Bhagavad Gita: Chapter 15, Verse 8

ଶରୀରଂ ଯଦବାପ୍ନୋତି ଯଚ୍ଚାପ୍ୟୁତ୍‌କ୍ରାମତୀଶ୍ୱରଃ ।
ଗୃହୀତ୍ୱୈତାନି ସଂଯାତି ବାୟୁର୍ଗନ୍ଧାନିବାଶୟାତ୍ ।।୮।।

ଶରୀରଂ -ଶରୀର; ଯତ୍‌-ଯେପରି; ଅବାପ୍ନୋତି-ନେଇଥାଏ; ଯତ୍ -ଯାହା; ଚ ଅପି -ମଧ୍ୟ; ଉତ୍‌କ୍ରାମତି- ତ୍ୟାଗକରେ; ଈଶ୍ୱରଃ- ଶରୀରର ପ୍ରଭୁ, ଦେହୀ; ଗୃହୀତ୍ୱା -ଗ୍ରହଣ କରି; ଏତାନି- ଏ ସବୁ; ସଂଯାତି- ଚାଲିଯାଏ; ବାୟୁଃ- ବାୟୁ; ଗନ୍ଧାନ୍‌- ଗନ୍ଧ; ଇବ- ପରି; ଆଶୟାତ୍ -ସ୍ଥାନରୁ ।

Translation

BG 15.8: ବାୟୁ ଯେପରି ସୁଗନ୍ଧକୁ ଗୋଟିଏ ଜାଗାରୁ ଅନ୍ୟତ୍ର ବହନ କରି ନେଇଥାଏ, ସେହିପରି ଦେହଧାରୀ ଆତ୍ମା ଯେତେବେଳେ ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଗୋଟିଏକୁ ପ୍ରବେଶ କରେ, ମନ ଏବଂ ଇନ୍ଦ୍ରିୟ ଗୁଡ଼ିକୁ ନିଜ ସହିତ ବହନ କରିଥାଏ ।

Commentary

ଆତ୍ମାର ଦେହାନ୍ତରଣ ପ୍ରକ୍ରିୟାକୁ ଏଠାରେ ବର୍ଣ୍ଣନା କରାଯାଇଛି । ମଳୟ ଫୁଲର ସୁଗନ୍ଧକୁ ଗୋଟିଏ ଜାଗାରୁ ଅନ୍ୟତ୍ର ବହନ କରିବାର ଉଦାହରଣ ଏଠାରେ ଦିଆଯାଇଛି । ସେହିପରି ମୃତ୍ୟୁ ସମୟରେ ଆତ୍ମା ତାର ସ୍ଥୁଳ ଶରୀରକୁ ତ୍ୟାଗ କରେ କିନ୍ତୁ ସେ ସୂକ୍ଷ୍ମ ଓ କାରଣ ଶରୀରକୁ, ଯାହାର ଅନ୍ତର୍ଭୁକ୍ତ ମନ ଓ ଇନ୍ଦ୍ରିୟ ଅଟନ୍ତି, ସେମାନଙ୍କୁ ନିଜ ସହିତ ବହନ କରିଥାଏ । (ତିନି ପ୍ରକାରର ଶରୀର ବିଷୟରେ ଶ୍ଲୋକ ୨.୨୮ରେ ବିସ୍‌ୃତ ଭାବେ ବର୍ଣ୍ଣନା କରାଯାଇଛି ।)

ପ୍ରତ୍ୟେକ ଜନ୍ମରେ ଆତ୍ମା ଏକ ନୂତନ ଶରୀର ଲାଭ କରୁଥିବାବେଳେ, ମନ ପୂର୍ବଜନ୍ମରୁ ଆତ୍ମା ସହିତ ଯାତ୍ରା କରିଥାଏ । ଏହା ଯେଉଁମାନେ ଜନ୍ମରୁ ଅନ୍ଧ ସେମାନଙ୍କର ସ୍ୱପ୍ନ ଦେଖିବା କାରଣକୁ ସ୍ପଷ୍ଟ କରିଥାଏ । ସାଧାରଣତଃ, ସ୍ୱପ୍ନ ଆମର ଜାଗ୍ରତ ସମୟରେ ଦେଖିଥିବା ଦୃଶ୍ୟ ଏବଂ ଚିନ୍ତନର ବିକୃତିକରଣ ଅଟେ । ଏହା ବିଚ୍ଛିନ୍ନ ହୋଇ ନିଦ୍ରା ସମୟରେ ସଂଯୋଜିତ ହୋଇଥାଏ । ଉଦାହରଣ ସ୍ୱରୂପ, ଚିନ୍ତା କରନ୍ତୁ ଜଣେ ବ୍ୟକ୍ତି ଆକାଶରେ ପକ୍ଷୀଟିଏ ଦେଖିଲା ଏବଂ ଭାବିଲା, “ମୁଁ ଚଢ଼େଇଟିଏ ହୋଇଥିଲେ କେତେ ସୁନ୍ଦର ହୋଇଥାନ୍ତା ।” ସ୍ୱପ୍ନରେ ସେ ମନୁଷ୍ୟ ଶରୀରରେ ଉଡୁଥିବାର ଦୃଶ୍ୟ ଦେଖିଥାଏ । ଏହାର କାରଣ, ତାର ଜାଗ୍ରତ ସମୟର ଚିନ୍ତନ ଏବଂ ଦୃଶ୍ୟ ସବୁ ବିକୃତ ହୋଇ ସ୍ୱପ୍ନାବସ୍ଥାରେ ଆବିର୍ଭାବ ହେଲା । କିନ୍ତୁ ଯିଏ ଜନ୍ମରୁ ଅନ୍ଧ, ସେ ତ କୌଣସି ରୂପ ବା ଆକାର ଦେଖି ନ ଥାଏ, ତଥାପି ସେ ସ୍ୱପ୍ନ ଦେଖିଥାଏ । ଏହାର କାରଣ, ଅନନ୍ତ ପୂର୍ବ ଜନ୍ମର ଜାଗ୍ରତ ଅବସ୍ଥାର ପ୍ରତିଛବିସବୁ ସୂକ୍ଷ୍ମ ମସ୍ତିଷ୍କରେ ସଞ୍ôଚତ ହୋଇ ରହିଥାଏ । ଆତ୍ମା ଶରୀର ତ୍ୟାଗ କରିବା ସମୟରେ, ମନ ଓ ଇନ୍ଦ୍ରିୟଗୁଡ଼ିକୁ ନିଜ ସହିତ ବହନ କରିବା ବିଷୟ ବର୍ଣ୍ଣନା କରିବା ପରେ, ଏଗୁଡ଼ିକୁ ସେ କ’ଣ କରେ, ତାହା ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ।