Bhagavad Gita: Chapter 12, Verse 5

କ୍ଲେଶୋଽଧିକତରସ୍ତେଷାମବ୍ୟକ୍ତାସକ୍ତଚେତସାମ୍ ।
ଅବ୍ୟକ୍ତା ହି ଗତିର୍ଦୁଃଖଂ ଦେହବଦ୍‌ଭିରବାପ୍ୟତେ ।।୫।।

କ୍ଲେଶ- ଦୁଃଖ, କଷ୍ଟ; ଅଧିକତରଃ - ଅତ୍ୟଧିକ; ତେଷାଂ - ସେମାନଙ୍କ ପକ୍ଷରେ; ଅବ୍ୟକ୍ତ - ଅବ୍ୟକ୍ତ; ଆସକ୍ତ- ଆସକ୍ତ; ଚେତସାମ୍‌- ଯେଉଁମାନଙ୍କର ମନ; ଅବ୍ୟକ୍ତା - ଅବ୍ୟକ୍ତ; ହି- ନିଶ୍ଚିତଭାବେ;ଗତିଃ -ମାର୍ଗ;ଦୁଃଖଂ - କଷ୍ଟକର; ଦେହବଦ୍ଭିଃ - ଦେହଧାରୀମାନଙ୍କର; ଅବାପ୍ୟତେ - ପ୍ରାପ୍ତ ହୁଅନ୍ତି ।

Translation

BG 12.5: ମୋର ଅବ୍ୟକ୍ତ ସ୍ୱରୂପରେ ଯେଉଁମାନଙ୍କର ମନ ଆସକ୍ତ, ସେମାନଙ୍କ ପାଇଁ ଭଗବତ୍ ପ୍ରାପ୍ତିର ପଥ ଅତ୍ୟନ୍ତ କ୍ଳେଶପୂର୍ଣ୍ଣ ଅଟେ । ଅବ୍ୟକ୍ତ ବ୍ରହ୍ମଙ୍କର ଉପାସନା ଶରୀରଧାରୀ ଜୀବଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥାଏ ।

Commentary

ତାଙ୍କର ବିଭିନ୍ନ ସ୍ୱରୂପର ସାଧକମାନଙ୍କୁ ଏକୀକୃତ କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କ ସାକାର ସ୍ୱରୂପର ଉପାସକମାନଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରୁଛନ୍ତି । ସେ ସାବଧାନ କରାଇ ଦେଉଛନ୍ତି ଯେ ନିରାକାର ବ୍ରହ୍ମଙ୍କର ଉପାସନା ଅତ୍ୟନ୍ତ କଷ୍ଟକର ଏବଂ କ୍ଳେଶଦାୟକ   ଅଟେ ।

ନିରାକାର ବ୍ରହ୍ମଙ୍କ ଉପାସନା କାହିଁକି ଏତେ କଷ୍ଟକର? ଏହାର ପ୍ରଥମ ଓ ସର୍ବାଧିକ ମହତ୍ୱପୂର୍ଣ୍ଣ କାରଣ ଏହା ଯେ ମନୁଷ୍ୟ ଭାବରେ ଆମ ସମସ୍ତଙ୍କର ସାକାର ରୂପ ରହିଛି ଏବଂ ଅନନ୍ତ ଜନ୍ମରେ ଆମେ ସାକାର ରୂପଧାରୀଙ୍କ ସହିତ ସମ୍ବନ୍ଧିତ ହେବାରେ ଅଭ୍ୟସ୍ତ ଅଟେ । ତେଣୁ ଭଗବାନଙ୍କୁ ପ୍ରେମ କରିବାକୁ ଯାଇ ଆମ ମନକୁ ଯଦି ଧ୍ୟାନ କରିବା ପାଇଁ ଏକ ଚମତ୍କାର ଓ ମଧୁର ରୂପ ମିଳିଯାଏ, ତେବେ ମନ ଅତି ସହଜରେ ସେଥିରେ ଲାଗିଯାଏ ଏବଂ ଆସକ୍ତ ହୋଇଯାଏ । କିନ୍ତୁ ନିରାକାର କ୍ଷେତ୍ରରେ, ବୁଦ୍ଧି ତାହାକୁ ଧାରଣ କରିପାରେ ନାହିଁ ଏବଂ ମନ ଓ ଇନ୍ଦ୍ରିୟମାନଙ୍କୁ ଧ୍ୟାନ କରିବା ପାଇଁ ଏକ ସ୍ଥାୟୀ ଆଧାର ମିଳେ ନାହିଁ । ସୁତରାଂ, ନିରାକାରର ଧ୍ୟାନ କରିବା ଏବଂ ମନକୁ ସେଥିରେ ଆସକ୍ତ କରିବା ଉଭୟ କଠିନ ଅଟେ ।

ବ୍ରହ୍ମଙ୍କର ଉପାସନା ଭଗବାନଙ୍କ ଉପାସନା ଅପେକ୍ଷା କଷ୍ଟକର କାହିଁକି, ତାହାର ଅନ୍ୟ ଏକ କାରଣ ରହିଛି । ଏହି ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ, ମର୍କତ-କିଶୋର-ନ୍ୟାୟ (ମାଙ୍କଡ଼ ଶିଶୁ ତର୍କ), ଏବଂ ମାର୍ଜାର-କିଶୋର-ନ୍ୟାୟ (ବିରାଡ଼ି ଶିଶୁ ତର୍କ) ମାଧ୍ୟମରେ ବୁଝିହେବ । ମାଙ୍କଡ଼ ଛୁଆ ତା’ ମା’ର ପେଟକୁ ନିଜେ ଜାବୋଡ଼ି ଧରି ରଖିଥାଏ, ମା’ ସେଥିରେ କିଛି ସାହାଯ୍ୟ କରେନାହିଁ । ମା’ ଯେତେବେଳେ ଗଛର ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ଡ଼େଇଁଥାଏ, ଛୁଆଟି ତା’ର ପେଟକୁ ଜୋରରେ ଜାବୋଡି ଧରିଥାଏ । କେତେବେଳେ ଯଦି ଛୁଆର ହାତ ଢିଲା ହୋଇଯାଏ, ତେବେ ସେ ତଳକୁ ଖସିପଡି ମୃତ୍ୟୁ ବରଣ କରିଥାଏ । ଅନ୍ୟ ପକ୍ଷରେ, ବିରାଡ଼ି ଶିଶୁଟି ଅତ୍ୟନ୍ତ ଛୋଟ ଓ କୋମଳ ହେଇଥାଏ, ମା’ ପାଟି ଦ୍ୱାରା ତାକୁ ଗଳା ପଛରୁ ଉଠାଇ ଏଣେ-ତେଣେ ନେବା ଆଣିବା କରିଥାଏ । ଏହି ଉପମାରେ ନିରାକାର ଉପାସକଙ୍କୁ ମାଙ୍କଡ଼ ଶିଶୁ ସହିତ ଏବଂ ସାକାର ଉପାସକଙ୍କୁ ବିରାଡ଼ି ଶିଶୁ ସହିତ ତୁଳନା କରାଯାଇପାରେ । ଯେଉଁମାନେ ନିରାକାର ବ୍ରହ୍ମଙ୍କର ଉପାସନା କରନ୍ତି, ସେହି ପଥରେ ଅଗ୍ରସର ହେବାର ଦାୟିତ୍ୱ ତାଙ୍କ ନିଜର ଅଟେ, କାରଣ ବ୍ରହ୍ମ ତାଙ୍କ ଉପରେ କୃପା କରନ୍ତି ନାହିଁ । ବ୍ରହ୍ମ କେବଳ ନିରାକାର ନୁହନ୍ତି, ସେ ଗୁଣରହିତ ମଧ୍ୟ ଅଟନ୍ତି । ତାଙ୍କୁ ନିର୍ଗୁଣ, (ଗୁଣ ରହିତ), ନିର୍ବିଶେଷ (ସ୍ଥିତି ରହିତ) ଏବଂ ନିରାକାର (ରୂପ ରହିତ) ଭାବରେ ବର୍ଣ୍ଣନା କରାଯାଇଥାଏ । ଏଥିରୁ ଜଣାପଡେ, ବ୍ରହ୍ମ କୃପାଶକ୍ତି ପ୍ରକଟ କରନ୍ତି ନାହିଁ । ଅତଏବ, ନିର୍ଗୁଣ, ନିରାକାର, ନିର୍ବିଶେଷ ରୂପରେ ଭଗବାନଙ୍କର ଉପାସନା କରୁଥିବା ଜ୍ଞାନୀମାନଙ୍କୁ, ନିଜର ଉତ୍‌ଥାନ ପାଇଁ ନିଜେ ଉଦ୍ୟମ କରିବାକୁ ପଡ଼ିଥାଏ । ଅନ୍ୟପକ୍ଷରେ, ସାକାର ସ୍ୱରୂପରେ ଭଗବାନ ଅନୁକମ୍ପା ଓ କରୁଣାର ସାଗର ଅଟନ୍ତି । ତେଣୁ ସାକାର ରୂପର ଉପାସକମାନେ ସେମାନଙ୍କର ସାଧନା ପଥରେ ଦିବ୍ୟ ସହାୟତା ପାଇଥାନ୍ତି । ଭଗବାନ ତାଙ୍କର ଭକ୍ତଙ୍କୁ ଯେଉଁ ସୁରକ୍ଷା ପ୍ରଦାନ କରିଥାଆନ୍ତି, ତାହାକୁ ଆଧାର କରି, ଶ୍ଲୋକ ୯.୩୧ରେ ଶ୍ରୀକୃଷ୍ଣ କହୁଛନ୍ତି : “ହେ କୁନ୍ତି ପୁତ୍ର! ମୁଁ ଦୃଢ଼ ସ୍ୱରରେ ଏହା ଘୋଷଣା କରୁଛି ଯେ ମୋର ଭକ୍ତମାନଙ୍କର କେବେ ପତନ ହୁଏ ନାହିଁ ।” ଏହାର ଦୃଢୀକରଣ ସେ ପରବର୍ତ୍ତୀ ଦୁଇଟି ଶ୍ଲୋକରେ କରିଛନ୍ତି ।