Bhagavad Gita: Chapter 15, Verse 7

ମମୈବାଂଶୋ ଜୀବଲୋକେ ଜୀବଭୂତଃ ସନାତନଃ ।
ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି ।।୭।।

ମମ- ମୋର; ଏବ-ନିଶ୍ଚିତଭାବେ; ଅଂଶଃ- ଅଂଶବିଶେଷ; ଜୀବଲୋକେ- ମାୟିକ ଜଗତର; ଜୀବଭୂତଃ - ବଦ୍ଧଜୀବଗଣ; ସନାତନଃ -ଶାଶ୍ୱତ; ମନଃ-ମନ; ଷଷ୍ଠାନି- ଛଅଟି; ଇନ୍ଦ୍ରିୟାଣି -ଇନ୍ଦ୍ରିୟ; ପ୍ରକୃତି-ସ୍ଥାନି- ମାୟାଧୀନ ହୋଇ; କର୍ଷତି- କଠିନ ସଂଗ୍ରାମ କରୁଛି ।

Translation

BG 15.7: ଏହି ମାୟିକ ଜଗତର ଦେହଧାରୀ ଆତ୍ମା ମୋର ଚିରନ୍ତନ କ୍ଷୁଦ୍ର ଅଂଶ ଅଟନ୍ତି, କିନ୍ତୁ ଭୌତିକ ପ୍ରକୃତିର କବଳିତ ହୋଇ, ସେମାନେ ମନ ସହିତ ଛଅଟି ଇନ୍ଦ୍ରିୟଙ୍କୁ ନେଇ ସଂଘର୍ଷରତ ରହିଛନ୍ତି ।

Commentary

ଶ୍ରୀକୃଷ୍ଣ ପୂର୍ବରୁ ସୂଚନା ଦେଇଥିଲେ ଯେ ଯେଉଁ ଜୀବ ତାଙ୍କ ଲୋକକୁ ଯାଆନ୍ତି, ସେମାନେ ଆଉ ଫେରି ଆସନ୍ତି ନାହିଁ । ବର୍ତ୍ତମାନ ସଂସାରରେ ଥିବା ଜୀବାତ୍ମାମାନଙ୍କ ବିଷୟରେ କହୁଛନ୍ତି । ପ୍ରଥମେ ସେ ଆଶ୍ୱାସନା ଦେଉଛନ୍ତି ଯେ ସେମାନେ ମଧ୍ୟ ତାଙ୍କର କ୍ଷୁଦ୍ର ଅଂଶ ଅଟନ୍ତି ।

ଆସନ୍ତୁ ଭଗବାନଙ୍କର କେତେ ପ୍ରକାରର ଅଂଶ ଅଛନ୍ତି, ତାହା ବୁଝିବା । ସେଗୁଡିକ ଦୁଇ ପ୍ରକାରର :

୧.ସ୍ୱାଂଶ - ଏ ସମସ୍ତେ ଭଗବାନଙ୍କର ଅବତାର, ଯେପରିକି ରାମ, ନୃସିଂହ, ବରାହ ଇତ୍ୟାଦି । ସେମାନେ ଶ୍ରୀକୃଷ୍ଣଙ୍କଠାରୁ ଅଭିନ୍ନ । ତେଣୁ ସେମାନଙ୍କୁ ସ୍ୱାଂଶ କୁହାଯାଏ, ଅର୍ଥାତ୍ ଅନ୍ତରଙ୍ଗ ଅଂଶ ।

୨. ବିଭିନ୍ନାଂଶ - ଏମାନେ ଭଗବାନଙ୍କର ବିଚ୍ଛିନ୍ନ ଅଂଶ ଅଟନ୍ତି । ସେମାନେ ପ୍ରତ୍ୟକ୍ଷ ଭାବେ ଭଗବାନଙ୍କର ଅଂଶ ନୁହନ୍ତି, ବରଂ ସେମାନେ ତାଙ୍କ (ଜୀବଶକ୍ତିର) ଅଂଶ ଅଟନ୍ତି । ସୃଷ୍ଟିର ସମସ୍ତ ଜୀବ ଏହି ଗୋଷ୍ଠିର ଅନ୍ତର୍ଭୁକ୍ତ । ଶ୍ଲୋକ ୭.୫ରେ ଶ୍ରୀକୃଷ୍ଣ ଏହା ବ୍ୟକ୍ତ କରିଥିଲେ । “ହେ ଅର୍ଜୁନ! ମାୟାଶକ୍ତିର ଊର୍ଦ୍ଧ୍ୱରେ, ମୋର ଏକ ଉଚ୍ଚତର ଶକ୍ତି ରହିଛି । ଏହି ଶକ୍ତିର ଅନ୍ତର୍ଭୁକ୍ତ ସମସ୍ତ ଦେହଧାରୀ ଜୀବ ଅଟନ୍ତି, ଯେଉଁମାନେ ସଂସାରରେ ଜୀବନର ଆଧାର ଅଟନ୍ତି ।”

ପୁନଶ୍ଚ, ବିଭିନ୍ନାଂଶ ଜୀବମାନେ ମଧ୍ୟ ତିନି ପ୍ରକାରର ଅଟନ୍ତି:

୧. ନିତ୍ୟ ସିଦ୍ଧ - ଏହି ଜୀବମାନେ ନିତ୍ୟ ବିମୁକ୍ତ ଅଟନ୍ତି । ଏମାନେ ଦିବ୍ୟଲୋକରେ ଅନାଦି କାଳରୁ ଅଛନ୍ତି ଏବଂ ଭଗବାନଙ୍କ ଦିବ୍ୟ ଲୀଳାରେ ଭାଗ ନିଅନ୍ତି ।

୨. ସାଧନ-ସିଦ୍ଧ - ଏହିପରି ଜୀବମାନେ ପୂର୍ବରୁ ମାୟିକ ଜଗତରେ ଥିଲେ, କିନ୍ତୁ ସାଧନା କରି ସେମାନେ ଭଗବତ୍ ପ୍ରାପ୍ତି କରିଛନ୍ତି । ବର୍ତ୍ତମାନ ସେମାନେ ଦିବ୍ୟଲୋକରେ ବାସ କରି ଭଗବାନଙ୍କ ଲୀଳାରେ ଚିରଦିନ ପାଇଁ ଅଂଶଗ୍ରହଣ କରୁଛନ୍ତି ।

୩. ନିତ୍ୟବଦ୍ଧ - ଏହି ଜୀବମାନେ ଅନାଦି କାଳରୁ ମାୟିକ ଜଗତରେ ରହିଛନ୍ତି । ସେମାନେ ପାଞ୍ଚ ଇନ୍ଦ୍ରିୟ ଏବଂ ମନକୁ ନେଇ ସଂଘର୍ଷରତ ରହିଛନ୍ତି ।

କଠୋପନିଷଦ କହେ:

ପରାଞ୍ôଚ ଖାନି ବ୍ୟତୃଣତ୍ ସ୍ୱୟଂଭୂ (୨.୧.୨)

“ସୃଷ୍ଟିକର୍ତ୍ତା ବ୍ରହ୍ମା, ଇନ୍ଦ୍ରିୟଗୁଡ଼ିକୁ ଏପରି ନିର୍ମିତ କରିଛନ୍ତି ଯେ, ସେଗୁଡ଼ିକ ବହିର୍ମୁଖୀ ହୋଇ ସଂସାରାଭିମୁଖୀ ହୋଇଛନ୍ତି ।” ଏହି ବିଭିନ୍ନାଂଶ ନିତ୍ୟ ବଦ୍ଧମାନଙ୍କୁ ଲକ୍ଷ୍ୟକରି ଶ୍ରୀକୃଷ୍ଣ କହୁଛନ୍ତି ଯେ ସେମାନେ ମନ ଓ ଇନ୍ଦ୍ରିୟମାନଙ୍କର ତୃପ୍ତି ପାଇଁ ସଂଘର୍ଷରତ ରହିଛନ୍ତି ଏବଂ ପ୍ରତିବଦଳରେ କଷ୍ଟଭୋଗ କରୁଛନ୍ତି । ପରବର୍ତ୍ତୀ ଶ୍ଲୋକରେ, ସେ ମୃତ୍ୟୁପରେ ଆତ୍ମା ଅନ୍ୟ ଏକ ଶରୀରକୁ ସ୍ଥାନାନ୍ତରିତ ହେଲାବେଳେ ଇନ୍ଦ୍ରିୟ ଓ ମନର କ’ଣ ଗତି ହୁଏ, ତାହା ସ୍ପଷ୍ଟ କରିଛନ୍ତି ।