Bhagavad Gita: Chapter 14, Verse 16

କର୍ମଣଃ ସୁକୃତସ୍ୟାହୁଃ ସାତ୍ତ୍ୱିକଂ ନିର୍ମଳଂ ଫଳମ୍ ।
ରଜସସ୍ତୁ ଫଳଂ ଦୁଃଖମଜ୍ଞାନଂ ତମସଃ ଫଳମ୍ ।।୧୬।।

କର୍ମଣଃ- କର୍ମର; ସୁକୃତସ୍ୟ- ଶୁଦ୍ଧ; ଆହୁଃ-କୁହାଯାଏ; ସାତ୍ତ୍ୱିକଂ- ସାତ୍ତ୍ୱିକ; ନିର୍ମଳଂ-ନିର୍ମଳ; ଫଳଂ-ଫଳ; ରଜସଃ-ରଜୋଗୁଣର; ତୁ- କିନ୍ତୁ; ଫଳଂ-ଫଳ; ଦୁଃଖଂ- ଦୁଃଖ; ଅଜ୍ଞାନଂ-ଅଜ୍ଞାନ; ତମସଃ-ତମୋଗୁଣର ; ଫଳମ୍‌-ଫଳ ।

Translation

BG 14.16: ଏହା କୁହାଯାଇଥାଏ ଯେ ସତ୍ତ୍ୱଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଶୁଦ୍ଧ ଫଳ ପ୍ରଦାନକାରୀ ହୋଇଥାଏ । ରଜୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଯାତନା ଦେଇଥାଏ ଏବଂ ତମୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମର ଫଳ ଅନ୍ଧକାର ହୋଇଥାଏ ।

Commentary

ସତ୍ତ୍ୱଗୁଣ ଦ୍ୱାରା ପ୍ରଭାବିତ ବ୍ୟକ୍ତି ଶୁଦ୍ଧତା, ସଦ୍‌ଗୁଣ, ଜ୍ଞାନ ଏବଂ ନିଃସ୍ୱାର୍ଥପରତା ଆଦି ଗୁଣ ଦ୍ୱାରା ଭୂଷିତ ହୋଇଥାନ୍ତି । ସୁତରାଂ, ସେମାନଙ୍କ କର୍ମର ଅଭିପ୍ରାୟ ପ୍ରାୟତଃ ମହତ୍ ରହିଥାଏ, ଅତଏବ ତା’ର ଫଳ କଲ୍ୟାଣକାରୀ ଏବଂ ସନ୍ତୋଷଜନକ ହୋଇଥାଏ । ରଜୋଗୁଣ ଦ୍ୱାରା ପ୍ରଭାବିତ ବ୍ୟକ୍ତି  ଇନ୍ଦ୍ରିୟ ଓ ମନର କାମନା ଦ୍ୱାରା ଅଶାନ୍ତ ରହିଥା’ନ୍ତି । ସେମାନଙ୍କର ସମସ୍ତ କର୍ମର ପୃଷ୍ଠଦେଶରେ ନିଜର ତଥା ପରିବାର ସଦସ୍ୟଙ୍କର ଆତ୍ମୋନ୍ନତି ଏବଂ ଆତ୍ମ-ସନ୍ତୁଷ୍ଟିର ଉଦ୍ଦେଶ୍ୟ ଥାଏ । ତେଣୁ ସେମାନଙ୍କର କର୍ମ ଇନ୍ଦ୍ରିୟ ସୁଖ ଉପଭୋଗ କରାଇଥାଏ, ଯାହା ଇନ୍ଦ୍ରିୟ କାମନାକୁ ଇନ୍ଧନ ଯୋଗାଇ ଅଧିକ ପ୍ରଜ୍ୱଳିତ କରିଥାଏ । ତମୋଗୁଣ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କର ଶାସ୍ତ୍ରର ନିର୍ଦ୍ଦେଶ ଏବଂ ଆଚରଣ ନିୟମ ପ୍ରତି କୌଣସି ସମ୍ମାନ ନ ଥାଏ । ସେମାନେ ପାପଯୁକ୍ତ କର୍ମରେ ଲିପ୍ତ ରହି ମିଥ୍ୟା ସୁଖ ଉପଭୋଗରେ ବ୍ୟସ୍ତ ରହନ୍ତି, ଯାହା ସେମାନଙ୍କୁ ଅଧିକରୁ ଅଧିକ ଭ୍ରମିତ କରିଥାଏ ।