Bhagavad Gita: Chapter 14, Verse 26

ମାଂ ଚ ଯୋଽବ୍ୟଭିଚାରେଣ ଭକ୍ତିଯୋଗେନ ସେବତେ ।
ସ ଗୁଣାନ୍‌ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ ।।୨୬।।

ମାଂ-ମୋତେ; ଚ-କେବଳ; ଯଃ-ଯିଏ; ଅବ୍ୟଭିଚାରେଣ- ବିଶୁଦ୍ଧ; ଭକ୍ତିଯୋଗେନ-ଭକ୍ତିଯୋଗରେ; ସେବତେ-ସେବାକରେ; ସଃ-ସେ; ଗୁଣାନ୍‌- ଭୂତ ପ୍ରକୃତିର ତ୍ରିଗୁଣକୁ; ସମତୀତ୍ୟ- ଅତିକ୍ରମ କରି; ଏତାନ୍‌-ଏସବୁ; ବ୍ରହ୍ମଭୂୟାୟ- ବ୍ରହ୍ମଭୂତ ସ୍ତରକୁ; କଳ୍ପତେ- ଆସିଥାଏ ।

Translation

BG 14.26: ବିଶୁଦ୍ଧ ଭକ୍ତିରେ ଯେଉଁମାନେ ମୋର ସେବା କରନ୍ତି, ସେମାନେ ଭୌତିକ ପ୍ରକୃତିର ତ୍ରିଗୁଣରୁ ଊର୍ଦ୍ଧ୍ୱଗାମୀ ହୋଇ ବ୍ରହ୍ମ ସ୍ତରରେ ପହଞ୍ôଚଥାନ୍ତି ।

Commentary

ତ୍ରିଗୁଣାତୀତ ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତ୍ରିଗୁଣକୁ ଅତିକ୍ରମ କରିବାର ଏକମାତ୍ର ପନ୍ଥା ବିଷୟରେ ଆଲୋକପାତ କରୁଛନ୍ତି । ଉପରୋକ୍ତ ଶ୍ଳୋକଟି ସୂଚିତ କରୁଛି ଯେ କେବଳ ଆତ୍ମଜ୍ଞାନ କିମ୍ବା ଆତ୍ମାର ଶରୀରଠାରୁ ପୃଥକତା ବିଷୟରେ ଜାଣିବା ଯଥେଷ୍ଟ ନୁହେଁ । ଭକ୍ତିଯୋଗ ଦ୍ୱାରା ମନକୁ ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ଠାରେ କେନ୍ଦ୍ରିତ କରିବା ପରମାବଶ୍ୟକ ଅଟେ । ତେବେ ଯାଇଁ ମନ ଶ୍ରୀକୃଷ୍ଣଙ୍କ ପରି ନିର୍ଗୁଣ ହେବ ।

ଅନେକ ବ୍ୟକ୍ତି ଏପରି ମତ ବ୍ୟକ୍ତ କରନ୍ତି ଯେ ଭଗବାନଙ୍କ ସାକାର ରୂପରେ ମନକୁ କେନ୍ଦ୍ରିତ କଲେ, ଏହା ଦିବ୍ୟ ସୋପାନକୁ ଉନ୍ନୀତ ହୋଇପାରିବ ନାହିଁ । କେବଳ ଯେତେବେଳେ ଏହା ନିରାକାର ବ୍ରହ୍ମଙ୍କ ଠାରେ କେନ୍ଦ୍ରିତ ଥାଏ, ସେତେବେଳେ ହିଁ ମନ ଭୌତିକ ପ୍ରକୃତିର ଗୁଣ ସବୁକୁ ଅତିକ୍ରମ କରିବ । କିନ୍ତୁ ଏହି ଶ୍ଳୋକ ଏପରି ମତକୁ ଖଣ୍ଡନ କରିଛି । ଯଦିଓ ଭଗବାନଙ୍କର ସାକାର ରୂପ ଅନନ୍ତ ଗୁଣ ଧାରଣ କରିଥାଏ, ସେସବୁ ଦିବ୍ୟ ଏବଂ ତ୍ରିଗୁଣାତୀତ ଅଟନ୍ତି । ତେଣୁ ଭଗବାନଙ୍କର ସାକାର ରୂପ ମଧ୍ୟ ନିର୍ଗୁଣ ଅଟେ । ମହର୍ଷି ବେଦବ୍ୟାସ ଭଗବାନଙ୍କର ସାକାର ରୂପ କିପରି ନିର୍ଗୁଣ ତାହା ବର୍ଣ୍ଣନା କରିଛନ୍ତି ।

ଯସ୍ତୁ ନିର୍ଗୁଣ ଇତ୍ୟୁକ୍ତଃ ଶାସ୍ତ୍ରେଷୁ ଜଗଦୀଶ୍ୱରଃ
ପ୍ରାକୃତୈର୍ହେୟ ସଂଯୁକ୍ତୈର୍ଗୁଣୈର୍ହୀନତ୍ୱମୁଚ୍ୟତେ । (ପଦ୍ମପୁରାଣ)

“ଶାସ୍ତ୍ରମାନେ ଯେଉଁଠାରେ ବି ଭଗବାନଙ୍କୁ ନିର୍ଗୁଣ କହିଛନ୍ତି, ସେମାନେ ତାଙ୍କୁ ମାୟିକ ଗୁଣରହିତ ଅର୍ଥରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱ ଗୁଣରହିତ ନୁହେଁ - ସେ ଅନନ୍ତ ଦିବ୍ୟଗୁଣ ଧାରଣ କରନ୍ତି ।”

ଶ୍ଳୋକଟି ଧ୍ୟାନର ଉପଯୁକ୍ତ ବସ୍ତୁକୁ ପ୍ରକାଶିତ କରିଛି । ଅତୀନ୍ଦ୍ରିୟ ଚିନ୍ତନର ଅର୍ଥ ଏହା ନୁହେଁ ଯେ ଶୂନ୍ୟର ଧ୍ୟାନ କରିବା । ଭଗବାନ ଅତୀନ୍ଦ୍ରିୟ ତତ୍ତ୍ୱ ଅଟନ୍ତି । ତେଣୁ କେବଳ ଭଗବାନଙ୍କର ଧ୍ୟାନକୁ ହିଁ ଅତୀନ୍ଦ୍ରିୟ ଧ୍ୟାନ କୁହାଯିବ ।