ମନଃ ପ୍ରସାଦଃ ସୌମ୍ୟତ୍ୱଂ ମୌନମାତ୍ମବିନିଗ୍ରହଃ ।
ଭାବସଂଶୁଦ୍ଧିରିତ୍ୟେତତ୍ତପୋ ମାନସମୁଚ୍ୟତେ ।।୧୬।।
ମନଃ-ପ୍ରସାଦଃ - ବିଚାରର ଶୁଦ୍ଧତା; ସୌମ୍ୟତ୍ୱଂ -ଶିଷ୍ଟତା ; ମୌନଂ - ନୀରବତା; ଆତ୍ମ-ବିନିଗ୍ରହଃ -ଆତ୍ମ ସଂଯମ; ଭାବ-ସଂଶୁଦ୍ଧିଃ - ଉଦ୍ଦେଶ୍ୟର ପବିତ୍ରତା; ଇତି- ଏହିପରି; ଏତତ୍ - ଏହା; ତପଃ - ତପସ୍ୟା; ମାନସଂ - ମାନସିକ; ଉଚ୍ୟତେ - କୁହାଯାଏ ।
BG 17.16: ଶୁଦ୍ଧ ବିଚାର, ଶିଷ୍ଟତା, ମୌନଭାବ, ଆତ୍ମ ସଂଯମ ଏବଂ ମହତ୍ ଉଦ୍ଦେଶ୍ୟ - ଏଗୁଡିକୁ ମାନସିକ ତପସ୍ୟା କୁହାଯାଏ ।
ଶାରୀରିକ ଏବଂ ବାଚିକ ସଂଯମଠାରୁ ମାନସିକ ତପସ୍ୟା ଅଧିକ ମହତ୍ୱପୂର୍ଣ୍ଣ ଅଟେ, କାରଣ ଆମେ ଯଦି ମନକୁ ବଶୀଭୂତ କରିବାକୁ ଶିଖିଯିବା ଶରୀର ଓ ବାଣୀ ଆପେ ଆପେ ନିୟନ୍ତ୍ରିତ ହୋଇଯିବ । କିନ୍ତୁ ଏହାର ବିପରୀତ ସର୍ବଦା ସତ୍ୟ ହୋଇ ନ ପାରେ । ପ୍ରକୃତପକ୍ଷେ, ବ୍ୟକ୍ତିର ଚେତନାର ସ୍ତର ତା’ର ମାନସିକ ସ୍ଥିତି ଉପରେ ନିର୍ଭର କରିଥାଏ । ଶ୍ରୀକୃଷ୍ଣ ଶ୍ଲୋକ ୬.୫ରେ ଉଲ୍ଲେଖ କରିଥିଲେ, “ମନର ଶକ୍ତିଦ୍ୱାରା ନିଜର ଉତ୍ଥାନ କର ଏବଂ ନିଜର ପତନ କର ନାହିଁ, କାରଣ ମନ ନିଜର ମିତ୍ର ବା ଶତ୍ରୁ ହୋଇପାରେ ।”
ମନକୁ ଏକ ବଗିଚା ସହ ତୁଳନା କରାଯାଇ ପାରେ, ଯାହାକୁ ଆମେ ଚତୁରତା ସହ ଚାଷ କରିପାରିବା କିମ୍ବା ଅନାବନା ହେବାକୁ ଛାଡ଼ିଦେଇ ପାରିବା । ମାଳି ତା’ କ୍ଷେତରେ ଚାଷକରି ଫଳ, ଫୁଲ ଏବଂ ପନିପରିବା ଉତ୍ପାଦନ କରିଥାଏ । ତା ସହିତ ଏହାକୁ ଗୁଳ୍ମ ଇତ୍ୟାଦିରୁ ମୁକ୍ତ ରଖିବାକୁ ମଧ୍ୟ ପ୍ରଯତ୍ନ କରିଥାଏ । ସେହିପରି ଆମେ ଆମ ମନରେ ଉନ୍ନତ ଓ ମହତ୍ ବିଚାର ପୋଷଣ କରିବା ଉଚିତ ଏବଂ ନକାରାତ୍ମକ ତଥା କ୍ଷତିକାରକ ବିଚାରକୁ ତ୍ୟାଗ କରିବା ଉଚିତ୍ । ଆମେ ଯଦି ତିକ୍ତ, ଘୃଣ୍ୟ, ନିନ୍ଦନୀୟ, ନିର୍ମମ, ଦୋଷଦର୍ଶୀ ଏବଂ ନିନ୍ଦାମୂଳକ ବିଚାର ସବୁକୁ ମନରେ ବାସ କରିବାକୁ ଛାଡି ଦେବା, ତାହା ଆମର ବ୍ୟକ୍ତିତ୍ୱକୁ ରୁଗ୍୍ଣ କରିଦେବ । ମନକୁ କ୍ରୋଧ, ଘୃଣା, ଦ୍ୱେଷ ଆଦିରୁ ମୁକ୍ତ ନ ରଖିବା ଯାଏଁ ଆମେ ମନ ଦ୍ୱାରା ଉଚିତ ପରିମାଣର ରଚନାତ୍ମକ କାର୍ଯ୍ୟ ହାସଲ କରିପାରିବା ନାହିଁ । ଏହି ସବୁ ହିଁ ଅଦରକାରୀ ଦ୍ରୁମ ଅଟନ୍ତି, ଯାହା ଆମ ହୃଦୟରେ ଦିବ୍ୟ କୃପା ପ୍ରକଟିତ ହେବାର ପଥରୋଧ କରନ୍ତି ।
ଲୋକେ ଏପରି ଭାବନ୍ତି ଯେ ସେମାନଙ୍କର ଚିନ୍ତନ ସବୁ ଗୁପ୍ତ ଅଟେ ଏବଂ ତାହାର ବାହ୍ୟ ପ୍ରଭାବ କିଛି ନାହିଁ, କାରଣ ତାହା ଅନ୍ୟମାନଙ୍କର ଦୃଷ୍ଟି ଅନ୍ତରାଳରେ ମନ ଭିତରେ ନିବାସ କରିଥାଏ । କିନ୍ତୁ ସେମାନେ ଏହା ଜାଣନ୍ତି ନାହିଁ ଯେ ଚିନ୍ତନ ଆନ୍ତରିକ ଚରିତ୍ରକୁ ରୂପାୟିତ କରିବା ସହିତ ବାହ୍ୟ ଚରିତ୍ରକୁ ମଧ୍ୟ ରୂପାୟିତ କରିଥାଏ । ସେଥିପାଇଁ ଆମେ ଜଣେ ବ୍ୟକ୍ତିକୁ ଦେଖି କହିଥାଉ, “ସେ ଅତ୍ୟନ୍ତ ସରଳ ଏବଂ ବିଶ୍ୱାସଯୋଗ୍ୟ ମନେ ହେଉଛନ୍ତି ।” ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଖି ଆମେ କହିପାରୁ “ସେ ଅତ୍ୟନ୍ତ ଧୂର୍ତ୍ତ ଏବଂ କପଟି ମନେ ହେଉଛନ୍ତି, ତାଙ୍କଠାରୁ ଦୂରେଇ ରହିବା ଉଚିତ୍ ।” ଉଭୟ କ୍ଷେତ୍ରରେ ବ୍ୟକ୍ତି ପ୍ରତିପୋଷଣ କରୁଥିବା ବିଚାର ତାଙ୍କର ମୁଖାକୃତିକୁ ରୂପାୟିତ କରିଥାଏ । ରାଲଫ୍ ୱାଲ୍ଡ଼ୋ ଇମରସନ୍ କହିଥିଲେ: ଆମ ଆଖିର ଚାହାଣି, ହସ, ଅଭିନନ୍ଦନ କିମ୍ବା ହାତ ମିଳାଇବାର ଠାଣି ପୂର୍ଣ୍ଣ ଭାବରେ ଆମକୁ ଅଭିବ୍ୟକ୍ତ କରିଥାଏ । ଆମର ପାପ ଆମକୁ ମଳୀନ କରିଦିଏ ଏବଂ ସମସ୍ତ ଉତ୍ତମ ବିଚାରକୁ ଦୂଷିତ କରିଦିଏ । ଆମେ ଜାଣିପାରେ ନାହିଁ, ସେମାନେ ଆମକୁ କାହିଁକି ବିଶ୍ୱାସ କରୁ ନାହାନ୍ତି । ପାପ ଚକ୍ଷୁରେ ପ୍ରତିଫଳିତ ହୋଇ ଉଠେ, ଚିବୁକକୁ ଚମକହୀନ କରିଦିଏ, ନାସିକାକୁ ସଙ୍କୁଚିତ କରିଦିଏ ଏବଂ ଜଣେ ରାଜାଙ୍କ କପାଳରେ ମଧ୍ୟ “ମୁର୍ଖ, ହେ ମୁର୍ଖ!” ଲେଖିଦିଏ ।” ବିଚାର ଏବଂ ଚରିତ୍ରର ସମ୍ବନ୍ଧକୁ ନେଇ ଅନ୍ୟ ଏକ ସୁନ୍ଦର ଉକ୍ତି ଅଛି:
“ତୁମର ବିଚାର ପ୍ରତି ସଜାଗ ହୁଅ, କାରଣ ସେମାନେ ବଚନରେ ପରିଣତ ହୁଅନ୍ତି ।
ତୁମର ବଚନ ପ୍ରତି ସଜାଗ ହୁଅ, କାରଣ ସେମାନେ ଆଚରଣରେ ପରିଣତ ହୁଅନ୍ତି ।
ତୁମର ଆଚରଣ ପ୍ରତି ସଜାଗ ହୁଅ, କାରଣ ସେମାନେ ଅଭ୍ୟାସରେ ପରିଣତ ହୁଅନ୍ତି ।
ତୁମର ଅଭ୍ୟାସ ପ୍ରତି ସଜାଗ ହୁଅ, କାରଣ ସେମାନେ ଚରିତ୍ରରେ ପରିଣତ ହୁଅନ୍ତି ।
ତୁମର ଚରିତ୍ର ପ୍ରତି ସଜାଗ ହୁଅ, କାରଣ ତାହା ତୁମ ଭାଗ୍ୟରେ ପରିଣତ ହୁଏ ।”
ଆମେ ହୃଦୟଙ୍ଗମ କରିବା ଉଚିତ ଯେ, ଆମ ମନରେ ଉତ୍ପନ୍ନ ହେଉଥିବା ପ୍ରତ୍ୟେକ ନକାରାତ୍ମକ ବିଚାର ଆମର କ୍ଷତି କରୁଥିବା ବେଳେ ସକରାତ୍ମକ ବିଚାର ଦ୍ୱାରା ଆମେ ନିଜର ଉତ୍ଥାନ କରିଥାଉ । ହେନେରି ଭନ୍ ଡ଼ାଇକ୍ ତାଙ୍କ “ବିଚାରସବୁ ବସ୍ତୁ” କବିତାରେ ଏହାକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି ।
ମୁଁ ଏହାକୁ ସତ୍ୟ ମନେ କରିଥାଏ ଯେ ବିଚାର ସବୁ ବସ୍ତୁ ଅଟନ୍ତି ।
ସେମାନଙ୍କର ଶରୀର ଅଛି, ଜୀବନ ଅଛି ଏବଂ ଡ଼େଣା ଅଛି ।
ଯାହାକୁ ଆମେ ଆମର ଗୁପ୍ତ ଭାବନା କହିଥାଉ ।
ପୃଥିବୀର ନିଭୃତ କୋଣକୁ ତାହା ଦ୍ରୁତ ଗତିରେ ପହଞ୍ôଚଯାଏ ।
ସେ ତାର ଆଶିଷ ଅଥବା ଅଭିଶାପ ଛାଡ଼ିଯାଏ ।
ଚାଲିଗଲା ପରେ ପଦଚିହ୍ନ ପରି ।
ବିଚାର ପରେ ବିଚାର କରି ଆମେ ଭବିଷ୍ୟତ ଗଢ଼ୁ ।
ଭଲ ଅବା ମନ୍ଦ, ଆମେ ଏ ପର୍ଯ୍ୟନ୍ତ ଜାଣିନାହୁଁ ।
ତେଣୁ ତୁମର ଭାଗ୍ୟ ବାଛିନିଅ ଏବଂ ଅପେକ୍ଷା କର ।
କାରଣ ପ୍ରେମ ପ୍ରେମ ଦିଏ, ଘୃଣା ଘୃଣା ଦିଏ ।
ଆମେ ଧାରଣ କରୁଥିବା ପ୍ରତ୍ୟେକ ବିଚାରର କିଛି ନା କିଛି ପରିଣାମ ରହିଛି ଏବଂ ବିଚାର ପରେ ବିଚାର କରି ଆମେ ନିଜର ଭାଗ୍ୟ ଗଢ଼ିଥାଉ । ଏହି କାରଣରୁ, ମନକୁ ନକାରାତ୍ମକ ବିଚାରରୁ ମୁକ୍ତ କରି ସକାରାତ୍ମକ ବିଚାରରେ ସ୍ଥିତ କରିବାକୁ ମାନସିକ ତପସ୍ୟା କୁହାଯାଏ ।
ମନଃ ପ୍ରସାଦଃ ସୌମ୍ୟତ୍ୱଂ ମୌନମାତ୍ମବିନିଗ୍ରହଃ ।
ଭାବସଂଶୁଦ୍ଧିରିତ୍ୟେତତ୍ତପୋ ମାନସମୁଚ୍ୟତେ ।।୧୬।।
ଶୁଦ୍ଧ ବିଚାର, ଶିଷ୍ଟତା, ମୌନଭାବ, ଆତ୍ମ ସଂଯମ ଏବଂ ମହତ୍ ଉଦ୍ଦେଶ୍ୟ - ଏଗୁଡିକୁ ମାନସିକ ତପସ୍ୟା କୁହାଯାଏ ।
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily