Bhagavad Gita: Chapter 1, Verse 10

ଅପର୍ଯ୍ୟାପ୍ତଂ ତଦସ୍ମାକଂ ବଳଂ ଭୀଷ୍ମାଭିରକ୍ଷିତମ୍ ।
ପର୍ଯ୍ୟାପ୍ତଂ ତ୍ୱିଦମେତେଷାଂ ବଳଂ ଭୀମାଭିରକ୍ଷିତମ୍ ।।୧୦।।

ଅପର୍ଯ୍ୟାପ୍ତଂ-ଅପରିମିତ; ତତ୍‌-ତାହା; ଅସ୍ମାକମ୍‌-ଆମ୍ଭମାନଙ୍କର; ବଳଂ-ବଳ; ଭୀଷ୍ମ-ପିତାମହ ଭୀଷ୍ମଙ୍କ ଦ୍ୱାରା; ଅଭିରକ୍ଷିତମ୍‌-ସୁରକ୍ଷିତ; ପର୍ଯ୍ୟାପ୍ତଂ-ସୀମିତ; ତୁ-କିନ୍ତୁ; ଇଦମ୍‌-ଏସବୁ; ଏତେଷାଂ- ପାଣ୍ଡବମାନଙ୍କର; ବଳଂ-ବଳ; ଭୀମ-ଭୀମଙ୍କ ଦ୍ୱାରା; ଅଭିରକ୍ଷିତମ୍ -ସାବଧାନତା ସହକାରେ ସୁରକ୍ଷିତ ।

Translation

BG 1.10: ପିତାମହ ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ଆମ୍ଭମାନଙ୍କର ସୈନ୍ୟ ବଳ ଅସୀମିତ ଅଟେ, କିନ୍ତୁ ଭୀମଙ୍କ ଦ୍ୱାରା ସାବଧାନ ପୁର୍ବକ ସୁରକ୍ଷିତ ପାଣ୍ଡବ ସେନାଙ୍କ ବଳ ସୀମିତ ଅଟେ ।

Commentary

ଦୁର୍ଯ୍ୟୋଧନଙ୍କର ଆତ୍ମଗରିମା ଗାନ, ଜଣେ ବୃଥା ବଡ଼ିମା ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ପରି ଥିଲା । ଯେତେବେଳେ ତାଙ୍କର ଅନ୍ତିମ କାଳ ନିକଟତର ହୁଏ, ବିନମ୍ରଭାବେ ପରିସ୍ଥିତିର ସମୀକ୍ଷା କରିବା ପରିବର୍ତ୍ତେ, ଆତ୍ମାଭିମାନୀ ବ୍ୟକ୍ତିମାନେ ଗର୍ବର ସହିତ ବୃଥା ବଡ଼ିମା ପ୍ରଦର୍ଶନ କରିଥାଆନ୍ତି । ଭାଗ୍ୟର ଏହି ଦୁଃଖଦ ବିଡ଼ମ୍ବନା ଦୁର୍ଯ୍ୟୋଧନଙ୍କ ବାକ୍ୟରେ ପ୍ରକାଶ ପାଉଥିଲା ଯେତେବେଳେ ସେ କହିଲେ ଯେ ଭୀଷ୍ମଙ୍କ ଦ୍ୱାରା ସଂରକ୍ଷିତ ତାଙ୍କର ଶକ୍ତି ଅସୀମିତ ଅଟେ ।

ପିତାମହ ଭୀଷ୍ମ କୌରବ ସେନାର ସର୍ବୋଚ୍ଚ ସେନାଧ୍ୟକ୍ଷ ଥିଲେ । ତାଙ୍କୁ ଇଚ୍ଛା ମୃତ୍ୟୁର ବର ପ୍ରାପ୍ତ ଥିଲା, ଯାହାକି ତାଙ୍କୁ ପ୍ରକୃତ ପକ୍ଷେ ଅଜେୟ କରୁଥିଲା । ପାଣ୍ଡବଙ୍କ ପକ୍ଷରେ ଭୀମଙ୍କ ଦ୍ୱାରା ସୈନ୍ୟ ସଂରକ୍ଷିତ ଥିଲେ । ସେ ଦୁର୍ଯ୍ୟୋଧନଙ୍କର ଚିରଶତ୍ରୁ ଥିଲେ । ତେଣୁ ଦୁର୍ଯ୍ୟୋଧନ ଭୀଷ୍ମଙ୍କ ଶକ୍ତି ସହିତ ଭୀମଙ୍କ ଶକ୍ତିର ତୁଳନା କରୁଥିଲେ । ଭୀଷ୍ମ ଉଭୟ ପାଣ୍ଡବ ଏବଂ କୌରବଙ୍କର ପିତାମହ ଥିଲେ ଏବଂ ଆନ୍ତରିକତା ସହ ଦୁଇ ପକ୍ଷର ହିତ କାମନା କରୁଥିଲେ । ପାଣ୍ଡବମାନଙ୍କ ପ୍ରତି ତାଙ୍କର ସ୍ନେହ, ନିଷ୍ଠାପର ଭାବରେ ଯୁଦ୍ଧ କରିବାକୁ ପ୍ରତିବନ୍ଧକ ହେବ । ସେ ଏହା ମଧ୍ୟ ଜାଣିଥିଲେ ଯେ ଏହି ଧର୍ମ ଯୁଦ୍ଧରେ ଯେଉଁଠି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଉପସ୍ଥିତ ଅଛନ୍ତି, ପୃଥିବୀର କୌଣସି ଶକ୍ତି ଅଧର୍ମର ପକ୍ଷକୁ ବିଜୟୀ କରିପାରିବ ନାହିଁ । ତଥାପି ସେ ହସ୍ତିନା ପୁରର ପ୍ରଜା ଓ କୌରବଙ୍କ ପ୍ରତି ନିଜର ନୈତିକ ପ୍ରତିବଦ୍ଧତା ପାଇଁ ପାଣ୍ଡବମାନଙ୍କ ବିପକ୍ଷରେ ଲଢ଼ିବାକୁ ସ୍ଥିର କରିଥିଲେ । ଏହି ନିର୍ଣ୍ଣୟ ଭୀଷ୍ମଙ୍କ ବ୍ୟକ୍ତିତ୍ୱର ଦୁର୍ବୋଧ୍ୟ ଚରିତ୍ରକୁ ପ୍ରଦର୍ଶିତ କରିଥାଏ ।

Watch Swamiji Explain This Verse