Bhagavad Gita: Chapter 8, Verse 28

ବେଦେଷୁ ଯଜେ୍ଞଷୁ ତପଃସୁ ଚୈବ
ଦାନେଷୁ ଯତ୍ ପୁଣ୍ୟଫଳଂ ପ୍ରଦିଷ୍ଟମ୍ ।
ଅତ୍ୟେତି ତତ୍ ସର୍ବମିଦଂ ବିଦିତ୍ୱା
ଯୋଗୀ ପରଂ ସ୍ଥାନମୁପୈତି ଚାଦ୍ୟମ୍ ।।୨୮।।

ବେଦେଷୁ - ବେଦାଧ୍ୟୟନ; ଯଜେ୍ଞଷୁ - ଯଜ୍ଞାନୁଷ୍ଠାନ; ତପଃସୁ - ତପସ୍ୟା; ଚ - ଏବଂ; ଏବ - ନିଶ୍ଚିତଭାବରେ; ଦାନେଷୁ - ଦାନ କରିବାରେ; ଯତ୍ - ଯେଉଁ; ପୁଣ୍ୟ-ଫଳମ୍ - ପୁଣ୍ୟ ଫଳ; ପ୍ରଦିଷ୍ଟମ୍ - ନିର୍ଦ୍ଦେଶିତ; ଅତ୍ୟେତି - ଅତିକ୍ରମ କରିଯାଏ; ତତ୍ ସର୍ବଂ- ସେହି ସବୁ; ଇଦଂ - ଏହା; ବିଦିତ୍ୱା - ଜାଣି, ଯୋଗୀ - ଭକ୍ତ; ପରଂ -ପରମ; ସ୍ଥାନମ୍ - ସ୍ଥାନ; ଉପୈତି -ପ୍ରାପ୍ତହୁଏ; ଚ - ଏବଂ; ଆଦ୍ୟମ୍ - ମୌଳିକ ।

Translation

BG 8.28: ଯେଉଁ ଯୋଗୀମାନେ ଏହି ରହସ୍ୟକୁ ଜାଣନ୍ତି, ସେମାନେ ବୈଦିକ ପୂଜା-ବ୍ରତାଦି, ବେଦ ଅଧ୍ୟୟନ, ଯଜ୍ଞାଦିକ ଅନୁଷ୍ଠାନ, ଦାନ, କର୍ମ, ତପତ୍ସର୍ଯ୍ୟା ଇତ୍ୟାଦିର ଫଳ ଠାରୁ ଉଚ୍ଚତର ଫଳ ପ୍ରାପ୍ତ କରି ଥାଆନ୍ତି । ଏପରି ଯୋଗୀମାନେ ଭଗବାନଙ୍କର ପରମ ଧାମ ପ୍ରାପ୍ତ କରିଥାଆନ୍ତି ।

Commentary

ଆମେ ବୈଦିକ ରୀତିରେ କର୍ମକାଣ୍ଡ କରିପାରୁ, ଜ୍ଞାନ ଅର୍ଜନ କରିପାରୁ, ତପଶ୍ଚର୍ଯ୍ୟା କରିପାରୁ ବା ଦାନ ଇତ୍ୟାଦି କରିପାରୁ, କିନ୍ତୁ ଭଗବାନଙ୍କର ଭକ୍ତି ନ କରିବା ଯାଏଁ ଜାଣିବାକୁ ହେବ ଯେ ଆମେ ଆଲୋକର ପଥ ଅନୁସରଣ କରୁନାହୁଁ । ଏହି ସବୁ ପାର୍ଥିବ ଉତ୍ତମ କର୍ମ ଦ୍ୱାରା ସାଂସାରିକ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇପାରେ, କିନ୍ତୁ ଭଗବାନଙ୍କ ପ୍ରତି ଭକ୍ତି ସାଂସାରିକ ବନ୍ଧନରୁ ମୁକ୍ତି ଦେଇଥାଏ ।

ରାମାୟଣ କହେ:

“ନେମ ଧର୍ମ ଆଚାର ତପ ଜ୍ଞାନ ଯଜ୍ଞ ଜପ ଦାନ,
ଭେଷଜ ପୁନି କୋଟିନ ନହିଁ ରୋଗ ଜାହିଁ ହରିଜାନ ।”

“ତୁମେ ଉତ୍ତମ ଆଚରଣ, ଧର୍ମ-କର୍ମ, ତପସ୍ୟା, ଯଜ୍ଞ, ଅଷ୍ଟାଙ୍ଗ ଯୋଗ, ମନ୍ତ୍ର ଜପ ଏବଂ ଦାନ ଇତ୍ୟାଦି କରିପାର । କିନ୍ତୁ ତଦ୍ୱାରା ସଂସାର ପ୍ରତି ଆସକ୍ତି ରୂପକ ମାନସିକ ରୋଗର ଉପଶମ ହେବ ନାହିଁ ।

            ଯେଉଁ ଯୋଗୀମାନେ ଆଲୋକର ପଥ ଅନୁସରଣ କରନ୍ତି, ସେମାନେ ସଂସାରରୁ ମନକୁ ହଟାଇ, ଭଗବାନଙ୍କଠାରେ ଆସକ୍ତ କରନ୍ତି, ଯଦ୍ୱାରା ସେମାନେ ଚିରନ୍ତନ ଲାଭ ପ୍ରାପ୍ତ କରିଥାନ୍ତି । ଅତଏବ ଶ୍ରୀକୃଷ୍ଣ କହୁଛନ୍ତି,  ଅନ୍ୟ ସମସ୍ତ ପ୍ରକ୍ରିୟା ଦ୍ୱାରା ପ୍ରାପ୍ତ ହେଉଥିବା ଫଳ ଅପେକ୍ଷା ସେମାନେ ଉନ୍ନତତର ଫଳ ପ୍ରାପ୍ତ କରିଥାନ୍ତି ।