ଚତୁର୍ଦ୍ଦଶ ଅଧ୍ୟାୟ: ଗୁଣତ୍ରୟ ବିଭାଗ ଯୋଗ

ଗୁଣତ୍ରୟ ବିଭାଗ ଯୋଗ

ପୂର୍ବ ଅଧ୍ୟାୟରେ ଆତ୍ମା ଏବଂ ଭୌତିକ ଶରୀର ମଧ୍ୟରେ ଥିବା ପ୍ରଭେଦର ବିସ୍ତୃତ ବର୍ଣ୍ଣନା କରାଯାଇଥିଲା । ଏହି ଅଧ୍ୟାୟରେ, ମାୟିକ ଶକ୍ତିର  ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଶରୀର ଏବଂ ତାହାର ଉପାଦାନର ସ୍ରୋତ ଅଟେ, ତଥା ଉଭୟ ମନ ଓ ପଦାର୍ଥର ଉଦ୍‌ଗମ ସ୍ଥଳ ଅଟେ । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ମାୟିକ ଶକ୍ତି ତିନିଗୁଣ ବିଶିଷ୍ଟ ଅଟେ- ସତ୍ତ୍ୱ, ରଜୋ ଓ ତମୋ । ମାୟିକ ଶକ୍ତିରେ ଗଠିତ ଶରୀର, ମନ ଏବଂ ବୁଦ୍ଧି ଏହି ତିନିଗୁଣ ଧାରଣ କରନ୍ତି । ଏହି ତିନିଗୁଣର ମିଶ୍ରଣ, ଆମ ବ୍ୟକ୍ତିତ୍ୱର ରୂପରେଖ ନିର୍ଣ୍ଣୟ କରେ । ଶାନ୍ତି, କଲ୍ୟାଣ, ସଦ୍‌ଗୁଣ ଏବଂ ପ୍ରସନ୍ନତା ଇତ୍ୟାଦି ସତ୍ତ୍ୱଗୁଣର ବିଶେଷତ୍ୱ ଅଟେ । ରଜୋ ଗୁଣ ସାଂସାରିକ ଉନ୍ନତି ପାଇଁ ଅସଂଖ୍ୟ କାମନା ଏବଂ ଅତୃପ୍ତ ଅଭିଳାଷ ଉତ୍ପନ୍ନ କରେ । ଭ୍ରମ, ଆଳସ୍ୟ, ନିଶାସକ୍ତି ଏବଂ ନିଦ୍ରା ତମୋଗୁଣର ପ୍ରଭାବ ଅଟେ । ଜ୍ଞାନ ପ୍ରାପ୍ତି ନ କରିବା ପର୍ଯ୍ୟନ୍ତ, ମାୟିକ ପ୍ରକୃତିର ଏହି ତିନୋଟି ବଳବାନ ଶକ୍ତି ସହିତ ଜୀବକୁ ଉପଯୋଜନ କରିବାକୁ ପଡିଥାଏ । ଏହି ତ୍ରିଗୁଣକୁ ଅତିକ୍ରମ କରିବା ପରେ ହିଁ ଜୀବକୁ ମୁକ୍ତି ମିଳିଥାଏ ।

ତ୍ରିଗୁଣର ବନ୍ଧନ ଛିନ୍ନ କରିବାର ଏକ ସରଳ ସମାଧାନ ଶ୍ରୀକୃଷ୍ଣ ଏଠାରେ ପ୍ରକାଶ କରିଛନ୍ତି । ଭଗବାନ ତ୍ରିଗୁଣାତୀତ ଅଟନ୍ତି, ତେଣୁ ଆମେ ଯଦି ମନକୁ ତାଙ୍କ ସହିତ ସଂଯୁକ୍ତ କରିଦେବା, ତେବେ ମନର ଉତ୍‌ଥାନ ଦିବ୍ୟ ସ୍ତରକୁ ହୋଇଯିବ । ଏହାପରେ ଅର୍ଜୁନ ତିନିଗୁଣର ଊର୍ଦ୍ଧ୍ୱରେ ଥିବା ବ୍ୟକ୍ତିମାନଙ୍କର ସ୍ୱଭାବ ବିଷୟରେ ପ୍ରଶ୍ନ କରିଛନ୍ତି । ଉତ୍ତର ଦେବାକୁ ଯାଇ, ଶ୍ରୀକୃଷ୍ଣ ବ୍ୟବସ୍ଥିତ ଭାବରେ ସେହି ମୁକ୍ତ ଆତ୍ମାଙ୍କର ଚରିତ୍ର ବର୍ଣ୍ଣନା କରିଛନ୍ତି । ସେ ବୁଝାଉଛନ୍ତି ଯେ ଜ୍ଞାନୋଦ୍ଦୀପ୍ତ ବ୍ୟକ୍ତିମାନେ ସମଭାବାପନ୍ନ ରହନ୍ତି; ସଂସାରରେ ମାୟିକ ଗୁଣମାନଙ୍କର ପ୍ରତିକ୍ରିୟା ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତିକୁ ଯେପରି ପ୍ରଭାବିତ କରିଥାଏ, ସେଥିରେ ସେମାନେ ବିଚଳିତ ହୁଅନ୍ତି ନାହିଁ । ସବୁକିଛିକୁ ସେମାନେ ଭଗବାନଙ୍କ ଶକ୍ତିର ପରିପ୍ରକାଶ ରୂପରେ ଦେଖନ୍ତି, ଯାହା ଅନ୍ତତଃ ଭଗବାନଙ୍କ ହାତରେ ହିଁ ଥାଏ । ଏଣୁ ସାଂସାରିକ ପରିସ୍ଥିତି ସବୁ ତାଙ୍କୁ ଉତ୍‌ଫୁଲ୍ଲିତ କିମ୍ବା ମର୍ମାହତ କରେ ନାହିଁ ଏବଂ ଅସ୍ଥିର ନ ହୋଇ ସେମାନେ ନିଜ ଆତ୍ମାରେ ସ୍ଥିତ ରହନ୍ତି । ଅଧ୍ୟାୟର ଶେଷରେ ଶ୍ରୀକୃଷ୍ଣ ପୁନର୍ବାର ଆମକୁ ଭକ୍ତିର ଶକ୍ତି ଏବଂ ତ୍ରିଗୁଣକୁ ଅତିକ୍ରମ କରାଇବାର ତାହାର କ୍ଷମତା ବିଷୟରେ କରିଛନ୍ତି ।

ଶ୍ରୀ ଭଗବାନ କହିଲେ: ସେହି ସର୍ବୋଚ୍ଚ ଜ୍ଞାନ, ଯାହା ସମସ୍ତ ଜ୍ଞାନ ମଧ୍ୟରେ ସର୍ବୋତ୍ତମ ଅଟେ ଏବଂ ଯାହାକୁ ଜାଣି ମହାନ୍ ଋଷିଗଣ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରିଛନ୍ତି, ମୁଁ ପୁନର୍ବାର ତୁମକୁ ତାହା ବିଷୟରେ କହିବି ।

ଯେଉଁମାନେ ଏହି ଜ୍ଞାନର ଆଶ୍ରିତ ହୁଅନ୍ତି, ସେମାନେ ମୋ ସହିତ ମିଳିତ ହୁଅନ୍ତି । ସେମାନଙ୍କର ସୃଷ୍ଟି ସମୟରେ ପୁର୍ନଜନ୍ମ କିମ୍ବା ପ୍ରଳୟ ସମୟରେ ବିଲୟ ହେବ ନାହିଁ ।

ସମଗ୍ର ମାୟିକ ସ୍ଥିତି ବା ପ୍ରକୃତି, ଗର୍ଭ ଅଟେ । ମୁଁ ଜୀବାତ୍ମାମାନଙ୍କୁ ଏହି ଗର୍ଭରେ ସ୍ଥାପନ କରେ ଏବଂ ଏହିପରି ଭାବରେ ଜୀବଗଣ ଜନ୍ମ ଲାଭ କରନ୍ତି । ହେ କୁନ୍ତିପୁତ୍ର ! ଉତ୍ପନ୍ନ ହେଉଥିବା ସମସ୍ତ ପ୍ରଜାତିର ଜୀବମାନଙ୍କର ଗର୍ଭ ଭୌତିକ ପ୍ରକୃତି ଅଟେ ଏବଂ ମୁଁ ସେମାନଙ୍କର ବୀଜ ପ୍ରଦାନକାରୀ ପିତା ଅଟେ ।

ହେ ବୀର ଅର୍ଜୁନ ! ପ୍ରକୃତିର ତିନୋଟି ଗୁଣ ରହିଛି- ସତ୍ତ୍ୱ (ସାଧୁତା), ରଜ (କାମନା), ତମ (ଅଜ୍ଞାନ) । ଏହି ଗୁଣ ଗୁ୍‌ଡ଼ିକ ନିତ୍ୟ ଆତ୍ମାକୁ ଅନିତ୍ୟ ଶରୀରରେ ବାନ୍ଧି ଦିଅନ୍ତି ।

ଏମାନଙ୍କ ମଧ୍ୟରୁ, ସତ୍ତ୍ୱଗୁଣ ବା ସଦ୍‌ଗୁଣ, ଅନ୍ୟ ଗୁଣମାନଙ୍କ ଠାରୁ ଶୁଦ୍ଧତର ହୋଇଥିବାରୁ ତାହା ଜ୍ଞାନ ପ୍ରଦାୟକ ଏବଂ କଲ୍ୟାଣକର ହୋଇଥାଏ । ହେ ଧର୍ମାତ୍ମା ! ଏହା ଆତ୍ମାକୁ ସୁଖ ଓ ଜ୍ଞାନ ପ୍ରତି ଆସକ୍ତ କରି ବନ୍ଧନଯୁକ୍ତ କରାଏ ।

ହେ ଅର୍ଜୁନ ! ରଜୋଗୁଣ ବାସନାତ୍ମକ ଅଟେ । ଏହା ସାଂସାରିକ କାମନା ଓ ଅନୁରାଗରୁ ଜାତ ହୁଏ ଏବଂ ଫଳଯୁକ୍ତ କର୍ମର ଆସକ୍ତି ଦ୍ୱାରା ଆତ୍ମାକୁ ବନ୍ଧନରେ ପକାଇଥାଏ ।

ହେ ଅର୍ଜୁନ ! ତମଗୁଣ ଅଜ୍ଞାନତାରୁ ଜାତ, ଯାହା ଶରୀରସ୍ଥ ଆତ୍ମା ପାଇଁ ଭ୍ରମର କାରଣ ହୋଇଥାଏ । ଏହା ଅବହେଳା, ଆଳସ୍ୟ ଏବଂ ନିଦ୍ରା ଦ୍ୱାରା ପ୍ରାଣୀମାନଙ୍କୁ ମୋହିତ କରେ ।

ସତ୍ତ୍ୱଗୁଣ ବ୍ୟକ୍ତିକୁ ସାଂସାରିକ ସୁଖ ଜନିତ ବନ୍ଧନରେ ବାନ୍ଧିଦିଏ, ରଜୋଗୁଣ ଜୀବକୁ କର୍ମ ଦିଗରେ ପ୍ରେରିତ କରେ, ତମୋଗୁଣ ଜ୍ଞାନକୁ ଆବୃତ କରି ବ୍ୟକ୍ତିକୁ ମୋହରେ ବାନ୍ଧିଦିଏ ।

ହେ ଭରତଶ୍ରେଷ୍ଠ! ବେଳେବେଳେ ସତ୍ତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ଉପରେ ପ୍ରାଧାନ୍ୟ ବିସ୍ତାର କରେ । ବେଳେବେଳେ ରଜୋଗୁଣ, ସତ୍ତ୍ୱଗୁଣ ଓ ତମୋଗୁଣ ଉପରେ ରାଜତ୍ୱ କରେ, ଏବଂ ଅନ୍ୟ ସମୟରେ ତମୋଗୁଣ, ସତ୍ତ୍ୱଗୁଣ ଓ ରଜୋଗୁଣକୁ ଅତିକ୍ରମ କରିଯାଏ ।

ଯେତେବେଳେ ଶରୀରର ଦ୍ୱାରଗୁଡ଼ିକ ଜ୍ଞାନଦ୍ୱାରା ଆଲୋକିତ ହୁଏ, ତାହାକୁ ସଦ୍‌ଗୁଣର ପରିପ୍ରକାଶ ଭାବରେ ଜାଣ । ଯେତେବେଳେ ଆସକ୍ତିର ଗୁଣ ପ୍ରମୁଖ ହୁଏ, ହେ ଅର୍ଜୁନ ! ଲୋଭ, ସାଂସାରିକ ସୁଖ ପ୍ରତି ପ୍ରଚେଷ୍ଟା, ଅତୃପ୍ତି ଏବଂ ଲାଳସା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ହେ ଅର୍ଜୁନ ! ଅଜ୍ଞାନତା, ନିଷ୍କ୍ରିୟତା, ଅବହେଳା, ମୋହ ଇତ୍ୟାଦି ଅଜ୍ଞାନ ଗୁଣର ବିଶେଷ ଲକ୍ଷଣ ଅଟେ ।

ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି, ମୃତ୍ୟୁପରେ ସ୍ୱର୍ଗଲୋକ ପ୍ରାପ୍ତ କରନ୍ତି । ରଜୋଗୁଣୀ ପ୍ରମୁଖ ବ୍ୟକ୍ତିଗଣ, କର୍ମ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ତମୋଗୁଣ ଯୁକ୍ତ ବ୍ୟକ୍ତିମାନେ ମୃତ୍ରୁପରେ ପଶୁ ଭାବରେ ଜନ୍ମ ନିଅନ୍ତି ।

ଏହା କୁହାଯାଇଥାଏ ଯେ ସତ୍ତ୍ୱଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଶୁଦ୍ଧ ଫଳ ପ୍ରଦାନକାରୀ ହୋଇଥାଏ । ରଜୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଯାତନା ଦେଇଥାଏ ଏବଂ ତମୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମର ଫଳ ଅନ୍ଧକାର ହୋଇଥାଏ ।

ସତ୍ତ୍ୱଗୁଣରୁ ଜ୍ଞାନର ଉଦୟ ହୁଏ । ରଜୋଗୁଣରୁ ଲୋଭ ଏବଂ ତମୋଗୁଣରୁ ଅବହେଳା ଓ ଭ୍ରମ ଉତ୍ପନ୍ନ ହୁଏ ।

ସତ୍ତ୍ୱଗୁଣରେ ସ୍ଥିତ ବ୍ୟକ୍ତି ଉର୍ଦ୍ଧ୍ୱଗାମୀ ହୁଅନ୍ତି; ରଜୋଗୁଣ ସ୍ଥିତ ବ୍ୟକ୍ତି ମଧ୍ୟସ୍ଥଳରେ ରହନ୍ତି ଏବଂ ଯେଉଁମାନେ ତମୋଗୁଣରେ ସ୍ଥିତ, ସେମାନେ ନିମ୍ନଗାମୀ ହୁଅନ୍ତି ।

ବିଜ୍ଞବ୍ୟକ୍ତିମାନେ ଯେତେବେଳେ ବୁଝିପାରନ୍ତି, ସମସ୍ତ କର୍ମର କର୍ତ୍ତା ତ୍ରିଗୁଣ ବ୍ୟତିତ ଅନ୍ୟ କେହି ନୁହଁନ୍ତି ଏବଂ ମୋତେ ତ୍ରିଗୁଣାତୀତ ଭାବରେ ଜାଣନ୍ତି, ସେମାନେ ମୋର ଦିବ୍ୟଗୁଣରେ ସମ୍ପନ୍ନ ହୁଅନ୍ତି ।

ଶରୀର ସହିତ ଜଡ଼ିତ, ଭୌତିକ ପ୍ରକୃତିର ତିନିଗୁଣକୁ ଅତିକ୍ରମ କରି, ବ୍ୟକ୍ତି ଜନ୍ମ, ବ୍ୟାଧି, ବାର୍ଦ୍ଧକ୍ୟ ଆଦି ଦୁଃଖରୁ ମୁକ୍ତ ହୋଇ ଅମରତ୍ୱ ପ୍ରାପ୍ତ କରେ ।

ଅର୍ଜୁନ ପ୍ରଶ୍ନ କଲେ: ହେ ପ୍ରଭୁ ! ଯେଉଁମାନେ ତ୍ରିଗୁଣ ଅତିକ୍ରମ କରିଛନ୍ତି, ସେମାନଙ୍କର ଲକ୍ଷଣ କ’ଣ ? ସେମାନେ ଗୁଣଗୁଡ଼ିକର ବନ୍ଧନରୁ ଊର୍ଦ୍ଧ୍ୱକୁ କିପରି ଗଲେ ?

ପରମ ପୁରୁଷ ଭଗବାନ କହିଲେ: ହେ ଅର୍ଜୁନ! ଯେଉଁମାନେ ତ୍ରିଗୁଣାତୀତ ହୋଇଛନ୍ତି, ସେମାନେ ଜ୍ଞାନର ପ୍ରକାଶ (ସତ୍ତ୍ୱରୁ ଜାତ), କର୍ମ (ରାଜସରୁ ଜାତ) ଏବଂ ଭ୍ରମ (ତାମସରୁ ଜାତ)ର ପ୍ରଭାବ ଅଧିକ ହେଲେ, ତାହାକୁ ଘୃଣା କରନ୍ତି ନାହିଁ କିମ୍ବା ସେଗୁଡ଼ିକର ଅଭାବରେ ତାଙ୍କ ପ୍ରତି ଲାଳାୟିତ ହୁଅନ୍ତି ନାହିଁ ।

ସୁଖ ଓ ଦୁଃଖରେ ଯେଉଁମାନେ ସମାନ ରହନ୍ତି; ଯେଉଁମାନେ ଆତ୍ମାରେ ସ୍ଥିତ; ଯେଉଁମାନେ ଏକ ମାଟି, ପଥର ଏବଂ ସୁବର୍ଣ୍ଣ ଖଣ୍ଡକୁ ସମାନ ମୂଲ୍ୟାଙ୍କନ କରନ୍ତି; ଯେଉଁମାନେ ସୁଖଦ ଏବଂ ଅପ୍ରୀତିକର ପରିସ୍ଥିତିରେ ସମଭାବ ରହନ୍ତି; ଯେଉଁମାନେ ବୁଦ୍ଧିମାନ, ଯେଉଁମାନେ ନିନ୍ଦା ଓ ପ୍ରଶଂସାକୁ ସମଭାବାପନ୍ନ ପୂର୍ବକ ଗ୍ରହଣ କରନ୍ତି; ଯେଉଁମାନେ ସମ୍ମାନ ଓ ଅସମ୍ମାନରେ ସମାନ ରହନ୍ତି; ଯିଏ ଉଭୟ ମିତ୍ର ଓ ଶତ୍ରୁଙ୍କୁ ସମାନ ରୂପରେ ବ୍ୟବହାର କରନ୍ତି ଏବଂ ଯେଉଁମାନେ ସମସ୍ତ ଉଦ୍ୟମ ପରିତ୍ୟାଗ କରିଥାଆନ୍ତି- ସେମାନଙ୍କୁ ତ୍ରିଗୁଣାତୀତ କୁହାଯିବ ।

ବିଶୁଦ୍ଧ ଭକ୍ତିରେ ଯେଉଁମାନେ ମୋର ସେବା କରନ୍ତି, ସେମାନେ ଭୌତିକ ପ୍ରକୃତିର ତ୍ରିଗୁଣରୁ ଊର୍ଦ୍ଧ୍ୱଗାମୀ ହୋଇ ବ୍ରହ୍ମ ସ୍ତରରେ ପହଞ୍ôଚଥାନ୍ତି ।

ମୁଁ ହିଁ ନିରାକାର ବ୍ରହ୍ମଙ୍କର ଆଧାର, ଅମର ଏବଂ ଅବିନଶ୍ୱର ଅଟେ; ନିତ୍ୟ ଧର୍ମଯୁକ୍ତ ଏବଂ ଅସୀମ ଦିବ୍ୟ ଆନନ୍ଦ ଅଟେ ।