Introduction

ମଙ୍ଗଳାଚରଣ

ପ୍ରଥମଂ ସଦ୍‌ଗୁରୁଂ ବନ୍ଦେ ଶ୍ରୀକୃଷ୍ଣ ତଦନନ୍ତରମ୍‌

ଗୁରୁ ପାପାତ୍ମନାଂ ତ୍ରାତା ଶ୍ରୀକୃଷ୍ଣସ୍ତ୍ୱମଲାତ୍ମନାମ୍‌

ମୁକୁନ୍ଦାନନ୍ଦ ପ୍ରପନ୍ନୋହଂ ଗୁରୁ ପାଦାରବିନ୍ଦୟୋଃ

ତସ୍ୟ ପ୍ରେରଣୟା ତସ୍ୟ ଦିବ୍ୟାଦେଶଂ ବଦାମ୍ୟହମ୍ ।

“ମୁଁ ପ୍ରଥମେ ମୋର ଭକ୍ତିପୁତ ପ୍ରଣତି, ମୋର ଗୁରୁଦେବ, ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କୁ ଜଣାଉଛି ଏବଂ ତତ୍‌ପଶ୍ଚାତ୍ ପରମ ପୁରୁଷ ଶ୍ରୀକୃଷ୍ଣଙ୍କୁ ଜଣାଉଛି । ଶ୍ରୀକୃଷ୍ଣ ପବିତ୍ର ଆତ୍ମାଙ୍କୁ ଆପଣାର କରୁଥିବା ବେଳେ ମୋ ଗୁରୁଦେବ ଏପରି କୃପାମୟ ଯେ ସେ ଆଧ୍ୟାତ୍ମିକତା ଦୃଷ୍ଟିରୁ ପତିତ ଜୀବମାନଙ୍କୁ ମଧ୍ୟ ନିଜର ଆଶ୍ରୟ ପ୍ରଦାନ କରିଥାଆନ୍ତି । ‘ମୁକୁନ୍ଦାନନ୍ଦ’ ନାମକ ଏହି ସଂସାରର ଜଣେ ତୁଚ୍ଛ ଏବଂ ନଗଣ୍ୟ ଜୀବ ନିଜ ଆଧ୍ୟାତ୍ମିକ ଗୁରୁଙ୍କ ପଦ ପଦ୍ମରେ ଶରଣାଗତ ହେଉଅଛି । ନିଜ ଗୁରୁଙ୍କର ଅନୁମତି, ପ୍ରେରଣା ଏବଂ କୃପା ପ୍ରାପ୍ତ କରି ନମ୍ରତାର ସହିତ ସେ ଆଧ୍ୟାତ୍ମିକ ବିଷୟର ବ୍ୟାଖ୍ୟା କରିବାକୁ ଯାଉଛନ୍ତି ।”

ବନ୍ଦେ ବୃନ୍ଦାବନାନନ୍ଦାଂ ରାଧିକାଂ ପରମେଶ୍ୱରୀମ୍ ।

ଗୋପିକାଂ ପରମାଂ ଶୁଦ୍ଧାଂ ହ୍ଲାଦିନୀଂ ଶକ୍ତି ରୂପିଣୀମ୍ ।।

“ମୁଁ ମୋର ଭକ୍ତିପୁତ ପ୍ରଣତି, ପରମ ଆରଧ୍ୟା ଶ୍ରୀ ରାଧାରାଣୀଙ୍କୁ ଅର୍ପଣ କରୁଛି, ଯିଏକି ଭଗବାନଙ୍କର ହ୍ଲାଦିନୀ ଶକ୍ତି ଅଟନ୍ତି । ସେ ଗୋପୀମାନଙ୍କ ମଧ୍ୟରେ ପବିତ୍ରତମ ଏବଂ ବ୍ରଜରସର ମୂର୍ତ୍ତିମାନ ସ୍ୱରୂପିଣୀ ଅଟନ୍ତି ।”

କଦା ଦ୍ରକ୍ଷାମି ନନ୍ଦସ୍ୟ ବାଳକଂ ନୀପମାଲକମ୍ ।

ପାଲକଂ ସର୍ବ ସତ୍ତ୍ୱାନାଂ ଲସତ୍ତିଲକ ଭାଲକମ୍ ।।

“କେବେ ମୋର ଚକ୍ଷୁ ଶ୍ରୀକୃଷ୍ଣଙ୍କ ଅନୁପମ ରୂପର ଦର୍ଶନ କରିବ, ଯିଏକି ନନ୍ଦଙ୍କର ପୁତ୍ର ଭାବରେ ଏହି ଜଗତରେ ଆର୍ବିଭାବ ହୋଇଥିଲେ? ସେ ଗଳାରେ ପୁଷ୍ପମାଳ ଓ କପାଳରେ ତିଳକ ବିଭୁଷିତ ହୋଇଥାଆନ୍ତି ଏବଂ ସାଧୁମାନଙ୍କର ରକ୍ଷା କରିଥାଆନ୍ତି ।”

ଅଜାତ ପକ୍ଷା ଇବ ମାତରଂ ଖଗାଃ ସତନ୍ୟଂ ଯଥା ବତ୍ସାତରାଃ କ୍ଷୁଧାର୍ତ୍ତାଃ

ପ୍ରିୟଂ ପ୍ରିୟେବ ବ୍ୟୁଷିତଂ ବିଷର୍ଣ୍ଣା ମନୋରବିନ୍ଦାକ୍ଷ ଦିଦୃକ୍ଷତେ ତ୍ୱାମ୍ ।

“ହେ ପ୍ରଭୁ! ଯେମିତି ଏକ ନବଜାତ ପକ୍ଷୀ ତା’ ମା’ ପାଇଁ ବ୍ୟାକୁଳ ରହିଥାଏ, ଯେମିତି ଏକ କ୍ଷୁଧାର୍ତ୍ତ ଶିଶୁ ମା’ର ସ୍ତନ୍ୟପାନ କରିବା ପାଇଁ ଆତୁର ହୋଇଥାଏ, ଯେମିତି ଏକ ପ୍ରେମୀ ତା’ର ପ୍ରିୟତମର ବାଟ ଚାହିଁ ରହିଥାଏ, ମୋର ମନ ସେହିପରି ଆପଣଙ୍କର ଦିବ୍ୟ ଦର୍ଶନ ପାଇଁ ବ୍ୟାକୁଳ ରହିଛି ।”

ଜ୍ଞାନର ଆରୋହଣ ଏବଂ ଅବରୋହଣ ପ୍ରକ୍ରିୟା

ଜ୍ଞାନ ଆହରଣ କରିବାର ଦୁଇଟି ଉପାୟ ଅଛି । ପ୍ରଥମଟି ଆରୋହଣ ପ୍ରକ୍ରିୟା, ଯେଉଁଥିରେ ଆମେ ନିଜ ଇନ୍ଦ୍ରିୟ, ମନ ଏବଂ ବୁଦ୍ଧିର ଉପଯୋଗ କରି ସତ୍ୟର ସ୍ୱରୂପ ବିଶ୍ଳେଷଣ, ଆବିଷ୍କାର ଏବଂ ନିର୍ଣ୍ଣୟ କରିଥାଉ । ଦ୍ୱିତୀୟଟି ଅବରୋହଣ ପ୍ରକ୍ରିୟା, ଯେଉଁଥିରେ ଆମେ ଏକ ସଠିକ୍ ସ୍ରୋତରୁ ଜ୍ଞାନ ଆହରଣ କରିଥାଉ । ଆରୋହଣ ପ୍ରକ୍ରିୟାରେ ଆହରଣ କରାଯାଉଥିବା ଜ୍ଞାନ ତ୍ରୁଟିପୂର୍ଣ୍ଣ ହେବା ସ୍ୱାଭାବିକ । ଆମର ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି ମାୟା ଶକ୍ତି ଦ୍ୱାରା ଗଠିତ ହୋଇଥିବା କାରଣରୁ ଦୋଷଯୁକ୍ତ ଏବଂ ସୀମିତ ଅଟନ୍ତି । ଅତଏବ ଆମେ କେବେ ବି ନିଶ୍ଚିନ୍ତ ହୋଇପାରିବା ନାହିଁ ଯେ ସେମାନଙ୍କ ଦ୍ୱାରା ଆହରଣ କରାଯାଇଥିବା ଜ୍ଞାନ ସମ୍ପୂର୍ଣ୍ଣ ଭାବରେ ଠିକ୍ ଏବଂ ନିର୍ଭରଯୋଗ୍ୟ ଅଟେ ।

ଭୌତିକ ବିଜ୍ଞାନର ତଥ୍ୟ ଅନୁସନ୍ଧାନ ଆରୋହଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ । ସେଥିପାଇଁ ଆମେ ଦେଖିଥାଉ, ଅତୀତରେ ବହୁଳ ଭାବରେ ଆଦୃତ ଏବଂ ନିର୍ବିବାଦ ବୈଜ୍ଞାନିକ ସିଦ୍ଧାନ୍ତ ମଧ୍ୟ ପରାଭୂତ ହୋଇ ନୂତନ ସତ୍ୟ ଦ୍ୱାରା ପ୍ରତିସ୍ଥାପିତ ହୋଇଥାଏ । ଉଦାହରଣ ସ୍ୱରୂପ, ବସ୍ତୁ ଅବିଭାଜ୍ୟ ପରମାଣୁ ଦ୍ୱାରା ଗଠିତ, ଏହି ଗ୍ରୀକ୍ ଧାରଣା ରଦରଫୋର୍ଡ଼ଙ୍କ ଦ୍ୱାରା ଭୁଲ ପ୍ରମାଣିତ ହୋଇଥିଲା ଯେତେବେଳେ ସେ ଦର୍ଶାଇଥିଲେ ଯେ ପରମାଣୁ ମଧ୍ୟ ଇଲେକ୍‌ଟ୍ରୋନ୍‌, ପ୍ରୋଟୋନ, ନିଉଟ୍ରନ ଏବଂ ଏକ ବିଶାଳ ଶୂନ୍ୟ ସ୍ଥାନକୁ ନେଇ ଗଠିତ । ପୁନଶ୍ଚ, ରଦରଫୋର୍ଡ଼ଙ୍କର ତଥ୍ୟ କ୍ୱାଣ୍ଟମ୍ ତଥ୍ୟ ଦ୍ୱାରା ଭୁଲ ପ୍ରମାଣିତ ହେଲା ଯେ ଇଲେକ୍‌ଟ୍ରନ ପ୍ରୋଟନ କଠିନ ବସ୍ତୁ ନୁହଁନ୍ତି, ବରଂ ଏକ ତରଙ୍ଗାୟିତ ଦ୍ୱିବିଧ କଣିକାର କମ୍ପମାନ ଶକ୍ତିରୂପ ଅଟେ । ଏହା ଆମକୁ ବିସ୍ମିତ କରିଥାଏ ଯେ ଆଜି ଯାହା ଆମକୁ ସତ୍ୟ ପ୍ରତୀତ ହେଉଛି, କିଛି ଶତାବ୍ଦୀ ପରେ ହୁଏତ ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ୍ ପ୍ରମାଣିତ ହୋଇପାରେ ।

ଅନ୍ୟ ପକ୍ଷରେ, ଜ୍ଞାନ ଆହରଣର ଦ୍ୱିତୀୟ ପ୍ରକ୍ରିୟା, ଅବରୋହଣ ପ୍ରକ୍ରିୟା, ଏହି ସବୁ ଦୋଷରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ଅଟେ । ଆମେ ଯେତେବେଳେ ଏକ ସଠିକ୍ ଉତ୍ସରୁ ଜ୍ଞାନ ଆହରଣ କରିଥାଉ, ଆମେ ନିଶ୍ଚିତ ହୋଇପାରିବା ଯେ ଏହା ଦୋଷରହିତ ଅଟେ । ଉଦାହରଣ ସ୍ୱରୂପ, ଆମେ ଯଦି ଆମର ପିତା କିଏ ବୋଲି ଜାଣିବାକୁ ଚାହିଁବା, ତା’ହେଲେ ଆମେ କୌଣସି ପରୀକ୍ଷା କରିବା ନାହିଁ । ଆମେ କେବଳ ମା’ଙ୍କୁ ପଚାରିବା, ଯେହେତୁ ସେହି ତଥ୍ୟର ବିଶେଷଜ୍ଞ ସେ ହିଁ ଅଟନ୍ତି । ସେହିପରି ଅଧ୍ୟାତ୍ମିକ ବିଷୟରେ ମଧ୍ୟ, ଅବରୋହଣ ପଦ୍ଧତି ଆମକୁ ତତ୍‌କ୍ଷଣାତ୍ ଜ୍ଞାନର ଏକ ବିଶାଳ ଭଣ୍ଡାର ନିକଟରେ ପହଞ୍ଚାଇଥାଏ, ଯାହାର ରହସ୍ୟୋଦ୍‌ଘାଟନ ନିଜ ଚେଷ୍ଟାରେ କରିବାକୁ ଆମକୁ ବର୍ଷ ବର୍ଷ ଲାଗି ଥାଆନ୍ତା । ଏଥିରେ ମାନଦଣ୍ଡ କେବଳ ଏହ ଯେ ଯେଉଁ ଉତ୍ସରୁ ଆମେ ଜ୍ଞାନ ଆହରଣ କରିବା, ତାହା ଅଭ୍ରାନ୍ତ ଏବଂ ବିଶ୍ୱାସଯୁକ୍ତ ହୋଇଥିବା ଆବଶ୍ୟକ । ଏପରି ଏକ ଜ୍ଞାନର ଉତ୍ସ ବେଦ ଅଟେ ।

ବେଦ କୌଣସି ପୁସ୍ତକର ନାମ ନୁହେଁ । ସେମାନେ ଭଗବାନଙ୍କର ଶାଶ୍ୱତ ଜ୍ଞାନ ଅଟନ୍ତି, ଯାହା ସେ ସଂସାରର ସୃଷ୍ଟି କରିବା ସମୟରେ ପ୍ରକଟ କରନ୍ତି । ସୃଷ୍ଟି ଚକ୍ରରେ ପ୍ରଥମେ ସେ ଏହି ଜ୍ଞାନକୁ ପ୍ରଥମ ପୁରୁଷ ବ୍ରହ୍ମାଙ୍କ ହୃଦୟରେ ଉଦ୍‌ଭାସିତ କରିଥିଲେ । ହଜାର ହଜାର ବର୍ଷ ଧରି ବେଦ ଶିକ୍ଷା ଗୁରୁଙ୍କ ଠାରୁ ଶିଷ୍ୟମାନଙ୍କୁ ମୌଖିକ ଉପାୟରେ ଦିଆଯାଉଥିଲା । ତେଣୁ ବେଦର ଗୋଟିଏ ନାମ ଶ୍ରୁତି (ଶ୍ରବଣ ଦ୍ୱାରା ପ୍ରାପ୍ତ) ଅଟେ । ଏହାକୁ ଅପୌରୁଷେୟ (କୌଣସି ମନୁଷ୍ୟ ଦ୍ୱାରା ସୃଷ୍ଟି ହୋଇ ନ ଥିବା) ମଧ୍ୟ କୁହାଯାଏ । ଏହି କାରଣରୁ, ଭାରତୀୟ ଦର୍ଶନରେ କୌଣସି ଆଧ୍ୟାତ୍ମିକ ତଥ୍ୟକୁ ପ୍ରତିପାଦିତ କରିବା ପାଇଁ ବେଦକୁ ଅନ୍ତିମ ଅଧିକାରୀ ଭାବରେ ଗ୍ରହଣ କରାଯାଏ । ଅତୀତ, ବର୍ତ୍ତମାନ ବା ଭବିଷ୍ୟତ ସନ୍ଦର୍ଭରେ ହେଉ, ଯେ କୌଣସି ଆଧ୍ୟାତ୍ମିକ ତଥ୍ୟର ବୈଧତା ବେଦର ଆଧାରରେ ହିଁ ପ୍ରମାଣିତ ହେବା ଆବଶ୍ୟକ । ବେଦର ଅର୍ଥକୁ ବିସ୍ତାର ପୂର୍ବକ ବର୍ଣ୍ଣନା କରିବା ପାଇଁ ଅନେକ ଶାସ୍ତ୍ର ରଚନା କରାଯାଇଅଛି । ଏହି ଶାସ୍ତ୍ରଗୁଡ଼ିକ ବେଦର ପ୍ରାଧିକରଣରୁ ବିଚ୍ୟୁତ ହୁଅନ୍ତି ନାହିଁ, ବରଂ ଏମାନେ ବେଦର ଜ୍ଞାନକୁ ବିସ୍ତାର ଭାବେ ବୁଝାଇବା ପାଇଁ ଉଦ୍ୟମ କରିଥାଆନ୍ତି । ଏକତ୍ର ସେହି ସବୁ ଶାସ୍ତ୍ର “ବୈଦିକ ଶାସ୍ତ୍ର” ଭାବରେ ପରିଚିତ ।

ବୈଦିକ ଶାସ୍ତ୍ରର ପରିଧି ଆଗାଧ ଅଟେ, କିନ୍ତୁ ସେମାନଙ୍କ ମଧ୍ୟରୁ ତିନୋଟିକୁ ପ୍ରସ୍ଥାନ ତ୍ରୟୀ (ବୈଦିକ ବିଚାର ବୁଝିବାକୁ ଆରମ୍ଭ କରିବାର ତିନୋଟି ସ୍ତମ୍ଭ) କୁହାଯାଏ । ସେଗୁଡ଼ିକ ହେଲା ଉପନିଷଦ, ବ୍ରହ୍ମସୂତ୍ର ଏବଂ ଭଗବଦ୍ ଗୀତା ।

ଉପନିଷଦ ବେଦର ସେହି ଭାଗ ଅଟେ, ଯେଉଁଥିରେ ସିଦ୍ଧାନ୍ତ ଜ୍ଞାନ ଭରି ରହିଥାଏ; ଏହାକୁ ବେଦର ସାର ଭାବେ ବିଚାର କରାଯାଏ । ଜର୍ମାନ ଦାର୍ଶନିକ ଆର୍ଥର ସପେନହୋର (୧୭୮୮-୧୮୬୦)ଏହାକୁ ଅଧ୍ୟୟନ କରି କହିଥିଲେ, “ସମ୍ପୂର୍ଣ୍ଣ ବିଶ୍ୱରେ ଏପରି କୌଣସି ଦର୍ଶନଶାସ୍ତ୍ର ନାହିଁ ଯାହା ଉପନିଷଦ ଠାରୁ ଅଧିକ ଲାଭଦାୟକ ଏବଂ ଉତ୍କୃଷ୍ଟ ଅଟେ । ଏହା ମୋ ଜୀବନର ସାନ୍ତ୍ୱନା ଅଟେ ଏବଂ ମୃତ୍ୟୁରେ ମଧ୍ୟ ଏହା ମୋର ସାନ୍ତ୍ୱନାଦାୟକ ହୋଇ ରହିବ ।” ଅନ୍ୟ ଜଣେ ଜର୍ମାନ ଦାର୍ଶନିକ ପଲ୍ ଡ୍ୟୁସନ (୧୮୪୫-୧୯୧୯) ବ୍ୟକ୍ତ କରିଥିଲେ “ଶାଶ୍ୱତ ସତ୍ୟର ଚମତ୍କାର ଏବଂ ନିର୍ଣ୍ଣାୟକ ଅଭିବ୍ୟକ୍ତି କେବଳ ଉପନିଷଦୀୟ ମୁକ୍ତିଦାୟିନୀ ଦର୍ଶନ ବ୍ୟତିତ ଅନ୍ୟ ଦର୍ଶନମାନଙ୍କରେ କ୍ୱଚିତ୍ ପରିଦୃଷ୍ଟ ହୋଇଥାଏ ।” ତଥାପି ଜଣେ ସାଧାରଣ ବ୍ୟକ୍ତିଙ୍କ ପକ୍ଷରେ ଉପନିଷଦର ଗଭୀରତାକୁ ହୃଦୟଙ୍ଗମ କରିବା ଅତ୍ୟନ୍ତ କଷ୍ଟକର ଅଟେ ।

ବ୍ରହ୍ମସୂତ୍ର ଉପନିଷଦଗୁଡ଼ିକର ସାରମର୍ମ ଅଟେ । ବୈଦିକ ଜ୍ଞାନର ଦାର୍ଶନିକ ନିଷ୍କର୍ଷ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହାର ରଚନା ବେଦ ବ୍ୟାସଙ୍କ ଦ୍ୱାରା କରାଯାଇଥିଲା । ସୁତରାଂ,ଏହାକୁ ବେଦାନ୍ତ ମଧ୍ୟ କୁହାଯାଇ ଥାଏ, ଯାହାର ଅର୍ଥ “ବୈଦିକ ବିଚାରର ପରିସମାପ୍ତି ।” ଉପନିଷଦ ପରି ବ୍ରହ୍ମସୂତ୍ରକୁ ମଧ୍ୟ ବୁଝିବା ଅନ୍ତ୍ୟନ୍ତ କଷ୍ଟକର ଏବଂ ଏହାର ସଂକ୍ଷିପ୍ତତା ବହୁ ସମୟରେ ଦ୍ୱିବିଧା ଉତ୍ପନ୍ନ କରିଥାଏ ଏବଂ ଏହାର ବ୍ୟାଖ୍ୟାରେ ନିଜସ୍ୱ ମତ ସମ୍ମିଳିତ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

ଭଗବଦ୍ ଗୀତା ଉପରୋକ୍ତ ଦୁଇଟି ଶାସ୍ତ୍ର ଅପେକ୍ଷା ଅଧିକ ବୋଧଗମ୍ୟ । ଏହା ବୈଦିକ ଦର୍ଶନର ସାରାଂଶକୁ ବିସ୍ତୃତ ଭାବରେ ତଥା ସହଜରେ ବୋଧଗମ୍ୟ ହେବା ପରି ଉପସ୍ଥାପିତ କରିଥାଏ । ଭଗବଦ୍ ଅର୍ଥ “ଭଗବାନଙ୍କର” ଏବଂ ଗୀତା ଅର୍ଥ “ଗୀତ” ଅଟେ । ତେଣୁ ‘ଭଗବଦ୍‌ଗୀତା’ର ଆକ୍ଷରିକ ଅର୍ଥ ଭଗବାନଙ୍କର ଗୀତ ଅଟେ । ମହାଭାରତ ଯୁଦ୍ଧର ଅୟମାରମ୍ଭରେ, ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କର ଭକ୍ତ ଅର୍ଜୁନଙ୍କ ମଧ୍ୟରେ ଏହା ଏକ ବାର୍ତ୍ତାଳାପ ଅଟେ ।

ଇତିହାସର କ୍ରମାନୁଯାୟୀ, ଅର୍ଥଶାସ୍ତ୍ର, ମନୋବିଜ୍ଞାନ, ସମାଜଶାସ୍ତ୍ର, ଦର୍ଶନଶାସ୍ତ୍ର ଇତ୍ୟାଦିର ଶତାଧିକ ସିଦ୍ଧାନ୍ତ ପ୍ରଚାରିତ ହୋଇଛି ଏବଂ ପରେ ସେଗୁଡ଼ିକୁ ତ୍ରୁଟିଯୁକ୍ତ ବା ଅସମ୍ପୂର୍ଣ୍ଣ ମନେକରି ବ୍ୟାଜ୍ୟାପ୍ତ କରାଯାଇଛି । ଏଗୁଡ଼ିକ ଆରୋହଣ ପ୍ରକ୍ରିୟାରେ ଉତ୍ପନ୍ନ ଜ୍ଞାନ ଅଟେ, ସୁତରାଂ ଅସମ୍ପୂର୍ଣ୍ଣ ଓ ତ୍ରୃଟିଯୁକ୍ତ ହେବା ସ୍ୱଭାବିକ । ଭଗବଦ୍ ଗୀତା ଯଦି ସେହିପରି ପାର୍ଥିବ ଓ ସୀମିତ ବୁଦ୍ଧିର ଉପଜ ହୋଇଥାଆନ୍ତା, ତେବେ ପଚାଶ ଶତାବ୍ଦୀ ବିତିଯିବା ପରେ ଏହା ହୁଏତ ଅପ୍ରଚଳିତ ଓ ଅପ୍ରାସଙ୍ଗିକ ହୋଇଯାଇ ଥାଆନ୍ତା । କିନ୍ତୁ ଗୀତାର ଶାଶ୍ୱତ ଜ୍ଞାନ ଏବେ ବି ଆଧୁନିକ ସମୟର ବିଶିଷ୍ଟ ଚିନ୍ତାଶୀଳ ବ୍ୟକ୍ତି ଯଥା ମହାତ୍ମାଗାନ୍ଧୀ, ରବର୍ଟ ଓପେନହିମର, କାର୍ଲ ୟଙ୍ଗ, ହର୍ମାନ ହେସି ଓ ଆଲ୍‌ଡ଼ସ୍ ହକ୍ସଲି ପ୍ରଭୃତିଙ୍କୁ ପ୍ରେରଣା ଦେବାରେ ଲାଗିଛି, ଯାହା ତା’ର ଦିବ୍ୟ ଉଦ୍ଭବକୁ ପ୍ରତିପାଦିତ କରିଥାଏ ।

ମହାଭାରତରେ ସନ୍ନିହିତ

ଭଗବଦ୍ ଗୀତାକୁ ବେଦବ୍ୟାସ ଏକ ସ୍ୱତନ୍ତ୍ର ଗ୍ରନ୍ଥ ଭାବରେ ରଚନା କରିଥିଲେ । ତତ୍‌ପଶ୍ଚାତ୍ ସେ ଯେତେବେଳେ ମହାଭାରତ ରଚନା କଲେ, ସେ ଭଗବଦ୍ ଗୀତାକୁ ସେଥିରେ ସନ୍ନିବିଷ୍ଟ କଲେ । ମହାଭାରତରେ ଏକ ଲକ୍ଷ ଶ୍ଳୋକ ରହିଅଛି । ସେଥିପାଇଁ ଏହା ବିଶ୍ୱର ସର୍ବାଧିକ ଦୀର୍ଘ କାବ୍ୟ ଅଟେ । ଏହା ଇଲିୟାଡ ଏବଂ ଓଡ଼ିଶିର ମିଶ୍ରିତ ଦୈର୍ଘ୍ୟଠାରୁ ସାତ ଗୁଣ ଅଧିକ ଏବଂ ବାଇବେଲଠାରୁ ଦୁଇ ଗୁଣ ବଡ଼ ଅଟେ । ରାମାୟଣ ସହିତ ଏହାକୁ ମଧ୍ୟ ଇତିହାସର ମାନ୍ୟତା ଦିଆଯାଇଛି, ଅର୍ଥାତ୍ ଭାରତର ଐତିହାସିକ ପାଣ୍ଡୁଲିପି । ଏହାର କାହାଣୀ ଏବଂ ନୀତିଶିକ୍ଷା ଭାରତର ସଂସ୍କୃତିର ରୂପରେଖକୁ ହଜାର ହଜାର ବର୍ଷ ଧରି ସଂଗଠିତ କରି ରଖିଛି । ସମ୍ପୂର୍ଣ୍ଣ ମହାଭାରତକୁ ଅଠରଟି ଭାଗରେ ବିଭକ୍ତ କରାଯାଇଛି । ଭଗବଦ୍ ଗୀତା ଏହାର ଷଷ୍ଠ ଭାଗ ଭୀଷ୍ମ ପର୍ବର ଅନ୍ତର୍ଗତ ଅଟେ । ଏଥିରେ ଥିବା ଅଠରଟି ଅଧ୍ୟାୟ ଭୀଷ୍ମ ପର୍ବର ପଚିଶତମ ଅଧ୍ୟାୟରୁ ଆରମ୍ଭ ହୋଇ ବୟାଳିଶତମ ଅଧ୍ୟାୟ ପର୍ଯ୍ୟନ୍ତ ରହିଅଛି । ଭଗବଦ୍ ଗୀତାରେ ବୈଦିକ ଜ୍ଞାନର ମହତ୍ୱପୂର୍ଣ୍ଣ ତଥ୍ୟ ସବୁ ସମାହିତ ହୋଇଥିବା ଦୃଷ୍ଟିରୁ ଏହାକୁ ଗୀତୋପନିଷଦ ବା ଗୀତା ଉପନିଷଦ ମଧ୍ୟ କୁହାଯାଏ । ଏହାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ରହିଛି, ଯାହାର ବର୍ଣ୍ଣନା ନିମ୍ନରେ କରାଯାଇଛି ।

ଏହା ବ୍ରହ୍ମବିଦ୍ୟା ପ୍ରଦାନ କରେ

ମାନବ ଜାତି ନିଜ ଜ୍ଞାନର ପରିସରକୁ ବୃଦ୍ଧି କରିବାରେ ଯେତେ ଦ୍ରୁତ ବେଗରେ ଅଗ୍ରଗତି କରିଚାଲିଛି, ସେ ସେତେ ଅଧିକ ଅନୁଭବ କରିପାରୁଛି ଯେ ସେ ଯାହା ଜାଣିଛି ତା’ଠାରୁ ଆହୁରି ଅଧିକ ଜାଣିବାର ଅଛି । ପ୍ରତିବର୍ଷ ନୂଆ ନୂଆ ବିଜ୍ଞାନର ଉଦ୍ଭବ ହେଉଛି, ଯାହା ଆମକୁ ଏହି ନିଷ୍କର୍ଷରେ ଉପନୀତ କରାଇଥାଏ ଯେ ସୃଷ୍ଟି ସମ୍ବନ୍ଧୀୟ ସଂମ୍ପୁର୍ଣ୍ଣ ସତ୍ୟର ଅନ୍ୱେଷଣ ଏକ ଅସରନ୍ତି ପ୍ରୟାସ ଅଟେ । ଏହା ଜଣକୁ ଚିନ୍ତା କରିବାକୁ ବାଧ୍ୟ କରିଥାଏ ସତରେ କଣ ଏପରି କେହି ଜଣେ ଅଛନ୍ତି ବା ଏକ ଜ୍ଞାନର ଉତ୍ସ ଅଛି ଯିଏ ସୃଷ୍ଟିର ସମସ୍ତ ବିଷୟର ଜ୍ଞାନ ସହଜରେ ଆମକୁ କରାଇ ଦେଇପାରିବ? ବେଦ ଅନୁସାରେ, ଜ୍ଞାନର ଏପରି ଏକ ଶାଖା ଅଛି ଯାହା ପରମ ସତ୍ୟକୁ ଉପଲବ୍‌ଧି କରିବାର ବିଜ୍ଞାନ ଅଟେ । ପରମ ସତ୍ୟ ଅଦ୍ୱୟ ଅଟେ, ଯାହାକୁ ଆମେ ଅନେକ ନାମରେ ନାମିତ କରିଥାଏ, ଯଥା ଈଶ୍ୱର, ଭଗବାନ, ଗଡ଼୍‌, ଲର୍ଡ଼, ଆଲ୍ଲା, ଖୁଦା, ୟହ୍ୱେ, ଅହୁର ମାଜ୍‌ଦା, ଅଲଖ ନିରଞ୍ଜନ, ଶୂନ୍ୟ, ଇକୋମ୍‌କାର, ଇତ୍ୟାଦି । ଅନ୍ୟ ସମସ୍ତ ସତ୍ୟ ଏଥିରୁ ସୃଷ୍ଟି ହୋଇଛନ୍ତି ଏବଂ ଏହା ମଧ୍ୟରେ ହିଁ ନିଜ ନିଜର ଅସ୍ତିତ୍ୱକୁ ପ୍ରାପ୍ତ ହୋଇଛନ୍ତି । ତେଣୁ ବେଦ କହେ: “ଏକସ୍ମିନ୍ ବିଜ୍ଞାତେ ସର୍ବମିଦଂ ବିଜ୍ଞାତଂ ଭବତି ।” ପରମ ସତ୍ୟକୁ ଜାଣି ବ୍ୟକ୍ତି ଅନ୍ୟ ସବୁକିଛି ଜାଣିନିଏ । ପରମ ସତ୍ୟକୁ ଉପଲବ୍‌ଧି କରିବାର ବିଜ୍ଞାନକୁ ବ୍ରହ୍ମ ବିଦ୍ୟା କୁହାଯାଏ । ଭଗବତ୍ ଗୀତାର ସର୍ବୋପରି ଉଦ୍ଦେଶ୍ୟ ହେଲା ‘ବ୍ରହ୍ମ ବିଦ୍ୟା’ ପ୍ରଦାନ କରିବା ଯାହାକି ଭଗବତ ପ୍ରାପ୍ତିର ବିଜ୍ଞାନ ଅଟେ ।

ଗୋଟିଏ ପ୍ରକାରର ଜ୍ଞାନ ବ୍ୟକ୍ତିର ତତ୍‌କାଳୀନ ସମସ୍ୟାର ସମାଧାନ କରିବା ଦିଗରେ ସହାୟତା କରିଥାଏ । ଅନ୍ୟ ଏକ ପ୍ରକାରର ଜ୍ଞାନ ଅଜ୍ଞାନତାର ମୁଳୋତ୍ପାଟନ କରି, ଏକକାଳୀନ ତା’ର ସମସ୍ତ ଦୁଃଖର ସମାଧାନ କରିଥାଏ । ଭଗବଦ୍ ଗୀତା, ଅନନ୍ତ ଜନ୍ମରୁ ଆତ୍ମାକୁ ଆଚ୍ଛାଦିତ କରିଥିବା ଅଜ୍ଞାନରୂପୀ ଅନ୍ଧକାରକୁ ନଷ୍ଟ କରି ଦ୍ୱିତୀୟ ପ୍ରକାର ଜ୍ଞାନୋଦୟର ଲକ୍ଷ୍ୟ ରଖେ । ଅର୍ଜୁନ ତତ୍‌କାଳୀନ ସଂଶୟର ସମାଧାନ କରି ନ ପାରି, ସେ ଅନୁଭବ କରୁଥିବା ମାନସିକ ପୀଡ଼ାର ଉପଶମ ଓ ସମାଧାନ ନିମନ୍ତେ ଶ୍ରୀକୃଷ୍ଣଙ୍କର ସମୀପସ୍ଥ ହୋଇଥିଲେ । ଶ୍ରୀକୃଷ୍ଣ ତାଙ୍କୁ କେବଳ ତତ୍‌କାଳୀନ ସମସ୍ୟାର ସମାଧାନ ପାଇଁ ଉପଦେଶ ଦେଇ ନ ଥିଲେ, ବରଂ ପ୍ରସଙ୍ଗରୁ ଓହରି ଯାଇ ଜୀବନ ଦର୍ଶନ ଉପରେ ଅତ୍ୟନ୍ତ ଗମ୍ଭୀର ଭାଷଣ ଶୁଣାଇଥିଲେ ।

ଏହା ଯୋଗାଭ୍ୟାସର ଶିକ୍ଷା ଦିଏ

ଯେ କୌଣସି ବିଜ୍ଞାନ ଉପଯୋଗୀ ସିଦ୍ଧ ହେବା ପାଇଁ, ଉଭୟ ଦିଗରୁ ସମୃଦ୍ଧ ହେବା ଆବଶ୍ୟକ - ସିଦ୍ଧାନ୍ତ ଏବଂ ବ୍ୟବହାରିକ । ସର୍ବଶ୍ରେଷ୍ଠ ସିଦ୍ଧାନ୍ତ ଜ୍ଞାନ ମଧ୍ୟ, ବ୍ୟବହାରିକ ହୋଇ ନ ଥିଲେ, ଜୀବନର ସମସ୍ୟା ସମାଧାନ କରିବା ପାଇଁ ପର୍ଯ୍ୟାପ୍ତ ହୁଏ ନାହିଁ । ଜ୍ଞାନର ଯଦି ବ୍ୟବହାର କରା ନ ଯାଏ, ତେବେ ତାହା କେବଳ ବୁଦ୍ଧିର ମନୋରଞ୍ଜନ ମାତ୍ର ହୋଇ ରହିଯାଏ । ଭଗବଦ୍ ଗୀତା କେବଳ ଉତ୍କୃଷ୍ଟ ଦାର୍ଶନିକ ଜ୍ଞାନ ପ୍ରଦାନ କରି ନ ଥାଏ, ଏହା ଆଧ୍ୟାତ୍ମିକତାକୁ ଦୈନ୍ୟଦିନ ଜୀବନରେ ଉପଯୋଗ କରିବାର କୌଶଳ ମଧ୍ୟ ବର୍ଣ୍ଣନା କରିଥାଏ । ଆଧ୍ୟାତ୍ମିକ ବିଜ୍ଞାନକୁ ନିଜ ଜୀବନରେ ଉପଯୋଗ କରିବାର କୌଶଳକୁ ଯୋଗ କୁହାଯାଏ । ସେଥିପାଇଁ ଭଗବଦ୍ ଗୀତାକୁ “ଯୋଗ ଶାସ୍ତ୍ର” ମଧ୍ୟ କୁହାଯାଏ, ଅର୍ଥାତ୍ ଯେଉଁ ଶାସ୍ତ୍ର ଯୋଗ ସାଧନାର ଶିକ୍ଷା ଦିଏ ।

ଅନଭିଜ୍ଞ ଆଧ୍ୟାତ୍ମିକ ସାଧକମାନେ ପ୍ରାୟତଃ ଆଧ୍ୟାତ୍ମିକତାକୁ ଜାଗତିକ ଜୀବନରୁ ପୃଥକ ରଖିଥାଆନ୍ତି; କେତେ ଜଣ ଏପରି ମନେକରନ୍ତି ଯେ ସ୍ୱର୍ଗିୟ ସୁଖ ଏହି ଜୀବନ ପରେ ହିଁ ଉପଲବ୍ଧ ହେବ । କିନ୍ତୁ ଭଗବଦ୍ ଗୀତା ସେପରି କୌଣସି ଭେଦ ରଖେନାହିଁ । ଏହାର ଉଦ୍ଦେଶ୍ୟ ଏହି ଜୀବନରେ ହିଁ ମନୁଷ୍ୟକୁ ସର୍ବତୋ ଭାବରେ ପବିତ୍ର କରିବା । ସେଥିପାଇଁ ଏହାର ଅଠରଟିଯାକ ଅଧ୍ୟାୟକୁ ଭିନ୍ନ ଭିନ୍ନ ଯୋଗ ଭାବରେ ଅଭିହିତ କରାଯାଇଛି କାରଣ ସେମାନେ ଆଧ୍ୟାତ୍ମିକ ଜ୍ଞାନକୁ ବାସ୍ତବ ଜୀବନରେ ଉପଯୋଗ କରିବାର ପଦ୍ଧତି ସମ୍ପର୍କରେ ଆଲୋଚନା କରିଥାଆନ୍ତି । ଏହି ଅଧ୍ୟାୟଗୁଡ଼ିକ ବିଭିନ୍ନ ପ୍ରକାରର ଯୋଗ ପ୍ରଣାଳୀର ବର୍ଣ୍ଣନା କରିଥାଆନ୍ତି, ଯେପରିକି କର୍ମଯୋଗ, ଜ୍ଞାନଯୋଗ ଏବଂ ଭକ୍ତିଯୋଗ ।

ଭଗବଦ୍ ଗୀତାର ପୃଷ୍ଠଭୂମି

ଯଦିଓ ସତ୍ୟ ଅଦ୍ୱୟ ଏବଂ ନିତ୍ୟ ଅଟେ, ବିଭିନ୍ନ ଯୁଗରେ, ସ୍ଥାନ ବିଶେଷରେ ଏହା ବିଭିନ୍ନ ରୂପରେ ପ୍ରକାଶିତ ହୋଇଥାଏ, ଯାହା ତାକୁ ଏକ ବିଶେଷ ସ୍ୱାଦରେ ପ୍ରସ୍ତୁତ କରିଥାଏ । ତେଣୁ ଭଗବଦ୍ ଗୀତାର ଜ୍ଞାନକୁ ଏକ ବ୍ୟାପକ ଆଧ୍ୟାତ୍ମିକ ଦର୍ଶନ ବା ନୈତିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ । ଏହା ମାନବ ଜୀବନର ଏକ ସଂକଟ ପୂର୍ଣ୍ଣ ସ୍ଥିତିରେ ନୈତିକ ଜ୍ଞାନର ବ୍ୟବହାରିକ ଉପଯୋଗ ଅଟେ, ଯାହା ଏହାକୁ ଏକ ପୃଷ୍ଠଭୂମି ପ୍ରଦାନ କରିଥାଏ । ଯେହେତୁ ଭଗବଦ୍ ଗୀତାର ଉପଦେଶ ଅତ୍ୟନ୍ତ ଗମ୍ଭୀର, ତେଣୁ ଏହାର ପୃଷ୍ଠଭୂମି ପାଇଁ ମଧ୍ୟ ଏକ ଅତ୍ୟନ୍ତ ଜଟିଳ ଏବଂ ଅଲଂଘନୀୟ ସ୍ଥିତିର ଆବଶ୍ୟକତା ଥିଲା । ସୁତରାଂ, ଏହି ଜ୍ଞାନର ମହତ୍ୱକୁ ପୂର୍ଣ୍ଣରୂପେ ହୃଦୟଙ୍ଗମ କରିବା ପାଇଁ ଯେଉଁ ଐତିହାସିକ ଘଟଣାବଳୀ କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଶ୍ରୀକୃଷ୍ଣଙ୍କୁ ଏହି ଦିବ୍ୟ ଉପଦେଶ ଅର୍ଜୁନଙ୍କୁ ଦେବା ପାଇଁ ପ୍ରେରିତ କରିଥିଲା, ତାହା ଜାଣିବା ଆବଶ୍ୟକ ।

ଭଗବଦ୍ ଗୀତାର ପୃଷ୍ଠଭୂମି ଥିଲା ମହାଭାରତ ଯୁଦ୍ଧର ଆରମ୍ଭ, ଏକ ବିଶାଳ ଯୁଦ୍ଧ ଯାହା ଦୁଇ ଭ୍ରାତୃ ଗୋଷ୍ଠୀ ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିଲା । ପାଣ୍ଡବ -ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଏବଂ ସହଦେବ- ପାଞ୍ଚ ଭାଇ ଧାର୍ମିକ ପ୍ରକୃତିର ଥିଲେ । ସେମାନଙ୍କର ବାଲ୍ୟାବସ୍ଥାରେ ହିଁ ପିତା ପଣ୍ଡୁଙ୍କର ଏକ ଦୁର୍ଭାଗ୍ୟପୁର୍ଣ୍ଣ ମୃତ୍ୟୁ ହୋଇଥିଲା । ପଣ୍ଡୁଙ୍କର ରାଜ ସିଂହାସନ ତାଙ୍କ ସାବତ ଭ୍ରାତା ଧୃତରାଷ୍ଟ୍ରଙ୍କ ଦ୍ୱାରା ଅଧୀକୃତ ହୋଇଥିଲା, ଯିଏ କି ଜନ୍ମରୁ ଅନ୍ଧ ଥିଲେ । ଧୃତରାଷ୍ଟ୍ରଙ୍କର ଏକଶତ ପୁତ୍ରଥିଲେ, ଯାହାଙ୍କୁ କୌରବ କୁହାଯାଉଥିଲା ଏବଂ ତାଙ୍କ ମଧ୍ୟରେ ଦୁର୍ଯୋଧନ ଜ୍ୟେଷ୍ଠ ଥିଲେ । ବର୍ଷ ବର୍ଷ ଧରି, ଦୁର୍ଯ୍ୟୋଧନଙ୍କ ନେତୃତ୍ୱରେ କୌରବମାନେ ପାଣ୍ଡବମାନଙ୍କ ଉପରେ ଅତ୍ୟାଚାର କରି ଆସୁଥିଲେ ଏବଂ ହସ୍ତିନାପୁରକୁ ଶାସନ କରୁଥିଲେ, ଯାହାକି ନ୍ୟାୟତଃ ତାଙ୍କର ନଥିଲା ।

କୌରବମାନେ ନିଷ୍ଠୁରତା, ଅନ୍ୟାୟ, ପାପ, ଅତ୍ୟାଚାର ଏବଂ ଅଧର୍ମର ସ୍ୱରୁପ ଥିଲେ । ଅପର ପକ୍ଷରେ, ଧାର୍ମିକ ସ୍ୱଭାବର ପାଣ୍ଡବମାନେ ନୈତିକତା, ତ୍ୟାଗ, ସମର୍ପଣ ଏବଂ ଦୟାର ପ୍ରତୀକ ଥିଲେ । ସର୍ବୋପରି, ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ ଥିଲେ । କୌରବମାନଙ୍କର ଅତ୍ୟାଚାରରେ ପାଣ୍ଡବମାନଙ୍କର କଷ୍ଟ ଏପରି ଅସହ୍ୟ ହୋଇ ଉଠିଲା ଯେ ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧ ସମୁପସ୍ଥିତ ହେଲା । ଯୁଦ୍ଧ ଅବଶ୍ୟମ୍ଭାବୀ ଅନୁଭବ କରି, ଉଭୟ ପକ୍ଷ ତତ୍‌କାଳୀନ ଭାରତବର୍ଷରେ ପରିବ୍ୟାପ୍ତ ହଜାର ହଜାର ରାଜ୍ୟର ରାଜାମାନଙ୍କର ସାହାଯ୍ୟ କାମନା କରିଥିଲେ । ଉଭୟ ପକ୍ଷ ଏତେ ବଳଶାଳୀ ଥିଲେ ଯେ ସେହି ଯୁଦ୍ଧ ସମଗ୍ର ଭାରତବର୍ଷକୁ ପ୍ରଭାବିତ କରିଥାଆନ୍ତା । ତେଣୁ ପ୍ରତ୍ୟେକ ରାଜା ଯେ କୌଣସି ଗୋଟିଏ ପକ୍ଷରେ ଯୋଗ ଦେବାକୁ ବାଧ୍ୟ ହୋଇଥିଲେ ।

ଏପରି ସଶକ୍ତ ସଂଘଟନର ଏକ ପ୍ରୟାସ ଭାବରେ, ଉଭୟ ଅର୍ଜୁନ ଏବଂ ଦୁର୍ଯ୍ୟୋଧନ, ଶ୍ରୀକୃଷ୍ଣଙ୍କର ସହାୟତା କାମନା କରି ଦ୍ୱାରିକାରେ ପହଞ୍ôଚଲେ । ସର୍ବଜ୍ଞ ଶ୍ରୀକୃଷ୍ଣ ସେମାନଙ୍କ ଆଗମନର କାରଣ ଜାଣି ଏପରି ଏକ ପରିସ୍ଥିତି ସୃଷ୍ଟି କରିଥିଲେ ଯାହା ଆଗକୁ ଆସୁଥିବା ଯୁଦ୍ଧ ପାଇଁ ଏକ ଶିକ୍ଷା ପ୍ରସ୍ତୁତ କରିଥିଲା । ସେ ତାଙ୍କ କକ୍ଷରେ ଶୋଇବାର ଅଭିନୟ କଲେ । ଅର୍ଜୁନ କକ୍ଷରେ ପ୍ରବେଶ କରି, ନମ୍ରତା ପୂର୍ବକ ତାଙ୍କର ପାଦ ପାଖରେ ବସି ରହି ତାଙ୍କର ଉଠିବା ପର୍ଯ୍ୟନ୍ତ ଅପେକ୍ଷା କଲେ । ଇତିମଧ୍ୟରେ ଦୁର୍ଯ୍ୟୋଧନ ମଧ୍ୟ ତାଙ୍କ କକ୍ଷକୁ ପ୍ରବେଶ କଲେ ଏବଂ ନିଜ ସ୍ୱାଭିମାନୀ ସ୍ୱଭାବ ଅନୁରୂପ ଶ୍ରୀକୃଷ୍ଣଙ୍କ ମୁଣ୍ଡ ପଛକୁ ଥିବା ଆସନରେ ବସି ରହିଲେ । ଶ୍ରୀକୃଷ୍ଣ ଯେତେବେଳେ ଉଠିଲେ, ସ୍ୱଭାବତଃ ତାଙ୍କର ଦୃଷ୍ଟି ସର୍ବପ୍ରଥମେ ଅର୍ଜୁନଙ୍କ ଉପରେ ପଡ଼ିଲା ଏବଂ ପରେ ସେ ଦୁର୍ଯ୍ୟୋଧନଙ୍କର ଉପସ୍ଥିତି ସମ୍ପର୍କରେ ଅବଗତ ହେଲେ । ଦୁଇ ପକ୍ଷ ଯୁଦ୍ଧରେ ସହାୟତା ପାଇଁ ତାଙ୍କର ସାହାଯ୍ୟ କାମନା କରିଥିଲେ । ଯେହେତୁ ଉଭୟ ଅର୍ଜୁନ ଏବଂ ଦୁର୍ଯ୍ୟୋଧନ ତାଙ୍କର ସମ୍ପର୍କୀୟ ଭାଇଥିଲେ, ସେ କାହା ପ୍ରତି ପକ୍ଷପାତ କରି ନିନ୍ଦିତ ହେବାକୁ ଇଚ୍ଛା କରୁ ନ ଥିଲେ । ତେଣୁ ସେ ଦୁଇଟି ପ୍ରସ୍ତାବ ରଖିଲେ, ଗୋଟିଏ ପକ୍ଷରେ ଦ୍ୱାରିକାର ବିପୁଳ ସେନା ରହିବେ ଏବଂ ଅନ୍ୟ ପକ୍ଷରେ କେବଳ ଶ୍ରୀକୃଷ୍ଣ ନିଜେ ନୀରସ୍ତ୍ର ରହିବେ । ଯେହେତୁ ଶ୍ରୀକୃଷ୍ଣ ପ୍ରଥମେ ଅର୍ଜୁନଙ୍କୁ ଦେଖିଥିଲେ, ସେ ପ୍ରଥମ ସୁଯୋଗ ଅର୍ଜୁନଙ୍କୁ ଦେଲେ । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଚୟନ କଲେ ଯଦିଓ ସେ ବିନା ଅସ୍ତ୍ରରେ ଥିଲେ । ସେ ନିର୍ଣ୍ଣୟ କରିଥିଲେ ଯେ ଯଦି ଭଗବାନ ତାଙ୍କ ସହିତ ରହିବେ, ତାହେଲେ ସେ କେବେ ବି ଯୁଦ୍ଧରେ ପରାସ୍ତ ହେବେ ନାହିଁ । ଦୁର୍ଯ୍ୟୋଧନ ଅର୍ଜୁନଙ୍କର ଇଚ୍ଛା ଶୁଣି ପ୍ରସନ୍ନ ହେଲେ କାରଣ ସେ ଭୌତିକ ଶକ୍ତିଯୁକ୍ତ ସାମରିକ ବଳରେ ହିଁ ବିଶ୍ୱାସ କରୁଥିଲେ । ଏହିପରି ଭାବରେ ଯୁଦ୍ଧରେ ପରଂବ୍ରହ୍ମ ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥର ସାରଥି ହେଲେ ।

ଯୁଦ୍ଧର ଅବ୍ୟବହିତି ପୂର୍ବରୁ ଉଭୟ ପକ୍ଷର ବିଶାଳ ସେନା କୁରୁକ୍ଷେତ୍ରର ଯୁଦ୍ଧ ଭୂମିରେ ଏକତ୍ର ହେଲେ । ଏହା ଥିଲା ଆସନ୍ନ ମହାଭାରତ ଯୁଦ୍ଧ (ଭାରତର ସର୍ବବୃହତ ଯୁଦ୍ଧ) । ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିଲା, ପରସ୍ପର ବିନାଶକାରୀ ଯୁଦ୍ଧରେ ଗୋଟିଏ ଯୁଗ ନିଜକୁ ଆତ୍ମ ନିଶ୍ଚିହ୍ନ କରିବାକୁ ଯାଉଥିଲା । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅର୍ଜୁନ ତାଙ୍କର ରଥକୁ ଦୁଇ ସେନା ମଧ୍ୟକୁ ନେଇ ଯିବାକୁ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କଲେ । ଦୁଇ ପକ୍ଷରେ ସଜ୍ଜିତ ଯୋଦ୍ଧାଗଣଙ୍କୁ ଦେଖି ତାଙ୍କର ହୃଦୟ ଦ୍ରବୀଭୁତ ହୋଇଗଲା । ଅବସାଦଗ୍ରସ୍ତ ଅବସ୍ଥାରେ ସେ ତାଙ୍କର ଧନୁକୁ ତଳେ ପିଙ୍ଗିଦେଇ, ଯୁଦ୍ଧ କରିବାକୁ ଅନିଚ୍ଛା ପ୍ରକାଶ କଲେ ।

ଅର୍ଜୁନ ଏକ ନୈତିକ ଦ୍ୱନ୍ଦ୍ୱର ଶିକାର ହେଲେ । ଗୋଟିଏ ପକ୍ଷରେ, ସେ ଏପରି ବ୍ୟକ୍ତିମାନଙ୍କର ସମ୍ମୁଖୀନ ହେଉଥିଲେ ଯେଉଁମାନେ ତାଙ୍କର ନମସ୍ୟ, ଯେପରି କି ଭୀଷ୍ମ ପିତାମହ, ଗୁରୁ ଦ୍ରୋଣାଚାର୍ଯ୍ୟ ଇତ୍ୟାଦି । ଅନ୍ୟପକ୍ଷରେ, ଜଣେ ଯୋଦ୍ଧା ଭାବରେ ଏହି ଧର୍ମ ଯୁଦ୍ଧରେ ଯୁଦ୍ଧ କରିବା ତାଙ୍କର କର୍ତ୍ତବ୍ୟ ଥିଲା । ତଥାପି, ବିଜୟର କୌଣସି ଫଳ ଏପରି ଏକ ହୀନ କାର୍ଯ୍ୟକୁ ଯଥାର୍ଥ ପ୍ରତିପାଦିତ କରୁ ନ ଥିଲା । ଏହା ଏକ ଏପରି ଦ୍ୱବିଧା ଥିଲା ଯାହାର କୌଣସି ସମାଧାନ ନ ଥିଲା । କିଂକର୍ତ୍ତବ୍ୟ ବିମୁଢ଼, ହତୋତ୍ସାହିତ, ଜୀବନ ପ୍ରତି ନୈରାଶ୍ୟଯୁକ୍ତ ଏବଂ ଘଟଣା ଚକ୍ରରେ ଗ୍ଳାନିଯୁକ୍ତ ହୋଇ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାଗତ ହେଲେ ଏବଂ ଏହି ପରିସ୍ଥିତିରେ ତାଙ୍କର ଉଚିତ କର୍ତ୍ତବ୍ୟ କ’ଣ, ସେହି ବିଷୟରେ ତାଙ୍କର ମାର୍ଗ ଦର୍ଶନ ଭିକ୍ଷା କଲେ । ଅର୍ଜୁନଙ୍କର ଏହି ନୈତିକ ଦ୍ୱନ୍ଦ୍ୱର ସମାଧାନ କରିବାକୁ ଯାଇ ଶ୍ରୀକୃଷ୍ଣ ତାଙ୍କୁ ଜ୍ଞାନ ପ୍ରଦାନ କରିବାକୁ ଅଗ୍ରସର ହେଲେ ।

ଘଟଣାକ୍ରମର ଐତିହାସିକ ସତ୍ୟତା

ମହାଭାରତରେ ବର୍ଣ୍ଣିତ ଘଟଣାବଳୀର ଐତିହାସିକ ସଠିକତା ନେଇ ପ୍ରଶ୍ନ ଉଠିଥାଏ । ଏକଦା ୟୁରୋପରେ ଏହିପରି ବିବାଦ ଯିଶୁଖ୍ରୀଷ୍ଟ ଏବଂ ବାଇବେଲରେ ବର୍ଣ୍ଣିତ ତାଙ୍କ ଜୀବନର ଘଟଣାବଳୀକୁ ନେଇ ଉଠିଥିଲା । ଏପରି ଯୁକ୍ତିତର୍କ ଐତିହାସିକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ, କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ନୁହେଁ । ଯୀଶୁଙ୍କର ଉପଦେଶ ଯଦି ଆମ ପାଇଁ ଲାଭଦାୟୀ ଏବଂ ତାଙ୍କ ମାର୍ଗଦର୍ଶନରେ ଆମେ ଏକ ପବିତ୍ର ଜୀବନ ଯାପନ କରିପାରୁଥାନ୍ତୁ, ତେବେ ଯିଶୁ ପ୍ରକୃତରେ ନାଜାରେଥ୍‌ରେ ଜନ୍ମ ହୋଇଥିଲେ କି ବେଥ୍‌ଲେହେମ୍‌ରେ ଜନ୍ମ ହୋଇଥିଲେ, ସେଥିରୁ ଆମକୁ କ’ଣ ମିଳିବ? ସେହିପରି, ଗୀତାର ସାର ସନ୍ଧାନ କଲାବେଳେ, ଆମେ ଏହାର ଐତିହାସିକ ବିବରଣୀ ପ୍ରତି ଧ୍ୟାନ ନ ଦେଇ, ଏହାର ଆଧ୍ୟାତ୍ମିକ ସିଦ୍ଧାନ୍ତ ଏବଂ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବା ପାଇଁ ଏହାର ଉପାଦେୟତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଏକ ପ୍ରସ୍ତର ମୂର୍ତ୍ତିରେ ଈଶ୍ୱରୀୟ ଭାବନା ରଖି ଆମେ ପବିତ୍ର ହୋଇଯାଉ । ଆମର ଦିବ୍ୟ ଚିନ୍ତାଧାରା ଆମ ମନକୁ ପବିତ୍ର କରିଦିଏ । ତେଣୁ ଦିବ୍ୟ ଭାବନାରେ ଭଗବାନଙ୍କର ଲୀଳା ଅନୁଧ୍ୟାନ କରିବାର ଶୁଦ୍ଧିକରଣ ପ୍ରଭାବକୁ ନେଇ ଆମେ ଶଙ୍କା କରିବା କାହିଁକି?

ମୁଁ ଯେତେବେଳେ ସାଧକମାନଙ୍କୁ କହିଲି ଯେ ଗୀତା ଉପରେ ମୁଁ ଏକ ଭାଷ୍ୟ ଲେଖିବାକୁ ଯାଉଛି, ସେତେବେଳେ ପାଶ୍ଚାତ୍ୟ ଦେଶର କେତେଜଣ ସାଧକ ମତ ଦେଲେ, ପ୍ରଥମେ ମୁଁ ମହାଭାରତର ଏକ ରୂପକ ଲେଖି ତଦନୁସାରେ ଗୀତାର ବ୍ୟାଖ୍ୟା କରିବା ଉଚିତ୍ । ସେମାନେ ପାଶ୍ଚାତ୍ୟ ଜଗତରେ ଆଦୃତ ଅନେକ ଭାଷ୍ୟର ଉଦାହରଣ ଦେଲେ, ଯେଉଁଥିରେ ସମସ୍ତ ଘଟଣାବଳୀକୁ ରୂପକ ମାଧ୍ୟମରେ ବର୍ଣ୍ଣନା କରାଯାଇଅଛି । ଏହିପରି ଏକ ରୂପକୀୟ ବିଶ୍ଲେଷଣ କରିବା ସହଜ ଅଟେ, କିନ୍ତୁ ତାହା ମହାଭାରତର ଭାବର ସୌନ୍ଦର୍ଯ୍ୟକୁ ନଷ୍ଟ କରି କାବ୍ୟକୁ ଏକ ନୀରସ ବୌଦ୍ଧିକ ବିଶ୍ଲେଷଣରେ ପରିଣତ କରିଦେବ । ଏହା ଏକ ସୁନ୍ଦର ପୁଷ୍ପଭରା ବାଟିକାକୁ ନଷ୍ଟ କରି ସେହି ଜମିରେ ଚାଷର ଉଦ୍ୟମ କରିବା ସଦୃଶ ଅଟେ । ବେଦବ୍ୟାସ ଯେଉଁ ସବୁ ଗ୍ରନ୍ଥ ରଚନା କରିଥିଲେ, ତା’ର ପୃଷ୍ଠଦେଶରେ ତାଙ୍କର ଉଦ୍ଦେଶ୍ୟ ପାଠକକୁ କେବଳ ଆଧ୍ୟାତ୍ମିକ ଜ୍ଞାନର ଭଣ୍ଡାର ପ୍ରଦାନ କରିବା ନ ଥିଲା, ବରଂ ତା’ ସହିତ ଭଗବାନଙ୍କର ମଧୁର ନାମ, ରୂପ, ଲୀଳା, ଗୁଣ ଏବଂ ଧାମ ପ୍ରଦାନ କରିବା ଥିଲା, ଯଦ୍ୱାରା ପାଠକ ତା’ର ମନକୁ ସହଜରେ ଭଗବାନଙ୍କ ସହିତ ସଂଲଗ୍ନ କରିପାରିବ । ତେଣୁ ଆମେ ଘଟଣାବଳୀର ନିର୍ଜୀବ ରୂପରେଖାତ୍ମକ ବିଶ୍ଲେଷଣ କରିବାର ଆଗ୍ରହରେ ବଶୀଭୂତ ହେବା ନାହିଁ । ବୁଦ୍ଧିକୁ ପୋଷଣ ଯୋଗାଇବା ପାଇଁ ଭଗବଦ୍ ଗୀତାରେ, ଏହାର ମୌଳିକ ରୂପରେ, ଅଗାଧ ଜ୍ଞାନ ଭରି ରହିଛି । ଏହାର ଶୁଷ୍କ ବୌଦ୍ଧିକ ବିଶ୍ଲେଷଣ, ଭାଷ୍ୟକାରମାନଙ୍କର ଏକ ଅନାବଶ୍ୟକ ଉଦ୍ୟମ ଅଟେ । ବେଦବ୍ୟାସ ରୂପକକୁ ସାହିତ୍ୟର ଏକ ଉପକରଣ ଭାବରେ ଜାଣିଥିଲେ ଏବଂ ତାଙ୍କ ରଚନାରେ ସେ ତାହାର ଯଥାର୍ଥ ଉପଯୋଗ କରିଛନ୍ତି । ସୁତରାଂ, ଆମେ ବେଦ ବ୍ୟାସଙ୍କ ଉପରେ ଛାଡିଦେବା, ସେ ଯେଉଁଠାରେ ଆବଶ୍ୟକ ସେଠାରେ ତା’ର ଉପଯୋଗ କରନ୍ତୁ ଏବଂ ଭଗବାନ ମନୁଷ୍ୟ ରୂପରେ ଅବତରିତ ହୋଇ ଯେଉଁ ଲୀଳା ପ୍ରକଟ କରିଥିଲେ ଏବଂ ଯେଉଁ ବାର୍ତ୍ତା ଦେଇଥିଲେ, ଆମର ଉଭୟ ବୁଦ୍ଧି ଓ ହୃଦୟକୁ ସେହି ଦିଗରେ ପରିଚାଳିତ କରନ୍ତୁ ।

ଗୀତାର ଭାଷା

ଭଗବଦ୍ ଗୀତା, ଭାରତର ଐତିହାସିକ ଭାଷା, ସଂସ୍କୃତରେ ଲିପିବଦ୍ଧ ହୋଇ ଆମ ସମ୍ମୁଖରେ ପ୍ରକାଶିତ ହୋଇଅଛି । ସଂସ୍କୃତ ଭାଷାର ଶବ୍ଦାବଳୀ ଅତ୍ୟନ୍ତ ବିକଶିତ ହୋଇଥିବା ଦୃଷ୍ଟିରୁ ଆଧ୍ୟାତ୍ମିକ ସିଦ୍ଧାନ୍ତକୁ ପ୍ରକାଶ କରିବା ପାଇଁ ଏହା ଉପଯୁକ୍ତ ଅଟେ । ପୃଥିବୀର ସମସ୍ତ ଭାଷା ମଧ୍ୟରେ ଏହାର ବ୍ୟାକରଣ ଅତ୍ୟନ୍ତ ସଂପନ୍ନ ଅଟେ ଯାହା ହଜାର ହଜାର ବର୍ଷ ଧରି ଅପରିବର୍ତ୍ତିତ ରହିଛି । ଏବେ (ଘଇଝଇ) ନାସାର ବୈଜ୍ଞାନିକମାନେ, “କୃତ୍ରିମ ବୁଦ୍ଧିମତ୍ତା”ରେ ବ୍ୟବହାର କରିବା ପାଇଁ ଗୋଟିଏ କମ୍ପ୍ୟୁଟର ଭାଷା ବିକସିତ କରିବାକୁ ଗଲାବେଳେ,ଏହା ଜାଣି ଅତ୍ୟନ୍ତ ବିସ୍ମିତ ହୋଇଥିଲେ ଯେ ସଂସ୍କୃତ ବ୍ୟାକରଣ କମ୍ପୁଟର ପାଇଁ ପୂର୍ଣ୍ଣ ସଂଗତ ଅଟେ । ନାସାର ଏମ୍‌ସ ଅନୁସନ୍ଧାନ ବିଭାଗର ରିକ୍ ବ୍ରିଗସ୍‌, ତାଙ୍କର ନିବନ୍ଧ “ସଂସ୍କୃତ ଏବଂ କୃତ୍ରିମ ବୁଦ୍ଧିମତ୍ତାରେ ଜ୍ଞାନର ପ୍ରକାଶ”ରେ ଲେଖିଛନ୍ତି, “ଅନ୍ତତଃ ସଂସ୍କୃତ ଏପରି ଏକ ଭାଷା ଅଟେ, ଯାହା ପ୍ରାୟ ୧୦୦୦ ବର୍ଷ ଧରି ଏକ ପ୍ରଚଳିତ ଭାଷା ରୂପେ ବ୍ୟବହୃତ ହୋଇଥିଲା ଏବଂ ଯାହାର ନିଜସ୍ୱ ବିଶାଳ ସାହିତ୍ୟ ରହିଛି । ସାହିତ୍ୟିକ ମୂଲ୍ୟ ବ୍ୟତୀତ, ଏହାର ବିସ୍ତୃତ ଦାର୍ଶନିକ ଏବଂ ବ୍ୟାକରଣ ପରମ୍ପରା ଥିଲା, ଯାହାର ଅସ୍ତିତ୍ୱ ଚଳିତ ଶତାବ୍ଦୀ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି । ବ୍ୟାକରଣବିତ୍‌ମାନଙ୍କର ଉପଲବ୍‌ଧି ମଧ୍ୟରୁ ସଂସ୍କୃତକୁ ପାରଦର୍ଶୀ କରିବା ପାଇଁ ଏକ ବିଧି ମନେ କରାଯାଇପାରେ, ଯାହା କୃତ୍ରିମ ବୁଦ୍ଧିମତ୍ତାର କାର୍ଯ୍ୟ ଅନୁରୂପ ହୋଇପାରିବ ।”

ଗୀତାର ବିଶ୍ୱବ୍ୟାପୀ ଲୋକପ୍ରିୟତା

ଶଙ୍କରାଚାର୍ଯ୍ୟଙ୍କ ସମୟରୁ, ବିଶିଷ୍ଟ ଦାର୍ଶନିକମାନେ ପ୍ରଚଳିତ ପ୍ରଥା ଅନୁସାରେ ଭଗବଦ୍ ଗୀତାର ନିଜସ୍ୱ ଭାଷ୍ୟ ଲେଖି ଆସିଛନ୍ତି । ଏହା ମଧ୍ୟ ସଂସ୍କୃତରୁ ଅନ୍ୟାନ୍ୟ ଭାଷାରେ ଅନୁବାଦିତ ହୋଇଅଛି, ଯେପରିକି ତ୍ରୟୋଦଶ ଶତାବ୍ଦୀରେ ସନ୍ଥ ଜ୍ଞାନେଶ୍ୱରଙ୍କ ଦ୍ୱାରା ମରାଠୀ ଭାଷାରେ ରଚିତ “ଜ୍ଞାନେଶ୍ୱରୀ” ।

ବ୍ରିଟିଶ ରାଜତ୍ୱ କାଳରେ ଗୀତାର ଲୋକପ୍ରିୟତା ସାରା ବିଶ୍ୱରେ ପ୍ରସାରିତ ହୋଇଥିଲା । ଏହା ପ୍ରଥମେ ଇଷ୍ଟ ଇଣ୍ଡିଆ କମ୍ପାନୀର ଜଣେ ବଣିକ, “ଚାର୍ଲସ ୱିଲ୍‌କିନ୍‌ସ୍‌”ଙ୍କ ଦ୍ୱାରା ଇଂରାଜୀ ଭାଷାରେ ଅନୁବାଦିତ ହୋଇଥିଲା । ତାଙ୍କର ଏହି କୃତି ଆମେରିକାର ଅତୀନ୍ଦ୍ରିୟବାଦୀ ସ୍ୱାଧୀନଚେତା ବ୍ୟକ୍ତିମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ରାଲ୍‌ଫ ୱାଲ୍‌ଡ଼ୋ ଇମରସନ୍‌ଙ୍କର କବିତା “ବ୍ରହ୍ମ”ର ଏହା ଆଧାର ଥିଲା । ଇମର୍‌ସନ୍ ଖ୍ରୀଷ୍ଟଧର୍ମୀୟ ପୁସ୍ତକର ବିରୋଧ କରୁଥିବା ବ୍ୟକ୍ତିମାନଙ୍କ ପାଇଁ, ଗୀତାକୁ ଏକ ଆବଶ୍ୟକୀୟ ପଠନୀୟ ଗ୍ରନ୍ଥ ଭାବରେ ପ୍ରସ୍ତୁତ କରିଥିଲେ । ତାଙ୍କର ବନ୍ଧୁ ହେନେରି ଡାଭିଡ଼୍ ଥୋରେ ମଧ୍ୟ ଗୀତା ବିଷୟରେ ଅତ୍ୟନ୍ତ ଉତ୍ସାହିତ ଥିଲେ ଏବଂ କର୍ମଯୋଗର ଦର୍ଶନକୁ ତାଙ୍କ ଜୀବନରେ ପାଳନ କରିଥିଲେ । ଏହିପରି ଭାବରେ, ପ୍ରଥମ ଥର ପାଇଁ ଏହା ଅନ୍ତଃ ସଂସ୍କୃତିର ଏକ ଅଂଶ ହୋଇପାରିଥିଲା । ତା’ର ଏକ ଶତାଦ୍ଦୀ ପରେ, ଟି.ଏସ୍‌.ଏଲିଅଟ୍ ଭାରତୀୟ ଦର୍ଶନ ପ୍ରତି ଜୀବନବ୍ୟାପୀ ଆଗ୍ରହ ପ୍ରକାଶ କରିଥିଲେ ଏବଂ ନିଜ କବିତାରେ ତାହାକୁ ସମନ୍ୱିତ କରିଥିଲେ । ଗୀତା ଜର୍ମାନୀର ସ୍ୱଚ୍ଛନ୍ଦତାବାଦୀ, ବିଶେଷ କରି ସେଗଲ୍‌, ହମ୍‌ବୋଲ୍‌ଟ ଏବଂ ଗୋଥେ ଇତ୍ୟାଦିଙ୍କୁ ମଧ୍ୟ ପ୍ରଭାବିତ କରିଥିଲା ।

ଭାରତୀୟ ସ୍ୱାଧୀନତା ଅନ୍ଦୋଳନର ନେତୃବୃନ୍ଦ, ଯେଉଁମାନେ ଭାରତୀୟମାନଙ୍କର ସମ୍ମାନର ଯୋଗ୍ୟ ଥିଲେ, ଗୀତାକୁ ପ୍ରେରଣାର ଉତ୍ସ ଭାବରେ ଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ସ୍ୱାଧିନତା ସଂଗ୍ରାମୀ ବାଲ୍ ଗଙ୍ଗାଧର ତିଲକ, ଯିଏ କି ଜଣେ କର୍ମଯୋଗୀ ଥିଲେ, ଗୀତା ଉପରେ ଏକ ବିସ୍ତୃତ ଏବଂ ସାରଗର୍ଭକ ଭାଷ୍ୟ ଲେଖିଥିଲେ । ତାଙ୍କ ପରେ ମହାତ୍ମାଗାନ୍ଧୀ ଘୋଷଣା କରିଥିଲେ ଯେ ସେ ଯେତେବେଳେ ନୈରାଶ୍ୟର ସମ୍ମୁଖୀନ ହୁଅନ୍ତି, ମାର୍ଗଦର୍ଶନ ପାଇଁ ଏବଂ ସାନ୍ତ୍ୱନା ଲାଭ କରିବା ପାଇଁ ସେ ଗୀତାର ଆଶ୍ରୟ ନିଅନ୍ତି । ଗାନ୍ଧିଜୀଙ୍କର ଚିନ୍ତାଧାରା, ବିଂଶ ଶତାଦ୍ଦୀର ଦୁଇଜଣ ପାଶ୍ଚାତ୍ୟ ମହାନ ବ୍ୟକ୍ତିତ୍ୱ, ମାର୍ଟିନ୍ ଲୁଥର କିଙ୍ଗ ଜୁନିୟର ଏବଂ ନେଲ୍‌ସନ୍ ମାଣ୍ଡେଲା, ଙ୍କୁ ପ୍ରଭାବିତ କରିଥିଲା । ପ୍ରାଚ୍ୟ ଓ ପାଶ୍ଚାତ୍ୟ ବିଚାରର ଏହି ସମନ୍ୱୟ ଗୀତାର ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିଥିଲା । ୧୯୬୦ ଦଶନ୍ଧିରେ ଆଉ ଏକ ଆନ୍ତଃ ସାଂସ୍କୃତିକ ଲହରୀ ଆମେରିକାରେ ପ୍ରବାହିତ ହୋଇଥିଲା । ପୂର୍ବରୁ ପାଶ୍ଚାତ୍ୟ ଦେଶ ଭ୍ରମଣ କରିଥିବା ସ୍ୱାମୀ ବିବେକାନନ୍ଦ ଏବଂ ସ୍ୱାମୀ ଯୋଗାନନ୍ଦଙ୍କର ଅନୁସରଣ କରି ଅନେକ ଧର୍ମ ଗୁରୁ ଆମେରିକାକୁ ଆଗମନ କରିବାରେ ଲାଗିଲେ, ଯେମିତି କି ସ୍ୱାମୀ ବିଷ୍ଣୁଦେବାନନ୍ଦ, ସ୍ୱାମୀ ସଚ୍ଚିଦାନନ୍ଦ ଏବଂ ସ୍ୱାମୀ ପ୍ରଭୁପାଦ । ସେମାନେ ସମସ୍ତେ ଗୀତାକୁ ତାଙ୍କ ଶିକ୍ଷାର ପ୍ରାମାଣିକ ସନ୍ଦର୍ଭ ଭାବରେ ଗ୍ରହଣ କରିଥିଲେ । ଫଳସ୍ୱରୂପ, ମନୁଷ୍ୟ ଜାତିର ଇତିହାସରେ ଭଗବଦ୍ ଗୀତା ଖୁବ୍ ଶୀଘ୍ର ଏକ ଲୋକପ୍ରିୟ ଏବଂ ବହୁପଠିତ ଜ୍ଞାନର ପୁସ୍ତକ ଭାବେ ଖ୍ୟାତି ଅର୍ଜନ କଲା ।

ଏହାର ଶିକ୍ଷା ସବୁ ମତ ଏବଂ ମାର୍ଗର ଉର୍ଦ୍ଧ୍ୱରେ

ଗୋଟିଏ ପ୍ରକାର ଶିକ୍ଷା ଏକ ନିର୍ଦ୍ଦିଷ୍ଟ ମତବାଦ, ଧର୍ମ-ସଂପ୍ରଦାୟ ବା ମାର୍ଗର ବିସ୍ତାର କରିଥାଏ । ଅନ୍ୟ ଗୋଟିଏ ପ୍ରକାର ଶିକ୍ଷା ଆଦର୍ଶ ଏବଂ ଜୀବନ ଦର୍ଶନର ପ୍ରଚାର କରିଥାଏ, ଯାହା ସବୁ ମତବାଦ ବା ଧାର୍ମିକ ମାର୍ଗର ବହୁ ଉର୍ଦ୍ଧ୍ୱରେ । ଯେଉଁ ବିଦ୍ୱାନମାନେ ଗୀତାକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମ ପରମ୍ପରାର ସାର ବା ଫଳ ଭାବରେ ବିଚାର କରନ୍ତି, ସେମାନେ ଗୀତା ଉପଦେଶର ସାର୍ବଜନୀନତା ପ୍ରତି ଅନ୍ୟାୟ କରିଥାଆନ୍ତି । ଏହାର ବିଚାର ଏବଂ ଆଦର୍ଶ କୌଣସି ଦାର୍ଶନିକ ଚିନ୍ତାଧାରାର ପରିକଳ୍ପନା ନୁହେଁ, ବରଂ ଜୀବନର ଅନୁଭବ ଦ୍ୱାରା ପ୍ରମାଣ-ଯୋଗ୍ୟ ଆଧ୍ୟାତ୍ମିକ ବାସ୍ତବକତାର ସ୍ଥାୟୀ ସତ୍ୟ ଅଟେ । ସେଥିପାଇଁ ଗୀତାର ଇଂରାଜୀ ଅନୁବାଦର ପ୍ରଥମ ସଂସ୍କରଣ ଯେତେବେଳେ ପ୍ରକାଶ ପାଇଲା, ସେତେବେଳେ ତତ୍‌କାଳୀନ ଗଭର୍ଣ୍ଣର ଜେନେରାଲ ୱାରେନ ହେଷ୍ଟିଙ୍ଗସ ପ୍ରାକ୍‌କଥନରେ ଲେଖିଥିଲେ ଯେ; “ଭାରତରେ ବ୍ରିଟିଶ୍ ରାଜତ୍ୱର ଅନ୍ତ ହେବା ଏବଂ ଧନ ଓ କ୍ଷମତାର ସ୍ରୋତ ବିସ୍ମୃତିର ଗର୍ଭରେ ଲୁପ୍ତ ହେବାର ବହୁ ଅବଧି ପରେ ମଧ୍ୟ, ଏହା (ଭାରତ ବାସୀଙ୍କର ଏହି ରଚନା) ଜୀବନ୍ତ ରହିଥିବ ।”

 ଅତଏବ, ଗୀତାର ଅଧ୍ୟୟନ କରିବାକୁ ଯାଇ ଆମର ଦୃଷ୍ଟିଭଙ୍ଗୀ ଏହାର ସନ୍ଦେଶକୁ ବୌଦ୍ଧିକ କିମ୍ବା ଶାସ୍ତ୍ରୀୟ ଦୃଷ୍ଟିକୋଣରୁ ସମୀକ୍ଷା କରିବା ଅଥବା ଏହାର ସିଦ୍ଧାନ୍ତକୁ ଅନ୍ୟ କୌଣସି ଚିନ୍ତାଧାରାଠାରୁ ଉତ୍କୃଷ୍ଟ ସିଦ୍ଧ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ । ଗୀତା ଏକ ଆଧ୍ୟାତ୍ମିକ ଦର୍ଶନ ଶାସ୍ତ୍ର ନୁହେଁ ଯଦିଓ ଏହାର ପ୍ରତ୍ୟେକ ପୃଷ୍ଠାରେ ପର୍ଯ୍ୟାପ୍ତ ଆଧ୍ୟାତ୍ମିକ ବିଚାର ଭରି ରହିଛି । ଏହା ସର୍ବୋଚ୍ଚ ସତ୍ୟର ଅନ୍ୱେଷଣ ତାହାର ସର୍ବାଧିକ ବ୍ୟବହାରିକ ଉପଯୋଗ ପାଇଁ କରିଥାଏ, କେବଳ ବୌଦ୍ଧିକ ବା ଆଧ୍ୟାତ୍ମିକ ସନ୍ତୁଷ୍ଟି ପାଇଁ ନୁହେଁ; ସେହି ସତ୍ୟ ଯାହା ଆମ ପାଇଁ ଆମର ବର୍ତ୍ତମାନର ଅପୂର୍ଣ୍ଣ ସ୍ଥିତିରୁ ଏକ ଚିରନ୍ତନ ପରିପୁର୍ଣ୍ଣତାର ଦ୍ୱାର ଉନ୍ମୁକ୍ତ କରିଥାଏ । ତେଣୁ ଗୀତା ପ୍ରତି ଆମର ଦୃଷ୍ଟିକୋଣ ଏହା ହେବା ଉଚିତ ଯାହାକି ଏକ ଜୀବନ୍ତ ସନ୍ଦେଶ ରୂପେ ସର୍ବୋଚ୍ଚ କଲ୍ୟାଣ ଏବଂ ଆଧ୍ୟାତ୍ମିକ ପୂର୍ଣ୍ଣତା ପ୍ରାପ୍ତ କରିବା ଦିଗରେ ମନୁଷ୍ୟର ସହାୟତା କରିଥାଏ ।

ଗୀତାର ଭାଷ୍ୟ

ଦିବ୍ୟଜ୍ଞାନ ସମ୍ବନ୍ଧୀୟ ପୁସ୍ତକଗୁଡ଼ିକ ଉପରେ ଭାଷ୍ୟ ଲେଖାଯିବା ସ୍ୱାଭାବିକ । ଏହି ଭାଷ୍ୟଗୁଡ଼ିକ ସେଥିରେ ଅନ୍ତର୍ନିହିତ ଥିବା ଚିରନ୍ତନ ଆଦେଶକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥାଆନ୍ତି । ଏହା ଦେଶର ଆଇନ ଗ୍ରନ୍ଥ ପରି ଅଟେ, ଯେପରି କି ସମ୍ବିଧାନ । ଆଇନଜ୍ଞମାନେ ତାହାର ଯେଉଁ ଭାଷ୍ୟ ଲେଖିଥାଆନ୍ତି, ତାହା ସେହିସବୁ ଗ୍ରନ୍ଥକୁ ବୋଧଗମ୍ୟ କରାଇଥାଏ । ସେହିପରି, ଶାସ୍ତ୍ରମାନଙ୍କର ଭାଷ୍ୟ ସେଥିରେ ଅର୍ନ୍ତନିହିତ ଥିବା ଜ୍ଞାନର ନିଧିକୁ ପରିପ୍ରକାଶ କରିବାରେ ସାହାଯ୍ୟ କରିଥାଏ । ଭଗବଦ୍ ଗୀତାର ବ୍ୟାପକ ଲୋକପ୍ରିୟତା ଯୋଗୁଁ, ଏହା ଉପରେ ଶତାଧିକ ଭାଷ୍ୟ ଲେଖାଯାଇଛି । ଇତିହାସର କେତେକ ବିଶିଷ୍ଟ ଭାଷ୍ୟକାରମାନେ ହେଲେ, ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ରାମାନୁଜାଚାର୍ଯ୍ୟ, ଜଗଦ୍‌ଗୁରୁ ମାଧ୍ୱାଚାର୍ଯ୍ୟ ଜଗଦ୍‌ଗୁରୁ ନିମ୍ବାକାଚାର୍ଯ୍ୟ ଏବଂ ମହାପ୍ରଭୁ ବଲ୍ଲଭାଚାର୍ଯ୍ୟ, ଯେଉଁମାନେ କି ବିଶିଷ୍ଟ ବୈଦିକ ପ୍ରଥାମାନଙ୍କର ସଂସ୍ଥାପକ ଅଟନ୍ତି । ଶୈବ ପ୍ରଥାର ବିଖ୍ୟାତ ଦାର୍ଶନିକ ଅଭିନବଗୁପ୍ତ ସାମାନ୍ୟ ଭିନ୍ନ ରୂପରେ ଏହାର ଭାଷ୍ୟ ଲେଖିଥିଲେ ଯାହାକୁ “ଗୀତାର୍ଥ ସଂଗ୍ରହ” କୁହାଯାଏ ।

ଦିବ୍ୟ ଜ୍ଞାନର ଅନୁପମତା ଏହା ଯେ ଏହାକୁ ଯେତେ ଅଧିକ ମନ୍ଥନ କରାଯିବ, ସେଥିରୁ ସେତେ ଅଧିକ ଅମୃତ ବାହାରିବ । ସେହି ଦୃଷ୍ଟିରୁ ନିଶ୍ଚିତ ଭାବରେ ଏହା କୁହାଯାଇ ପାରିବ ଯେ ଏହି ସବୁ ଅର୍ନ୍ତଦୃଷ୍ଟି ସମ୍ପନ୍ନ ଭାଷ୍ୟ ସଂସାରକୁ ଜ୍ଞାନରେ ସମୃଦ୍ଧ କରନ୍ତି । ତା’ ସହିତ ଆମ୍ଭେମାନେ ଏହା ମଧ୍ୟ ଜାଣିରଖିବା ଆବଶ୍ୟକ ଯେ ଧର୍ମଗୁରୁମାନଙ୍କର ଭାଷ୍ୟ ସେମାନଙ୍କ ଜୀବନର ଧ୍ୟେୟ ଅନୁରୂପ ହୋଇଥାଏ । ବିଖ୍ୟାତ ଆଚାର୍ଯ୍ୟମାନେ ଜୀବ କଲ୍ୟାଣ ଉଦ୍ଦେଶ୍ୟରେ ସମୟ, ସ୍ଥାନ ଏବଂ ପରିସ୍ଥିତିକୁ ଧ୍ୟାନରେ ରଖି ପରମ ସତ୍ୟର ପ୍ରଚାର କରିଥାଆନ୍ତି । ତେଣୁ ଭାଷ୍ୟକାରମାନେ ତାଙ୍କର ନିଜସ୍ୱ ମତ ପ୍ରତିପାଦନ କରିବା ପାଇଁ ଗୀତାର ଶ୍ଳୋକଗୁଡ଼ିକୁ ତାଙ୍କ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରିବାକୁ ଏକ ପ୍ରଚାରକୀୟ ଆଗ୍ରହ ପ୍ରକାଶ କରିଥାଆନ୍ତି । ସେମାନଙ୍କର ଉପଲବ୍ଧିକୁ ପୂର୍ଣ୍ଣ ସମ୍ମାନ ଜଣାଇବା ସହିତ ଆମକୁ ଏ କଥା ମଧ୍ୟ ମନେ ରଖିବାକୁ ହେବ ଯେ ଶ୍ରୀକୃଷ୍ଣ ଜଣେ ‘ଅଦ୍ୱୈତବାଦୀ’ ବିଶିଷ୍ଟ ଅଦ୍ୱୈତବାଦୀ, ଦ୍ୱୈତବାଦୀ ବା ଦ୍ୱୈତାଦ୍ୱୈତ ବାଦୀ ନ ଥିଲେ । ସେ ଏବଂ ତାଙ୍କର ସନ୍ଦେଶ ସମସ୍ତ ଦାର୍ଶନିକ ବାଦାନୁବାଦର ବହୁ ଊର୍ଦ୍ଧ୍ୱରେ ଥିଲେ । ସେଥିପାଇଁ ଆମେ ଦେଖିବାକୁ ପାଇଥାଉ କିପରି ଭାବରେ ଆସ୍ତିକବାଦ, ତିତିକ୍ଷାବାଦ, ଦ୍ୱୈତବାଦ, ବାସ୍ତବବାଦ, କର୍ମ, ଜ୍ଞାନ, ଭକ୍ତି, ହଠ, ସାଂଖ୍ୟ ଇତ୍ୟାଦି ସମସ୍ତ ସିଦ୍ଧାନ୍ତ ତାଙ୍କର ଶିକ୍ଷାରେ ଗୁନ୍ଥି ହୋଇ ରହିଛନ୍ତି । ଅତଏବ, ଭଗବଦ୍ ଗୀତାକୁ ଆମେ ଏକ ନିର୍ଦ୍ଦିଷ୍ଟ ଦାର୍ଶନିକ ଦୃଷ୍ଟିକୋଣରୁ ବିଚାର ନ କରି ତାହାକୁ ଅନ୍ତିମ ସତ୍ୟର ଏକ ଝରକା ଭାବରେ ଦେଖିବା ଉଚିତ ।

ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କର ଚିନ୍ତାଧାରା ଏହିପରି ଅଟେ, ଯିଏ କୌଣସି ସମ୍ପ୍ରଦାୟ ବା ପରମ୍ପରାରେ ଜଡିତ ନ ହୋଇ ଉଦାରତାର ସହିତ ସମସ୍ତ ଭାରତୀୟ ସନ୍ଥ ଏପରିକି ପାଶ୍ଚାତ୍ୟ ଦେଶର ସନ୍ଥମାନଙ୍କର ଉକ୍ତିକୁ ଉଦ୍ଧାର କରିଥାଆନ୍ତି । ତାଙ୍କୁ ଯେତେବେଳେ ପଚରାଯାଏ, ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ମଧ୍ୟରୁ ସେ କେଉଁ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ, ସେତେବେଳେ ସେ ବିନୟ ସହକାରେ ସୂଚାଇ ଦିଅନ୍ତି ଯେ ଅନ୍ତିମ ସତ୍ୟ ଏକ ଅଟେ ଏବଂ ତାହାକୁ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ଆବଦ୍ଧ କରାଯାଇ ପାରିବ ନାହିଁ । ସମସ୍ତ ସମ୍ପ୍ରଦାୟ ଭଗବାନଙ୍କ ଠାରୁ ଉତ୍ପତ୍ତି ଲାଭ କରିଛନ୍ତି । ତେଣୁ କେବଳ ଗୋଟିଏ ସମ୍ପ୍ରଦାୟ ରହିଛି, ଯାହାକି ଭଗବାନଙ୍କର ସମ୍ପ୍ରଦାୟ । ଆମେ ତାହାକୁ ଚାରି ଭାଗରେ ବିଭକ୍ତ କରିବା କାହିଁକି? ସତ୍ୟକୁ ଆମେ ଯଦି ଏହିପରି ଭାବରେ ବିଭକ୍ତ କରିବାକୁ ଇଚ୍ଛା କରିବା, ତେବେ ତାହାର ବିଭାଗ ବହୁଗୁଣିତ ହୋଇ ଚାଲିବ । ସମ୍ପ୍ରଦାୟମାନଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି; ଚାରି ମୂଳ ସମ୍ପ୍ରଦାୟ ବିଭିନ୍ନ ଶାଖା ଓ ପ୍ରଶାଖାରେ ବିଭାଜିତ ହୋଇଛନ୍ତି ଏବଂ ପ୍ରତ୍ୟେକ ଅନ୍ତିମ ସତ୍ୟର ପ୍ରତିପାଦନ କ୍ଷେତ୍ରରେ ନିଜକୁ ସର୍ବୋଚ୍ଚ ଅଧିକାରୀ ଦାବି କରୁଛନ୍ତି । ଏହି ପ୍ରବୃତ୍ତି ଗୋଟିଏ ସନାତନ ଧର୍ମକୁ ଅନେକ ସାମ୍ପ୍ରଦାୟିକ ଖଣ୍ଡରେ ବିଭାଜିତ କରିଛି ।

ପୃଥିବୀର ଦେଶ-ଦେଶ ମଧ୍ୟରେ ସୀମା ଉନ୍ମୁକ୍ତ ହେବା ଏବଂ ବିଭିନ୍ନ ଦେଶର ଲୋକମାନଙ୍କ ମଧ୍ୟରେ ବିଚାରର ପ୍ରବାହ ବୃଦ୍ଧି ଲାଭ କରିବା ସହିତ, କୌଣସି ଗୋଟିଏ ମାର୍ଗ, ଜାତି, ସମ୍ପ୍ରଦାୟ ଅଥବା ଧର୍ମକୁ ଅନ୍ତିମ ସତ୍ୟର ଏକମାତ୍ର ରକ୍ଷକ ମନେ କରୁଥିବା ଲୋକଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଆସନ୍ତୁ, ଆମ୍ଭେମାନେ ମଧ୍ୟ ନିଜର ବୁଦ୍ଧିକୁ ସେହି ଉଦାରତାରେ ଯୁକ୍ତ କରି, ଗୀତା ଜ୍ଞାନର ଉଜ୍ଜ୍ୱଳ ଆଲୋକରେ ସମଗ୍ର ଅବିଭାଜ୍ୟ ନିଷ୍କଳଙ୍କ ସତ୍ୟକୁ ପ୍ରକାଶିତ ହେଉଥିବାର ଦେଖିବା । କେବଳ ଗୀତା ନୁହେଁ, ଅନ୍ୟ ସମସ୍ତ ବୈଦିକ ଶାସ୍ତ୍ରର ପ୍ରାଚୀନ ଉଦ୍ଦେଶ୍ୟ ଏହା ହିଁ ଅଟେ ।

ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ସମ୍ପର୍କରେ

ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଜଣେ ଅବତରିତ ସନ୍ଥ, ଯିଏ ଆଧୁନିକ ଯୁଗରେ ପ୍ରାଚୀନ ବୈଦିକ ଜ୍ଞାନକୁ ପୁନଃସ୍ଥାପିତ କରିଛନ୍ତି । ମାତ୍ର ୩୪ବର୍ଷ ବୟସରେ, ପବିତ୍ର କାଶୀ ନଗରୀରେ ୫୦୦ ମୂର୍ଧନ୍ୟ ବିଦ୍ୱାନମାନଙ୍କର ସଭା, କାଶୀ ବିଦ୍ୱତ୍ ପରିଷଦରେ ସେ ଦୀର୍ଘ ୧୦ ଦିନ ପରିଷ୍କୃତ ସଂସ୍କୃତରେ ପ୍ରବଚନ ଦେଇଥିଲେ । ସେଥିରେ ସେ କୁଶଳତା ପୂର୍ବକ ଶତାଧିକ ବୈଦିକ ଗ୍ରନ୍ଥର ଉକ୍ତିକୁ ଉଦ୍ଧାର କରି ବର୍ତ୍ତମାନ ଯୁଗର ମନୁଷ୍ୟ ପାଇଁ ଭଗବତ୍ ପ୍ରାପ୍ତିର ସରଳ ମାର୍ଗ ପ୍ରଦର୍ଶିତ କରିଥିଲେ । ଯେତେବେଳେ ବିଦ୍ୱାନ୍‌ମାନଙ୍କର ଏହି ମହାନ ସଭା ବୁଝିପାରିଲା ଯେ କୃପାଳୁଜୀ ମହାରାଜଙ୍କର ଜ୍ଞାନ ତାଙ୍କ ସମସ୍ତଙ୍କର ସାମୂହିକ ଜ୍ଞାନଠାରୁ ଗଭୀରତମ ଅଟେ, ସେତେବେଳେ ସେମାନେ ତାଙ୍କୁ ଜଗଦ୍‌ଗୁରୁ ବା “ସମଗ୍ର ପୃଥିବୀର ଆଧ୍ୟାତ୍ମିକ ଗୁରୁ” ଉପାଧିରେ ଭୂଷିତ କଲେ । ଏହିପରି ଭାବରେ ସେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଜଗଦ୍‌ଗୁରୁ ନିମ୍ବାକାଚାର୍ଯ୍ୟ, ଜଗଦ୍‌ଗୁରୁ ରାମାନୁଜାଚାର୍ଯ୍ୟ ଏବଂ ଜଗଦ୍‌ଗୁରୁ ମାଧ୍ୱାଚାର୍ଯ୍ୟଙ୍କ ପରେ ଭାରତ ଇତିହାସର ୫ମ ମୂଳ ଜଗଦ୍‌ଗୁରୁ ଭାବେ ପରିଗଣିତ ହେଲେ ।

ବୈଦିକ ଶାସ୍ତ୍ରମାନଙ୍କରେ କୃପାଳୁଜୀଙ୍କର ଆଗାଧ ଦକ୍ଷତା ବିଦ୍ୱାନମାନଙ୍କୁ ଏତେ ବେଶୀ ଅଭିଭୂତ କରିଥିଲା ଯେ, ସେମାନେ ତାଙ୍କୁ ଆହୁରି ଅନେକ ଉପାଧିରେ ବିଭୂଷିତ କରିଥିଲେ । ଯେପରିକି

ଜଗଦ୍‌ଗୁରୁତ୍ତମ - ଭାରତ ଇତିହାସର ସର୍ବଶ୍ରେଷ୍ଠ ଜଗଦ୍‌ଗୁରୁ ।

ବେଦ ମାର୍ଗ ପ୍ରତିଷ୍ଠାପନାଚାର୍ଯ୍ୟ - ବେଦ ପ୍ରଦର୍ଶିତ ସଠିକ ମାର୍ଗର ପ୍ରତିଷ୍ଠାତା ।

ନିଖିଳ ଦର୍ଶନ ସମନ୍ୱୟାଚାର୍ଯ୍ୟ - ସମସ୍ତ ଶାସ୍ତ୍ରୀୟ ସିଦ୍ଧାନ୍ତର ସମନ୍ୱୟକାରୀ

ସନାତନ ବୈଦିକ ଧର୍ମ ପ୍ରତିଷ୍ଠାପନାଚାର୍ଯ୍ୟ - ବିଶ୍ୱରେ ସନାତନ ବୈଦିକ ଧର୍ମର ପୁନଃ ପ୍ରତିଷ୍ଠାତା ।

ସତ୍ ସମ୍ପ୍ରଦାୟ ପରମାଚାର୍ଯ୍ୟ - ଆଧ୍ୟାତ୍ମିକ ଜ୍ଞାନର ବାସ୍ତବିକ ପରମ୍ପରାର ସଂସ୍ଥାପକ ।

ଭଗବଦ୍ ଗୀତାର ଏହି ଭାଷ୍ୟ ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ମୋ ଆଗରେ ପ୍ରକାଶ କରିଥିବା ଗୀତାର ଶ୍ଳୋକମାନଙ୍କର ଅନ୍ତର୍ଦୃଷ୍ଟି ସମ୍ପନ୍ନ ବିଶ୍ଲେଷଣ ଉପରେ ଆଧାରିତ । ଏହି ଭାଷ୍ୟର ଉଦ୍ଦେଶ୍ୟ, ଗୀତାର ବିଶ୍ଲେଷଣ କରିବା ନୁହେଁ, ବରଂ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ଶ୍ଳୋକମାନଙ୍କର ଅର୍ଥ ପ୍ରକାଶ କରିବା ଉଦ୍ଦେଶ୍ୟରେ, ମୁଁ ବିଶ୍ୱର ଅନ୍ୟ ସନ୍ଥ, ଦିବ୍ୟ ପୁରୁଷ ଏବଂ ଜ୍ଞାନୀମାନଙ୍କର ଉକ୍ତିକୁ ଉଦ୍ଧାର କରିବାରେ କୁଣ୍ଠାବୋଧ କରି ନାହିଁ ।

ଅନୁବାଦରେ ପ୍ରତିବନ୍ଧକ

ଇଂରାଜୀ ଭାଷାରେ ଭାରତୀୟ ଶବ୍ଦମାନଙ୍କର ସମ-ଅର୍ଥବାଚୀ ଶବ୍ଦ ପାଇବା ପ୍ରାୟତଃ ଅସମ୍ଭବ ଅଟେ । କୌଣସି ଭାଷାର ଶଦ୍ଦାର୍ଥ ସେହି ଭାଷା ବ୍ୟବହାର କରୁଥିବା ସମାଜର ସାଂସ୍କୃତିକ ଏବଂ ଦାର୍ଶନିକ ଢାଁଚା ଉପରେ ପ୍ରତିଷ୍ଠିତ । ସୁତରାଂ, ସଂସ୍କୃତ ଶବ୍ଦଗୁଡ଼ିକର ଅର୍ଥ ଭାରତୀୟ ବିଚାରଧାରା ଅନୁଯାୟୀ ନିରୂପିତ ହୋଇଥାଏ । ଇଂରାଜୀ ଶବ୍ଦଗୁଡ଼ିକ ପାଶ୍ଚାତ୍ୟ ଚିନ୍ତାଧାରାରୁ ଉତ୍ପତ୍ତି ଲାଭ କରିଥିବା ଦୃଷ୍ଟିରୁ ସଂସ୍କୃତ ଶବ୍ଦର ଭାଷାନ୍ତର କରିବାରେ ଅନେକ ଅପରିହାର୍ଯ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ । ତେଣୁ ସଂସ୍କୃତ ଶବ୍ଦଗୁଡ଼ିକର ଇଂରାଜୀ ଭାଷାରେ ଅନୁବାଦ ଆନୁମାନିକ ଅଟେ । ଉଦାହରଣ ସ୍ୱରୂପ, ଏପରି କୌଣସି ଇଂରାଜୀ ଶବ୍ଦ ନାହିଁ ଯାହା ବ୍ରହ୍ମ (ଭଗବାନଙ୍କର ନିରାକାର, ନିର୍ଗୁଣ, ସର୍ବବ୍ୟାପୀ ପରିପ୍ରକାଶ)ଶବ୍ଦକୁ ଠିକ୍ ଭାବରେ ବ୍ୟକ୍ତ କରିପାରିବ । ସେହିପରି ଧର୍ମ ଶବ୍ଦର ଭାଷାନ୍ତର କରିବାରେ ମଧ୍ୟ ଅସୁବିଧା ହୋଇଥାଏ । ଚବଗ୍ଧଷ କ୍ଟଲ କ୍ସସଶଷଗ୍ଧରକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ, କ୍ଟଦ୍ଭର’ଗ୍ଦ ସଦ୍ଭମଙ୍କଜ୍ଞଭରଦ୍ଭଗ୍ଧ ୟଙ୍କଗ୍ଧଚ୍ଚ, ଙ୍ଖସକ୍ସଗ୍ଧଙ୍କର, କ୍ଟ୍ରକ୍ସରଗ୍ଦମକ୍ସସଭରୟ ୟଙ୍କଗ୍ଧସରଗ୍ଦ, ଇତ୍ୟାଦି ସମସ୍ତ ଶବ୍ଦ ଏହାର ସାମଞ୍ଜସ୍ୟ ପୂର୍ଣ୍ଣ ଅର୍ଥ ଅଟେ । ଏହିପରି ଶବ୍ଦ ଯାହାର ସଠିକ୍ ଇଂରାଜୀ ଶବ୍ଦ ମିଳିନାହିଁ, ଭାଷ୍ୟରେ ତା’ର ମୂଳ ସଂସ୍କୃତ ଶବ୍ଦକୁ ବ୍ୟବହାର କରାଯାଇଅଛି । ଏହି ଶବ୍ଦ ଏବଂ ପଦଗୁଡ଼ିକୁ “ବକ୍ର ଲିପି”ରେ ଚିହ୍ନିବା ପାଇଁ ଛପା ଯାଇଅଛି । ଗୁରୁତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକର ଅର୍ଥ ଏବଂ ବିଶ୍ଲେଷଣ ପୁସ୍ତକର ଶେଷ ଭାଗ ପରିସଂଖ୍ୟାନରେ ସନ୍ନିବିଷ୍ଟ କରାଯାଇଛି ।

ପଠନକୁ ସହଜ କରିବା ପାଇଁ ସାହାଯ୍ୟକାରୀ ସୂତ୍ର

ଏହି ଭାଷ୍ୟକୁ ସହଜରେ ପଠନ କରିବା ପାଇଁ କେତୋଟି ବିଷୟ ଜାଣିବା ଆବଶ୍ୟକ । ପ୍ରଥମତଃ, ଗୀତା ଗୋଟିଏ କଥୋପକଥନ ମଧ୍ୟରେ କଥୋପକଥନ ମଧ୍ୟରେ କଥୋପକଥନ ଅଟେ । ମହାଭାରତର ଭୀଷ୍ମପର୍ବ, ଯାହାର ଗୀତା ଗୋଟିଏ ଅଂଶ, ଋଷି ବୈଶମ୍ପାୟନ ଏବଂ ରାଜା ଜନ୍ମେଞ୍ଜୟଙ୍କ ମଧ୍ୟରେ କଥୋପକଥନ ଅଟେ । ଏହିପରି ବୈଶମ୍ପାୟନ ଜନ୍ମେଞ୍ଜୟଙ୍କୁ କହିଲେ; “ସଞ୍ଜୟ ଉବାଚ” “ଧୃତରାଷ୍ଟ୍ର ଉବାଚ” ଇତ୍ୟାଦି । ଯାହାହେଉ, ବୈଶମ୍ପାୟନ ଏବଂ ଜନ୍ମେଞ୍ଜୟ ଗୀତାର ବକ୍ତା ଭାବରେ ସିଧା ସଳଖ କଥୋପକଥନ କରିନାହାନ୍ତି ।

ଗୀତାର ଆରମ୍ଭ ରାଜା ଧୃତରାଷ୍ଟ୍ର ଏବଂ ତାଙ୍କର ମନ୍ତ୍ରୀ ସଞ୍ଜୟଙ୍କ ମଧ୍ୟରେ ବାର୍ତ୍ତାଳାପ ଭାବରେ ହୋଇଛି । ଯେହେତୁ ଧୃତରାଷ୍ଟ୍ର ଅନ୍ଧ ଥିଲେ, ସେ ନିଜେ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହୋଇପାରି ନ ଥିଲେ । ବାର୍ତ୍ତାଳାପ ଆରମ୍ଭ କରିବାକୁ ଯାଇ, ଧୃତରାଷ୍ଟ୍ର ଯୁଦ୍ଧ କ୍ଷେତ୍ରରେ ଘଟୁଥିବା ଘଟଣା କ୍ରମ ବିଷୟରେ ସଞ୍ଜୟଙ୍କୁ ପଚାରୁଛନ୍ତି; ଏହାପରେ ଗୀତାରେ ସେ ଆଉ କିଛି କହି ନାହାନ୍ତି । ଘଟଣାସବୁକୁ ବର୍ଣ୍ଣନା କରି ସଞ୍ଜୟ ତାହାର ଉତ୍ତର ଦେଉଛନ୍ତି । ସଞ୍ଜୟ ବେଦବ୍ୟାସଙ୍କର ଶିଷ୍ୟଥିଲେ ଏବଂ ଗୁରୁଙ୍କ କୃପାରୁ ତାଙ୍କୁ ଦୂରଦୃଷ୍ଟିର ଅଦ୍ଭୁତ କ୍ଷମତା ପ୍ରାପ୍ତ ହୋଇଥିଲା । ତେଣୁ ସେ ବହୁତ ଦୂରରେ ଥାଇ ଯୁଦ୍ଧକ୍ଷେତ୍ରର ଘଟଣା ସବୁ ଦେଖିପାରୁଥିଲେ ଏବଂ ଧୃତରାଷ୍ଟ୍ରଙ୍କୁ ଯୁଦ୍ଧର ପ୍ରତ୍ୟକ୍ଷ ବିବରଣୀ ଦେଉଥିଲେ । ଯେହେତୁ ସଞ୍ଜୟ ଯାହା ସବୁ ଦେଖୁଛନ୍ତି ଓ ଶୁଣୁଛନ୍ତି ଧୃତରାଷ୍ଟ୍ରଙ୍କୁ ଶୁଣାଉଛନ୍ତି, ଏହି ପୁସ୍ତକରେ ସେ ବାରମ୍ବାର ଆସୁଛନ୍ତି ଏବଂ ଯାଉଛନ୍ତି । ସେ ଏହିପରି କହୁଛନ୍ତି, “ଶ୍ରୀ ଭଗବାନ ଉବାଚ” ଭଗବାନ କହିଲେ, “ଅର୍ଜୁନ ଉବାଚ” ଅର୍ଜୁନ କହିଲେ, ଇତ୍ୟାଦି ।

ଅଧିକାଂଶ ବାର୍ତ୍ତାଳାପ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ମଧ୍ୟରେ ହୋଇଅଛି । ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି ଏବଂ ଶ୍ରୀକୃଷ୍ଣ ଉତ୍ତର ଦେଉଛନ୍ତି । ବାର୍ତ୍ତାଳାପ ପ୍ରାୟ ଏକ ତରଫା ହୋଇଅଛି, ଯେହେତୁ ଅଧିକାଂଶ କଥା ଶ୍ରୀକୃଷ୍ଣ ହିଁ କହିଛନ୍ତି ।

ଦ୍ୱିତୀୟତଃ, ଏଥିରେ ଉପାଧିମାନଙ୍କର ପ୍ରାଚୁର୍ଯ୍ୟ ପରିଲକ୍ଷିତ ହୋଇଅଛି । ଉଦାହରଣ ସ୍ୱରୂପ, ଶ୍ରୀକୃଷ୍ଣଙ୍କୁ ଅନେକ ନାମରେ ସୂଚିତ କରାଯାଇଛି, ଯେପରି କି ହୃଷିକେଶ, କେଶବ, ଗୋବିନ୍ଦ, ମଧୁସୂଦନ, ଅଚ୍ୟୁତ ଇତ୍ୟାଦି । ସେହିପରି ଅର୍ଜୁନଙ୍କୁ ଧନଞ୍ଜୟ, ଗୁଡ଼ାକେଶ, କୌନ୍ତେୟ, ପରନ୍ତପ ଇତ୍ୟାଦି ସମ୍ବୋଧନ କରାଯାଇଛି । ପ୍ରାୟତଃ, କୌଣସି ବାର୍ତ୍ତାର ଏକ ବିଶେଷ ଅର୍ଥ ପ୍ରକାଶ କରିବା ପାଇଁ ଏହିସବୁ ଉପାଧିଗୁଡିକ ଜାଣିଶୁଣି ବ୍ୟବହାର କରାଯାଇଛି । ଆବଶ୍ୟକ ସ୍ଥଳେ, ଭାଷ୍ୟରେ ଏହାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରାଯାଇଛି ।

ଭଗବଦ୍ ଗୀତାର ଗୁରୁତ୍ୱପୂର୍ଣ୍ଣ ଶବ୍ଦ

ସଂପୂର୍ଣ୍ଣ ଭାଗବଦ୍ ଗୀତାର ସଂକ୍ଷିପ୍ତ ସାରକୁ ଏହି ମୁଖବନ୍ଧର ପରିସର ଭୁକ୍ତ କରାଯାଇ ପାରିବ ନାହିଁ, କାରଣ ପ୍ରଥମତଃ ଏହା ପଠନର ସୁଖରୁ ଆପଣଙ୍କୁ ବଞ୍ôଚତ କରାଇବ, ଏବଂ ଦ୍ୱିତୀୟତଃ ଭଗବାନ ଶ୍ରୀକୃଷ୍ଣ ଏଥିରେ ଯାହା କହିଛନ୍ତି ତାହାର ସାରାଂଶ କରିବା ଅସମ୍ଭବ । ତଥାପି ଭଗବଦ୍ ଗୀତା ଏବଂ ଅନ୍ୟ ବୈଦିକ ସାହିତ୍ୟରେ ବ୍ୟବହୃତ କେତୋଟି ସାଧାରଣ ଶବ୍ଦର ଅର୍ଥ ଏଠାରେ କରାଯାଇଅଛି । ଯଦ୍ୱାରା ପୁସ୍ତକରେ ବର୍ଣ୍ଣନା କରାଯାଇଥିବା ବିଷୟଗୁଡ଼ିକୁ ପାଠକମାନେ ସହଜରେ ବୁଝିପାରିବେ ।

ଭଗବାନ: ଭଗବଦ୍ ଗୀତା ତଥା ବୈଦିକ ଶାସ୍ତ୍ରମାନଙ୍କରେ ଭଗବାନ ଶବ୍ଦ ସର୍ବୋଚ୍ଚ ସତ୍ତାକୁ ବୁଝାଇ ଥାଏ । ସେ ସର୍ବଶକ୍ତିମାନ, ସର୍ବଜ୍ଞ, ସର୍ବବ୍ୟାପୀ । ସେ ଏହି ସୃଷ୍ଟିର ସୃଷ୍ଟିକର୍ତ୍ତା, ରକ୍ଷାକର୍ତ୍ତା ଏବଂ ବିନାଶକର୍ତ୍ତା । ସେ ଏକ ସମୟରେ ଅନନ୍ତ ପରସ୍ପର ବିରୋଧୀ ଗୁଣର ଅଧିକାରୀ ଅଟନ୍ତି । ଅତଏବ, ସେ ପାଖରେ ଥାଇ ମଧ୍ୟ ଦୂରରେ ଥାଆନ୍ତି, ବଡ଼ ହେଲେ ମଧ୍ୟ ଛୋଟ ଅଟନ୍ତି, ନିରାକାର ହେଲେ ବି ସାକାର ରୂପଧାରୀ ଅଟନ୍ତି, ନିର୍ଗୁଣ ହୋଇ ମଧ୍ୟ ଅନନ୍ତ ଦିବ୍ୟ ଗୁଣର ଅଧିକାରୀ ଅଟନ୍ତି ।

ସର୍ବୋଚ୍ଚ ସତ୍ତାକୁ ଲୋକେ ତିନି ପ୍ରକାରରେ ବିଚାର କରନ୍ତି । କେହି କେହି ତାଙ୍କୁ ନିରାକାର ସର୍ବବ୍ୟାପୀ ମନେ କରନ୍ତି, ଯାହାଙ୍କୁ ବ୍ରହ୍ମ କୁହାଯାଏ । ଆଉ କେହି କେହି ତାଙ୍କୁ ସମସ୍ତଙ୍କ ହୃଦୟରେ ବାସ କରୁଥିବା ପରମାତ୍ମା ରୂପରେ ପୂଜା କରନ୍ତି । ପୁଣି କେହି କେହି ସଗୁଣ ସାକାର ଭଗବାନ ଭାବରେ ତାଙ୍କର ଆରାଧନା କରନ୍ତି । ବ୍ରହ୍ମ, ପରମାତ୍ମା ଏବଂ ଭଗବାନ ସେହି ଗୋଟିଏ ଅନ୍ତିମ ତତ୍ତ୍ୱର ତିନୋଟି ସ୍ୱରୂପ ଅଟନ୍ତି ।

ବେଳେବେଳେ ତାଙ୍କର ଅକାରଣ କରୁଣାରୁ ଭଗବାନ ଜୀବମାନଙ୍କର ଉଦ୍ଧାର ପାଇଁ ଏହି ଧରାଧାମରେ ଅବତରିତ ହୋଇ ତାଙ୍କର ଦିବ୍ୟ ଲୀଳା କରିଥାଆନ୍ତି । ତାଙ୍କର ଏହି ଅବତରଣକୁ ଅବତାର କୁହାଯାଏ । ଉଭୟ ଶ୍ରୀରାମ ଓ ଶ୍ରୀକୃଷ୍ଣ ସେହି ସର୍ବୋଚ୍ଚ ଦିବ୍ୟ ତତ୍ତ୍ୱର ଅବତାର ଅଟନ୍ତି । ଯେହେତୁ ଭଗବାନ ସର୍ବଶକ୍ତିମାନ ଅଟନ୍ତି, ସେ ଗୋଟିଏ ରୂପରେ ସୀମିତ ନ ହୋଇ ଅନେକ ରୂପରେ ଆବିର୍ଭାବ ହୋଇଥାଆନ୍ତି । କିନ୍ତୁ ଆମେ ମନେ ରଖିବା ଉଚିତ ଯେ ଏହି ସବୁ ରୂପ ସେହି ଜଣେ ଭଗବାନଙ୍କର ହିଁ ଭିନ୍ନ ଭିନ୍ନ ରୂପ ଅଟେ, ଅଲଗା ଅଲଗା ଭଗବାନ ନୁହଁନ୍ତି ।

ଆତ୍ମା: ପ୍ରତ୍ୟେକ ଆତ୍ମା ଭଗବାନଙ୍କର ଏକ କ୍ଷୁଦ୍ରାତି କ୍ଷୁଦ୍ର ଅଂଶ ଅଟେ । ଏହା ଦିବ୍ୟ ଗୁଣ ଯୁକ୍ତ ଏବଂ ମାୟିକ ଶରୀର ଠାରୁ ପୃଥକ ଅଟେ । ଆତ୍ମାର ଉପସ୍ଥିତି ଶରୀରକୁ ଚୈତନ୍ୟତା ପ୍ରଦାନ କରିଥାଏ, ଯାହା ବାସ୍ତବରେ ଜଡ଼ ବସ୍ତୁରେ ତିଆରି । ଯେତେବେଳେ ଆତ୍ମା ଚାଲିଯାଏ, ଶରୀର ପୁଣି ଜଡ ହୋଇଯାଏ । ଶରୀର କ୍ଷଣଭଙ୍ଗୁର, କିନ୍ତୁ ଆତ୍ମା ଚିରନ୍ତନ ଅଟେ ।

ଏହା ଆବ୍ରାହମିକ ଚିନ୍ତାଧାରା ଠାରୁ ପୃଥକ ଅଟେ, ଯିଏ କହେ ମନୁଷ୍ୟର ପ୍ରତ୍ୟେକ ଜନ୍ମରେ ନୂଆ ଆତ୍ମା ସୃଷ୍ଟି ହୁଏ । ବୈଦିକ ଚିନ୍ତାଧାରା ଅନୁସାରେ ଆତ୍ମାର କୌଣସି ଆରମ୍ଭ ବା ଶେଷ ନାହିଁ କି ଏହା ଜନ୍ମ ସମୟରେ ଉତ୍ପତି ହୁଏ ନାହିଁ ବା ଶରୀର ମୃତ ହେଲେ ଏହା ନଷ୍ଟ ହୁଏ ନାହିଁ । ଆମେ ପାର୍ଥିବ ଜଗତରେ ମୃତ୍ୟୁ ବୋଲି ଯାହାକୁ କହୁ, ତାହା ଆତ୍ମାର ଶରୀର ପରିବର୍ତ୍ତନ ମାତ୍ର ଅଟେ । ଭଗବଦ୍ ଗୀତା ଏହା ପାଇଁ ବ୍ୟକ୍ତି ପୁରୁଣା ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିବାର ଉପମା ଦେଇଛି । ଜୀବ ନିଜର ପର ଜନ୍ମ ଚୟନ କରିବାରେ ସ୍ୱାଧୀନ ନୁହେଁ, ଏହାର ନିର୍ଣ୍ଣୟ କର୍ମର ନିୟମ ଅନୁସାରେ ଭଗବାନ କରନ୍ତି ।

ମାୟିକ ଶକ୍ତି କାହିଁକି ଆମକୁ କବଳିତ କରିଥାଏ? ତା’ର କାରଣ ଆମେ ଭଗବାନଙ୍କ ଆଡ଼କୁ ପିଠି କରି ରହିଥାଉ । ଭଗବାନଙ୍କର ସ୍ୱରୂପ ଆଲୋକ ସଦୃଶ ଏବଂ ମାୟିକ ଶକ୍ତିର ସ୍ୱରୂପ ଅନ୍ଧକାର ସଦୃଶ ଅଟେ । ଯିଏ ଆଲୋକକୁ ପଛ କରି ବସିଥାଏ, ଅନ୍ଧକାର ତା’ର ଅନୁଭବରେ ଆସିବା ସ୍ୱାଭାବିକ । ସେହିପରି ଯେଉଁ ଜୀବମାନେ ଭଗବାନଙ୍କ ଆଡକୁ ପଛ କରି ଥାଆନ୍ତି, ମାୟିକ ଶକ୍ତି ସେମାନଙ୍କୁ ନିଜର କବଳିତ କରିନିଏ ।

ଆତ୍ମା ଶବ୍ଦ ସମ୍ବନ୍ଧିତ ବୈଦିକ ଶବ୍ଦାବଳୀର ଅର୍ଥ ବୁଝିବା ସାହାଯ୍ୟକାରୀ ହୋଇଥାଏ । ଶରୀରଧାରୀ ଆତ୍ମାକୁ ଜୀବାତ୍ମା କୁହାଯାଏ, କାରଣ ତାହା ଶରୀରକୁ ଜୀବିତ ରଖିଥାଏ । ଭୌତିକ କ୍ଷେତ୍ରରେ ଆତ୍ମା ପାଇଁ ଉଭୟ ଆତ୍ମା ଓ ଜୀବାତ୍ମା ଶବ୍ଦର ବ୍ୟବହାର କରାଯାଇଥାଏ । ଜୀବାତ୍ମା ସହିତ ଭଗବାନ ମଧ୍ୟ ଶରୀର ମଧ୍ୟରେ ଅବସ୍ଥାନ କରିଥାଆନ୍ତି, ତାଙ୍କୁ ପରମାତ୍ମା କୁହାଯାଏ । ପ୍ରତ୍ୟେକ ଜନ୍ମରେ ଜୀବାତ୍ମା ଯେଉଁ ଶରୀରକୁ ଯାଏ, ତାହା ସହିତ ସେ ମଧ୍ୟ ଯାଇଥାଆନ୍ତି । ପରମାତ୍ମା ଜୀବର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ କେବଳ ନୀରବ ସାକ୍ଷୀ ଭାବରେ ରହିଥାଆନ୍ତି । ଜୀବାତ୍ମା ତା’ର ଚିରନ୍ତନ ସାଥୀକୁ ଭୁଲିଯାଇ, ଭୌତିକ ଶକ୍ତିକୁ ଉପଭୋଗ କରିବାରେ ବ୍ୟସ୍ତ ରହିଥାଏ ।

ଗୀତାରେ ଆତ୍ମା ଶବ୍ଦର ବ୍ୟବହାର ଭିନ୍ନ ଭିନ୍ନ ଅର୍ଥରେ କରାଯାଇଛି । କେତେକ କ୍ଷେତ୍ରରେ ତାହାକୁ ଶରୀର, ମନ, ବୁଦ୍ଧି ଠାରୁ ଭିନ୍ନ କେବଳ ଜୀବାତ୍ମା, ପ୍ରତ୍ୟେକ ଜୀବର ଆତ୍ମା ଭାବରେ କରାଯାଇଛି (ଶ୍ଳୋ:୬.୨୦) । ବେଳେ ବେଳେ ତାହାକୁ ଜୀବର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବରେ ଶରୀର, ମନ, ବୁଦ୍ଧି ସହିତ ବର୍ଣ୍ଣନା କରାଯାଇଛି । (ଶ୍ଳୋ:୬.୨୦) କେତେବେଳେ ଆତ୍ମାକୁ ମନ ଅର୍ଥରେ (୬.୫) ଆଉ କେତେବେଳେ ଆତ୍ମାକୁ ବୁଦ୍ଧି ଭାବରେ ମଧ୍ୟ (୫.୭) ବର୍ଣ୍ଣନା କରାଯାଇ ଅଛି ଏବଂ କେତେକ କ୍ଷେତ୍ରରେ ପରମାତ୍ମା ଅର୍ଥରେ ମଧ୍ୟ ବ୍ୟବହାର କରାଯାଇଛି । (୬.୨୯) ।

ଭୌତିକ ପ୍ରକୃତି (ପ୍ରକୃତି ବା ମାୟା): ମାୟିକ ଶକ୍ତି ବା ପ୍ରକୃତି ଭଗବାନଙ୍କ ବିରୋଧୀ ଶକ୍ତି ନୁହେଁ, ବରଂ ଏହା ତାଙ୍କର ଅନନ୍ତ ଶକ୍ତି ମଧ୍ୟରୁ ଗୋଟିଏ ଅଟେ । ବିନାଶ ବା ପ୍ରଳୟ ଉପରାନ୍ତେ ପ୍ରକୃତି ଭଗବାନଙ୍କ ମଧ୍ୟରେ ସୁପ୍ତ ଅବସ୍ଥାରେ ଥାଏ । ସେ ଯେତେବେଳେ ପୁନର୍ବାର ସୃଷ୍ଟି କରିବାକୁ ଚାହାଁନ୍ତି, ସେ ପ୍ରକୃତି ଆଡ଼କୁ ଦୃଷ୍ଟିପାତ କରି ସୁପ୍ତ ଅବସ୍ଥାରୁ ତାକୁ ଜାଗ୍ରତ କରିବାକୁ ଆରମ୍ଭ କରନ୍ତି । ତା’ପରେ ଏହା ସୃଷ୍ଟିର ବିଭିନ୍ନ ସ୍ଥୂଳ ବା ସୂକ୍ଷ୍ମ ଉପାଦାନ ଭାବରେ ପ୍ରକଟିତ ହୁଏ ।

ମାୟିକ ଶକ୍ତି ବା ମାୟା ଗୋଟିଏ ସ୍ୱରୂପରେ ସୃଷ୍ଟିର ସଂରଚନା କରିଥାଏ ଏବଂ ଅନ୍ୟ ସ୍ୱରୂପରେ ଜୀବକୁ ଜୀବନ ଓ ମୃତ୍ୟୁର ସଂସାର ବନ୍ଧନରେ ବାନ୍ଧି ରଖିଥାଏ । ମାୟା ଆମକୁ ନିଜର ଦିବ୍ୟ ଆତ୍ମାରୂପୀ ବାସ୍ତବ ପରିଚୟକୁ ଭୁଲାଇ ଦିଏ ଏବଂ ଆମକୁ ଏହି ଭ୍ରମରେ ରଖିଥାଏ ଯେ ଆମେ ସ୍ଥୁଳ ଶରୀର ଅଟୁ । ସେଥିପାଇଁ ଆମେ ଦୈହିକ ସୁଖ ନିମନ୍ତେ ସଂସାରରେ ପ୍ରଯତ୍ନଶୀଳ ରହୁ । ଅନନ୍ତ ଜନ୍ମ ମାୟିକ ଜଗତରେ ଅନ୍ୱେଷଣ କରିବା ପରେ, ଆତ୍ମା ଉପଲବ୍‌ଧି କରିଥାଏ ଯେ ଯେଉଁ ଅସୀମ ଦିବ୍ୟାନନ୍ଦ ସେ ଇଚ୍ଛା କରୁଛି, ତାହା ଏହି ମାୟିକ ସଂସାରରୁ ନୁହେଁ, ଭଗବାନଙ୍କ ଠାରୁ ପ୍ରାପ୍ତ ହେବ । ତେଣୁ ପରିପୂର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ସେ ଯୋଗ ମାର୍ଗର ଅନୁସରଣ କରିବା ଆବଶ୍ୟକ । ଆତ୍ମା ଯେତେବେଳେ ଭଗବାନଙ୍କ ସହିତ ପୂର୍ଣ୍ଣତଃ ମିଳିତ ହୋଇଯାଏ, ସେ ମାୟା ଶକ୍ତିର କବଳରୁ ମୁକ୍ତ ହୋଇଯାଏ ।

ପ୍ରକୃତିର ଭେଦ (ଗୁଣ) : ମାୟିକ ଶକ୍ତି ତ୍ରିଗୁଣାତ୍ମିକା ଅଟେ : ସତ୍ତ୍ୱ ଗୁଣ (ପବିତ୍ରତା ଯୁକ୍ତ ଗୁଣ), ରଜୋ ଗୁଣ (କାମନା ଯୁକ୍ତ ଗୁଣ), ଓ ତମୋ ଗୁଣ (ଅଜ୍ଞାନ ଯୁକ୍ତ ଗୁଣ) । ଏହି ଗୁଣଗୁଡ଼ିକ ଆମର ବ୍ୟକ୍ତିତ୍ୱ ମଧ୍ୟରେ ବିଭିନ୍ନ ଅନୁପାତରେ ରହି ଆମକୁ ସେହି ଅନୁସାରେ ପ୍ରଭାବିତ କରିଥାଆନ୍ତି । ଅଜ୍ଞାନଯୁକ୍ତ ଗୁଣ ଆମକୁ ଆଳସ୍ୟ, ସୁପ୍ତ, ବିଚାରହୀନ, କ୍ରୋଧ, ହିଂସା ଏବଂ ନିଶା ଇତ୍ୟାଦିର ବଶୀଭୂତ କରାଏ । ଏହା ଆତ୍ମାକୁ ମାୟାଜାଲର ଗଭୀରତମ ଅନ୍ଧକାରକୁ ଟାଣିନିଏ । କାମନାଯୁକ୍ତ ଗୁଣ ସାଂସାରିକ ଅଭିଳାଷଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ମନ ଓ ବୁଦ୍ଧିରେ ପ୍ରବଳ ଲାଳସା ବା ଇଚ୍ଛା ଉତ୍ପନ୍ନ କରେ । ପବିତ୍ରତା ଗୁଣ ବ୍ୟକ୍ତିକୁ ଜ୍ଞାନରେ ଉଦ୍‌ଭାସିତ କରାଇ ଦୟା, ଧୈର୍ଯ୍ୟ ଏବଂ ସହନଶୀଳତା ଇତ୍ୟାଦି ଧାର୍ମିକ ଗୁଣ ଯୁକ୍ତ କରାଏ । ଏହା ମନକୁ ଶାନ୍ତିପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ କର୍ମ ଉପଯୋଗୀ କରାଏ । ଜଣେ ସାଧକ ନିଜ ବ୍ୟକ୍ତିତ୍ୱରେ ସତ୍ତ୍ୱଗୁଣକୁ ବିକଶିତ କରି ଅଜ୍ଞାନ ଏବଂ କାମନା ଯୁକ୍ତ ଗୁଣକୁ ହ୍ରାସ କରିବା ଦିଗରେ ପ୍ରୟାସ କରିବା ଆବଶ୍ୟକ ଏବଂ ତାପରେ ସତ୍ତ୍ୱଗୁଣକୁ ମଧ୍ୟ ଅତିକ୍ରମ କରିବାକୁ ଚେଷ୍ଟା କରିବା ଉଚିତ । ଭଗବାନ ତ୍ରିଗୁଣର ଅନୁଭବାତୀତ ଅଟନ୍ତି ଏବଂ ତାଙ୍କଠାରେ ମନକୁ ଅନୁରକ୍ତ କରି ଆମ୍ଭେମାନେ ମଧ୍ୟ ସେହି ଅନୁଭବାତୀତ ସ୍ତରରେ ଆସୀନ ହୋଇପାରିବା ।

ଯଜ୍ଞ (ଉତ୍ସର୍ଗ) : ସାଧାରଣତଃ ଯଜ୍ଞ ଶବ୍ଦର ଅର୍ଥ ଅଗ୍ନି ତର୍ପଣ ଅଟେ । ଭାଗବଦ୍ ଗୀତାରେ, ଯଜ୍ଞ ଶବ୍ଦର ଅର୍ଥ ପରଂ ବ୍ରହ୍ମଙ୍କୁ ଅର୍ପିତ, ଶାସ୍ତ୍ର ନିର୍ଦ୍ଦେଶିତ ସମସ୍ତ କର୍ମ ଅଟେ । ପ୍ରକୃତିର ସମସ୍ତ ଉପାଦାନ ଭଗବାନଙ୍କ ସୃଷ୍ଟିର ଅବିଚ୍ଛେଦ୍ୟ ଅଂଶ ଅଟେ । ସ୍ୱାଭାବିକ ଭାବେ ସମସ୍ତ ଅଂଶ ସେମାନଙ୍କର ଅଂଶୀ ଠାରୁ କିଛି ପାଇଥାଆନ୍ତି ଏବଂ ସେବା ଭାବରେ କିଛି ଦେଇଥାଆନ୍ତି । ସୂର୍ଯ୍ୟ ଜଗତକୁ ସ୍ଥିରତା ପ୍ରଦାନ କରନ୍ତି ଏବଂ ଜୀବନ ଧାରଣ ପାଇଁ ଆବଶ୍ୟକୀୟ ଉତ୍ତାପ ଓ ଆଲୋକ ପ୍ରଦାନ କରନ୍ତି । ପୃଥିବୀ ମାଟିରୁ ଆମର ପୋଷଣ ନିମନ୍ତେ ଖାଦ୍ୟ ଉତ୍ପନ୍ନ କରିଥାଏ ଏବଂ ଏକ ସଭ୍ୟ ଜୀବନଯାପନ ପାଇଁ ଅତ୍ୟାବଶ୍ୟକ ଧାତୁ ସବୁକୁ ନିଜ ଗର୍ଭରେ ଧାରଣ କରିଥାଏ । ବାୟୁ ଆମ ଶରୀରରେ ଜୀବନ ଶକ୍ତି ପ୍ରବାହ କରେ ଏବଂ ଧ୍ୱନି ପ୍ରସାରଣ କରାଇ ଥାଏ । ଆମେ ମନୁଷ୍ୟ ମାନେ ମଧ୍ୟ ଭଗବାନଙ୍କର ଏହି ସୃଷ୍ଟି ପ୍ରକ୍ରିୟାର ଏକ ଅଭିନ୍ନ ଅଂଶ ଅଟୁ । ଆମେ ଶ୍ୱାସ ନେଉଥିବା ବାୟୁ, ଯାହା ଉପରେ ଆମେ ଠିଆ ହୋଇଥାଉ ସେହି ମୃତ୍ତିକା, ଆମେ ପିଉଥିବା ଜଳ ଏବଂ ଆମର ଦିନକୁ ଉଦ୍‌ଭାସିତ କରୁଥିବା ଆଲୋକ, ସବୁଗୁଡ଼ିକ ଆମ୍ଭମାନଙ୍କ ପ୍ରତି ସୃଷ୍ଟିର ଦାନ ଅଟେ । ଆମର ଜୀବନ ଧାରଣ ପାଇଁ ଯେହେତୁ ଆମେ ଏଗୁଡ଼ିକର ଉପଯୋଗ କରିଥାଉ, ସମଗ୍ର ପ୍ରଣାଳୀ ପ୍ରତି ଆମର କିଛି କର୍ତ୍ତବ୍ୟ ମଧ୍ୟ ରହିଛି । ଭଗବଦ୍ ଗୀତା କହେ, ଭଗବାନଙ୍କ ସେବା ଉଦ୍ଦେଶ୍ୟରେ ଆମର ନିର୍ଦ୍ଧାରିତ କର୍ତ୍ତବ୍ୟ ପାଳନ କରି ଆମେ ପ୍ରକୃତିର ଏହି ସୃଷ୍ଟି ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଥାଉ । ଏହି ଯଜ୍ଞ ହିଁ ଭଗବାନ ଆମ ଠାରୁ ଆଶା କରନ୍ତି ।

ହାତର ଉଦାହରଣକୁ ବିଚାର କରନ୍ତୁ । ଏହା ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଶରୀରଠାରୁ ଏହା ରକ୍ତ, ଅମ୍ଳଜାନ ଖାଦ୍ୟସାର ଇତ୍ୟାଦି ପୋଷଣ ଗ୍ରହଣ କରେ ଏବଂ ପ୍ରତିବଦଳରେ ଶରୀର ପାଇଁ ଆବଶ୍ୟକ କାର୍ଯ୍ୟ କରେ । ହାତ ଯଦି ଏହି ସେବାକୁ ବୋଝ ଭାବେ ଗ୍ରହଣ କରି ଶରୀର ଠାରୁ ନିଜକୁ ପୃଥକ୍ ରଖିବାକୁ ଇଚ୍ଛା କରିବ, ତେବେ ସେ ନିଜକୁ ଅଳ୍ପକ୍ଷଣ ପାଇଁ ମଧ୍ୟ ବଞ୍ଚାଇ ରଖି ପାରିବ ନାହିଁ । ଶରୀର ପ୍ରତି ଏହି ଯଜ୍ଞ ପାଳନ କରିବାରେ ହିଁ ତାର ନିଜର ସ୍ୱାର୍ଥ ପୂରଣ ହୋଇଥାଏ । ସେହିପରି ଆମେ ସମସ୍ତ ଜୀବାତ୍ମା ଭଗବାନଙ୍କର କ୍ଷୁଦ୍ର ଅଂଶ ଅଟୁ ଏବଂ ସୃଷ୍ଟିର ଏହି ବିଶାଳ ଯୋଜନାରେ ଆମ ସମସ୍ତଙ୍କର କିଛି ନା କିଛି ଭୂମକା ରହିଛି । ଆମେ ଯେତେବେଳେ ତାଙ୍କ ପ୍ରତି ଆମର ଯଜ୍ଞ ପାଳନ କରୁ, ଆମର ନିଜସ୍ୱ ସ୍ୱାର୍ଥ ମଧ୍ୟ ସ୍ୱାଭାବିକ ଭାବରେ ପୂରଣ ହୋଇଥାଏ ।

ଉତ୍ସର୍ଗ ବା ଯଜ୍ଞ, ଦିବ୍ୟ ଭାବନାରେ ଭଗବାନଙ୍କ ପ୍ରତି ଏକ ସର୍ମପଣ ଭାବରେ କରାଯିବା ଉଚିତ । କିନ୍ତୁ ଲୋକେ ତାହାକୁ ଠିକ୍ ଭାବରେ ନ ବୁଝି ଭିନ୍ନ ଭିନ୍ନ ଭାବନାରେ ଯଜ୍ଞ କରିଥାଆନ୍ତି । ଅଳ୍ପଜ୍ଞ ବ୍ୟକ୍ତି ସାଂସାରିକ ଦ୍ରବ୍ୟର କାମନା କରି ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରିଥାଆନ୍ତି ।

ଦେବତା (ସ୍ୱର୍ଗର ଦେବଗଣ) : ସ୍ୱର୍ଗ କୁହାଯାଇଥିବା ମାୟିକ ଜଗତର ଉଚ୍ଚତମ ସ୍ତରରେ ବାସ କରୁଥିବା ଜୀବଗଣଙ୍କୁ ଦେବତା କୁହାଯାଏ । ସ୍ୱର୍ଗର ଏହି ଦେବତାମାନେ ଭଗବାନ ନୁହନ୍ତି । ସେମାନେ ଆମପରି ଜୀବାତ୍ମା ଅଟନ୍ତି । ଭଗବାନଙ୍କ ସୃଷ୍ଟିର ପରିଚାଳନାରେ ସେମାନେ ନିର୍ଦ୍ଦିଷ୍ଟ ପଦରେ ଅଧିଷ୍ଠିତ ହୋଇ ଜଗତର ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ କରନ୍ତି । କୌଣସି ଦେଶର ସରକାର ବିଷୟରେ ବିଚାର କରନ୍ତୁ । ସେହି ସରକାରରେ ଜଣେ ରାଜ୍ୟ ସଚିବ, ବ୍ୟାପାର ସଚିବ, ଅର୍ଥ ସଚିବ, ବାଣିଜ୍ୟ ବିଭାଗ ସଚିବ, ଇତ୍ୟାଦି ଥାଆନ୍ତି । ଏଗୁଡ଼ିକ ପଦବୀ ଅଟେ ଏବଂ କିଛି ବ୍ୟକ୍ତିଙ୍କୁ ଚୟନ କରାଯାଇ ସୀମିତ ସମୟ ପାଇଁ ସେହିସବୁ ପଦବୀରେ ରଖାଯାଇ ଥାଏ । କାର୍ଯ୍ୟକାଳ ଶେଷରେ, ସରକାର ବଦଳି ଯାଏ ଏବଂ ତା’ ସହିତ ସମସ୍ତ ପଦାଧିକାରୀ ମଧ୍ୟ ବଦଳି ଯାଆନ୍ତି । ପଦବୀ ସବୁ ରହିଥାଏ, କିନ୍ତୁ ସେହି ପଦବୀରେ ଅଧିଷ୍ଠିତ ଥିବା ବ୍ୟକ୍ତି ବଦଳି ଯାଆନ୍ତି । ସେହିପରି, ସଂସାର ପରିଚାଳନା କ୍ଷେତ୍ରରେ, ଅଗ୍ନିଦେବ (ଅଗ୍ନିର ଦେବତା), ବାୟୁଦେବ (ବାୟୁର ଦେବତା), ବରୁଣ ଦେବ (ସମୁଦ୍ର ଦେବତା), ଇନ୍ଦ୍ରଦେବ (ସ୍ୱର୍ଗର ଦେବଗଣଙ୍କର ରାଜା) ଇତ୍ୟାଦି ପଦବୀ ରହିଛି । ପୂର୍ବଜନ୍ମର ପୁଣ୍ୟକର୍ମ ଅନୁସାରେ ଚୟନ କରାଯାଇ, କିଛି ଜୀବାତ୍ମା ସୀମିତ ସମୟ ପାଇଁ ଏହିସବୁ ପଦବୀରେ ଅବସ୍ଥାପିତ ହୋଇଥାଆନ୍ତି । ତା’ପରେ ସେମାନେ ସେହି ପଦବୀରୁ ଓହରି ଯାଆନ୍ତି ଏବଂ ଅନ୍ୟମାନେ ତାଙ୍କର ଆସନ ଅଧୀକାର କରନ୍ତି । ଅତଏବ, ଜୀବାତ୍ମାମାନଙ୍କ ମଧ୍ୟରୁ କେତେଜଣ ଅସ୍ଥାୟୀ ଭାବରେ ସ୍ୱର୍ଗର ଦେବତା ହୁଅନ୍ତି । ତେଣୁ ସେମାନଙ୍କୁ ଆମେ ପରଂବ୍ରହ୍ମଙ୍କ ସହିତ ତୁଳନା କରିପାରିବା ନାହିଁ ।

ଅନେକ ବ୍ୟକ୍ତି ଭୌତିକ ଫଳ ପାଇଁ ସ୍ୱର୍ଗର ଦେବତାମାନଙ୍କୁ ପୂଜା କରନ୍ତି । କିନ୍ତୁ ଆମେ ଏହା ମନେ ରଖିବା ଉଚିତ ଯେ ଏହି ଦେବତାମାନେ ଆମ୍ଭମାନଙ୍କର ମାୟାନିବୃତ୍ତି କିମ୍ବା ଭଗବତ ପ୍ରାପ୍ତି କରାଇ ପାରିବେ ନାହିଁ । ତାଛଡା, ଯାହା କିଛି ଭୌତିକ ଫଳ ସେମାନେ ଆମକୁ ପ୍ରଦାନ କରନ୍ତି, ତାହା ମଧ୍ୟ ଭଗବାନଙ୍କ ଠାରୁ ପ୍ରାପ୍ତ ହୋଇଥିବା ଶକ୍ତି ଦ୍ୱାରା କରିଥାଆନ୍ତି । ସେଥିପାଇଁ, ଭଗବଦ୍ ଗୀତା ସ୍ୱର୍ଗର ଦେବତାମାନଙ୍କୁ ପୂଜା କରିବାକୁ ଲୋକମାନଙ୍କୁ ବାରମ୍ବାର ନିରୁତ୍ସାହିତ କରିଥାଏ ଏବଂ ଏପରି କହିଥାଏ ଯେ ଯେଉଁମାନେ ଜ୍ଞାନରେ ସ୍ଥିତ ରହିଥାଆନ୍ତି, ସେମାନେ କେବଳ ପରମ ପୁରୁଷ ଭଗବାନଙ୍କର ଆରାଧନା କରନ୍ତି ।

ଭଗବାନଙ୍କ ଦିବ୍ୟଧାମ: ମାୟିକ ଜଗତ ଅନ୍ତର୍ଗତ ସ୍ୱର୍ଗଲୋକ, ଭୂଲୋକ ଏବଂ ନର୍କଲୋକ ଇତ୍ୟାଦିି ଭଗବାନଙ୍କ ସୃଷ୍ଟିର ମାତ୍ର ଏକ-ଚତୁର୍ଥାଂଶ ଅଟନ୍ତି । ଏହିସବୁ ଲୋକ ଆଧ୍ୟାତ୍ମିକ ପୂର୍ଣ୍ଣତା ପ୍ରାପ୍ତ କରି ନ ଥିବା ଜୀବାତ୍ମାମାନଙ୍କ ପାଇଁ ଉଦ୍ଦିଷ୍ଟ । ଏଠାରେ ଆମେ ଜନ୍ମ, ବ୍ୟାଧି, ଜରା ଏବଂ ମୃତ୍ୟୁ ରୂପରେ ନାନାଦି ପ୍ରକାରର କଷ୍ଟ ଭୋଗ କରିଥାଉ । ଏହି ମାୟିକ କ୍ଷେତ୍ରର ଉର୍ଦ୍ଧ୍ୱରେ ଭଗବାନଙ୍କ ସୃଷ୍ଟିର ତିନି ଚତୁର୍ଥାଂଶ ଆଧ୍ୟାତ୍ମିକ କ୍ଷେତ୍ର ଅଟେ । ଭଗବାନଙ୍କର ଅସଂଖ୍ୟ ଦିବ୍ୟଲୋକ ଏହାର ଅର୍ନ୍ତଭୁକ୍ତ ଅଟନ୍ତି, ବୈଦିକ ସାହିତ୍ୟରେ ଯାହାକୁ ସାକେତ ଲୋକ ( ଶ୍ରୀରାମଙ୍କ ଲୋକ), ଗୋଲୋକ ( ଶ୍ରୀକୃଷ୍ଣଙ୍କ ଲୋକ), ବୈକୁଣ୍ଠ ଲୋକ (ନାରାୟଣଙ୍କ ଲୋକ), ଶିବଲୋକ (ଭଗବାନ ଶିବଙ୍କ ଲୋକ) ଦେବୀ ଲୋକ (ମା’ ଦୁର୍ଗାଙ୍କ ଲୋକ), ଇତ୍ୟାଦି କୁହାଯାଇଥାଏ । ଭାଗବଦ୍ ଗୀତାରେ ଏହା ବାରମ୍ବାର ସୂଚିତ କରାଯାଇଛି ଯେ ଭଗବାନଙ୍କୁ ପ୍ରାପ୍ତ କରି ଜୀବ ଭଗବାନଙ୍କର ଦିବ୍ୟଲୋକକୁ ଚାଲିଯାଏ ଏବଂ ମାୟିକ ଜଗତର ଜନ୍ମ ମୃତ୍ୟୁ ଚକ୍ରକୁ ପୁନର୍ବାର ଫେରି ନ ଥାଏ ।

ଶରଣାଗତି: ଭଗବାନ ଦିବ୍ୟ ଅଟନ୍ତି ଏବଂ ଆମ ମାୟିକ ବୁଦ୍ଧି ଦ୍ୱାରା ବୋଧଗମ୍ୟ ନୁହଁନ୍ତି । ସେ ଆମର ମାୟିକ ଇନ୍ଦ୍ରିୟ ଦ୍ୱାରା ମଧ୍ୟ ଗ୍ରାହ୍ୟ ନୁହଁନ୍ତି - ଆମ ଆଖି ତାଙ୍କୁ ଦେଖି ପାରିବ ନାହିଁ, କାନ ତାଙ୍କୁ ଶୁଣି ପାରିବ ନାହିଁ, ଇତ୍ୟାଦି । ତଥାପି ସେ ଯଦି କୌଣସି ଜୀବ ପ୍ରତି କୃପା କରିବାକୁ ଚିନ୍ତା କରନ୍ତି, ସେ ତାଙ୍କର ଦିବ୍ୟ ଶକ୍ତି ସେହି ଭାଗ୍ୟବାନ ଜୀବକୁ ପ୍ରଦାନ କରନ୍ତି । ସେହି ଦିବ୍ୟ ଅନୁଗ୍ରହ ପ୍ରାପ୍ତ କରି ବ୍ୟକ୍ତି ତାଙ୍କୁ ଦେଖି ପାରିବ, ଶୁଣି ପାରିବ ଏବଂ ପ୍ରାପ୍ତ କରି ପାରିବ । ଏହି ଅନୁଗ୍ରହ ଭଗବାନଙ୍କର ଏକ ଖାମଖିଆଲି କାର୍ଯ୍ୟ ନୁହେଁ । ସେ ତାଙ୍କ ପ୍ରତି ଶରଣାଗତ ହୋଇଥିବା ବ୍ୟକ୍ତିଙ୍କୁ ହିଁ ଏହି କୃପା ପ୍ରଦାନ କରନ୍ତି । ଅତଏବ, ଭଗବଦ୍ ଗୀତା ଶରଣାଗତିର ଆବଶ୍ୟକତା ଉପରେ ବହୁତ ଗୁରୁତ୍ୱ ଦେଇଥାଏ ।

ଯୋଗ: ଯୋଗ ଶବ୍ଦଟି ଗୀତାରେ ପ୍ରାୟ ଶହେ ପଚାଶଟି ସ୍ଥାନରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଅଛି । ଏହା ମୂଳ ଶବ୍ଦ ‘ଯୁଜ୍‌’ରୁ ଆସିଛି ଯାହାର ଅର୍ଥ “ଯୋଗ କରିବା” । ଆଧ୍ୟାତ୍ମିକ ଦୃଷ୍ଟିରୁ ଆତ୍ମାର ପରମାତ୍ମାଙ୍କ ସହ ମିଳନକୁ ଯୋଗ କୁହାଯାଏ । (ଶ୍ଲୋ୫.୨୧) । ସେହି ସଂଯୋଗକୁ ହାସଲ କରିବାର ବିଜ୍ଞାନକୁ ମଧ୍ୟ ଯୋଗ କୁହାଯାଏ (ଶ୍ଲୋ: ୪.୧) । ପୁନଶ୍ଚ, ଏହି ଉପାୟରେ ପ୍ରାପ୍ତ ହେଉଥିବା ପରିପୂର୍ଣ୍ଣତାକୁ ଯୋଗ କୁହାଯାଏ (ଶ୍ଳୋ.୬.୧୮) । ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ କରି ବ୍ୟକ୍ତି ସ୍ୱାଭାବିକ ଭାବରେ ମାୟିକ ଜଗତର ସଂସ୍ପର୍ଶରୁ ଉତ୍ପନ୍ନ ହେଉଥିବା କଷ୍ଟରୁ ମୁକ୍ତ ହୋଇଯାଏ । ସେହି ଯନ୍ତ୍ରଣା-ମୁକ୍ତ ଅବସ୍ଥାକୁ ମଧ୍ୟ ଯୋଗ ଭାବରେ ବର୍ଣ୍ଣନା କରାଯାଇଛି (ଶ୍ଲୋ: ୬.୨୩) । ଯେହେତୁ ପରିପୂର୍ଣ୍ଣତା ମନର ସ୍ଥିରତା ସହିତ ସମ୍ବନ୍ଧିତ, ସେହି ସ୍ଥିରତା’ ବା ସମଭାବାପନ୍ନ ଅବସ୍ଥାକୁ ମଧ୍ୟ ଯୋଗ କୁହାଯାଏ (ଶ୍ଳୋ.୨.୪୮) । ଯୋଗ ଅବସ୍ଥାରେ ସ୍ଥିତ ରହିଥିବା ବ୍ୟକ୍ତି ସମସ୍ତ କର୍ମକୁ ଭଗବାନଙ୍କର ସେବା ମନେକରି ସଠିକ ଭାବରେ ସମ୍ପାଦନ କରିଥାଏ । କାର୍ଯ୍ୟର ଏହି ନିପୁଣତାକୁ ମଧ୍ୟ ଯୋଗ ଭାବରେ ବର୍ଣ୍ଣନା କରାଯାଇଥାଏ (୧୨.୫୦) ।

ଜଣେ ପଚାରି ପାରନ୍ତି, ଯୋଗର ଆବଶ୍ୟକତା କ’ଣ? ଏହାର ଉତ୍ତର ହେଉଛି, ମାୟିକ ଜଗତରେ ସୁଖର ସନ୍ଧାନ କରିବା, ମରୁଭୂମିରେ ମରିଚିକା ପଛରେ ଧାଇଁବା ପରି ଅଟେ । ଭୌତିକ କାମନାର ସ୍ୱରୂପ ଏପରି ଯେ ଏହାକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବା, ଘିଅ ଢାଳି ଅଗ୍ନିକୁ ଲିଭାଇବା ପରି ଅଟେ । କ୍ଷଣକ ପାଇଁ ଅଗ୍ନି ହ୍ରାସ ପାଏ, କିନ୍ତୁ ପୁଣି ଏହା ଅଧିକ ତେଜରେ ପ୍ରଜ୍ୱଳିତ ହୋଇଉଠେ । ସେହିପରି ମନ ଓ ଇନ୍ଦ୍ରିୟମାନଙ୍କର କାମନାକୁ ପୂର୍ଣ୍ଣ କରିବା ଦ୍ୱାରା ଲୋଭର ଉଦ୍ରେକ ହୋଇଥାଏ । କିନ୍ତୁ ସେମାନଙ୍କର ପ୍ରତିରୋଧ କରିବା ମଧ୍ୟ କ୍ଷତିକାରକ ଅଟେ, କାରଣ ତାହା କ୍ରୋଧ ଉତ୍ପନ୍ନ କରାଏ । ତେଣୁ କାମନା କାହିଁକି ଉତ୍ପନ୍ନ ହୁଏ, ତା’ର ମୂଳ କାରଣଟିକୁ ଜାଣି ଆମେ ସେଥିରୁ ନିବୃତ୍ତ ହେବା ଉଚିତ୍ । କୌଣସି ବ୍ୟକ୍ତି ବା ବସ୍ତୁରେ ବାରମ୍ବାର ସୁଖର ଚିନ୍ତନ କରିବା ଦ୍ୱାରା, ମନ ସେଥିରେ ଆସକ୍ତ ହୋଇଯାଏ ଏବଂ ଆସକ୍ତିରୁ କାମନା ଉତ୍ପନ୍ନ ହୁଏ । ତେଣୁ ଆମେ ଯଦି ଦୃଢ଼ ନିଶ୍ଚିତ ହୋଇଯିବା ଯେ ଆତ୍ମା ଖୋଜୁଥିବା ଦିବ୍ୟ ଆନନ୍ଦ ଭୌତିକ ବସ୍ତୁରେ ନାହିଁ, ଆମେ ତାହାର କାମନା କରିବା ନାହିଁ । କିନ୍ତୁ ଯାହା ହେଲେ ବି ଆନନ୍ଦର ଅଭିଳାଷ ଆତ୍ମାର ସ୍ୱରୂପଗତ ଅଟେ, କାରଣ ଆତ୍ମା ଦିବ୍ୟ ଆନନ୍ଦ ସିନ୍ଧୁ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ । ତେଣୁ ଭଗବାନଙ୍କର ଅନନ୍ତ ପରମାନନ୍ଦ ପ୍ରାପ୍ତ ନ ହେବା ଯାଏଁ, ଆତ୍ମାର ଆନନ୍ଦ ଅନ୍ୱେଷଣ ଜାରି ରହିଥିବ । ତେଣୁ ଜାଣତରେ ହେଉ ଅଥବା ଅଜାଣତରେ ହେଉ, ପ୍ରତ୍ୟେକ ଜୀବ ସେହି ଦିବ୍ୟ ଚେତନା ବା ଯୋଗ ପାଇଁ ସଂଘର୍ଷ କରୁଛନ୍ତି ।

ଭଗବାନଙ୍କ ସହ ମିଳିତ ହେବାର ବିଭିନ୍ନ ମାର୍ଗଗୁଡ଼ିକୁ ଯୋଗର ଭିନ୍ନ ଭିନ୍ନ ପ୍ରଣାଳୀ ଭାବରେ ବର୍ଣ୍ଣିତ ହୋଇଥାଏ, ଯଥା କର୍ମ ଯୋଗ, ଜ୍ଞାନ ଯୋଗ, ଅଷ୍ଟାଂଗ ଯୋଗ ଏବଂ ଭକ୍ତିଯୋଗ । ସାଧାରଣତଃ ଏହିପରି ଈଶ୍ୱରୀୟ ସାଧନା ରତ ବ୍ୟକ୍ତିଙ୍କୁ “ଯୋଗୀ” ବା “ସାଧକ” କୁହାଯାଏ । (୪.୨୫) ବେଳେବେଳେ ଯୋଗ ଶବ୍ଦକୁ ନିର୍ଦ୍ଦିଷ୍ଟ ରୂପେ ଅଷ୍ଟାଙ୍ଗ ଯୋଗ ଭାବେ ବର୍ଣ୍ଣନା କରାଯାଇଥାଏ । (୪.୨୮) ସେପରି କ୍ଷେତ୍ରରେ କେବଳ ଅଷ୍ଟାଙ୍ଗ ଯୋଗ ସାଧନା କରୁଥିବା ସାଧକଙ୍କୁ “ଯୋଗୀ” ବିବେଚିତ କରାଯାଇଥାଏ ।

ଜ୍ଞାନ ଯୋଗ (ଜ୍ଞାନ ମାର୍ଗ): ଯୋଗର ଏହି ପ୍ରଣାଳୀ ଆତ୍ମଜ୍ଞାନ ଉପରେ ଗୁରୁତ୍ୱାରୋପଣ କରିଥାଏ । ଗୀତା ବେଳେବେଳେ ଏହାକୁ ସାଂଖ୍ୟ ଯୋଗ ରୂପେ ବର୍ଣ୍ଣନା କରିଥାଏ । ବିବେକ ଦ୍ୱାରା ଜ୍ଞାନୀମାନେ ସମସ୍ତ ଶାରୀରିକ ଉପାଧିରୁ ଆତ୍ମାକୁ ପୃଥକ କରି କେବଳ ଆତ୍ମୋପଲବ୍‌ଧିରେ ଚେତନାକୁ କେନ୍ଦ୍ରିତ କରିଥାଆନ୍ତି । ସେମାନଙ୍କର ଅନ୍ତିମ ଲକ୍ଷ୍ୟ ଆତ୍ମଜ୍ଞାନ ଅଟେ । ଜ୍ଞାନ ଯୋଗର ସାଧନା, ଭଗବତ୍ କୃପା-ଆଶ୍ରିତ ହୋଇ ନ ଥିବା କାରଣରୁ, ଅତ୍ୟନ୍ତ କଷ୍ଟକର ଅଟେ ଏବଂ ଏଥିରେ ପ୍ରତି ପଦକ୍ଷେପରେ ପତନର ସମ୍ଭାବନା ଥାଏ ।

ଅଷ୍ଟାଙ୍ଗ ଯୋଗ: ଏହି ପଦ୍ଧତିରେ ମନ-ଶୁଦ୍ଧିକରଣ ପ୍ରକ୍ରିୟା ଏକ ଯାନ୍ତ୍ରିକ ଅଭ୍ୟାସରୁ ଆରମ୍ଭ ହୋଇ କ୍ରମଶଃ ମନର ପୂର୍ଣ୍ଣ ନିୟନ୍ତ୍ରଣ ପର୍ଯ୍ୟନ୍ତ ଅଗ୍ରସର ହୁଏ । ଏଥିରେ ପ୍ରଥମେ ପ୍ରାଣ ଶକ୍ତିକୁ ମେରୁଦଣ୍ଡୀୟ ସୁଷୁମ୍ନା ଚକ୍ର ମଧ୍ୟ ଦେଇ ଉର୍ଦ୍ଧ୍ୱଗାମୀ କରାଯାଏ । ଏହାକୁ ଦୁଇ ଭୃଲତାର ମଧ୍ୟଭାଗକୁ ଅଣାଯାଏ, ଯାହାକି ତୃତୀୟ ଚକ୍ଷୁ (ଅନ୍ତର୍ଦୃଷ୍ଟି) । ତାପରେ ଭକ୍ତିର ସହିତ ଏହାକୁ ପରମାତ୍ମାଙ୍କ ଠାରେ କେନ୍ଦ୍ରିତ କରାଯାଏ । ମହର୍ଷି ପତଞ୍ଜଳି, ତାଙ୍କର ସ୍ୱରଚିତ ବିଖ୍ୟାତ ଗ୍ରନ୍ଥ “ଯୋଗ ସୂତ୍ର”ରେ, ଏହାକୁ ଏକ ଆଠୋଟି ସୋପାନ ବିଶିଷ୍ଟ ପ୍ରଣାଳୀ ଭାବରେ ଉପସ୍ଥାପିତ କରିଛନ୍ତି । ଏହା ‘ଅଷ୍ଟାଙ୍ଗ ଯୋଗ’ ବା ଯୋଗର ଅଷ୍ଟବିଧ ପ୍ରଣାଳୀ ଭାବରେ ସୁପରିଚିତ । ହଟଯୋଗ ଏହାର ଏକ ରୂପାନ୍ତର, ଯେଉଁଥିରେ ସଂଯମ ଉପରେ ଗୁରୁତ୍ୱ ଦିଆଯାଇଥାଏ । ହଟଯୋଗୀମାନେ ମନ ଓ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିବା ପାଇଁ ଇଚ୍ଛା ଶକ୍ତିର ଉପଯୋଗ କରିଥାଆନ୍ତି ।

ବୈଦିକ ସାହିତ୍ୟରେ ବିଶେଷତଃ ଭଗବତ୍ ପ୍ରାପ୍ତିର କେବଳ ତିନୋଟି ମାର୍ଗ ନିର୍ଦ୍ଦେଶ କରାଯାଇଥାଏ - କର୍ମଯୋଗ, ଜ୍ଞାନଯୋଗ ଏବଂ ଭକ୍ତିଯୋଗ । ଏହି ଶ୍ରେଣୀ ବିଭାଗରେ ଅଷ୍ଟାଙ୍ଗ ଯୋଗକୁ ଜ୍ଞାନଯୋଗର ଅନ୍ତର୍ଭୁକ୍ତ କରାଯାଇଥାଏ ।

ଭକ୍ତି ଯୋଗ: (ଭକ୍ତି ମାର୍ଗ): ନିଷ୍କାମ ଏବଂ ଅନନ୍ୟ ଭାବରେ ଭଗବାନଙ୍କ ନାମ, ରୂପ, ଗୁଣ, ଲୀଳା, ଇତ୍ୟାଦିରେ ମନକୁ ସଂଯୋଗ କରିବା ଏହି ମାର୍ଗରେ ଅନ୍ତର୍ଭୁକ୍ତ ଅଟେ । ଭଗବାନଙ୍କୁ ନିଜର ଚିରନ୍ତନ ପିତା, ମାତା, ବନ୍ଧୁ, ସ୍ୱାମୀ ଓ ଆତ୍ମାର ପ୍ରିୟତମ ରୂପରେ ଗ୍ରହଣ କରି, ସାଧକର ତାଙ୍କ ସହିତ ଏକ ସ୍ନେହପୂର୍ଣ୍ଣ ସମ୍ବନ୍ଧ ଗଢ଼ିଉଠେ । ଅନ୍ୟ ମାର୍ଗ ଅପେକ୍ଷା ଏହି ମାର୍ଗରେ ସାଧକ, ଭଗବାନଙ୍କର ଶରଣାଗତ ହୋଇ ଏବଂ ନିଜ ଇଚ୍ଛାକୁ ତାଙ୍କ ଇଚ୍ଛା ସହିତ ଯୋଡ଼ି, ସହଜରେ ଭଗବାନଙ୍କର କୃପାକୁ ଆକର୍ଷିତ କରିପାରେ ଏବଂ ଆଧ୍ୟାତ୍ମିକ ପରିପୂର୍ଣ୍ଣତା ଲାଭ କରିପାରେ । ଯଦିଓ ଭଗବଦ୍ ଗୀତା ସମସ୍ତ ଯୋଗ ପ୍ରଣାଳୀକୁ ସନ୍ନିବିଷ୍ଟ କରିଥାଏ, ନିର୍ଦ୍ଦିଷ୍ଟ ଭାବରେ ଏହା ଅନ୍ୟ ମାର୍ଗ ତୁଳନାରେ ଭକ୍ତି ମାର୍ଗର ଶ୍ରେଷ୍ଠତା ପ୍ରତିପାଦିତ କରିଥାଏ । ଯେଉଁମାନେ ଅନ୍ୟମାର୍ଗ ଅପେକ୍ଷା ଭକ୍ତିମାର୍ଗକୁ ନିକୃଷ୍ଟ ମନେକରନ୍ତି, ସେମାନଙ୍କର ସେହି ଭ୍ରାନ୍ତଧାରଣାକୁ ଦୂର କରିବା ପାଇଁ, ଏହି ଭାଷ୍ୟରେ ଶ୍ରୀକୃଷ୍ଣଙ୍କର ବାରମ୍ବାର ଉଦ୍‌ଘୋଷ ‘କେବଳ ଭକ୍ତି ଦ୍ୱାରା ମୋତେ ଜାଣିହେବ’କୁ ଏହି ପ୍ରମୁଖତା ଦିଆଯାଇଅଛି ।

କର୍ମ ଯୋଗ (କର୍ମ ମାର୍ଗ): ସଂସାର ପ୍ରତି କର୍ତ୍ତବ୍ୟ ନିର୍ବାହକୁ କର୍ମ କୁହାଯାଏ ଏବଂ ଭଗବାନଙ୍କ ସହିତ ସଂଯୁକ୍ତ ହେବାକୁ ଯୋଗ କୁହାଯାଏ । ସୁତରାଂ, ସାଂସାରିକ କର୍ତ୍ତବ୍ୟ ପାଳନ କରିବା ସହିତ ମନକୁ ଭଗବାନଙ୍କ ଠାରେ ସଂଯୁକ୍ତ ରଖିବା ‘କର୍ମଯୋଗ’ ଅଟେ । ସେଥିପାଇଁ ଏକ ଦୃଢପ୍ରତିଜ୍ଞ ବୁଦ୍ଧି ଦ୍ୱାରା ସମସ୍ତ କର୍ମ କେବଳ ଭଗବାନଙ୍କ ସୁଖ ଉଦ୍ଦେଶ୍ୟରେ କରିବା ଏବଂ ମନକୁ କର୍ମଫଳ ପ୍ରତି ଉଦାସୀନ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । ତେଣୁ ଗୀତାରେ ଏହାକୁ ସ୍ଥାନେ ସ୍ଥାନେ ବୁଦ୍ଧି ଯୋଗ ଭାବରେ ବର୍ଣ୍ଣନା କରାଯାଇଅଛି । ଯେହେତୁ ଅଧିକାଂଶ ବ୍ୟକ୍ତି, ଗୃହସ୍ଥରେ ନିଜର ସଂସାରିକ କର୍ତ୍ତବ୍ୟ ପାଳନ କରିବା ସହିତ ଆଧ୍ୟାତ୍ମିକତା ପ୍ରତି ଉନ୍ମୁଖ ହୋଇଥାଆନ୍ତି, ସେମାନଙ୍କ ପାଇଁ ଅନ୍ୟ ଯେ କୌଣସି ଯୋଗସାଧନା ସହିତ କର୍ମଯୋଗର ଅବଲମ୍ବନ ଅତ୍ୟାବଶ୍ୟକ ଅଟେ ।

ସଂକ୍ଷେପରେ କେତୋଟି ଗୁରୁତ୍ୱପୂର୍ଣ୍ଣ ଶବ୍ଦର ବ୍ୟାଖ୍ୟା କରିବା ପରେ, ମୁଁ ବର୍ତ୍ତମାନ ପାଠକମାନଙ୍କ ହସ୍ତରେ ଭଗବାନଙ୍କର ଏହି ଗୀତକୁ ଅର୍ପଣ କରୁଛି । ସେମାନେ ଏହାର ପଠନ କରି ପରମ ବ୍ରହ୍ମ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରଦତ୍ତ ଭଗବଦ୍ ଗୀତାର ଅଦ୍ଭୁତ ଦିବ୍ୟ ଜ୍ଞାନର ପ୍ରତ୍ୟକ୍ଷ ଅନୁଭବ କରନ୍ତୁ ।

ସ୍ୱୀକାରୋକ୍ତି

ଦିବ୍ୟ ପ୍ରେମ ଓ ଅନୁଭବାତୀତ ଜ୍ଞାନର ସାଗର ମୋର ଗୁରୁଦେବ, ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କୁ ମୁଁ ଅନ୍ତରର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଅଛି । କେବଳ ତାଙ୍କ କୃପାରୁ ହିଁ ମୋ ପରି ଏକ ଅଳ୍ପଜ୍ଞ ଜୀବ, ସେ ଧାରଣ କରିଥିବା ଜ୍ଞାନର ଅନନ୍ତ ଭଣ୍ଡାରରୁ, ବିନ୍ଦୁଏ ଜ୍ଞାନ ଆହରଣ କରିବାରେ ସକ୍ଷମ ହୋଇପାରିଛି । ମାନବ ଜାତିର ସେବାରେ ବୈଦିକ ଜ୍ଞାନର ପ୍ରଚାର ନିମନ୍ତେ ତାଙ୍କର ନିର୍ଦ୍ଦେଶ ପାଳନ କରିବା ଦିଗରେ ଏହା ଏକ ବିନମ୍ର ଉଦ୍ୟମ ଅଟେ ।

ପରମ ଦୟାଳୁ ଏବଂ ଉଦାର ମହର୍ଷି ବେଦବ୍ୟାସ, ଯିଏ ଆମ୍ଭମାନଙ୍କୁ ପବିତ୍ର ଗ୍ରନ୍ଥ ମହାଭାରତ ଓ ସେଥିରେ ସନ୍ନିବେଶିତ ଭଗବଦ୍ ଗୀତା ପ୍ରଦାନ କରିଛନ୍ତି, ସମଗ୍ର ମାନବ ଜାତି ପକ୍ଷରୁ ମୁଁ ତାଙ୍କ ନିକଟରେ ଆଭାର ବ୍ୟକ୍ତ କରୁଛି ।

ମୁଁ, ମୋର ସମ୍ପାଦକ ରିଚାର୍ଡ଼ କାଜୁଥ୍ (ଭାରତୀୟ ନାମ ରାମକୃଷ୍ଣ)ଙ୍କୁ ତାଙ୍କର ସର୍ବଶ୍ରେଷ୍ଠ ଉଦ୍ୟମ ପାଇଁ ଆନ୍ତରିକ ସମ୍ମାନ ଜଣାଉଛି, ଯିଏ ଅନେକ କଷ୍ଟ ସହ୍ୟ କରି ମୋ ଅସଜଡ଼ା ଲେଖାର ଅନୁଧ୍ୟାନ କରିଛନ୍ତି ଏବଂ ରଚନାତ୍ମକ ପରାମର୍ଶ ଦେଇଛନ୍ତି । ମୁଁ, ସେବାକାର୍ଯ୍ୟ ପ୍ରତି ତାଙ୍କର ନିଃସ୍ୱାର୍ଥପର ଆଗ୍ରହ ଏବଂ ସେହି ଉଦ୍ଦେଶ୍ୟରେ ସମୟ ଓ ଉଦ୍ୟମର ଅସୀମ ତ୍ୟାଗରେ, ଅଭିଭୂତ ହୋଇଅଛି । ମୁଁ ଆରତୀ ମଲ୍ଲିକଙ୍କ ପ୍ରତି ମୋର କୃତଜ୍ଞତା ଜ୍ଞାପନ କରୁଅଛି, ଯିଏ ତନ୍ନ ତନ୍ନ କରି ଏହି ଲେଖନୀର ତୃଟି ବିଶ୍ଳେଷଣ କରିଛନ୍ତି ଏବଂ ଅନେକ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ସମୟର ଘୋର ଅଭାବ ସତ୍ତ୍ୱେ ସେମାନେ ଦୁଇଜଣ ପ୍ରାୟ ଛ ମାସର ସୀମିତ ଅବଧିରେ ନିଜ ନିଜ ର କାର୍ଯ୍ୟ ସମାପନ କରିବାରେ ସହଯୋଗ କରିଛନ୍ତି ।

ପୁସ୍ତକରେ ଅନ୍ତର୍ଭୁକ୍ତ ଚିତ୍ର ସବୁକୁ ଅଙ୍କନ କରିଥିବା, ସଞ୍ଜୟ ସରକାରଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଅଛି ।

ଅକ୍ଷର ସଜ୍ଜା, ଟାଇପ୍ ପ୍ରସ୍ତୁତି ଓ ପୃଷ୍ଠା ସଜ୍ଜା ପାଇଁ ଦିନରାତି ପରିଶ୍ରମ କରିଥିବା ପ୍ରଜ୍ଞାନ ବୈଦ୍ୟଙ୍କୁ ମଧ୍ୟ ମୁଁ ମୋର ଗଭୀର କୃତଜ୍ଞତା ଜ୍ଞାପନ କରୁଅଛି । ଶ୍ରେୟା ଭଟ୍ଟ, ଶୈଲୀ ଅଧିକାରୀ, ସନ୍ଥନ୍ ବାଲାଜୀ ଏବଂ ମୋ ଟୀମ୍‌ର ସମସ୍ତ ସଭ୍ୟଙ୍କୁ ଏହି ପୁସ୍ତକର ମୁଦ୍ରଣ ଏବଂ ପ୍ରକାଶନରେ ସେମାନଙ୍କର ଭୂମିକା ପାଇଁ ମୁଁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରୁଅଛି ।

ଆଶାକରୁଛି, ପୁସ୍ତକଟି ଯେଉଁ ଆନ୍ତରିକ ଉଦ୍ଦେଶ୍ୟରେ ପ୍ରକାଶିତ, ତାହା ପୂରଣ କରିବ ଏବଂ ଚିରନ୍ତନ ସତ୍ୟର ଅନୁସନ୍ଧାନ ଓ ଭଗବତ୍ ପ୍ରାପ୍ତିର ପଥରେ ସାଧକମାନଙ୍କର ସହାୟକ ହେବ ।

ପ୍ରଭୁଙ୍କର ସେବାରେ

ସ୍ୱାମୀ ମୁକୁନ୍ଦାନନ୍ଦ