Bhagavad Gita: Chapter 9, Verse 2

ରାଜବିଦ୍ୟା ରାଜଗୁହ୍ୟଂ ପବିତ୍ରମିଦମୁତ୍ତମମ୍ ।
ପ୍ରତ୍ୟକ୍ଷାବଗମଂ ଧର୍ମ୍ୟଂ ସୁସୁଖଂ କର୍ତ୍ତୁମବ୍ୟୟମ୍ ।।୨।।

ରାଜବିଦ୍ୟା - ଶ୍ରେଷ୍ଠ ବିଦ୍ୟା ; ରାଜ ଗୁହ୍ୟମ୍ - ଗୁପ୍ତବିଦ୍ୟା ମଧ୍ୟରେ ରାଜା ; ପବିତ୍ରମ୍ - ପବିତ୍ରତମ ; ଇଦଂ - ଏହା ; ଉତ୍ତମଂ - ଦିବ୍ୟ ; ପ୍ରତ୍ୟକ୍ଷ - ପ୍ରତ୍ୟକ୍ଷଭାବରେ ; ଅବଗମଂ - ଅନୁଭୂତ ; ଧର୍ମ୍ୟଂ - ଧର୍ମନୀତି; ସୁସୁଖଂ - ଅତ୍ୟନ୍ତ ସୁଖକର ; କର୍ତ୍ତୁଂ - ଆଚରଣ କରିବାକୁ ; ଅବ୍ୟୟମ୍ - ଶାଶ୍ୱତ

Translation

BG 9.2: ଏହି ଜ୍ଞାନ ରାଜ ବିଦ୍ୟା ଅଟେ ଏବଂ ସମସ୍ତ ବିଦ୍ୟା ମଧ୍ୟରେ ଗୁହ୍ୟତମ ଅଟେ । ଏହା ଶ୍ରବଣ କରିବା ବ୍ୟକ୍ତିଙ୍କୁ ଶୁଦ୍ଧ କରାଏ । ଏହା ପ୍ରତ୍ୟକ୍ଷ ଭାବେ ଅନୁଭବ ଯୋଗ୍ୟ, ଧର୍ମ ସମ୍ମତ, ଆଚରଣ କରିବାରେ ସହଜ ଏବଂ ସ୍ଥାୟୀ ପ୍ରଭାବ ଯୁକ୍ତ ଅଟେ ।

Commentary

ରାଜ ଅର୍ଥାତ୍ ରାଜା । ଶ୍ରୀକୃଷ୍ଣ ଏଠାରେ ‘ରାଜ’ର ଉପମା ମାଧ୍ୟମରେ ସେ ପ୍ରକାଶିତ କରିବାକୁ ଯାଉଥିବା ଜ୍ଞାନର ପରାକାଷ୍ଠା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ବିଦ୍ୟାର ଅର୍ଥ ବିଜ୍ଞାନ । ସେ ତାଙ୍କର ଉପଦେଶକୁ କୌଣସି ଧାର୍ମିକ ପ୍ରଥା, ଧର୍ମ, ଧର୍ମାଦେଶ, ଧାର୍ମିକ ମତବାଦ ବା ବିଶ୍ୱାସ ଭାବେ ବର୍ଣ୍ଣନା କରୁନାହାନ୍ତି । ସେ କହୁଛନ୍ତି ଯେ, ସେ ଯାହା ବର୍ଣ୍ଣନା କରିବାକୁ ଯାଉଛନ୍ତି ତାହା ସମସ୍ତ ବିଜ୍ଞାନ ମଧ୍ୟରେ ରାଜା ଅଟେ ।

ଗୁହ୍ୟର ଅର୍ଥ ଗୁପ୍ତ । ଏହି ଜ୍ଞାନ ଅତ୍ୟନ୍ତ ଗୋପନୀୟ ଅଟେ । ଭଲପାଇବା ସେହିଠାରେ ସମ୍ଭବ ହୁଏ ଯେଉଁଠି ଚୟନର ସୁଯୋଗ ଥାଏ, ସେଥିପାଇଁ ଭଗବାନ ଜାଣିଶୁଣି ନିଜକୁ ପ୍ରତ୍ୟକ୍ଷ ଅନୁଭୂତିରୁ ଦୂରେଇ ରଖନ୍ତି, ଯଦ୍ୱାରା ଜୀବ ତାଙ୍କୁ ଭଲ ପାଇବା କି ନାହିଁ ତା’ର ନିର୍ଣ୍ଣୟ ସ୍ୱାଧୀନ ଭାବରେ କରିପାରିବ । ଯନ୍ତ୍ରଟିଏ କାହାକୁ ଭଲ ପାଇପାରେ ନାହିଁ କାରଣ ତାର ଚୟନର କ୍ଷମତା ନାହିଁ । ଭଗବାନ ଇଚ୍ଛାକରନ୍ତି ଆମେ ତାଙ୍କୁ ଭଲ ପାଉ, କିନ୍ତୁ ଆମେ ନିଜ ଇଚ୍ଛାରେ ତାଙ୍କୁ ବାଛିବା କି ନାହିଁ ତା’ର ବିକଳ୍ପ ସେ ଆମକୁ ଦେଇଥାଆନ୍ତି । ସେ କେବଳ ଆମେ ଯାହା ଚୟନ କରୁ ତା’ର ପରିଣତି ବିଷୟରେ ଆମକୁ ସଚେତନ କରିଦିଅନ୍ତି, ତାପରେ ଆମେ କେଉଁ ପଥ ଅନୁସରଣ କରିବାକୁ ସ୍ଥିର କରିବା, ତାହା ଆମ ଉପରେ ଛାଡ଼ି ଦିଅନ୍ତି ।

ପବିତ୍ରମ୍ ଅର୍ଥ ଶୁଦ୍ଧ । ଭକ୍ତିର ଜ୍ଞାନ ଅତ୍ୟନ୍ତ ଶୁଦ୍ଧ ଅଟେ କାରଣ ଏହା ସଂକୀର୍ଣ୍ଣ ସ୍ୱାର୍ଥ ଦ୍ୱାରା କଳୁଷିତ ନୁହେଁ । ଭଗବାନଙ୍କର ସର୍ବୋଚ୍ଚ ପ୍ରେମ ନିମନ୍ତେ ନିଜକୁ ସମର୍ପିତ କରିବା ଦିଗରେ ଏହା ଜୀବକୁ ପ୍ରେରିତ କରିଥାଏ । ଭକ୍ତି ପାପ,ପାପର ବୀଜ ଓ ଅବିଦ୍ୟାକୁ ନଷ୍ଟ କରି ଭକ୍ତର ଅନ୍ତଃକରଣ ଶୁଦ୍ଧ କରିଥାଏ । ପାପ ହେଉଛି ଆତ୍ମାର ଅନନ୍ତ ଜନ୍ମର ଗଚ୍ଛିତ ମନ୍ଦକର୍ମ । ଗଦାଏ ନଡାକୁ ଅଗ୍ନି ଜାଳିଦେବା ପରି, ଭକ୍ତି ଭକ୍ତ ହୃଦୟର ଗଚ୍ଛିତ ପାପରାଶିକୁ ଜାଳି ଦେଇଥାଏ । ପାପ ବୀଜ ଅନ୍ତଃକରଣର ମଳୀନତାକୁ ବୁଝାଏ । ଏହି ବୀଜ ରହିଥିବା ଯାଏଁ, କେବଳ ପୂର୍ବଜନ୍ମର ପାପର ଫଳକୁ ନଷ୍ଟ କରିଦେବା ପର୍ଯ୍ୟାପ୍ତ ନୁହେଁ । କାରଣ ପାପ କରିବାର ପ୍ରବୃତ୍ତି ହୃଦୟରେ ରହିଥିବ ଏବଂ ଜଣେ ପୁଣି ପାପ କରିବ । ଭକ୍ତି ହୃଦୟକୁ ଶୁଦ୍ଧ କରି କାମ,କ୍ରୋଧ ଓ ଲୋଭ ଆଦି ପାପର ବୀଜକୁ ନଷ୍ଟ କରିଥାଏ । ତଥାପି କେବଳ ଏହି ବୀଜକୁ ନଷ୍ଟ କରିଦେବା ମଧ୍ୟ ଯଥେଷ୍ଟ ନୁହେଁ । ଅନ୍ତଃକରଣ ଅଶୁଦ୍ଧ ହେବାର କାରଣ ହେଉଛି ଅବିଦ୍ୟା (ଅଜ୍ଞାନ) । ଅଜ୍ଞାନବଶତଃ, ଆମେ ନିଜକୁ ଶରୀର ମନେ କରିଥାଏ । ନିଜକୁ ଚିହ୍ନିବାରେ ଏହି ଭୁଲ୍ ଯୋଗୁଁ ଆମେ ଶରୀରକୁ ଆତ୍ମା ମନେ କରିଥାଏ ଆତ୍ମାକୁ ସୁଖ ଦେବା ଉଦ୍ଦେଶ୍ୟରେ ଶରୀର ସମ୍ବନ୍ଧୀୟ କାମନା କରିଥାଏ । ଏହିସବୁ କାମନାର ପରିଣାମ ସ୍ୱରୂପ କାମ, କ୍ରୋଧ, ଲୋଭ ତଥା ହୃଦୟର ଅନ୍ୟସବୁ ବିକାର ଜାତ ହୋଇଥାଏ । ଅଜ୍ଞାନ ରହିଥିବା ଯାଏଁ, ହୃଦୟକୁ ଯେତେ ଶୁଦ୍ଧ କଲେ ବି ତାହା ପୁଣି ଅଶୁଦ୍ଧ ହୋଇଯିବ । କେବଳ ଭକ୍ତି ଦ୍ୱାରା ହିଁ ଆତ୍ମା ଓ ପରମାତ୍ମା ସମ୍ବନ୍ଧୀୟ ଅନୁଭବାତ୍ମକ ଜ୍ଞାନ ହୋଇଥାଏ ଯାହା ଅବିଦ୍ୟାକୁ ନଷ୍ଟ କରିଦିଏ । ଭକ୍ତି ଦ୍ୱାରା ମିଳୁଥିବା ଲାଭ ସମ୍ବନ୍ଧରେ ଭକ୍ତି ରସାମୃତ ସିନ୍ଧୁ କହେ: କ୍ଲେଶସ୍ ତୁ ପାପମ୍ ତଦ୍‌ବୀଜମ୍ ଅବିଦ୍ୟା ଚେତି ତେ ତ୍ରିଧା (୧.୧.୧୮) । ଭକ୍ତି ତିନୋଟି ବିଷକୁ ନଷ୍ଟ କରିଥାଏ -ପାପ, ପାପର ବୀଜ ଏବଂ ଅବିଦ୍ୟା (ଅନ୍ତଃକରଣର ଅଜ୍ଞାନତା) ।  ଏହି ତିନୋଟି ବିଷ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବା ପରେ, । ଅନ୍ତଃକରଣ ଚିରଦିନ ପାଇଁ ପୂର୍ଣ୍ଣତଃ ଶୁଦ୍ଧ ହୋଇଯାଏ ।

ପ୍ରତ୍ୟକ୍ଷ ଶବ୍ଦର ଅର୍ଥ “ସିଧାସଳଖ ଅନୁଭୂତି” । ଭକ୍ତି ସାଧନାର ଅୟମାରମ୍ଭ ଦୃଢ଼ ବିଶ୍ୱାସରୁ ହୋଇଥାଏ ଏବଂ ଏହାର ଫଳ ଭଗବତ୍ ଦର୍ଶନ ଅଟେ । ଅନ୍ୟ ପ୍ରଣାଳୀ ପରି ଏଥିରେ କୌଣସି ତଥ୍ୟକୁ ପରୀକ୍ଷା ନିରୀକ୍ଷା ଦ୍ୱାରା ପ୍ରମାଣିତ କରାଯାଏ ନାହିଁ ।

ଧର୍ମ୍ୟମ୍‌ର ଅର୍ଥ ଧାର୍ମିକ । କୌଣସି ସାଂସାରିକ କାମନା ନ ରଖି ଭକ୍ତି କରିବା ସର୍ବଶ୍ରେଷ୍ଠ ଧାର୍ମିକ ଆଚରଣ ଅଟେ । ଏହା ସର୍ବଦା ସତ୍‌କର୍ମ, ଯେପରିକି ଗୁରୁ ସେବା, ଦ୍ୱାରା ପ୍ରତିପାଳିତ ଏବଂ ବିକଶିତ ହୋଇଥାଏ ।

କର୍ତ୍ତୃମ୍ ସୁସୁଖମ୍‌ର ଅର୍ଥ “ପାଳନ କରିବା ଅତି ସହଜ” । ଭଗବାନ ଆମ୍ଭମାନଙ୍କ ଠାରୁ କିଛି ଚାହାଁନ୍ତି ନାହିଁ; ଆମେ ଯଦି ତାଙ୍କୁ ଭଲପାଇବା ଶିଖିଯିବା, ସେ ଅତି ସ୍ୱାଭାବିକ ଭାବରେ ପ୍ରାପ୍ତ ହୋଇଯିବେ ।