Bhagavad Gita: Chapter 8, Verse 23-26

ଯତ୍ର କାଳେ ତ୍ୱନାବୃତ୍ତିମାବୃତ୍ତିଂ ଚୈବ ଯୋଗିନଃ ।
ପ୍ରୟାତା ଯାନ୍ତି ତଂ କାଳଂ ବକ୍ଷ୍ୟାମି ଭରତର୍ଷଭ ।।୨୩।।
ଅଗ୍ନିର୍ଜ୍ୟୋତିରହଃ ଶୁକ୍ଳଃ ଷଣ୍ମାସା ଉତ୍ତରାୟଣମ୍ ।
ତତ୍ର ପ୍ରୟାତା ଗଚ୍ଛନ୍ତି ବ୍ରହ୍ମ ବ୍ରହ୍ମବିଦୋ ଜନାଃ ।।୨୪।।
ଧୂମୋ ରାତ୍ରିସ୍ତଥା କୃଷ୍ଣଃ ଷଣ୍ମାସା ଦକ୍ଷିଣାୟନମ୍ ।
ତତ୍ର ଚାନ୍ଦ୍ରମସଂ ଜ୍ୟୋତିର୍ଯୋଗୀ ପ୍ରାପ୍ୟ ନିବର୍ତତେ ।।୨୫।।
ଶୁକ୍ଳକୃଷ୍ଣେ ଗତୀ ହ୍ୟେତେ ଜଗତଃ ଶାଶ୍ୱତେ ମତେ ।
ଏକୟା ଯାତ୍ୟନାବୃତ୍ତିମନ୍ୟୟାବର୍ତତେ ପୁନଃ ।।୨୬।।

ଯତ୍ର - ଯେଉଁ; କାଳେ - କାଳରେ, ସମୟରେ; ତୁ - ନିଶ୍ଚିତ ରୂପେ; ଅନାବୃତ୍ତିମ - ଫେରନ୍ତି ନାହିଁ; ଆବୃତ୍ତିମ୍ - ଫେରିବା; ଚ - ମଧ୍ୟ; ଏବ - ନିଶ୍ଚିତଭାବେ; ଯୋଗିନଃ - ଯୋଗୀ; ପ୍ରୟାତାଃ - ଚାଲିଯିବା ପରେ; ଯାନ୍ତି - ଯା’ନ୍ତି; ତଂ - ସେହି; କାଳମ୍ - କାଳ, ସମୟ; ବକ୍ଷ୍ୟାମି - ବର୍ଣ୍ଣନା କରୁଛି; ଭରତର୍ଷଭ - ହେ ଭରତଶ୍ରେଷ୍ଠ; ଅଗ୍ନିଃ - ଅଗ୍ନି; ଜ୍ୟୋତିଃ - ଆଲୋକ; ଅହଃ - ଦିବସ; ଶୁକ୍ଳଃ - ଶୁକ୍ଳ; ଷଟ୍ ମାସାଃ - ଛ’ମାସ; ଉତ୍ତରାୟଣମ୍ - ଯେତେବେଳେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ; ତତ୍ର - ସେଠାରେ; ପ୍ରୟାତାଃ - ଚାଲିଯାଏ; ଗଚ୍ଛନ୍ତି - ମୃତ୍ୟୁବରଣ କରେ; ବ୍ରହ୍ମ - ବ୍ରହ୍ମ; ବ୍ରହ୍ମ ବିଦଃ - ବ୍ରହ୍ମଜ୍ଞାନୀ; ଜନାଃ - ପୁରୁଷ; ଧୂମଃ - ଧୂଆଁ; ରାତ୍ରିଃ - ରାତ୍ରି; ତଥା - ଏବଂ; କୃଷ୍ଣଃ -କୃଷ୍ଣପକ୍ଷ; ଷଟ୍‌-ମାସାଃ - ଛ’ମାସ; ଦକ୍ଷିଣ-ଅୟନଂ - ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତିକାଳ; ତତ୍ର - ସେଠାରେ; ଚାନ୍ଦ୍ରମସଂ - ଚନ୍ଦ୍ରଲୋକ; ଜ୍ୟୋତିଃ - ଆଲୋକ; ଯୋଗୀ - ଯୋଗୀ; ପ୍ରାପ୍ୟ - ପ୍ରାପ୍ତ ହୁଏ; ନିବର୍ତତେ - ପ୍ରତ୍ୟାବର୍ତ୍ତନ କରେ; ଶୁକ୍ଳ - ଆଲୋକ; କୃଷ୍ଣେ - ଅନ୍ଧକାର; ଗତୀ - ଇହଲୋକ ତ୍ୟାଗ; ହି - ନିଶ୍ଚିତରୂପେ; ଏତେ - ଏସବୁ; ଜଗତଃ - ଭୌତିକ ଜଗତର; ଶାଶ୍ୱତେ - ଚିରନ୍ତନ; ମତେ - ମତରେ; ଏକୟା - ଗୋଟିଏ; ଯାତି - ଯାଏ; ଅନାବୃତ୍ତିମ୍ - ପ୍ରତ୍ୟାବର୍ତ୍ତନ ନାହିଁ; ଅନ୍ୟୟା - ଅନ୍ୟ ଦ୍ୱାରା; ଆବର୍ତତେ - ପ୍ରତ୍ୟାବର୍ତ୍ତନ କରେ; ପୁନଃ - ପୁଣି ।

Translation

BG 8.23-26: ହେ ଭରତ ଶ୍ରେଷ୍ଠ! ମୁଁ ବର୍ତ୍ତମାନ ଏହି ଜଗତରୁ ତିରୋଧାନ ହେବାର ବିଭିନ୍ନ ମାର୍ଗ ବିଷୟରେ ବର୍ଣ୍ଣନା କରୁଅଛି । ଗୋଟିଏ ରାସ୍ତା ମୁକ୍ତି ପଥରେ ନେଇଯାଇଥାଏ ଏବଂ ଅନ୍ୟଟି ପୁନର୍ଜନ୍ମ ଦିଗକୁ ଅଗ୍ରସର କରାଏ । ଯେଉଁମାନେ ପରଂବ୍ରହ୍ମଙ୍କୁ ଜାଣନ୍ତି ଏବଂ ଯେଉଁମାନେ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳର ଛଅ ମାସ, ଶୁକ୍ଳ ପକ୍ଷ ଓ ଦିବସର ମଧ୍ୟାହ୍ନ ସମୟରେ ଦେହତ୍ୟାଗ କରନ୍ତି, ସେମାନେ ଚରମ ଲକ୍ଷ୍ୟକୁ ପ୍ରାପ୍ତ କରିଥାନ୍ତି । ଯେଉଁମାନେ ବୈଦିକ କର୍ମକାଣ୍ଡ ପାଳନ କରନ୍ତି, ସୂର୍ଯ୍ୟଙ୍କର ଦକ୍ଷିଣାୟନ କାଳର ଛଅ ମାସ, କୃଷ୍ଣ ପକ୍ଷ ଏବଂ ସନ୍ଧ୍ୟା ସମୟରେ ଦେହତ୍ୟାଗ କରନ୍ତି, ସେମାନେ ସ୍ୱର୍ଗପ୍ରାପ୍ତି କରିଥାନ୍ତି । ସ୍ୱର୍ଗର ସୁଖ ଉପଭୋଗ କରିସାରିବା ପରେ ସେମାନେ ପୁଣି ସଂସାରକୁ ଫେରିଆସନ୍ତି । ଆଲୋକ ଏବଂ ଅନ୍ଧକାରର ଏହି ଦୁଇଟି ପଥ ଏହି ସଂସାରରେ ହିଁ ରହିଅଛି । ଯେପରି ଆଲୋକର ପଥ ମୁକ୍ତି ଦିଗକୁ ନେଇଥାଏ ସେହିପରି ଅନ୍ଧକାରର ପଥ ପୁର୍ନଜନ୍ମ ଦିଗକୁ ନେଇଯାଏ ।

Commentary

 “ମୃତ୍ୟୁ ସମୟରେ ଆମେ କିପରି ଆପଣଙ୍କ ସହିତ ମିଳିତ ହୋଇପାରିବୁ?” ଶ୍ଲୋକ ୮-୨ରେ ଅର୍ଜୁନ ପଚାରିଥିବା ପ୍ରଶ୍ନ ପ୍ରତି ଶ୍ରୀକୃଷ୍ଣଙ୍କର ଏହି ସବୁ ଉକ୍ତି ଆଲୋକପାତ କରୁଅଛି । ଶ୍ରୀକୃଷ୍ଣ କହୁଛନ୍ତି ଦୁଇଟି ପଥ ରହିଛି । ଗୋଟିଏ ଆଲୋକର ପଥ ଏବଂ ଅନ୍ୟଟି ଅନ୍ଧକାରର ପଥ ।  ଆମେ ଏଠାରେ ଏହିସବୁ ରହସ୍ୟାତ୍ମକ ବ୍ୟକ୍ତବ୍ୟରୁ, ଆଧ୍ୟାତ୍ମିକ ତତ୍ତ୍ୱକୁ ଆଲୋକ ଏବଂ ଅନ୍ଧକାରର ଚମତ୍କାର ଉପମାରୁ ହୃଦ୍‌ବୋଧ କରିପାରିବା ।

ଉତ୍ତରାୟଣର ଛଅମାସ, ଶୁକ୍ଳପକ୍ଷ ଓ ମଧ୍ୟାହ୍ନ । ଏଗୁଡ଼ିକ ଆଲୋକର ସ୍ୱରୂପ । ଆଲୋକ ଜ୍ଞାନର ପ୍ରତୀକ ହୋଇଥିବା ବେଳେ ଅନ୍ଧକାର ଅଜ୍ଞାନର ପ୍ରତୀକ ଅଟେ । ଦକ୍ଷିଣାୟନ କାଳର ଛଅମାସ, କୃଷ୍ଣପକ୍ଷ, ରାତ୍ରି - ଏହିସବୁ ଅନ୍ଧକାରର ସ୍ୱରୂପ ଅଟନ୍ତି । ଯାହାର ଚେତନା ଭଗବାନଙ୍କଠାରେ ସ୍ଥିତ ଥାଏ ଏବଂ ଇନ୍ଦ୍ରିୟ ସୁଖ ପ୍ରତି ବୈରାଗ୍ୟଯୁକ୍ତ ଥାଏ, ସେ ଆଲୋକ (ଚେତନା ଏବଂ ଜ୍ଞାନ) ପଥରେ ପ୍ରସ୍ଥାନ କରେ । ବ୍ରହ୍ମଜ୍ଞାନ ଯୁକ୍ତ ହୋଇ ସେମାନେ ଭଗବାନଙ୍କର ଦିବ୍ୟ ଲୋକ ପ୍ରାପ୍ତ କରନ୍ତି ଏବଂ ସଂସାର ଚକ୍ରରୁ ମୁକ୍ତ ହୋଇ ଯାଆନ୍ତି । କିନ୍ତୁ ଯାହାର ମନ ସଂସାରରେ ଆସକ୍ତ, ସେମାନେ ଅନ୍ଧକାର ପଥରେ ପ୍ରସ୍ଥାନ କରନ୍ତି । ଭଗବାନଙ୍କ ପ୍ରତି ବିମୁଖ ରହିଥିବା କାରଣରୁ ଭ୍ରମରେ ଆତ୍ମାକୁ ଶରୀର ଜ୍ଞାନ କରି, ବନ୍ଧନଯୁକ୍ତ ହୋଇ, ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ଘୁରୁଥାନ୍ତି । ବୈଦିକ କର୍ମକାଣ୍ଡ ପାଳନ କରୁଥିବାରୁ, ସେମାନେ ଅସ୍ଥାୟୀ ଭାବେ, ଦେବତାମାନଙ୍କର ସ୍ୱର୍ଗଲୋକକୁ ପଦୋନ୍ନତି ପାଇଥାଆନ୍ତି । ସେଠାରୁ ପୁଣି ତାଙ୍କୁ ପୃଥିବୀ ଲୋକକୁ ଫେରିବାକୁ ପଡ଼ିଥାଏ । ଏହିପରି ଭାବରେ, ଦୁଇଟି ପଥ ମଧ୍ୟରୁ ମୃତ୍ୟୁରେ ବ୍ୟକ୍ତିକୁ ଯେ କୌଣସି ଗୋଟିଏ ପଥରେ ଯିବାକୁ ପଡିଥାଏ । ସେ ଆଲୋକ ପଥରେ ଯିବ କି ଅନ୍ଧକାର ପଥରେ ଯିବ, ତାହା ତା’ର କର୍ମ ନିର୍ଦ୍ଧାରଣ କରିଥାଏ ।