Bhagavad Gita: Chapter 10, Verse 6

ମହର୍ଷିୟଃ ସପ୍ତ ପୂର୍ବେ ଚତ୍ୱାରୋ ମନବସ୍ତଥା ।
ମଦ୍‌ଭାବା ମାନସା ଜାତା ଯେଷାଂ ଲୋକ ଇମାଃ ପ୍ରଜାଃ ।।୬।।

ମହର୍ଷୟଃ - ମହର୍ଷିଗଣ; ସପ୍ତ - ସାତ; ପୂର୍ବେ - ପୂର୍ବେ; ଚତ୍ୱାରାଃ - ଚାରି; ମନବଃ - ମନୁଗଣ; ତଥା - ମଧ୍ୟ; ମତ୍‌-ଭାବାଃ - ମୋ’ଠାରୁ ଜାତ; ମାନସାଃ - ମନରୁ; ଜାତାଃ - ଜାତ; ଯେଷାଂ - ଯେଉଁମାନଙ୍କଠାରୁ; ଲୋକେ- ସଂସାରରେ; ଇମାଃ - ଏହି ସବୁ; ପ୍ରଜାଃ - ଜନସମାଜ ।

Translation

BG 10.6: ସପ୍ତଋଷି, ତାଙ୍କ ପୂର୍ବରୁ ଚାରି ଯୋଗୀଶ୍ୱର ଏବଂ ଚଉଦ ମନୁ - ସମସ୍ତେ ମୋର ମାନସରୁ ଜାତ ଅଟନ୍ତି । ସେମାନଙ୍କ ଠାରୁ ସଂସାରର ସମସ୍ତ ମନୁଷ୍ୟ ଉତ୍ପତ୍ତି ଲାଭ କରିଛନ୍ତି ।

Commentary

ଏଠାରେ ଶ୍ରୀକୃଷ୍ଣ, ସେ କିପରି ସବୁକିଛିର ଉତ୍ସ ଅଟନ୍ତି, ତାହା ବର୍ଣ୍ଣନା କରୁଛନ୍ତି । ଏହା ପୂର୍ବରୁ ସେ କୋଡ଼ିଏ ପ୍ରକାରର ଗୁଣର ଉଲ୍ଲେଖ କରିଥିଲେ, ବର୍ତ୍ତମାନ ସେ ପଚିଶ ଜଣ ମହାନ୍ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି । ସେମାନେ ହେଉଛନ୍ତି ସପ୍ତଋଷି, ଚାରିଜଣ ଯୋଗୀଶ୍ୱର ଏବଂ ଚଉଦଜଣ ମନୁ । ଏଠାରେ ସେ ତାଙ୍କ ଠାରୁ ଜାତ ସୃଷ୍ଟିର ଏକ ବଂଶାନୁକ୍ରମିକ ବିବରଣୀ ମଧ୍ୟ ଦେଇଛନ୍ତି ।

ଭଗବାନ ବିଷ୍ଣୁ (ଭଗବାନଙ୍କର ସୃଷ୍ଟିର ପାଳନ-କର୍ତ୍ତା ରୂପ)ଙ୍କର ହିରଣ୍ୟଗର୍ଭ ଶକ୍ତିରୁ ବ୍ରହ୍ମା ଜାତ ହେଲେ । ବ୍ରହ୍ମାଙ୍କଠାରୁ ସନକ, ସନନ୍ଦନ,ସନତ, ସନାତନ ନାମରେ ଚାରି ଯୋଗୀଶ୍ୱର ଉତ୍ପନ୍ନ ହୋଇଥିଲେ । ସେମାନଙ୍କୁ ଚାରିକୁମାର କୁହାଯାଏ । ବିଶ୍ୱରେ ଏହି ଚାରିଜଣ ବ୍ରହ୍ମାଙ୍କର ଅଗ୍ରଜ ପୁତ୍ର ଥିଲେ । ଯେହେତୁ ସେମାନେ ଅଯୋନୀସମ୍ଭବା ଏବଂ ତାଙ୍କ ପିତାଙ୍କର ମାନସ ପୁତ୍ର ଥିଲେ, ସେଥିପାଇଁ ସେମାନଙ୍କର କେହି ମାତା ନ ଥିଲେ । ଚିର ବିମୁକ୍ତ ଏବଂ ଯୋଗୀଶ୍ୱର ହୋଇଥିôବା ଦୃଷ୍ଟିରୁ, ସେମାନେ ଅନ୍ୟମାନଙ୍କୁ ଆଧ୍ୟାତ୍ମିକ ସାଧନା ଦ୍ୱାରା ମୁକ୍ତିଲାଭ କରିବାର ମାର୍ଗଦର୍ଶନ କରୁଥିଲେ । ଚାରି କୁମାରଙ୍କ ପରେ ସପ୍ତଋଷି ଜାତ ହୋଇଥିଲେ । ସେମାନେ ହେଲେ ମରୀଚ, ଅଙ୍ଗିରା, ଅତ୍ରି, ପୁଲସ୍ତ୍ୟ, ପୁଲହ, କ୍ରତୁ ଏବଂ ବଶିଷ୍ଠ । ଏମାନଙ୍କ ହସ୍ତରେ ମାନବ ସମାଜ ବିସ୍ତାର କରିବାର ଦାୟୀତ୍ୱ ନ୍ୟସ୍ତ କରାଯାଇଥିଲା । ତାଙ୍କ ପରେ ଚଉଦ ମନୁ ଆସିଥିଲେ: ସ୍ୱୟଂଭୁବ, ସ୍ୱରୋଚିଶ, ଉତ୍ତମ, ତମସ, ରୈବତ, ଚକ୍ଷୁୁଷା, ବୈବଶ୍ୱତ, ସବର୍ଣ୍ଣି, ଦକ୍ଷସବର୍ଣ୍ଣି, ବ୍ରହ୍ମସବର୍ଣ୍ଣି, ଧର୍ମସବର୍ଣ୍ଣ, ରୁଦ୍ର-ପୁତ୍ର, ରୋଚ୍ୟ, ଭୌତ୍ୟକ । ସ୍ୱର୍ଗ ଲୋକରୁ ମାନବ ସମାଜକୁ ଶାସନ କରିବା ଏବଂ ବୈଦିକ ଧର୍ମର ପ୍ରତିଷ୍ଠା ଓ ସୁରକ୍ଷାର ଦାୟୀତ୍ୱ ସେମାନଙ୍କୁ ପ୍ରଦାନ କରାଯାଇଥିଲା । ଆମେ ବର୍ତ୍ତମାନ ଯେଉଁ ଯୁଗରେ ଅଛେ, ତାହା ସପ୍ତମ ମନୁ ବା ବୈବସ୍ୱତ ମନୁଙ୍କର ଯୁଗ ଅଟେ । ସେଥିପାଇଁ ଏହାକୁ ବୈବସ୍ୱତ ମନ୍ୱନ୍ତର କୁହାଯାଏ । ଏହି କଳ୍ପ (ବ୍ରହ୍ମାଙ୍କର ଗୋଟିଏ ଦିନ)ରେ ଆଗକୁ ଅନ୍ୟ ସାତଜଣ ମନୁ ଅଛନ୍ତି ।

ସ୍ୱର୍ଗ ଲୋକରେ ଦେବତାମାନେ ରହିଛନ୍ତି ଯେଉଁମାନେ ବ୍ରହ୍ମାଣ୍ଡ ପରିଚାଳନା ଦାୟୀତ୍ୱ ନିର୍ବାହ କରନ୍ତି । ଏମାନେ ସମସ୍ତେ ବ୍ରହ୍ମାଙ୍କର ପୁଅ ଓ ନାତି ଅଟନ୍ତି, ଯିଏ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ଠାରୁ ଜନ୍ମ ନେଇ ଥାଆନ୍ତି ଏବଂ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣଙ୍କର ଅଭିନ୍ନ ଅଂଶ ଅଟନ୍ତି । ଅତଏବ, ଶ୍ରୀକୃଷ୍ଣ ଆମ ପ୍ରପିତାମହଙ୍କର ପରମପିତା ଅଟନ୍ତି ।