Bhagavad Gita: Chapter 18, Verse 56

ସର୍ବକର୍ମାଣ୍ୟପି ସଦା କୁର୍ବାଣୋ ମଦ୍‌ବ୍ୟପାଶ୍ରୟଃ ।
ମତ୍‌ପ୍ରସାଦାଦବାପ୍ନୋତି ଶାଶ୍ୱତଂ ପଦମବ୍ୟୟମ୍ ।।୫୬।।

ସର୍ବ-ସମସ୍ତ; କର୍ମାଣି-କର୍ମ; ଅପି-ଯଦିଓ; ସଦା-ସର୍ବଦା; କୁର୍ବାଣଃ-କରି; ମତ୍‌-ବ୍ୟପାଶ୍ରୟଃ- ମୋତେ ଆଶ୍ରୟ କରି, ମୋ’ଅଧୀନରେ; ମତ୍‌-ପ୍ରସାଦାତ୍ -ମୋ କୃପାରୁ; ଅବାପ୍ନୋତି-ପ୍ରାପ୍ତହୁଏ; ଶାଶ୍ୱତଂ -ଶାଶ୍ୱତ; ପଦଂ- ଧାମ; ଅବ୍ୟୟମ୍ -ଅବିନାଶୀ ।

Translation

BG 18.56: ମୋର ଭକ୍ତମାନେ, ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ, ମୋର ପୂର୍ଣ୍ଣ ଶରଣାଗତ ହୋଇଥାନ୍ତି । ମୋର କୃପା ଦ୍ୱାରା ସେମାନେ ଶାଶ୍ୱତ ଏବଂ ଅବିନଶ୍ୱର ଲୋକ ପ୍ରାପ୍ତ କରନ୍ତି ।

Commentary

ପୂର୍ବଶ୍ଳୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ, ଭକ୍ତି ଦ୍ୱାରା ସାଧକ ତାଙ୍କର ପୂର୍ଣ୍ଣ ଚେତନାରେ ପ୍ରବେଶ କରିପାରେ । ଏହା ଚେତନାରେ ସେ ସମସ୍ତ ବସ୍ତୁକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିପାରନ୍ତି । ତାଙ୍କର ଶରୀର, ମନ ଓ ବୁଦ୍ଧିକୁ ଭଗବାନଙ୍କର ଶକ୍ତି ରୂପରେ ଦେଖନ୍ତି; ତାଙ୍କର ଭୌତିକ ସମ୍ପତ୍ତିକୁ ଭଗବାନଙ୍କର ସମ୍ପତ୍ତି ଭାବରେ ଦେଖନ୍ତି; ସମସ୍ତ ପ୍ରାଣୀ ଓ ବସ୍ତୁକୁ ଭଗବାନଙ୍କର ଅଂଶ ବିଶେଷ ଭାବରେ ଦେଖନ୍ତି ଏବଂ ନିଜକୁ ତାଙ୍କର ଏକ ନଗଣ୍ୟ ସେବକ ରୂପରେ ଦେଖନ୍ତି । ସେହି ଦିବ୍ୟ ଚେତନାରେ, ସେମାନେ କର୍ମତ୍ୟାଗ କରନ୍ତି ନାହିଁ ବରଂ ସେ କର୍ମର କର୍ତ୍ତା ଓ ଉପଭୋକ୍ତା ହେବାର ସ୍ୱାଭିମାନକୁ ତ୍ୟାଗ କରିଥାନ୍ତି । ସେମାନେ ସମସ୍ତ କାର୍ଯ୍ୟକୁ ଭଗବାନଙ୍କର ଏକ ଭକ୍ତିଯୁକ୍ତ ସେବା ମନେକରନ୍ତି ଏବଂ କାର୍ଯ୍ୟ ସମ୍ପାଦନ ପାଇଁ ତାଙ୍କ ଉପରେ ନିର୍ଭର କରନ୍ତି ।

ତାପରେ ଶରୀର ତ୍ୟାଗ ପରେ ସେମାନେ ଭଗବାନଙ୍କର ଦିବ୍ୟ ଲୋକକୁ ଗମନ କରନ୍ତି । ଭୌତିକ ଜଗତ ମାୟା ଶକ୍ତିରେ ଗଠିତ ହେବା ପରି, ଦିବ୍ୟଜଗତ ଦିବ୍ୟ ଶକ୍ତି ଦ୍ୱାରା ଗଠିତ । ତେଣୁ ଏହା ଭୌତିକ ପ୍ରକୃତିର ଦୋଷରୁ ମୁକ୍ତ, ସବୁଦିଗରୁ ପରିପୂର୍ଣ୍ଣ ଅଟେ । ଏହା ସତ୍‌-ଚିତ୍‌-ଆନନ୍ଦ, ଅର୍ଥାତ୍ ନିତ୍ୟତା, ଜ୍ଞାନ ଏବଂ ଆନନ୍ଦରେ ପରିପୂର୍ଣ୍ଣ । ଶ୍ରୀକୃଷ୍ଣ ତାଙ୍କର ଦିବ୍ୟଧାମ ବିଷୟରେ ଶ୍ଳୋକ ୧୫.୬ରେ କହିଛନ୍ତି: “ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି ମୋର ପରମ ଧାମକୁ ଆଲୋକିତ କରିପାରିବେ ନାହିଁ । ସେଠାକୁ ଯାଇ କୌଣସି ବ୍ୟକ୍ତି ପୁନର୍ବାର ପାର୍ଥିବ ଜଗତକୁ ଫେରନ୍ତି ନାହିଁ ।”

ଦିବ୍ୟ ଜଗତରେ ଭଗବାନଙ୍କର ବିଭିନ୍ନ ସ୍ୱରୂପ ମାନଙ୍କର ନିଜ ନିଜର ଧାମ ରହିଛି, ଯେଉଁଠାରେ ସେମାନେ ତାଙ୍କ ଭକ୍ତମାନଙ୍କ ଗହଣରେ ନିତ୍ୟ ଲୀଳାରତ ଥାଆନ୍ତି । ନିଷ୍କାମ ଭକ୍ତିରେ ସିଦ୍ଧି ଲାଭ କରି, ଭକ୍ତ ନିଜ ଇଷ୍ଟଦେବଙ୍କର ଧାମକୁ ପ୍ରାପ୍ତ କରିଥାଏ । ଅତଏବ, ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତମାନେ ଗୋଲୋକକୁ ଯାଆନ୍ତି; ଭଗବାନ ବିଷ୍ଣୁଙ୍କର ଭକ୍ତ ବୈକୁଣ୍ଠ ଧାମ ଗମନ କରନ୍ତି; ପ୍ରଭୁ ଶ୍ରୀରାମଙ୍କର ଭକ୍ତ ସାକେତ ଲୋକକୁ ଯାଇଥାନ୍ତି; ଭଗବାନ ଶିବଙ୍କର ଉପାସକମାନେ ଶିବଲୋକକୁ ଯାଇଥାନ୍ତି; ମା’ ଦୁର୍ଗାଙ୍କର ଭକ୍ତମାନେ ଦେବୀଲୋକକୁ ଗମନ କରନ୍ତି, ଇତ୍ୟାଦି । ଭଗବତ୍ ପ୍ରାପ୍ତି ପରେ ସାଧକ ଏହି ସବୁ ଦିବ୍ୟଲୋକରେ ଭଗବାନଙ୍କର ଦିବ୍ୟଶକ୍ତିର ପୂର୍ଣ୍ଣତାରେ ରଞ୍ଜିତ ଦିବ୍ୟ ଲୀଳାରେ ଅଂଶ ଗ୍ରହଣ କରନ୍ତି ।