ଧ୍ୟାୟତୋ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୂପଜାୟତେ ।
ସଙ୍ଗାତ୍ସଞ୍ଜାୟତେ କାମଃ କାମାତ୍କ୍ରୋଧୋଽଭିଜାୟତେ ।।୬୨।।
ଧ୍ୟାୟତଃ-ଚିନ୍ତନ କରି; ବିଷୟାନ୍- ଇନ୍ଦ୍ରିୟ ଭୋଗ୍ୟବସ୍ତୁ; ପୁଂସଃ-ପୁରୁଷର; ସଙ୍ଗଃ-ଆସକ୍ତି; ତେଷୁ-ଇନ୍ଦ୍ରିୟ ବିଷୟରେ; ଉପଜାୟତେ-ଉତ୍ପନ୍ନ ହୁଏ; ସଙ୍ଗାତ୍- ଆସକ୍ତିରୁ; ସଂଜାୟତେ-ଜାତ ହୁଏ; କାମଃ-କାମନା; କାମାତ୍-କାମନାରୁ; କ୍ରୋଧଃ-କ୍ରୋଧ; ଅଭିଜାୟତେ-ଜାତ ହୁଏ ।
BG 2.62: ଇନ୍ଦ୍ରିୟ ଭୋଗ୍ୟବସ୍ତୁର ବାରମ୍ବାର ଚିନ୍ତନ କରିବା ଫଳରେ ବ୍ୟକ୍ତିର ତା’ ପ୍ରତି ଆସକ୍ତି ଜାତ ହୁଏ । ଆସକ୍ତିରୁ କାମନା ଏବଂ କାମନାରୁ କ୍ରୋଧ ଜାତ ହୁଏ ।
କ୍ରୋଧ, ଲୋଭ, କାମନା ଇତ୍ୟାଦିକୁ ବୈଦିକ ଶାସ୍ତ୍ର ମାନଙ୍କରେ ମାନସ ରୋଗ ଭାବରେ ବର୍ଣ୍ଣନା କରାଯାଇଛି । ରାମାୟଣ କହେ: ମାନସ ରୋଗ କଛୁକ ମୈ ଗାଏ ହହିଁ ସବ କେହ୍ ଲଖି ବିରଲେନ୍ହ ପାଏ । ଆମେ ସମସ୍ତେ ଶାରୀରିକ ବ୍ୟାଧି ସମ୍ବନ୍ଧରେ ଅବଗତ - କୌଣସି ଗୋଟିଏ ଶାରୀରିକ ପୀଡା ଆମର ପୂରା ଦିନଟିକୁ ଯନ୍ତ୍ରଣାକ୍ତ କରିଦେଇ ପାରେ । କିନ୍ତୁ ଏକାଧିକ ମାନସିକ ରୋଗ ଦ୍ୱାରା ଆମେ ଅହରହ ନିର୍ଯ୍ୟାତିତ ହୋଇଥାଏ, ତାହା ଆମେ ଜାଣିପାରେ ନାହିଁ । ଯେହେତୁ କାମ, କ୍ରୋଧ, ଲୋଭ ଇତ୍ୟାଦିକୁ ଆମେ ମାନସିକ ରୋଗ ଭାବରେ ଅଭିହିତ କରି ନ ଥାଏ, ସେଥିପାଇଁ ତା’ର ଉପଚାର କରିବା ଦିଗରେ କୌଣସି ଚେଷ୍ଟା ମଧ୍ୟ କରି ନ ଥାଏ । ମନୋବିଜ୍ଞାନ ମନୁଷ୍ୟ ମନର ଏକ ଜ୍ଞାନର ଶାଖା ଅଟେ, ଯାହା ଏହିସବୁ ରୋଗଗୁଡ଼ିକର ବିଶ୍ଳେଷଣ କରି ତାର ଉପଶମ କରିବାର ଉପାୟ ନିର୍ଦ୍ଦେଶ କରିଥାଏ । କିନ୍ତୁ ପାଶ୍ଚାତ୍ୟ ମନୋବିଜ୍ଞାନ ଦ୍ୱାରା କରାଯାଉଥିବା ବିଶ୍ଳେଷଣ ଏବଂ ତା’ର ଉପଚାର ଉଭୟ ଅସମ୍ପୂର୍ଣ୍ଣ ଅଟେ ଏବଂ ଏହା ମନର ପ୍ରକୃତ ସ୍ୱରୂପର ଏକ ମୋଟାମୋଟି ଅନୁମାନ ଅଟେ ।
ଏହି ଶ୍ଳୋକ ଏବଂ ତା ପରବର୍ତ୍ତୀ ଶ୍ଳୋକରେ ଶ୍ରୀକୃଷ୍ଣ ମନର କାର୍ଯ୍ୟଶୈଳୀ ସମ୍ପର୍କରେ ସଠିକ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି । ସେ କହୁଛନ୍ତି ଯେ ଯେତେବେଳେ କୌଣସି ଏକ ବସ୍ତୁରେ ସୁଖର କଳ୍ପନା କରି ଆମେ ସେ ବିଷୟରେ ବାରମ୍ବାର ଚିନ୍ତନ କରିଥାଏ, ତା ପ୍ରତି ଆମର ଆସକ୍ତି ଜାତ ହୁଏ । ଉଦାହରଣ ସ୍ୱରୂପ, କୌଣସି ଏକ ଶ୍ରେଣୀରେ ଅନେକ ବାଳକ ଓ ବାଳିକା ଅଧ୍ୟୟନ କରନ୍ତି ଏବଂ ସେମାନେ ଅନେକ ସମୟରେ ମିଳାମିଶା କରନ୍ତି । ଦିନେ ଜଣେ ବାଳକ ଅନ୍ୟ ଏକ ବାଳିକାଠାରେ କିଛି ଲକ୍ଷ୍ୟ କଲା ଏବଂ ଚିନ୍ତା କରିବାରେ ଲାଗିଲା, “ସେ ଯଦି ମୋର ହୁଅନ୍ତା ମୁଁ ସୁଖୀ ହୁଅନ୍ତି ।” ବାରମ୍ବାର ଏହିପରି ଚିନ୍ତନ କରିବା ଫଳରେ, ତା’ର ମନ ସେହି ବାଳିକାଟି ପ୍ରତି ଆସକ୍ତ ହୋଇଯାଏ । ସେ ତାର ସାଙ୍ଗମାନଙ୍କୁ କହେ ଯେ ସେ ସେହି ଝିଅକୁ ଅତ୍ୟନ୍ତ ଭଲପାଏ, ଏବଂ ତା’ପ୍ରତି ତାର ମନ ବାରମ୍ବାର ଚାଲିଯିବା ଯୋଗୁଁ ସେ ପାଠ ପଢ଼ିପାରୁନାହିଁ । ତାର ସାଥୀମାନେ ତାକୁ ଥଟ୍ଟା କରି କୁହନ୍ତି ଯେ, ଆମେ ସମସ୍ତେ ତା ସହିତ ମିଳାମିଶା କରୁଅଛୁ କିନ୍ତୁ କେହି ବି ତା’ପ୍ରତି ପାଗଳ ହେଉନାହୁଁ । ଅଥଚ ସେ କାହିଁକି ସେହି ଝିଅଟି ପାଇଁ ତାର ନିଦ ହଜାଉଛି ଓ ତାର ଅଧ୍ୟୟନ ନଷ୍ଟ କରୁଅଛି ? ତାହାର କାରଣ ସେ ବାରମ୍ବାର ଚିନ୍ତନ କଲା ଯେ ସେହି ଝିଅଠାରେ ସୁଖ ଅଛି, ତେଣୁ ତା’ର ମନ ଝିଅଟି ପ୍ରତି ଆସକ୍ତ ହୋଇଗଲା ।
ଯାହା ମନେ ହୁଏ, କେବଳ ଆସକ୍ତି ଏତେ ହାନିକାରକ ନୁହେଁ । କିନ୍ତୁ ଅସୁବିଧା ଏହା ଯେ, ଆସକ୍ତିରୁ କାମନା ଉତ୍ପନ୍ନ ହୁଏ । ଯଦି ଜଣେ ମଦ୍ୟପାନ ପ୍ରତି ଆସକ୍ତ, ମଦ୍ୟପାନ ପାଇଁ ଇଚ୍ଛା ତା’ ମନରେ ବାରମ୍ବାର ଉତ୍ପନ୍ନ ହୁଏ । ଯଦି ଜଣେ ସିଗାରେଟ ପ୍ରତି ଆସକ୍ତ ତେବେ ଧୁମ୍ରପାନ ଜନିତ ସୁଖର ଚିନ୍ତନ ତା’ ମନରେ ବାରମ୍ବାର ଖେଳୁଥାଏ, ଯାହା ସିଗାରେଟ୍ ପ୍ରତି ଲାଳସା ଉତ୍ପନ୍ନ କରେ । ଅତଏବ, ଆସକ୍ତି କାମନା ଉତ୍ପନ୍ନ କରାଏ ।
ଥରେ କାମନା ଉତ୍ପନ୍ନ ହେଲେ, ଏହା ଆଉ ଦୁଇଟି ସମସ୍ୟା ଉତ୍ପନ୍ନ କରିଥାଏ - ଲୋଭ ଓ କ୍ରୋଧ । କାମନା ପୂର୍ଣ୍ଣ ହେଲେ ଲୋଭ ଉତ୍ପନ୍ନ ହୁଏ । ଜିମି ପ୍ରତିଲାଭ ଲୋଭ ଅଧିକାଈ । (ରାମାୟଣ) “କାମନାକୁ ସନ୍ତୁଷ୍ଟ କଲେ ତାହା ଲୋଭ ଉତ୍ପନ୍ନ କରାଇବ ।” ତେଣୁ କାମନାର ତୃପ୍ତିରେ ତାହାର ନିରାକରଣ ହୁଏନାହିଁ ।
ଯତ୍ ପୃଥିବ୍ୟାଂ ବ୍ରୀହି-ୟବଂ ହିରଣ୍ୟଂ ପଶବଃ ସ୍ତ୍ରିୟଃ
ନ ଦୁହ୍ୟନ୍ତି ମନଃ-ପ୍ରୀତିଂ ପୁଂସଃ କାମ-ହତସ୍ୟ ତେ । (ଭାଗବତମ୍ ୯.୧୯.୧୩)
“ଯଦି ଜଣେ ବ୍ୟକ୍ତିକୁ ପୃଥିବୀର ସମସ୍ତ ଧନ, ବିଳାସ ଏବଂ ସୁଖକର ବସ୍ତୁ ମିଳିଯାଏ ତଥାପି ତାର କାମନା ସନ୍ତୁଷ୍ଟ ହେବନାହିଁ । ତେଣୁ ବିଜ୍ଞ ବ୍ୟକ୍ତି କାମନାକୁ ଦୁଃଖର କାରଣ ଜାଣି ତାହାକୁ ପରିତ୍ୟାଗ କରିବା ଉଚିତ ।
ଅନ୍ୟପକ୍ଷରେ, କାମନା ପୂରଣ ହେବାରେ ବାଧା ସୃଷ୍ଟି ହେଲେ କ’ଣ ହୁଏ ? ଏହା କ୍ରୋଧ ଉତ୍ପନ୍ନ କରାଏ । ଏହା ମନେ ରଖିବା ଉଚିତ ଯେ, କ୍ରୋଧ ସ୍ୱତଃ ଉତ୍ପନ୍ନ ହୁଏନାହିଁ । ଏହା କାମନା ପୂରଣ ନ ହେବାରୁ ଉତ୍ପନ୍ନ ହୁଏ, କାମନା ଆସକ୍ତିରୁ ଆସେ ଏବଂ ଆସକ୍ତି ବାରମ୍ବାର ବିଷୟର ଚିନ୍ତନ କରିବା ଦ୍ୱାରା ଉତ୍ପନ୍ନ ହୋଇଥାଏ । ଏହିପରି ଭାବରେ, ଆମେ ଦେଖିଲେ କିପରି ବିଷୟରେ ବାରମ୍ବାର ସୁଖର ଚିନ୍ତନ କରିବା ଦ୍ୱାରା ଲୋଭ ଓ କ୍ରୋଧ ପରି ଦୁଇଟି ଜମଜ ରୋଗର ଉତ୍ପନ୍ନ ହୋଇଥାଏ । ପରବର୍ତ୍ତୀ ଶ୍ଳୋକରେ ଶ୍ରୀକୃଷ୍ଣ ଏହି କ୍ରମକୁ ଆଗକୁ ବଢ଼ାଇଛନ୍ତି ଏବଂ କ୍ରୋଧର ପରିଣାମ ବିଷୟରେ ବର୍ଣ୍ଣନା କରିଛନ୍ତି ।
ଧ୍ୟାୟତୋ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୂପଜାୟତେ ।
ସଙ୍ଗାତ୍ସଞ୍ଜାୟତେ କାମଃ କାମାତ୍କ୍ରୋଧୋଽଭିଜାୟତେ ।।୬୨।।
ଇନ୍ଦ୍ରିୟ ଭୋଗ୍ୟବସ୍ତୁର ବାରମ୍ବାର ଚିନ୍ତନ କରିବା ଫଳରେ ବ୍ୟକ୍ତିର ତା’ ପ୍ରତି ଆସକ୍ତି ଜାତ ହୁଏ । ଆସକ୍ତିରୁ କାମନା ଏବଂ କାମନାରୁ କ୍ରୋଧ ଜାତ ହୁଏ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily