Bhagavad Gita: Chapter 10, Verse 23

ରୁଦ୍ରାଣାଂ ଶଙ୍କରଶ୍ଚାସ୍ମିବିତ୍ତେଶୋ ଯକ୍ଷରକ୍ଷସାମ୍ ।
ବସୂନାଂ ପାବକଶ୍ଚାସ୍ମି ମେରୁଃ ଶିଖରିଣାମହମ୍ ।।୨୩।।

ରୁଦ୍ରାଣାଂ - ରୁଦ୍ରମାନଙ୍କ ମଧ୍ୟରେ; ଶଙ୍କରଃ - ଶଙ୍କର; ଚ - ଏବଂ; ଅସ୍ମି - ଅଟେ; ବିତ୍ତେଶଃ - ଧନର ଦେବତା; ଯଜ୍ଞ-ରକ୍ଷସାମ୍ - ଯକ୍ଷ ଓ ରାକ୍ଷସମାନଙ୍କ ମଧ୍ୟରେ; ବସୂନାଂ - ବସୁମାନଙ୍କ ମଧ୍ୟରେ; ପାବକଃ -ଅଗ୍ନି; ଚ -ଏବଂ; ଅସ୍ମି - ଅଟେ; ମେରୁଃ - ମେରୁ; ଶିଖରିଣାମ୍ - ପର୍ବତମାନଙ୍କ ମଧ୍ୟରେ; ଅହଂ - ମୁଁ ।

Translation

BG 10.23: ରୁଦ୍ରମାନଙ୍କ ମଧ୍ୟରେ ମୁଁଁ ଶିବ, ଯକ୍ଷମାନଙ୍କ ମଧ୍ୟରେ ମୁଁ କୁବେର, ବସୁମାନଙ୍କ ମଧ୍ୟରେ ମୁଁ ଅଗ୍ନି ଏବଂ ପର୍ବତମାନଙ୍କ ମଧ୍ୟରେ ମୋତେ ମେରୁ ପର୍ବତ ଭାବରେ ଜାଣ ।

Commentary

ରୁଦ୍ରଗଣ ଭଗବାନ ଶିବଙ୍କର ଏଗାରଟି ରୂପ ଅଟନ୍ତି । ସେମାନେ ହେଲେ ହର, ବହୁରୂପ, ତ୍ରୟମ୍ବକ, ଅପରାଜିତ, ବୃସକପି, ଶଙ୍କର, କପର୍ଦି, ରୈବତ, ମୃଗବ୍ୟାଧ, ସର୍ବ ଓ କପାଳି । ପୁରାଣରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇଛି । ସେମାନଙ୍କ ମଧ୍ୟରୁ, ବିଶ୍ୱରେ ଭଗବାନ ଶିବଙ୍କର ମୂଳ ସ୍ୱରୂପ ଶଙ୍କର ଅଟନ୍ତି ।

ଯକ୍ଷଗଣ (ସ୍ୱର୍ଗୀୟ ଦାନବ) ଧନ ଅର୍ଜନ ଓ ଜମା କରିବାରେ ଅତ୍ୟନ୍ତ ଆଗ୍ରହୀ ଅଟନ୍ତି । ସେମାନଙ୍କର ମୁଖ୍ୟ କୁବେର, ଧନର ଦେବତା ଏବଂ ଦେବତାମାନଙ୍କର କୋଷାଧ୍ୟକ୍ଷ ଅଟନ୍ତି । ଅତଏବ, ଯକ୍ଷମାନଙ୍କ ମଧ୍ୟରେ କୁବେର ଭଗବାନଙ୍କ ବିଭୂତିର ପରିପ୍ରକାଶ ଅଟନ୍ତି ।

ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରଗଣ - ଏମାନେ ଅଷ୍ଟବସୁ ଅଟନ୍ତି । ବ୍ରହ୍ମାଣ୍ଡର ସ୍ଥୁଳ ରୂପ ଏମାନଙ୍କୁ ନେଇ ଗଠିତ । ଏମାନଙ୍କ ମଧ୍ୟରୁ, ଅଗ୍ନି ଅନ୍ୟ ସମସ୍ତଙ୍କୁ ତାପ ଏବଂ ଶକ୍ତି ପ୍ରଦାନ କରିଥାନ୍ତି, ତେଣୁ ସେ ଶ୍ରୀକୃଷ୍ଣଙ୍କର ବିଶିଷ୍ଟ ସ୍ୱରୂପ ଅଟନ୍ତି ।

ସ୍ୱର୍ଗଲୋକର ମେରୁ ପର୍ବତ ତା’ର ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟ ପାଇଁ ସୁପ୍ରସିଦ୍ଧ । ଏହା ଏକ ଅଖ ସ୍ୱରୂପ, ଯାହାର ଚତୁର୍ପାଶ୍ୱର୍ରେ ଅନେକ ଗ୍ରହ ନକ୍ଷତ୍ର ଘୂରି ବୁଲୁଥାଆନ୍ତି ବୋଲି ବିଶ୍ୱାସ କରାଯାଏ । ତେଣୁ ଶ୍ରୀକୃଷ୍ଣ ଏହାକୁ ତାଙ୍କର ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି । ଧନ ଯେପରି ଏକ ବିତ୍ତଶାଳୀ ବ୍ୟକ୍ତିର ପରିଚୟ ଅଟେ, ସେହିପରି ଏହି ସବୁ ବିଭୂତି ଭଗବାନଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟେ ।