Bhagavad Gita: Chapter 15, Verse 2

ଅଧଶ୍ଚୋର୍ଦ୍ଧ୍ୱଂ ପ୍ରସୃତାସ୍ତସ୍ୟ ଶାଖା
ଗୁଣପ୍ରବୃଦ୍ଧା ବିଷୟପ୍ରବାଳାଃ ।
ଅଧଶ୍ଚ ମୂଳାନ୍ୟନୁସନ୍ତତାନି
କର୍ମାନୁବନ୍ଧୀନି ମନୁଷ୍ୟଲୋକେ ।।୨।।

ଅଧଃ-ତଳକୁ; ଚ-ଏବଂ; ଊର୍ଦ୍ଧ୍ୱଂ-ଉପରକୁ; ପ୍ରସୃତାଃ-ବିସ୍ତୃତ; ତସ୍ୟ-ତାହାର; ଶାଖାଃ-ଶାଖାସବୁ; ଗୁଣଃ-ପ୍ରକୃତିର ଗୁଣ; ପ୍ରବୃଦ୍ଧାଃ-ପୋଷଣ; ବିଷୟ-ଇନ୍ଦ୍ରିୟଗ୍ରାହ୍ୟ ବସ୍ତୁ; ପ୍ରବାଳାଃ-ପ୍ରଶାଖା; ଅଧଃ-ତଳକୁ; ଚ-ଏବଂ; ମୂଳାନି-ମୂଳସବୁ; ଅନୁସନ୍ତତାନି-ବୃଦ୍ଧି ଲାଭକରେ; କର୍ମ-କର୍ମାନୁଯାୟୀ; ଅନୁବନ୍ଧୀନି-ବଦ୍ଧ; ମନୁଷ୍ୟଲୋକେ-ମାନବଲୋକରେ ।

Translation

BG 15.2: ବୃକ୍ଷର ଶାଖାଗୁଡ଼ିକ ଉପରକୁ ଓ ତଳକୁ ବିସ୍ତୃତ ହୋଇଛି, ତିନିଗୁଣ ଦ୍ୱାରା ତାହାର ପ୍ରତିପୋଷଣ ହେଉଛି ଏବଂ ଇନ୍ଦ୍ରିୟର ବିଷୟଗୁଡ଼ିକ ଏହାର କୋମଳ ଅଙ୍କୁର ସଦୃଶ ଅଟନ୍ତି । ଏହି କୋମଳ ମୂଳ ନିମ୍ନଦିଗକୁ ପ୍ରସାରିତ ହୋଇ, ମନୁଷ୍ୟ ସ୍ୱରୂପରେ କର୍ମର ପ୍ରବାହ ସୃଷ୍ଟି କରୁଛି । ନିମ୍ନଦେଶରେ ଏହାର ମୂଳ ସବୁ ଶାଖାଯୁକ୍ତ ହୋଇ ସଂସାରରେ ମନୁଷ୍ୟର କର୍ମବନ୍ଧନ ସୃଷ୍ଟି କରେ ।

Commentary

ଶ୍ରୀକୃଷ୍ଣ ଭୌତିକ ସୃଷ୍ଟିକୁ ଅଶ୍ୱତ୍‌ଥ ବୃକ୍ଷ ସହିତ ତୁଳନା କରିବା ଜାରି ରଖିଛନ୍ତି । ଏହାର ମୁଖ୍ୟ ଗଣ୍ଡି ମନୁଷ୍ୟର ଶରୀର ଅଟେ, ଯେଉଁଠାରେ ରହି ଆତ୍ମା କର୍ମ କରେ । ଏହାର ଶାଖାଗୁଡ଼ିକ ଉଭୟ ନିମ୍ନଗାମୀ (ଅଧଃ)  ଏବଂ ଊର୍ଦ୍ଧ୍ୱଗାମୀ (ଊର୍ଦ୍ଧ୍ୱ) ଅଟନ୍ତି । ଜୀବ ଯଦି ପାପକର୍ମ କରେ, ତା’ର ପୁର୍ନଜନ୍ମ ପଶୁ ରୂପରେ କିମ୍ବା ତା’ଠାରୁ ନିମ୍ନ ରୂପରେ ହୋଇଥାଏ । ଏଗୁଡ଼ିକ ନିମ୍ନଗାମୀ ଶାଖା । ଯଦି ଜୀବ ଧାର୍ମିକ କର୍ମ କରେ, ସେ ସ୍ୱର୍ଗଲୋକର  ଦେବତା ବା ଗନ୍ଧର୍ବ ରୂପରେ ଜନ୍ମ ନିଏ । ଏଗୁଡ଼ିକ ଊର୍ଦ୍ଧ୍ୱଗାମୀ ଶାଖା ଅଟନ୍ତି ।

ଯେପରି ଜଳ ଦ୍ୱାରା ବୃକ୍ଷର ସିଂଚନ ହୋଇଥାଏ, ସେହିପରି ମାୟିକ ଜଗତର ଏହି ବୃକ୍ଷକୁ ମାୟିକ ପ୍ରକୃତିର ତିନିଗୁଣ ସିଂଚନ କରନ୍ତି । ଏହି ତିନିଗୁଣ ଇନ୍ଦ୍ରିୟ ବିଷୟ ସବୁକୁ ଅଙ୍କୁରିତ କରନ୍ତି, ଯାହା ବୃକ୍ଷର କଢ଼ ସଦୃଶ (ବିଷୟ-ପ୍ରବାଳାଃ) ଅଟନ୍ତି । ଏହି କଢ଼ ଗୁଡ଼ିକର କାର୍ଯ୍ୟ ହେଉଛି, ଅଙ୍କୁରିତ ହୋଇ ବୃକ୍ଷର ବୃଦ୍ଧି ଘଟାଇବା । ଏହି ଅଶ୍ୱତ୍‌ଥ ବୃକ୍ଷର କଢ଼ଗୁଡ଼ିକ ଅଙ୍କୁରିତ ହୋଇ ଭୌତିକ କାମନା ସୃଷ୍ଟି କରନ୍ତି, ଯାହା ବୃକ୍ଷର ବାୟବୀୟ ମୂଳ ପରି ଅଟେ । ଅଶ୍ୱତ୍‌ଥ ବୃକ୍ଷର ବିଶେଷତ୍ୱ ହେଲା, ଏହା ତା’ ଶାଖାରୁ ତଳକୁ ବାୟବୀୟ ମୂଳ କ୍ଷେପଣ କରିଥାଏ । ଏହିସବୁ ମୂଳ ବୃକ୍ଷର ଅତିରିକ୍ତ କାଣ୍ଡରେ ପରିଣତ ହୁଏ, ଯଦ୍ୱାରା ଅଶ୍ୱତ୍‌ଥ ବୃକ୍ଷ ବିରାଟ ଆକାର ଧାରଣ କରିଥାଏ । କଲିକତାର ବନସ୍ପତି ଉଦ୍ୟାନରେ ଥିବା “ବିରାଟ ଅଶ୍ୱତ୍‌ଥ ବୃକ୍ଷ” ସବୁଠାରୁ ବଡ଼ ଅଶ୍ୱତ୍‌ଥ ବୃକ୍ଷ ଅଟେ । ଏହା ପ୍ରାୟ ଚାରି ଏକର ଜାଗାରେ ଅବସ୍ଥିତ । ଏହାର ଅଗ୍ରଭାଗର ପରିଧି ପ୍ରାୟ ୧,୧୦୦ ଗଜ ଏବଂ ଏଥିରୁ ପ୍ରାୟ ୩,୩୦୦ଟି ବାୟବୀୟ ମୂଳ ଭୂମିକୁ ସ୍ପର୍ଶ କରିଛନ୍ତି । ଅଶ୍ୱତ୍‌ଥ ବୃକ୍ଷର ଦୃଷ୍ଟାନ୍ତରେ, ଭୌତିକ ଜଗତର ଇନ୍ଦ୍ରିୟ ବିଷୟ ଗୁଡ଼ିକ ବୃକ୍ଷର କଢ଼ ସଦୃଶ ଅଟନ୍ତି । ସେଗୁଡ଼ିକ ଅଙ୍କୁରିତ ହୋଇ ବ୍ୟକ୍ତିଠାରେ ଇନ୍ଦ୍ରିୟ ଭୋଗ କାମନା ସୃଷ୍ଟି କରନ୍ତି । ଏହି କାମନାଗୁଡ଼ିକୁ ବାୟବୀୟ ମୂଳ ସହିତ ତୁଳନା କରାଯାଉଛି । ଏହା ବୃକ୍ଷର ବୃଦ୍ଧି ପାଇଁ ରସ ପ୍ରଦାନ କରେ । ଭୌତିକ ସୁଖ ଭୋଗର କାମନାରେ ପ୍ରେରିତ ହୋଇ ଜୀବ କର୍ମରେ ଲିପ୍ତ ହୁଏ । କାମନାକୁ ପୂର୍ଣ୍ଣ କରିବାକୁ ଯାଇ ଯେଉଁ କର୍ମ କରାଯାଏ, ତାହା ପୁଣି ସେହି କାମନାକୁ ବୃଦ୍ଧି କରେ । ଏହିପରି ଭାବରେ, ବୃକ୍ଷର ବାୟବୀୟ ମୂଳଗୁଡ଼ିକ ପ୍ରସାରିତ ହୋଇ ଅନ୍ତହୀନ ଭାବେ ବୃଦ୍ଧି ପାଏ ଏବଂ ତାହା ଜୀବକୁ ପୁନଶ୍ଚ ଭୌତିକ ଚେତନାରେ ଛନ୍ଦି ଦିଏ ।