Bhagavad Gita: Chapter 9, Verse 10

ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ ।
ହେତୁନାନେନ କୌନ୍ତେୟ ଜଗଦ୍ୱିପରିବର୍ତତେ ।।୧୦।।

ମୟା- ମୋ’ଦ୍ୱାରା; ଅଧ୍ୟକ୍ଷେଣ - ଅଧ୍ୟକ୍ଷତାରେ; ପ୍ରକୃତିଃ - ଭୂତପ୍ରକୃତି; ସୂୟତେ - ସର୍ଜନା କରେ; ସ - ଉଭୟ; ଚରାଚରମ୍ - ସ୍ଥାବର-ଜଙ୍ଗମ; ହେତୁନାନେନ - ଏହି କାରଣରୁ; କୌନ୍ତେୟ - ହେ କୁନ୍ତି-ପୁତ୍ର; ଜଗତ୍ - ଦୃଶ୍ୟ ଜଗତ; ବିପରିବର୍ତତେ - ପରିବର୍ତ୍ତିତ ହୋଇଥାଏ ।

Translation

BG 9.10: ହେ କୁନ୍ତି ପୁତ୍ର! ମୋର ନିର୍ଦ୍ଦେଶରେ କାର୍ଯ୍ୟକରି, ମାୟାଶକ୍ତି ସମସ୍ତ ସଜୀବ ଏବଂ ନିର୍ଜୀବ ରୂପର ସଂରଚନା କରେ । ଏହି କାରଣରୁ ଭୌତିକ ଜଗତରେ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥାଏ (ସୃଷ୍ଟି, ସ୍ଥିତି ଓ ବିଲୟ) ।

Commentary

ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଥିବା ପ୍ରକାରେ, ଭଗବାନ ପ୍ରତ୍ୟକ୍ଷ ଭାବରେ ସୃଷ୍ଟି କାର୍ଯ୍ୟରେ ଜଡ଼ିତ ହୁଅନ୍ତି ନାହିଁ । ତାଙ୍କ ଅଧ୍ୟକ୍ଷତାରେ ତାଙ୍କର ବିଭିନ୍ନ ଶକ୍ତି ଏବଂ ସେହିସବୁ କାର୍ଯ୍ୟ କରିବା ପାଇଁ ନିଯୁକ୍ତ ହୋଇଥିବା ସେବକମାନେ ତାହା କରିଥାନ୍ତି । ଉଦାହରଣ ସ୍ୱରୂପ, ଗୋଟିଏ ଦେଶର ରାଷ୍ଟ୍ରପତି ସମସ୍ତ ସରକାରୀ କାର୍ଯ୍ୟ ନିଜେ କରନ୍ତି ନାହିଁ । ତାଙ୍କ ଅଧୀନରେ ବିଭିନ୍ନ ବିଭାଗ ଥାଏ ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟ କରିବା ପାଇଁ ପଦାଧିକାରୀମାନେ ନିଯୁକ୍ତ ହୋଇଥାନ୍ତି । ତଥାପି ସରକାରର ସଫଳତା ବା ବିଫଳତା ପାଇଁ ସିଏ ହିଁ ଦାୟୀ ରହନ୍ତି । କାରଣ ତାଙ୍କ ଶାସନାଧୀନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପଦାଧିକାରୀମାନଙ୍କୁ ସେ ହିଁ ଅନୁମତି ଦେଇଥାନ୍ତି । ସେହିପରି ପ୍ରଥମ ପୁରୁଷ ବ୍ରହ୍ମା ଏବଂ ମାୟାଶକ୍ତି, ସୃଷ୍ଟି କରିବା ଏବଂ ଜୀବ ଜଗତକୁ ପ୍ରକଟ କରିବାର ଦାୟିତ୍ୱ ସମ୍ପନ୍ନ କରନ୍ତି । ଯେହେତୁ ସେମାନେ ଭଗବାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି, ସେଥିପାଇଁ ତାଙ୍କୁ ସୃଷ୍ଟିକର୍ତ୍ତା ମଧ୍ୟ କୁହାଯାଏ ।