Bhagavad Gita: Chapter 14, Verse 2

ଇଦଂ ଜ୍ଞାନମୁପାଶ୍ରିତ୍ୟ ମମ ସାଧର୍ମ୍ୟମାଗତାଃ ।
ସର୍ଗେଽପି ନୋପଜାୟନ୍ତେ ପ୍ରଳୟେ ନ ବ୍ୟଥନ୍ତି ଚ ।।୨।।

ଇଦଂ-ଏହି; ଜ୍ଞାନଂ-ଜ୍ଞାନ; ଉପାଶ୍ରିତ୍ୟ -ଆଶ୍ରୟ କରି; ମମ-ମୋର; ସାଧର୍ମ୍ୟଂ -ସମପ୍ରକୃତି; ଆଗତାଃ -ପ୍ରାପ୍ତ କରି; ସର୍ଗେ -ସୃଷ୍ଟି କାଳରେ; ଅପି -ମଧ୍ୟ; ନ ଉପଜାୟନ୍ତେ -ଜନ୍ମ ହୁଅନ୍ତି ନାହିଁ; ପ୍ରଳୟେ-ପ୍ରଳୟରେ; ନ ବ୍ୟଥନ୍ତି -ଦୁଃଖିତ ହୁଅନ୍ତି ନାହିଁ; ଚ-ଏବଂ ।

Translation

BG 14.2: ଯେଉଁମାନେ ଏହି ଜ୍ଞାନର ଆଶ୍ରିତ ହୁଅନ୍ତି, ସେମାନେ ମୋ ସହିତ ମିଳିତ ହୁଅନ୍ତି । ସେମାନଙ୍କର ସୃଷ୍ଟି ସମୟରେ ପୁର୍ନଜନ୍ମ କିମ୍ବା ପ୍ରଳୟ ସମୟରେ ବିଲୟ ହେବ ନାହିଁ ।

Commentary

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ଯେଉଁ ଜ୍ଞାନ ସେ ପ୍ରଦାନ କରିବାକୁ ଯାଉଛନ୍ତି, ସେହି ଜ୍ଞାନରେ ଯିଏ ନିଜକୁ ସଜ୍ଜିତ କରିନେବେ, ତାଙ୍କୁ ବାରମ୍ବାର ମାତୃଗର୍ଭରେ ଆବଦ୍ଧ ହେବାକୁ ପଡ଼ିବ ନାହିଁ । ମହାପ୍ରଳୟରେ, ସେ ଭଗବାନଙ୍କ ଗର୍ଭରେ ସୁପ୍ତ ଅବସ୍ଥାରେ ପଡ଼ି ରହିବେ ନାହିଁ, କିମ୍ବା ପରବର୍ତ୍ତୀ ସୃଷ୍ଟି ସମୟରେ ତାଙ୍କୁ ପୁର୍ନଜନ୍ମ ନେବାକୁ ପଡ଼ିବ ନାହିଁ । ବାସ୍ତବରେ, ଏହି ତ୍ରିଗୁଣ (ଭୌତିକ ପ୍ରକୃତିର ଗୁଣ) ସମସ୍ତ ବନ୍ଧନର କାରଣ ଅଟନ୍ତି, ଏବଂ ସେମାନଙ୍କ ବିଷୟରେ ଜ୍ଞାନ ବନ୍ଧନରୁ ମୁ୍‌କ୍ତ ହେବାର ପଥକୁ ଆଲୋକିତ କରିଥାଏ ।

ନିଜ ଶିଷ୍ୟଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଆକର୍ଷଣ କରିବା ପାଇଁ, ଶ୍ରୀକୃଷ୍ଣ ଯେଉଁ ଉପଦେଶ ଦେବାକୁ ଯାଉଛନ୍ତି ତା’ ସହିତ ତା’ର ଫଳ ମଧ୍ୟ ଘୋଷଣା କରୁଛନ୍ତି । ନ ବ୍ୟଥନ୍ତି ଶବ୍ଦର ଅର୍ଥ “ସେମାନେ କଷ୍ଟ ଅନୁଭବ କରିବେ ନାହିଁ ।” ସଧର୍ମ୍ୟମ୍ ଶବ୍ଦର ଅର୍ଥ ସେମାନେ “ଭଗବାନଙ୍କ ପରି ଦିବ୍ୟ ଗୁଣ” ପ୍ରାପ୍ତ କରିବେ । ଆତ୍ମା ଯେତେବେଳେ ମାୟା ଶକ୍ତିର ବନ୍ଧନରୁ ମୁକ୍ତ ହୁଏ, ଏହା ଭଗବାନଙ୍କ ଦିବ୍ୟ ଶକ୍ତି ଯୋଗମାୟାଙ୍କ ସାମ୍ରାଜ୍ୟର ଅଧୀନକୁ ଆସିଯାଏ । ଏହି ଦିବ୍ୟ ଶକ୍ତି ଭଗବାନଙ୍କର ଦିବ୍ୟ ଜ୍ଞାନ, ପ୍ରେମ ଏବଂ ଆନନ୍ଦଯୁକ୍ତ ଅଟେ । ଫଳସ୍ୱରୂପ, ଜୀବ ମଧ୍ୟ ଭଗବାନଙ୍କ ପରି ହୋଇଯାଏ, ଅର୍ଥାତ୍ ସେ ଦିବ୍ୟ ଭଗବଦୀୟ ଗୁଣ ପ୍ରାପ୍ତ କରେ ।