Bhagavad Gita: Chapter 15, Verse 20

ଇତି ଗୁହ୍ୟତମଂ ଶାସ୍ତ୍ରମିଦମୁକ୍ତଂ ମୟାନଘ ।
ଏତଦ୍‌ବୁଦ୍ଧ୍ୱା ବୁଦ୍ଧିମାନ୍‌ସ୍ୟାତ୍‌କୃତକୃତ୍ୟଶ୍ଚ ଭାରତ ।।୨୦।।

ଇତି - ଏହି; ଗୁହ୍ୟତମଂ - ଅତ୍ୟନ୍ତ ଗୁହ୍ୟ (ଗୁପ୍ତ); ଶାସ୍ତ୍ରଂ - ଶାସ୍ତ୍ର; ଇଦଂ - ଏହି; ଉକ୍ତଂ -ପ୍ରକାଶିତ ହେଲା; ମୟା - ମୋ’ଦ୍ୱାରା; ଅନଘ - ହେ ନିଷ୍ପାପ; ଏତତ୍ - ଏହା; ବୁଦ୍ଧ୍ୱା -ବୁଝି; ବୁଦ୍ଧିମାନ୍ -ବୁଦ୍ଧିମାନ; ସ୍ୟାତ୍‌-ବ୍ୟକ୍ତି ହୁଏ; କୃତ-କୃତ୍ୟଃ - ପରିପୂର୍ଣ୍ଣ; ଚ-ଏବଂ; ଭାରତ- ହେ ଭରତ ବଂଶଜ ।

Translation

BG 15.20: ହେ ନିଷ୍ପାପ ଅର୍ଜୁନ! ବେଦଶାସ୍ତ୍ରମାନଙ୍କର ଏହି ଗୂଢ଼ତମ ସିଦ୍ଧାନ୍ତ ମୁଁ ତୁମ ସମ୍ମୁଖରେ ପ୍ରକାଶ କଲି । ଏହାକୁ ହୃଦୟଙ୍ଗମ କରି ଜଣେ ବ୍ୟକ୍ତି ଜ୍ଞାନଦୀପ୍ତ ହୋଇ କୃତକୃତ୍ୟ ହୋଇଯିବ ।

Commentary

ଏହି ଅଧ୍ୟାୟର ଶେଷ ଶ୍ଲୋକଟି ଇତି ଶବ୍ଦରୁ ଆରମ୍ଭ ହୋଇଛି, ଅର୍ଥାତ୍ ‘ଏଗୁଡ଼ିକ’ । ଶ୍ରୀକୃଷ୍ଣ ଏହା ଦ୍ୱାରା ସୂଚିତ କରୁଛନ୍ତି, “ଏହି କୋଡ଼ିଏଟି ଶ୍ଲୋକରେ, ମୁଁ ସମସ୍ତ ବୈଦିକ ଶାସ୍ତ୍ରର ସିଦ୍ଧାନ୍ତର ସାରାଂଶ ଉପସ୍ଥାପନ କରିଛି । ମୁଁ ତୁମ ଆଗରେ ସଂସାରର ସ୍ୱରୂପଠାରୁ ଆରମ୍ଭ କରି, ବସ୍ତୁ ଓ ଜୀବ ମଧ୍ୟରେ ପାର୍ଥକ୍ୟ ଏବଂ ଶେଷରେ ଚରମ ସତ୍ୟକୁ ପରମ ଦିବ୍ୟ ପୁରୁଷ ଭାବରେ ଜାଣିବା ପର୍ଯ୍ୟନ୍ତ ବର୍ଣ୍ଣନା କଲି । ବର୍ତ୍ତମାନ ମୁଁ ତୁମକୁ ଏହି ଆଶ୍ୱାସନା ଦେଉଛି ଯେ ଯେଉଁ ବ୍ୟକ୍ତି ଏହି ଜ୍ଞାନକୁ ଗ୍ରହଣ କରିବ, ସେ ବାସ୍ତବିକ ଜ୍ଞାନ ସମ୍ପନ୍ନ ହେବ । ସେହି ଜୀବାତ୍ମା ତାର ସମସ୍ତ କର୍ମ ଓ କର୍ତ୍ତବ୍ୟର ଲକ୍ଷ୍ୟ ପ୍ରାପ୍ତ କରିବ, ଯାହା ଭଗବତ୍ ପ୍ରାପ୍ତି ଅଟେ ।”