Bhagavad Gita: Chapter 2, Verse 67

ଇନ୍ଦ୍ରିୟାଣାଂ ହି ଚରତାଂ ଯନ୍ମନୋଽନୁବିଧୀୟତେ ।
ତଦସ୍ୟ ହରତି ପ୍ରଜ୍ଞାଂ ବାୟୁର୍ନାବମିବାମ୍ଭସି ।।୬୭।।

ଇନ୍ଦ୍ରିୟାଣାଂ- ଇନ୍ଦ୍ରିୟମାନଙ୍କ ମଧ୍ୟରେ; ହି- ବାସ୍ତବରେ; ଚରତାଂ-ବିଚରଣ କରି; ଯତ୍‌-ଯାହାକୁ; ମନଃ-ମନ; ଅନୁବିଧୀୟତେ- ନିରନ୍ତର ନିୟୋଜିତ ରହିଥାଏ; ତତ୍‌-ତାହା; ଅସ୍ୟ- ତାହାର; ହରତି-ହରଣ କରିନିଏ; ପ୍ରଜ୍ଞାଂ-ବୁଦ୍ଧି; ବାୟୁଃ-ବାୟୁ; ନାବମ୍‌-ନୌକା; ଇବ-ପରି; ଅମ୍ଭସି-ଜଳରେ ।

Translation

BG 2.67: ଯେମିତି ତେଜ ବାୟୁ ଗୋଟିଏ ନୌକାକୁ ତା’ର ଗନ୍ତବ୍ୟ ମାର୍ଗରୁ ବିଚ୍ୟୁତ କରାଏ, ସେହିପରି ଗୋଟିଏ ଇନ୍ଦ୍ରିୟ ପ୍ରତି ମନ କେନ୍ଦ୍ରିତ ହେଲେ ମଧ୍ୟ ତାହା ବୁଦ୍ଧିକୁ ମାର୍ଗଚ୍ୟୁତ କରାଇଥାଏ ।

Commentary

କଠୋପନିଷଦ ବର୍ଣ୍ଣନା କରେ ଯେ ଭଗବାନ ଆମର ପାଞ୍ଚ ଇନ୍ଦ୍ରିୟକୁ ବର୍ହିମୁଖ କରିଛନ୍ତି । ପରାଞ୍ôଚ ଖାନି ବ୍ୟତୃଣତ୍‌ସ୍ୱୟଂଭୂଃ (୨.୧.୧) । ତେଣୁ ସେମାନେ ବାହ୍ୟ ଜଗତରେ ନିଜ ନିଜର ବିଷୟ ପ୍ରତି ସ୍ୱାଭାବିକ ଭାବେ ଆକୃଷ୍ଟ ହୁଅନ୍ତି । ଯେ କୌଣସି ଗୋଟିଏ ଇନ୍ଦ୍ରିୟ ଠାରେ ବି ମନ ଯଦି ତା’ର ଧ୍ୟାନକୁ କେନ୍ଦ୍ରିତ କରେ, ତେବେ ତା’ର ମନକୁ ବିଚ୍ୟୁତ କରିବାର ଶକ୍ତି ରହିଛି ।

କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନାହତାଃ ପଞ୍ଚଭିରେବ ପଞ୍ଚ
ଏକଃ ପ୍ରମାଦୀ ସ କଥଂ ନ ହନ୍ୟତେ ଯଃ ସେବତେ ପଞ୍ଚଭିରେବ ପଞ୍ଚ । (ସୁକ୍ତି ସୁଧାକର)

ହରିଣମାନେ ମଧୁର ଧ୍ୱନି ପ୍ରତି ଆକର୍ଷିତ ହୁଅନ୍ତି । ଶିକାରୀ ମଧୁର ଧ୍ୱନି ଦ୍ୱାରା ତାଙ୍କୁ ଆକୃଷ୍ଟ କରି ହତ୍ୟା କରେ । ମହୁମାଛି ମାନେ ସୁଗନ୍ଧ ପ୍ରତି ଆକର୍ଷିତ ହୁଅନ୍ତି । ସେମାନେ ଯେତେବେଳେ ଫୁଲରସ ପାନ କରୁଥାନ୍ତି ସେତେବେଳେ ଫୁଲଟି ବନ୍ଦ ହୋଇଯାଏ ଓ ସେମାନେ ତା ମଧ୍ୟରେ ବନ୍ଦୀ ହୋଇଯାନ୍ତି । ମାଛମାନେ ତାଙ୍କର ଖାଇବା ପ୍ରବୃତି ପାଇଁ ଅସୁବିଧାରେ ପଡ଼ନ୍ତି ଏବଂ ଧୀବର ପକାଇଥିବା ଥୋପକୁ ଢ଼ୋକି ଦିଅନ୍ତି । ପତଙ୍ଗମାନେ ଆଲୋକ ପ୍ରତି ଆକୃଷ୍ଟ ହୁଅନ୍ତି । ସେମାନେ ନିଆଁର ଅତି ନିକଟକୁ ଯାଇ ଜଳି ଯାଆନ୍ତି । ସ୍ପର୍ଶ ସୁଖ ହାତୀର ଦୁର୍ବଳତା ଅଟେ । ଶିକାରୀ ଏହାର ଉପଯୋଗ କରି ସ୍ତ୍ରୀ ହାତୀକୁ ଥୋପ ଭାବରେ ବ୍ୟବହାର କରି ପୁରୁଷ ହାତୀକୁ ଖାଲ ଭିତରକୁ ନେଇ ଆସେ । ସ୍ତ୍ରୀ ହାତୀକୁ ସ୍ପର୍ଶ କରିବା ଉଦ୍ଦେଶ୍ୟରେ ଖାଲ ଭିତରକୁ ଥରେ ପଶିଗଲେ ସେ ସେଠାରୁ ବାହାରକୁ ଆସିପାରେ ନାହିଁ ଏବଂ ଶିକାରୀ ଦ୍ୱାରା ମୃତ୍ୟୁବରଣ କରେ । ଏହି ସମସ୍ତ ଜୀବମାନେ ତାଙ୍କର ଗୋଟିଏ ଗୋଟିଏ ଇନ୍ଦ୍ରିୟ ଦ୍ୱାରା ମୃତ୍ୟୁମୁଖରେ ପଡ଼ିଥାନ୍ତି । ତା’ହେଲେ ପାଞ୍ଚ ଇନ୍ଦ୍ରିୟର ସୁଖ ଭୋଗ କରୁଥିବା ମନୁଷ୍ୟର ଭାଗ୍ୟ କ’ଣ ହେବ ? ଏହି ଶ୍ଳୋକରେ ଶ୍ରୀକୃଷ୍ଣ ବୁଦ୍ଧିକୁ ବିପଥଗାମୀ କରିବା ପାଇଁ ଇନ୍ଦ୍ରିୟମାନଙ୍କର ଶକ୍ତି ବିଷୟରେ ଅର୍ଜୁନଙ୍କୁ ସାବଧାନ କରି ଦେଇଛନ୍ତି ।

Watch Swamiji Explain This Verse