୍ମାନଃ - ଆତ୍ମା; ପ୍ରାଣମ୍ - ପ୍ରାଣବାୟୁ; ଆସ୍ଥିତଃ - ଅବସ୍ଥିତ; ଯୋଗ ଧାରଣାମ୍‌- ଯୋଗାବସ୍ଥା ।

Translation

BG 8.12: ସମସ୍ତ ଇନ୍ଦ୍ରିୟ ଦ୍ୱାରକୁ ସଂଯମ କରି ଏବଂ ମନକୁ ହୃଦୟରେ ସ୍ଥିର କରି, ତତ୍‌ପଶ୍ଚାତ୍ ପ୍ରାଣବାୟୁକୁ ମସ୍ତିଷ୍କର ଉପରିଭାଗରେ ସ୍ଥିର କରି, ବ୍ୟକ୍ତି ସ୍ଥିର ଯୋଗିକ ଏକାଗ୍ରତାରେ ସ୍ଥିତ ରହିବା ଆବଶ୍ୟକ ।

Commentary

ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ସଂସାର ମନ ମଧ୍ୟକୁ ପ୍ରବେଶ କରେ । ଆମେ ପ୍ରଥମେ କୌଣସି ବସ୍ତୁକୁ ଦେଖେ, ଶୁଣେ, ସ୍ପର୍ଶ କରେ, ଆସ୍ୱାଦନ କରେ ଓ ଆଘ୍ରାଣ କରେ । ତାପରେ ମନ ସେହିଁ ବସ୍ତୁର ଚିନ୍ତନ କରେ । ବାରମ୍ବାର ଚିନ୍ତନ କରିବା ଦ୍ୱାରା ଆସକ୍ତି ଜାତ ହୁଏ, ଯାହା ସେହି ବସ୍ତୁ ସମ୍ବନ୍ଧୀୟ ବିଚାର ସ୍ୱତଃ ଉତ୍ପନ୍ନ କରିଥାଏ ।  ତେଣୁ ମନକୁ ସଂସାର ଠାରୁ ଦୂରେଇ ରଖବା ପାଇଁ ଇନ୍ଦ୍ରିୟ ନିଗ୍ରହର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନଚେତ୍ ଧ୍ୟାନର ଅଭ୍ୟାସ କରିବାକୁ ଯାଇ ମନକୁ ଅନିୟନ୍ତ୍ରିତ ଇନ୍ଦ୍ରିୟମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସାଂସାରିକ ବିଚାରର ପ୍ରବାହ ସହିତ ଯୁଦ୍ଧ କରିବାକୁ ପଡିଥାଏ । ସେଥିପାଇଁ ଶ୍ରୀକୃଷ୍ଣ ଶରୀରର ଦ୍ୱାରମାନଙ୍କରେ ସୁରକ୍ଷା ବନ୍ଦୋବସ୍ତ କରିବାର ନିର୍ଦ୍ଦେଶ ଦେଉଛନ୍ତି ।  ସର୍ବ ଦ୍ୱାରାଣି ସଂଯମ୍ୟ ଶବ୍ଦର ଅର୍ଥ ଶରୀରର ପ୍ରବେଶ ଦ୍ୱାରକୁ ନିୟନ୍ତ୍ରିତ କରିବା । ଅର୍ଥାତ୍ ଇନ୍ଦ୍ରିୟ ମାନଙ୍କୁ ବର୍ହିମୁଖ ହେବାର ସହଜାତ ଅଭ୍ୟାସରୁ ବିରତ କରିବା । ହୃଦି ନିରୁଧ୍ୟ ଅର୍ଥ “ମନକୁ ହୃଦୟରେ ସ୍ଥିର କରିବା”ଅର୍ଥାତ୍ ସମସ୍ତ ଆଧ୍ୟାତ୍ମିକ ଅନୁଭୂତିକୁ ମନରୁ ହୃଦୟ ମଧ୍ୟକୁ ପ୍ରେରିତ କରିବା, ଯେଉଁଠାରେ ଅକ୍ଷର ବ୍ରହ୍ମ ବିରାଜମାନ କରିଥାଆନ୍ତି । ଯୋଗ-ଧାରଣାମ୍ ର ଅର୍ଥ “ମନକୁ ଭଗବାନଙ୍କ ସହିତ ଯୋଗ କରିବା” ଅର୍ଥାତ୍ ପୂର୍ଣ୍ଣ ଏକାଗ୍ରତାର ସହିତ ତାଙ୍କର ଧ୍ୟାନ କରିବା ।