Bhagavad Gita: Chapter 15, Verse 18

ଯସ୍ମାତ୍ କ୍ଷରମତୀତୋଽହମକ୍ଷରାଦପି ଚୋତ୍ତମଃ ।
ଅତୋଽସ୍ମି ଲୋକେ ବେଦେ ଚ ପ୍ରଥିତଃ ପୁରୁଷୋତ୍ତମଃ ।।୧୮।।

ଯସ୍ମାତ୍ - ସୁତରାଂ; କ୍ଷରଂ -ବିନାଶୀ; ଅତୀତଃ- ଊର୍ଦ୍ଧ୍ୱରେ; ଅହଂ -ମୁଁ; ଅକ୍ଷରାତ୍ -ଅବିନାଶୀ ଠାରୁ; ଅପି -ଏପରି କି; ଚ-ଏବଂ; ଉତ୍ତମଃ -ସର୍ବୋତ୍ତମ; ଅତଃ -ତେଣୁ; ଅସ୍ମି -ମୁଁ ଅଟେ; ଲୋକେ -ସଂସାରରେ; ବେଦେ -ବେଦରେ; ଚ-ଏବଂ; ପ୍ରଥିତଃ -ପ୍ରସିଦ୍ଧ; ପୁରୁଷୋତ୍ତମଃ -ପରମ ପୁରୁଷ ଭାବରେ ।

Translation

BG 15.18: ମୁଁ, ଏହି ନଶ୍ୱର ଜଗତ ଏପରି କି ଅବିନଶ୍ୱର ଆତ୍ମାମାନଙ୍କର ମଧ୍ୟ ଅନୁଭବାତୀତ ଅଟେ; ତେଣୁ ବେଦ ଏବଂ ସ୍ମୃତି ଆଦିରେ ମୁଁ ପରମ ଦିବ୍ୟ ପୁରୁଷ ଭାବରେ ଖ୍ୟାତ ।

Commentary

ପୂର୍ବବର୍ତ୍ତୀ କେତୋଟି ଶ୍ଲୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ, କିପରି ପ୍ରକୃତିର ସମସ୍ତ ଗରିମା ତାଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟେ । ତଥାପି ଏହି ଦୃଶ୍ୟମାନ ସଂସାର ସୃଷ୍ଟି କରି ସେ ନିଜକୁ ସମାପ୍ତ କରିନାହାନ୍ତି । ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱ ଉଭୟ ଭୌତିକ ପ୍ରକୃତି ଏବଂ ଦିବ୍ୟ ଆତ୍ମାମାନଙ୍କର ଜ୍ଞାନାତୀତ ଅଟେ । ଏଠାରେ, ସେ ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱକୁ ପୁରୁଷୋତ୍ତମ ରୂପେ ଆଖ୍ୟାୟୀତ କରିଛନ୍ତି ।

ଜଣେ ସନ୍ଦେହ ପ୍ରକାଶ କରିପାରନ୍ତି ଯେ ଶ୍ରୀକୃଷ୍ଣ ଏବଂ ସେ ଇଶାରା କରୁଥିବା ପରମ ପୁରୁଷ ସମାନ ଅଟନ୍ତି କି ନାହିଁ । ଏହିସବୁ ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଶ୍ରୀକୃଷ୍ଣ ଏହି ଶ୍ଳୋକରେ ନିଜକୁ ପ୍ରଥମ ପୁରୁଷ ଏକବଚନ ରୂପେ ସୂଚିତ କରୁଛନ୍ତି । ପୁନଶ୍ଚ ସେ କହୁଛନ୍ତି, ବେଦ ମଧ୍ୟ ତାଙ୍କୁ ଏହିପରି ପ୍ରତିପାଦିତ କରେ:

କୃଷ୍ଣ ଏବ ପରୋ ଦେବସ୍ ତଂ ଧ୍ୟାୟେତ୍ ତଂ ରସୟେତ୍ ତଂ ଯଜେତ୍ ତଂ ଭଜେତ୍

(ଗୋପାଲ ତାପନି ଉପନିଷଦ)

“ଶ୍ରୀକୃଷ୍ଣ ପରମେଶ୍ୱର ଅଟନ୍ତି । ତାଙ୍କର ଧ୍ୟାନ କର, ତାଙ୍କର ଭକ୍ତି ରସ ପାନ କର ଏବଂ ତାଙ୍କର ଉପାସନା କର ।” ପୁନଶ୍ଚ:

ଯୋଽସୌ ପରଂ ବ୍ରହ୍ମ ଗୋପାଳଃ (ଗୋପାଲ ତାପନି ଉପନିଷଦ)

“ଗୋପାଳ (ଭଗବାନ କୃଷ୍ଣ) ପରମ ପୁରୁଷ ଅଟନ୍ତି । ଏଠାରେ କେହି କେହି ଭଗବାନ ବିଷ୍ଣୁ, ଭଗବାନ ରାମ, ଭଗବାନ ଶିବଙ୍କର ସ୍ଥାନକୁ ନେଇ ପ୍ରଶ୍ନ କରିପାରନ୍ତି । ସେମାନେ ସମସ୍ତେ ସେହି ଜଣେ ପରମ ପୁରୁଷଙ୍କର ଭିନ୍ନ ଭିନ୍ନ ସ୍ୱରୂପ ତଥା ପରସ୍ପରଠାରୁ ଅଭିନ୍ନ ଅଟନ୍ତି । ଅତଏବ, ସେମାନେ ସମସ୍ତେ ଭଗବାନ ବା ପରମ ଦିବ୍ୟ ପୁରୁଷଙ୍କର ଅଭିବ୍ୟକ୍ତି ଅଟନ୍ତି ।”