Bhagavad Gita: Chapter 9, Verse 16-17

ଅହଂ କ୍ରତୁରହଂ ଯଜ୍ଞଃ ସ୍ୱଧାହମହମୌଷଧମ୍ ।
ମନ୍ତ୍ରୋଽହମହମେବାଜ୍ୟମହମଗ୍ନିରହଂ ହୁତମ୍ ।।୧୬।।
ପିତାହମସ୍ୟ ଜଗତୋ ମାତା ଧାତା ପିତାମହଃ ।
ବେଦ୍ୟଂ ପବିତ୍ରମୋଁକାର ଋକ୍‌ସାମ ଯଜୁରେବ ଚ ।।୧୭।।

ଅହଂ-ମୁଁ; କ୍ରତୁଃ - ବୈଦିକ ବିଧି; ଅହଂ-ମୁଁ; ଯଜ୍ଞଃ - ଯଜ୍ଞ; ସ୍ୱଧା - ଆହୁତି; ଅହଂ- ମୁଁ; ଔଷଧମ୍ - ଔଷଧୀୟ ଉଦ୍ଭିଦ; ମନ୍ତ୍ରଃ - ବୈଦିକ ମନ୍ତ୍ର; ଅହଂ-ମୁଁ; ଅହଂ - ମୁଁ; ଏବ - ନିଶ୍ଚିତ ରୂପେ; ଆଜ୍ୟଂ- ଘୃତ; ଅହଂ -ମୁଁ; ଅଗ୍ନିଃ - ଅଗ୍ନି; ଅହଂ -ମୁଁ; ହୃତମ୍ - ଅର୍ପଣ; ପିତା - ପିତା (ରକ୍ଷକ); ଅହଂ-ମୁଁ; ଅସ୍ୟ - ଏହି; ଜଗତଃ - ବ୍ରହ୍ମାଣ୍ଡର; ମାତା - ମାତା; ଧାତା -ଧାରଣକର୍ତ୍ତା; ପିତାମହଃ - ପିତାମହ; ବେଦ୍ୟଂ - ଯାହା ଜାଣିବା ଉଚିତ୍‌; ପବିତ୍ରଂ- ଯିଏ ପବିତ୍ର କରେ; ଓଁକାରଃ - ଓଁକାର; ଋକ୍ - ଋକ୍ ବେଦ; ସାମ - ସାମ ବେଦ; ଯଜୁଃ - ଯଜୁର୍ବେଦ; ଏବ - ନିଶ୍ଚିତଭାବେ; ଚ - ଏବଂ ।

Translation

BG 9.16-17: ମୁଁ ହିଁ ସମସ୍ତ ବୈଦିକ କର୍ମ ଅଟେ, ମୁଁ ହିଁ ଯଜ୍ଞ, ମୁଁ ପିତୃପୁରୁଷଙ୍କୁ ଅର୍ପଣ କରାଯାଉଥିବା ଦ୍ରବ୍ୟ ଅଟେ । ମୁଁ ହିଁ ଔଷଧୀୟ ବୃକ୍ଷ ଏବଂ ମୁଁ ବେଦର ମନ୍ତ୍ର ଅଟେ । ମୁଁ ହିଁ ବିଶୁଦ୍ଧ ଘୃତ, ମୁଁ ହିଁ ଅଗ୍ନି ଏବଂ ମୁଁ ହିଁ ଯଜ୍ଞ ବିଧି ଅଟେ । ଏହି ବିଶ୍ୱର ମୁଁ ହିଁ ପିତା, ମୁଁ ହିଁ ମାତା, ମୁଁଁ ହିଁ ପାଳନ କର୍ତ୍ତା ଏବଂ ପିତାମହ ଅଟେ । ମୁଁ ଶୁଦ୍ଧକାରୀ, ମୁଁ ସମସ୍ତ ଜ୍ଞାନର ଲକ୍ଷ୍ୟ ଏବଂ ପବିତ୍ର ଓଁ କାର ଧ୍ୱନି ଅଟେ । ମୁଁ ହିଁ ଋକ୍‌ବେଦ, ଶାମ ବେଦ ଓ ଯଜୁର୍ବେଦ ଅଟେ ।

Commentary

ଏହି ଶ୍ଲୋକରେ ଶ୍ରୀକୃଷ୍ଣ ତାଙ୍କର ଅନନ୍ତ ଶକ୍ତି ଯୁକ୍ତ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିଷୟରେ ସମ୍ୟକ ଧାରଣା ଦେଇଛନ୍ତି । କ୍ରତୁ ଶବ୍ଦର ଅର୍ଥ ଯଜ୍ଞ, ଯେପରି କି ବେଦ ବର୍ଣ୍ଣିତ ଅଗ୍ନିହୋତ୍ର ଯଜ୍ଞ । ଯଜ୍ଞର ତାତ୍ପର୍ଯ୍ୟ ସ୍ମୃତି ବର୍ଣ୍ଣିତ ବୈଶ୍ୱଦେବ ଯଜ୍ଞ ଆଦି ଅଟେ । ‘ଔଷଧମ୍‌’ ଔଷଧୀୟ ଗୁଳ୍ମରେ ନିହିତ ଶକ୍ତିକୁ ବୁଝାଇ ଥାଏ ।

ସୃଷ୍ଟି ଭଗବାନଙ୍କଠାରୁ ଉତ୍ପନ୍ନ ହୋଇଥାଏ, ତେଣୁ ସେ ଏହାର ପିତା ଅଟନ୍ତି । ସୃଷ୍ଟି ପୂର୍ବରୁ ଅବ୍ୟକ୍ତ ମାୟା ଶକ୍ତିକୁ ସେ ନିଜ ଜଠରରେ ଧାରଣ କରିଥାନ୍ତି, ତେଣୁ ସେ ତା’ର ମା ମଧ୍ୟ ଅଟନ୍ତି । ସେ ସଂସାରର ଭରଣ ପୋଷଣ କରନ୍ତି । ଏଣୁ ସେ ତା’ର ଭର୍ତ୍ତା ଅଟନ୍ତି । ସେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ମଧ୍ୟ ପିତା ଅଟନ୍ତି, ତେଣୁ ସେ ବିଶ୍ୱର ପିତାମହ ଅଟନ୍ତି । ସମସ୍ତ ବେଦ ଭଗବାନଙ୍କଠାରୁ ପ୍ରକଟ ହୋଇଥାଏ । ରାମାୟଣ  କହେ, ଜାକୀ ସହଜ ଶ୍ୱାସ ଶ୍ରୁତିଚାରୀ “ବେଦ ଚତୁଷ୍ଟୟକୁ ଭଗବାନଙ୍କର ନିଶ୍ୱାସରୁ ପ୍ରକଟ ହୋଇଥାଆନ୍ତି” । ବେଦ ଭଗବାନଙ୍କର ଜ୍ଞାନଶକ୍ତି ଅଟେ, ଅତଏବ ତାହା ମଧ୍ୟ ଭଗବାନଙ୍କ ଅନନ୍ତ ଶକ୍ତିର ଅଂଶ ବିଶେଷ ଅଟେ । ଶ୍ରୀକୃଷ୍ଣ ଏହି ସତ୍ୟକୁ ନାଟକୀୟ ଶୈଳୀରେ ପ୍ରକାଶ କରିବାକୁ ଯାଇ କହୁଛନ୍ତି,“ମୁଁ ବେଦ ଅଟେ” ।