Bhagavad Gita: Chapter 2, Verse 25

ଅବ୍ୟକ୍ତୋଽୟମଚିନ୍ତ୍ୟୋଽୟମବିକାର୍ଯ୍ୟୋଽୟମୁଚ୍ୟତେ ।
ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି ।।୨୫।।

ଅବ୍ୟକ୍ତଃ- ଅବ୍ୟକ୍ତ (ଅପ୍ରକଟ); ଅୟଂ-ଏହି ଆତ୍ମା; ଅଚିନ୍ତ୍ୟଃ-ଅଚିନ୍ତ୍ୟ; ଅୟଂ- ଏହି ଆତ୍ମା; ଅବିକାର୍ଯ୍ୟଃ- ଅପରିବର୍ତ୍ତନୀୟ; ଅୟଂ- ଏହି ଆତ୍ମା; ଉଚ୍ୟତେ-କୁହାଯାଏ; ତସ୍ମାତ୍‌- ତେଣୁ; ଏବଂ-ଏହିପରି; ବିଦିତ୍ୱା-ଜାଣି; ଏନଂ-ଏହି ଆତ୍ମା; ନ ଅନୁଶୋଚିତୁଂ- ଦୁଃଖ ନ କରିବା; ଅର୍ହସି- ଉଚିତ୍ ।

Translation

BG 2.25: ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ ଏବଂ ଅପରିବର୍ତ୍ତନଶୀଳ କୁହାଯାଏ । ଏହା ଜାଣିବା ପରେ, ତୁମେ ଶରୀର ପାଇଁ ଶୋକ କରିବା ଉଚିତ ନୁହେଁ ।

Commentary

ଆମର ଚକ୍ଷୁ ମାୟିକ ଶକ୍ତିରେ ଗଠିତ ହୋଇଥିବାରୁ କେବଳ ମାୟିକ ବସ୍ତୁକୁ ଦେଖିପାରେ । ଆତ୍ମା ଦିବ୍ୟ ଅଟେ ଏବଂ ଏହାର ସ୍ଥିତି ମାୟିକ କ୍ଷେତ୍ରର ଊର୍ଦ୍ଧ୍ୱରେ ହୋଇଥିବା କାରଣରୁ ଏହା ଆମ ଚକ୍ଷୁ ଦ୍ୱାରା ଅଦୃଷ୍ଟ ଅଟେ । ବୈଜ୍ଞାନିକମାନେ ଏହାର ଅସ୍ତିତ୍ୱ ବିଷୟରେ ଜାଣିବା ପାଇଁ ଅନେକ ପରୀକ୍ଷା କରିଛନ୍ତି । ସେମାନେ ଏକ ମରଣାସନ୍ନ ବ୍ୟକ୍ତିକୁ ଗୋଟିଏ ନିବୁଜ କାଚ ବାକ୍ସ ମଧ୍ୟରେ ରଖି ଏହା ଦେଖିବାକୁ ଚାହୁଁଥିଲେ ଯେ ଆତ୍ମା ବାହାରି ଗଲେ କାଚ ବାକ୍ସଟି ଭାଙ୍ଗିଯାଉଛି କି ନାହିଁ । କିନ୍ତୁ କାଚ ବାକ୍ସଟି ନ ଭାଙ୍ଗି ଆତ୍ମା ଶରୀର ତ୍ୟାଗ କରି ଚାଲିଗଲା । ଆତ୍ମା ଅତି ସୂକ୍ଷ୍ମ ହୋଇଥିବା ଯୋଗୁଁ ଏହାର ଗତି ପାଇଁ କୌଣସି ଭୌତିକ ସ୍ଥାନ ଆବଶ୍ୟକ କରେ ନାହିଁ ।

ଆତ୍ମା ଭୌତିକ ଶକ୍ତିଠାରୁ ସୂକ୍ଷ୍ମତର ହୋଇଥିବା କାରଣରୁ ଆମ ବୁଦ୍ଧି ଦ୍ୱାରା ଅଚିନ୍ତ୍ୟ ଅଟେ । କଠୋପନିଷଦ କହେ:

ଇନ୍ଦ୍ରିୟେଭ୍ୟଃ ପରା ହ୍ୟର୍ଥା ଅର୍ଥେଭ୍ୟଶ୍ଚ ପରଂ ମନଃ
ମନସସ୍ତୁ ପରା ବୁଦ୍ଧିର୍‌ବୁଦ୍ଧେରାତ୍ମା ମହାନ୍ ପରଃ (୧.୩.୧୦)

“ଇନ୍ଦ୍ରିୟମାନଙ୍କର ଊର୍ଦ୍ଧ୍ୱରେ ଇନ୍ଦ୍ରିୟର ବିଷୟ । ଇନ୍ଦ୍ରିୟ ବିଷୟ ଠାରୁ ସୂକ୍ଷ୍ମ ମନ । ମନ ଠାରୁ ଊର୍ଦ୍ଧ୍ୱରେ ବୁଦ୍ଧି ଏବଂ ବୁଦ୍ଧିଠାରୁ ସୂକ୍ଷ୍ମ ଆତ୍ମା ଅଟେ ।” ମାୟିକ ବୁଦ୍ଧି କେବଳ ମାୟିକ ଜ୍ଞାନକୁ ବୁଝିପାରିବ, କିନ୍ତୁ ଚିନ୍ତନ ଦ୍ୱାରା ଦିବ୍ୟ ଆତ୍ମାକୁ ଜାଣି ପାରିବ ନାହିଁ । ସେଥିପାଇଁ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବାହ୍ୟ ଉତ୍ସ ଆବଶ୍ୟକ କରିଥାଏ ଏବଂ ତାହା ହେଉଛି ଶାସ୍ତ୍ର ଏବଂ ଗୁରୁ ।

Watch Swamiji Explain This Verse