Bhagavad Gita: Chapter 3, Verse 22

ନ ମେ ପାର୍ଥାସ୍ତି କର୍ତବ୍ୟଂ ତ୍ରିଷୁ ଲୋକେଷୁ କିଂଚନ ।
ନାନବାପ୍ତମବାପ୍ତବ୍ୟଂ ବର୍ତ ଏବ ଚ କର୍ମଣି ।। ୨୨ ।।

ନ- କିଛି ନାହିଁ; ମେ - ମୋର; ପାର୍ଥ - ହେ ପୃଥାପୁତ୍ର; ଅସ୍ତି - ଅଛି; କର୍ତ୍ତବ୍ୟ- କୌଣସି କର୍ତ୍ତବ୍ୟ; ତ୍ରିଷୁ ଲୋକେଷୁ - ତ୍ରିଭୂବନରେ; କିଂଚନ - କୌଣସି; ନ - ନାହିଁ; ଆନବାପ୍ତମ୍ - ଅଭାବ; ଅବାପ୍ତବ୍ୟଂ - ପାଇବାକୁ; ବର୍ତେ- ନିଯୁକ୍ତ; ଏବ - ନିଶ୍ଚିତଭାବେ; ଚ - ମଧ୍ୟ, କର୍ମଣି- କର୍ତ୍ତବ୍ୟ କର୍ମରେ ।

Translation

BG 3.22: ହେ ପାର୍ଥ! ଏହି ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, କିମ୍ବା ମୋର କିଛି ପାଇବାର ବା ହାସଲ କରିବାର ନାହିଁ । ତଥାପି ମୁଁ ମୋର ନିର୍ଦ୍ଧାରିତ କର୍ମରେ ନିୟୋଜିତ ରହିଛି ।

Commentary

ଆମ୍ଭେମାନେ କାହିଁକି କର୍ମ କରୁ, ତା’ର ପୃଷ୍ଠଦେଶରେ ଉଦ୍ଦେଶ୍ୟ ହେଉଛି ଆମେ ସମସ୍ତେ କିଛି ପାଇବାକୁ ଇଚ୍ଛା କରୁ । ଭଗବାନ  ଅନନ୍ତ ଆନନ୍ଦର ସାଗର ଅଟନ୍ତି ଏବଂ ତାଙ୍କର କ୍ଷୁଦ୍ର ଅଂଶ ହୋଇଥିବା କାରଣରୁ ଆମେ ସମସ୍ତେ ଆନନ୍ଦର ଅନ୍ୱେଷଣ କରିଥାଉ ।  ଯେହେତୁ ଏ ପର୍ଯ୍ୟନ୍ତ ଆମେ ସେହି ପରିପୂର୍ଣ୍ଣ ଆନନ୍ଦ ପ୍ରାପ୍ତ କରିପାରି ନାହେଁ, ଆମେ ଅତୃପ୍ତି ତଥା ଅପୂର୍ଣ୍ଣତା ଅନୁଭବ କରୁଅଛୁ । ଅତଏବ, ଆମେ ଯାହା କିଛି କରୁ, ତାହା ଆନନ୍ଦ ପ୍ରାପ୍ତି ଉଦ୍ଦେଶ୍ୟରେ କରିଥାଉ । କିନ୍ତୁ ଆନନ୍ଦ ଭଗବାନଙ୍କର ଏକ ଶକ୍ତି ଅଟେ ଏବଂ ତାହା କେବଳ ତାଙ୍କ ପାଖରେ ହିଁ ଅନନ୍ତ ମାତ୍ରାରେ ରହିଛି । ସେ ନିଜ ଭିତରେ ନିଜେ ପରିପୂର୍ଣ୍ଣ ଅଟନ୍ତି ଏବଂ ତାଙ୍କ ପାଇଁ ବାହାରର କୌଣସି ବସ୍ତୁର କିଛି ଆବଶ୍ୟକତା ନ ଥାଏ । ସେଥିପାଇଁ ତାଙ୍କୁ  ଆତ୍ମାରାମ (ନିଜ ଭିତରେ ନିଜେ ଆନନ୍ଦିତ), ଆତ୍ମ-ରତି (ନିଜେ ନିଜ ପ୍ରତି ଆକର୍ଷିତ) , ଆତ୍ମ-କ୍ରୀଡ (ନିଜ ସହିତ ନିଜେ ଦିବ୍ୟ ଲୀଳାରେ ସଂଲଗ୍ନ) କୁହାଯାଇଥାଏ ।

ଏପରି ଜଣେ ବ୍ୟକ୍ତିତ୍ୱ ଯଦି କର୍ମ କରୁ ଥାଆନ୍ତି, ତେବେ ତା’ର ଗୋଟିଏ ମାତ୍ର କାରଣ ହୋଇପାରେ - ତାହା ତାଙ୍କ ନିଜ ପାଇଁ ନୁହେଁ, ବରଂ ଅନ୍ୟର କଲ୍ୟାଣ ପାଇଁ ହୋଇଥାଏ । ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ଯଦିଓ ଶ୍ରୀକୃଷ୍ଣ ସ୍ୱରୂପରେ, ତାଙ୍କର ବିଶ୍ୱବ୍ରହ୍ମାଣ୍ଡ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, ତଥାପି ଅନ୍ୟମାନଙ୍କର କଲ୍ୟାଣ ନିମନ୍ତେ ସେ କର୍ମ କରନ୍ତି । ପରବର୍ତ୍ତୀ ଶ୍ଳୋକରେ, ସେ କର୍ମ କରିବା ଦ୍ୱାରା ଯେଉଁ କଲ୍ୟାଣ ସାଧିତ ହୋଇଥାଏ, ତାହା ସ୍ପଷ୍ଟ କରୁଛନ୍ତି ।