Bhagavad Gita: Chapter 15, Verse 17

ଉତ୍ତମଃ ପୁରୁଷସ୍ତ୍ୱନ୍ୟଃ ପରମାତ୍ମେତ୍ୟୁଦାହୃତଃ ।
ଯୋ ଲୋକତ୍ରୟମାବିଶ୍ୟ ବିଭ୍ୟର୍ତ୍ୟବ୍ୟୟ ଈଶ୍ୱରଃ ।।୧୭।।

ଉତ୍ତମଃ - ଶ୍ରେଷ୍ଠ; ପୁରୁଷଃ -ପୁରୁଷ; ତୁ -କିନ୍ତୁ; ଅନ୍ୟଃ- ଅନ୍ୟ; ପରମ ଆତ୍ମା -ପରମାତ୍ମା; ଇତି -ଏହିପରି; ଉଦାହୃତଃ - କୁହାଯାଏ; ଯଃ -ଯିଏ; ଲୋକ-ତ୍ରୟଂ -ତ୍ରିଭୁବନ; ଆବିଶ୍ୟ - ପ୍ରବେଶ କରି; ବିଭର୍ତି -ପାଳନ କରୁଛନ୍ତି; ଅବ୍ୟୟଃ - ଅବ୍ୟୟ; ଈଶ୍ୱରଃ- ଈଶ୍ୱର ।

Translation

BG 15.17: ଏତଦ୍‌ବ୍ୟତୀତ, ଜଣେ ପରମ ଦିବ୍ୟ ପୁରୁଷ ଅଛନ୍ତି, ସେ ଅବିନାଶୀ ପରମାତ୍ମା ଅଟନ୍ତି । ଯିଏ କି ଅପରିବର୍ତ୍ତନୀୟ ନିୟାମକ ଭାବରେ ତ୍ରିଲୋକରେ ବ୍ୟାପ୍ତ ରହନ୍ତି ଏବଂ ସମସ୍ତ ପ୍ରାଣୀଙ୍କୁ ପାଳନ କରନ୍ତି ।

Commentary

ସଂସାର ଏବଂ ଆତ୍ମା ସମ୍ବନ୍ଧରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଭଗବାନଙ୍କ ବିଷୟରେ କହୁଛନ୍ତି, ଯିଏକି ଉଭୟ ଲୋକର ନଶ୍ୱର ଏବଂ ଅବିନଶ୍ୱର ପ୍ରାଣୀଙ୍କ ଅନୁଭୂତିର ସୀମା ବର୍ହିଭୂତ ଅଟନ୍ତି । ଶାସ୍ତ୍ରମାନେ ତାଙ୍କୁ ପରମାତ୍ମା ରୂପେ ମଧ୍ୟ ଅଭିହିତ କରିଥାଆନ୍ତି, ଅର୍ଥାତ୍ ପରମ ଆତ୍ମା । ଗୁଣବାଚକ ବିଶେଷଣ ପରମ ଶବ୍ଦ ଦର୍ଶାଇ ଥାଏ ଯେ ପରମାତ୍ମା ଆତ୍ମାଠାରୁ ଭିନ୍ନ ଅଟନ୍ତି । ଏହି ଶ୍ଲୋକଟି ଅଦ୍ୱୈତବାଦୀ ଦାର୍ଶନିକ ମାନଙ୍କର, ‘ଆତ୍ମା ହିଁ ପରମାତ୍ମା’, ସିଦ୍ଧାନ୍ତକୁ ସ୍ପଷ୍ଟ ରୂପରେ ଖଣ୍ଡନ କରୁଛି ।

ଆତ୍ମା ଅତି ସୂକ୍ଷ୍ମ ଏବଂ ସେ ନିବାସ କରିଥିବା ଶରୀରରେ ବ୍ୟାପ୍ତ ଥାଏ, କିନ୍ତୁ ପରମାତ୍ମା ସମସ୍ତ ପ୍ରାଣୀଙ୍କର ହୃଦୟରେ ନିବାସ କରନ୍ତି । ସେ ତାଙ୍କର କର୍ମକୁ ଲିପିବଦ୍ଧ କରନ୍ତି, ସେଗୁଡ଼ିକର ହିସାବ ରଖନ୍ତି ଏବଂ ଉଚିତ ସମୟରେ ତାର ଫଳ ପ୍ରଦାନ କରନ୍ତି । ପ୍ରତ୍ୟେକ ଜନ୍ମରେ ଆତ୍ମା ଯେଉଁ ଶରୀର ଧାରଣ କରେ, ସେ ତା’ ସହିତ ଯାଇଥାନ୍ତି । କୌଣସି ଏକ ଜନ୍ମରେ ଆତ୍ମାକୁ ଯଦି ଏକ କୁକୁର ଶରୀର ମିଳେ, ତାହେଲେ ପରମାତ୍ମା ମଧ୍ୟ ତା ସାଙ୍ଗରେ ସେହି ଶରୀରକୁ ଯାଇଥାନ୍ତି ଏବଂ ତାକୁ ପୂର୍ବ କର୍ମର ଫଳ ପ୍ରଦାନ କରିଥାନ୍ତି । ସେଥିପାଇଁ କୁକୁର ମାନଙ୍କର ଭାଗ୍ୟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କେତେଗୁଡ଼ିଏ ବୁଲା କୁକୁର ହୋଇ, ଭାରତର ଗଳି ରାସ୍ତା ମାନଙ୍କରେ ଦୟନୀୟ ଅବସ୍ଥାରେ ବାସ କରୁଥିବା ବେଳେ, ଅନ୍ୟ କୁକୁର ଆମେରିକାରେ ବିଳାସମୟ ଜୀବନ ବିତାଇଥାନ୍ତି । ତାଙ୍କର ସଞ୍ôଚତ କର୍ମ ଅନୁସାରେ ଏହି ଭିନ୍ନତା ଦୃଷ୍ଟିଗୋଚର ହୋଇଥାଏ । ଅତଏବ, ଆତ୍ମା ଯେଉଁ ଶରୀର ଧାରଣ କଲେ ବି, ପରମାତ୍ମା ତା ସହିତ ରହି ତାକୁ କର୍ମଫଳ ପ୍ରଦାନ କରନ୍ତି ।

ଚତୁର୍ଭୁଜ ବିଶିଷ୍ଟ କ୍ଷୀରୋଦଶାୟୀ ବିଷ୍ଣୁ (ବିଷ୍ଣୁ ଭାବରେ ବିଦିତ) ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରୁଥିବା ପରମାତ୍ମାଙ୍କର ସାକାର ରୂପ ଅଟନ୍ତି । ସେଥିପାଇଁ ହିନ୍ଦୀରେ ଏକ ଲୋକପ୍ରିୟ ପ୍ରବାଦ ଅଛି: ମାରନେ ବାଲେ କେ ଦୋ ହାତ, ବଚାନେ ବାଲେ କେ ଚାର ହାତ । ମାରିବା ଲୋକର ଦୁଇଟି ହାତ, ରକ୍ଷାକାରୀ ଭଗବାନଙ୍କର ଚାରୋଟି ହାତ ।” ଏହି ଚତୁର୍ଭୁଜ-ବିଶିଷ୍ଟ ଭଗବାନ ପରମାତ୍ମା ଅଟନ୍ତି ।