Bhagavad Gita: Chapter 9, Verse 25

ଯାନ୍ତି ଦେବବ୍ରତା ଦେବାନ୍ ପିତୃନ୍ ଯାନ୍ତି ପିତୃବ୍ରତାଃ ।
ଭୂତାନି ଯାନ୍ତି ଭୂତେଜ୍ୟା ଯାନ୍ତି ମଦ୍ୟାଜିନୋଽପି ମାମ୍ ।।୨୫।।

ଯାନ୍ତି- ପ୍ରାପ୍ତ ହୁଅନ୍ତି; ଦେବ ବ୍ରତାଃ - ଦେବତାମାନଙ୍କର ଉପାସକ; ଦେବାନ୍ - ଦେବତା, ପିତୃନ୍ - ପିତୃପୁରୁଷ; ଯାନ୍ତି - ଯା’ନ୍ତି; ପିତୃବ୍ରତାଃ - ପିତୃପୁରୁଷଙ୍କର ଉପାସକ; ଭୂତାନି - ଭୂତ ପ୍ରେତ; ଯାନ୍ତି -ଗମନ କରନ୍ତି; ଭୂତେଜ୍ୟାଃ - ଭୂତ ପ୍ରେତଙ୍କର ଉପାସକ; ଯାନ୍ତି - ଗମନ କରନ୍ତି; ମତ୍ - ମୋର; ୟାଜିନଃ - ଭକ୍ତଗଣ; ଅପି - ମଧ୍ୟ; ମାମ୍ - ମୋତେ ।

Translation

BG 9.25: ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରୁଥିବା ବ୍ୟକ୍ତି, ସ୍ୱର୍ଗର ଦେବତା ମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ପିତୃ ପୁରୁଷଙ୍କୁ ପୂଜା କରୁଥିବା ବ୍ୟକ୍ତି ପିତୃଲୋକକୁ ଯାଆନ୍ତି । ଭୂତ ପ୍ରେତଙ୍କୁ ପୂଜା କରୁଥିବା ବ୍ୟକ୍ତି ସେହିମାନଙ୍କ ଗହଣରେ ଜନ୍ମ ନିଅନ୍ତି । କେବଳ ମୋର ଭକ୍ତମାନେ ମୋ ପାଖକୁ ଆସନ୍ତି ।

Commentary

ସାଧକ କେବଳ ତା’ର ଇଷ୍ଟର ସ୍ତର ପର୍ଯ୍ୟନ୍ତ ନିଜକୁ ଉନ୍ନୀତ କରିପାରେ, ଯେପରି ଗୋଟିଏ ପାଣି ପାଇପ୍ କେବଳ ସେତିକି ଉଚ୍ଚକୁ ପାଣି ଉଠାଇ ପାରେ, ଯେତିକି ଉଚ୍ଚତା ତାହା ସଂଯୋଗ ହୋଇଥିବା ଜଳଭଣ୍ଡାରର ହୋଇଥାଏ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱଙ୍କୁ ପୂଜା କରିବାର ଫଳ-ସ୍ୱରୂପ ପ୍ରାପ୍ତ ହେଉଥିବା ଗତି ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ଜ୍ଞାନ ଦେଇ ସେ ଆମକୁ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଛନ୍ତି ଯେ ଚରମ ଆଧ୍ୟାତ୍ମିକ ଉନ୍ନତି ପାଇଁ ଆମେ ଭଗବାନଙ୍କର ହିଁ ଉପାସନା କରିବା ।

ଇନ୍ଦ୍ର, ସୂର୍ଯ୍ୟ, କୁବେର, ଅଗ୍ନି ଇତ୍ୟାଦି ଦେବତାମାନଙ୍କର ଉପାସନା କରୁଥିବା ବ୍ୟକ୍ତି ସ୍ୱର୍ଗକୁ ଯାଆନ୍ତି, ଯେଉଁଠାରୁ ପୁଣ୍ୟକର୍ମ ସମାପ୍ତ ହୋଇଯିବା ପରେ, ତାଙ୍କୁ ଫେରିବାକୁ ପଡିଥାଏ । ପିତୃଗଣ ଆମର ପୂର୍ବଜ ଅଟନ୍ତି । ସେମାନଙ୍କ ପ୍ରତି ଆମ୍ଭେମାନେ କୃତଜ୍ଞ ରହିବା ଉଚିତ୍‌, କିନ୍ତୁ ସେମାନଙ୍କର କଲ୍ୟାଣ ପାଇଁ ଅତିବେଶୀ ଚିନ୍ତିତ ହେବା କ୍ଷତିକାରକ ଅଟେ । ଯେଉଁମାନେ ପିତୃପୁରୁଷଙ୍କ ପୂଜାରେ ନିମଗ୍ନ ରହନ୍ତି, ମୃତ୍ୟୁପରେ ସେମାନେ ପିତୃଲୋକକୁ ଗମନ କରନ୍ତି ।

ଅଜ୍ଞାନ-ବଶୀଭୂତ ବ୍ୟକ୍ତି ଭୂତ ଓ ପ୍ରେତଙ୍କୁ ପୂଜା କରନ୍ତି । ପାଶ୍ଚାତ୍ୟ ଦେଶରେ ଡ଼ାହାଣୀ ବିଦ୍ୟା, ଆଫ୍ରିକାରେ କଳାଯାଦୁ ଏବଂ ଭାରତରେ ବାମମାର୍ଗୀ ତାନ୍ତ୍ରିକ ମାନେ ଭୂତ ଓ ପ୍ରେତଙ୍କୁ ଆହ୍ୱାନ କରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେଉଁମାନେ ଏପରି କାର୍ଯ୍ୟରେ ଲିପ୍ତ ରହନ୍ତି, ସେମାନେ ପରବର୍ତ୍ତୀ ଜନ୍ମରେ ଭୂତ ଓ ପ୍ରେତ ମାନଙ୍କ ଗହଣରେ ଜନ୍ମ ନିଅନ୍ତି ।

ଯେଉଁମାନେ ମନକୁ ସର୍ବୋଚ୍ଚ ଦିବ୍ୟ ତତ୍ତ୍ୱରେ ଲଗାଇ ରଖିଥାଆନ୍ତି, ସେମାନେ ହିଁ ଶ୍ରେଷ୍ଠ ସାଧକ ଅଟନ୍ତି । ବ୍ରତ ଶବ୍ଦର ଅର୍ଥ ହୃଦୟଙ୍ଗମ କରିବା ଓ ପାଳନ କରିବା । ଯେଉଁମାନେ ଦୃଢ଼ତାର ସହ, ଭଗବାନଙ୍କର ଉପାସନା କରିବାର ସଙ୍କଳ୍ପ ନେଇ, ନିରବଚ୍ଛିନ୍ନ ଭାବେ ତାଙ୍କ ଭକ୍ତିରେ ନିମଗ୍ନ ରହନ୍ତି, ସେହି ସୌଭାଗ୍ୟଶାଳୀ ଜୀବ ମୃତ୍ୟୁପରେ ଭଗବାନଙ୍କର ଦିବ୍ୟ ଲୋକକୁ ଗମନ କରନ୍ତି ।