Bhagavad Gita: Chapter 2, Verse 58

ଯଦା ସଂହରତେ ଚାୟଂ କୂର୍ମୋଽଙ୍ଗାନୀବ ସର୍ବଶଃ ।
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୫୮।।

ଯଦା-ଯେତେବେଳେ; ସଂହରତେ-ହଟାଇ ନିଏ; ଚ- ଏବଂ; ଅୟଂ-ଏସବୁ ; କୂର୍ମଃ-କଚ୍ଛପ; ଅଙ୍ଗାନି-ଅଙ୍ଗସବୁ; ଇବ-ଯେପରି; ସର୍ବଶଃ- ସମସ୍ତ; ଇନ୍ଦ୍ରିୟାଣି-ଇନ୍ଦ୍ରିୟ; ଇନ୍ଦ୍ରିୟ ଅର୍ଥେଭ୍ୟ-ଇନ୍ଦ୍ରିୟ ଭୋଗ୍ୟବସ୍ତୁରୁ; ତସ୍ୟ-ତା’ର; ପ୍ରଜ୍ଞା-ଚେତନା; ପ୍ରତିଷ୍ଠିତା-ସ୍ଥିତ ।

Translation

BG 2.58: ଏକ କଚ୍ଛପ ତା’ର ଅଙ୍ଗପ୍ରତ୍ୟଙ୍ଗକୁ ନିଜର ଶରୀର ମଧ୍ୟରେ ସଙ୍କୁଚିତ କଲା ପରି ଯେଉଁ ବ୍ୟକ୍ତି ଇନ୍ଦ୍ରିୟ ଭୋଗ୍ୟବସ୍ତୁମାନଙ୍କ ଠାରୁ ନିଜର ଇନ୍ଦ୍ରିୟମାନଙ୍କୁ ଦୂରେଇ ନିଏ, ସେ ଦିବ୍ୟ ଜ୍ଞାନରେ ସ୍ଥିତ ହୋଇଯାଏ ।

Commentary

ଇନ୍ଦ୍ରିୟ ଲାଳସାକୁ ତୃପ୍ତ କରିବା ପାଇଁ ତାଙ୍କର ଇଚ୍ଛା ମୁତାବକ ଭୋଗ୍ୟବସ୍ତୁ ପ୍ରଦାନ କରିବା ଅଗ୍ନିରେ ଶୁଦ୍ଧ ଘିଅ ଢ଼ାଳି ତାକୁ ଲିଭାଇବାକୁ ଚେଷ୍ଟା କରିବା ସହିତ ସମାନ । କ୍ଷଣକ ପାଇଁ ନିଆଁ ହୁଏତ ଲିଭି ଯାଇପାରେ କିନ୍ତୁ ଏହା ଅଧିକ ଶକ୍ତିଶାଳୀ ହୋଇ ପ୍ରତ୍ୟାବର୍ତ୍ତନ କରେ । ସେଥିପାଇଁ ଶ୍ରୀମଦ୍ ଭାଗବତ କହେ, କାମନାର ପୂର୍ତ୍ତିରେ କାମନା ସମାପ୍ତ ହୁଏ ନାହିଁ, ସେଗୁଡ଼ିକ ଅଧିକ ଶକ୍ତିଶାଳୀ ହୋଇ ଫେରି ଆସନ୍ତି ।

ନ ଜାତୁ କାମଃ କାମାନାଂ ଉପଭୋଗେନ ଶାମ୍ୟତି
ହବିଶା କୃଷ୍ଣ-ବର୍ତ୍ମେବ ଭୂୟ ଏବାଭିବର୍ଧତେ । (୯.୧୯.୧୪)

“ଇନ୍ଦ୍ରିୟମାନଙ୍କର କାମନା ପୂର୍ଣ୍ଣ କରିବା ଦ୍ୱାରା ସେଗୁଡ଼ିକ ଶାନ୍ତ ହୁଅନ୍ତି ନାହିଁ, ଯେମିତି ଅଗ୍ନିରେ ଘୃତ ଆହୁତି ଦେଲେ ତାହା ପ୍ରଶମିତ ହୁଏ ନାହିଁ; ତା ପରିବର୍ତ୍ତେ, ଏହା ଅଗ୍ନିକୁ ଅଧିକ ପ୍ରଜ୍ୱଳିତ କରେ ।”

କାମନାକୁ ଦେହର କୁଣ୍ଡିଆ ସହିତ ତୁଳନା କରାଯାଇପାରେ । କୁଣ୍ଡିଆ ଅତ୍ୟନ୍ତ ବିରକ୍ତିକର ଏବଂ ଏହା କୁଣ୍ଡାଇବାର ଏକ ଦୁର୍ବାର ଇଚ୍ଛା ଉତ୍ପନ୍ନ କରିଥାଏ । କିନ୍ତୁ କୁଣ୍ଡାଇବା ଦ୍ୱାରା ସମସ୍ୟାର ସମାଧାନ ହୁଏ ନାହିଁ । କିଛିକ୍ଷଣ ପାଇଁ ଆରାମ ମିଳେ, କିନ୍ତୁ ପୁନର୍ବାର ସେହି ଇଚ୍ଛା ଅଧିକ ପ୍ରବଳ ହୋଇଯାଏ । ତା’ ପରିବର୍ତ୍ତେ ଯଦି ଜଣେ କୁଣ୍ଡିଆକୁ ସହ୍ୟ କରିଯାଏ, ତାହେଲେ ତାର ଦଂଶନ କମିବାରେ ଲାଗେ ଏବଂ ଧୀରେ ଧୀରେ ତାହା ସମାପ୍ତ ହୋଇଯାଏ ।  ଏହାହିଁ କୁଣ୍ଡିଆଠାରୁ ଶାନ୍ତି ପାଇବାର ଗୁପ୍ତତତ୍ତ୍ୱ । ସମାନ ଯୁକ୍ତି କାମନାମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ । ମନ ଏବଂ ଇନ୍ଦ୍ରିୟ ସୁଖ ପ୍ରାପ୍ତିର ଅଜସ୍ର କାମନା ଉଦ୍ରେକ କରନ୍ତି, କିନ୍ତୁ ଯେ ପର୍ଯ୍ୟନ୍ତ ଆମେ ସେଗୁଡ଼ିକୁ ତୃପ୍ତ କରିବାର କ୍ରୀଡ଼ାରେ ଲିପ୍ତ ରହିଥିବା ସୁଖ ଆମ ପାଇଁ ମରିଚିକା ସଦୃଶ ଏକ ଭ୍ରମ ହୋଇ ରହିଥିବ । ଯେତେବେଳେ ଆମେ ସେହିସବୁ କାମନାକୁ ତ୍ୟାଗ କରି ଆନନ୍ଦର ଅନ୍ୱେଷଣ ଭଗବାନଙ୍କଠାରେ କରିବାରେ ଲାଗେ, ମନ ଏବଂ ଇନ୍ଦ୍ରିୟ ଆମ ସହ ଶାନ୍ତି ସ୍ଥାପନ କରନ୍ତି ।

ତେଣୁ ଜଣେ ଜ୍ଞାନୀ ମହାତ୍ମା ନିଜର ମନ ଓ ଇନ୍ଦ୍ରିୟକୁ ବୁଦ୍ଧିମତାର ସହିତ ନିୟନ୍ତ୍ରଣ କରିଥାଆନ୍ତି । ଏହି ଶ୍ଳୋକରେ ଏକ କଚ୍ଛପର ଉଦାହରଣ ଦିଆଯାଇଅଛି । ସେ ଯେତେବେଳେ କୌଣସି ବିପଦର ସମ୍ମୁଖୀନ ହୁଏ, ନିଜର ଅଙ୍ଗପ୍ରତ୍ୟଙ୍ଗ, ମୁଣ୍ଡ ଇତ୍ୟାଦିକୁ ଶରୀର ଭିତରେ ସଙ୍କୁଚିତ କରି ସେ ନିଜର ଆତ୍ମରକ୍ଷା କରିଥାଏ । ବିପଦ ଅପସରି ଗଲାପରେ ସେ ପୁନଶ୍ଚ ନିଜର ଅଙ୍ଗପ୍ରତ୍ୟଙ୍ଗ ଓ ମୁଣ୍ଡ ଇତ୍ୟାଦିକୁ ପ୍ରସାରିତ କରି ତାର ଗନ୍ତବ୍ୟ ପଥରେ ଆଗେଇ ଯାଏ । ଜ୍ଞାନୀ ଜୀବାତ୍ମା ସେହିପରି ତାଙ୍କର ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରି, ପରିସ୍ଥିତି ଅନୁସାରେ ତାକୁ ସଂକୁଚିତ ବା ପ୍ରସାରିତ କରିଥାଆନ୍ତି ।

Watch Swamiji Explain This Verse