Bhagavad Gita: Chapter 12, Verse 11

ଅଥୈତଦପ୍ୟଶକ୍ତୋଽସି କର୍ତୁଂ ମଦ୍ୟୋଗମାଶ୍ରିତଃ ।
ସର୍ବକର୍ମଫଳତ୍ୟାଗଂ ତତଃ କୁରୁ ଯତାତ୍ମବାନ୍ ।।୧୧।।

ଅଥ - ଯଦି; ଏତତ୍ - ଏହା; ଅପି-ମଧ୍ୟ; ଅଶକ୍ତଃ - ଅକ୍ଷମ; ଅସି -ତୁମେ ଅଟ; କର୍ତୁଂ -କରିବାକୁ; ମତ୍ -ମୋ’ପାଇଁ; ଯୋଗଂ -ଭକ୍ତିରେ; ଆଶ୍ରିତଃ - ଆଶ୍ରୟ ଗ୍ରହଣକରି; ସର୍ବ-କର୍ମ -ସମସ୍ତ କର୍ମ; ଫଳ-ତ୍ୟାଗଂ -ଫଳ ତ୍ୟାଗକରି; ତତଃ -ତେଣୁ; କୁରୁ -କର; ଯତ -ଆତ୍ମବାନ୍ - ଆତ୍ମାରେ ସ୍ଥିତ ରହି ।

Translation

BG 12.11: ଯଦି ତୁମେ ଭକ୍ତିର ସହିତ କର୍ମ କରିବାକୁ ମଧ୍ୟ ଅକ୍ଷମ, ତେବେ କର୍ମଫଳ ତ୍ୟାଗ କରିବାକୁ ଚେଷ୍ଟା କର ଏବଂ ଆତ୍ମାରେ ସ୍ଥିତ ହୁଅ ।

Commentary

ଶ୍ଲୋକ ୧୨.୮ରୁ ଆରମ୍ଭ କରି, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କଲ୍ୟାଣର ତିନୋଟି ଉପାୟ ନିର୍ଦ୍ଦେଶ କରିଛନ୍ତି । ତୃତୀୟ ଉପାୟରେ ସେ ସମସ୍ତ କର୍ମ ତାଙ୍କ ଉଦ୍ଦେଶ୍ୟରେ କରିବା ପାଇଁ ଅର୍ଜୁନଙ୍କୁ କହିଛନ୍ତି । କିନ୍ତୁ ସେଥିପାଇଁ ମଧ୍ୟ ଏକ ଶୁଦ୍ଧ ଏବଂ ଦୃଢ଼ସଂକଳ୍ପ ବୁଦ୍ଧିର ଆବଶ୍ୟକତା ରହିଛି । ଯେଉଁମାନେ ଏ ପର୍ଯ୍ୟନ୍ତ ଭଗବାନଙ୍କ ସହିତ ନିଜର ସମ୍ବନ୍ଧ ବିଷୟରେ ଅବଗତ ନୁହଁନ୍ତି ଏବଂ ଭଗବତ୍ ପ୍ରାପ୍ତିକୁ ଜୀବନର ଲକ୍ଷ୍ୟ ଭାବରେ ଗ୍ରହଣ କରିପାରି ନାହାଁନ୍ତି, ସେମାନଙ୍କ ପକ୍ଷରେ ଭଗବାନଙ୍କ ନିମନ୍ତେ କାର୍ଯ୍ୟ କରିବା ଅସମ୍ଭବ ହୋଇଥାଏ । ତେଣୁ ଶ୍ରୀକୃଷ୍ଣ ଚତୁର୍ଥ ବିକଳ୍ପ ଦେଇଛନ୍ତି । ସେ କହୁଛନ୍ତି, “ଅର୍ଜୁନ, ପୂର୍ବପରି ତୁମର କର୍ତ୍ତବ୍ୟ କରିଚାଲ, କିନ୍ତୁ କର୍ମଫଳ ଠାରୁ ନିଜକୁ ମୁକ୍ତ ରଖ ।” ଏହି ଅନାସକ୍ତି ମନକୁ ଶୁଦ୍ଧ କରି ତମୋଗୁଣ ଓ ରଜୋଗୁଣର ପ୍ରଭାବରୁ ମୁକ୍ତ କରିଥାଏ ଏବଂ ସତ୍ତ୍ୱଗୁଣରେ ଅବସ୍ଥାପିତ କରିଥାଏ । ଏହିପରି ଭାବରେ, କର୍ମଫଳ ତ୍ୟାଗ ମନର ଭୌତିକତାକୁ ଦୂର କରି ବୁଦ୍ଧିକୁ ସୁଦୃଢ଼ କରିବ । ତାପରେ, ଆମର ଶୁଦ୍ଧ ବୁଦ୍ଧି ଅତି ସହଜରେ ଦିବ୍ୟ ଜ୍ଞାନ ହୃଦୟଙ୍ଗମ କରିପାରିବ ଏବଂ ଆମେ ସାଧନାର ଉଚ୍ଚତର ସ୍ତରକୁ ଯିବାକୁ ସକ୍ଷମ ହେବା ।