Bhagavad Gita: Chapter 12, Verse 15

ଯସ୍ମାନ୍ନୋଦ୍ୱିଜତେ ଲୋକୋ ଲୋକାନ୍ନୋଦ୍ୱିଜତେ ଚ ଯଃ ।
ହର୍ଷାମର୍ଷଭୟୋଦ୍‌ବେଗୈର୍ମୁକ୍ତୋ ଯଃ ସ ଚ ମେ ପ୍ରିୟଃ ।।୧୫।।

ଯସ୍ମାତ୍ - ଯାହାଙ୍କଠାରୁ; ନ-ନୁହେଁ; ଉଦ୍ୱିଜତେ - ଉଦ୍‌ବିଗ୍ନତା ପ୍ରାପ୍ତ ହୁଏ; ଲୋକଃ- ଲୋକମାନେ; ଲୋକାତ୍ - ଲୋକଙ୍କ ଠାରୁ; ନ-ନୁହେଁ; ଉଦ୍ୱିଜତେ - ବ୍ୟଥିତ; ଚ -ଏବଂ; ଯଃ - ଯିଏ; ହର୍ଷ -ହର୍ଷ ; ଅମର୍ଷ -ବିଷାଦ; ଭୟ-ଭୟ; ଉଦ୍‌ବେଗୈଃ - ଉଦ୍‌ବେଗରୁ; ମୁକ୍ତଃ - ମୁକ୍ତ; ଯଃ-ଯିଏ; ସଃ-ସେ; ଚ-ଏବଂ; ମେ-ମୋର; ପ୍ରିୟଃ - ଅତିପ୍ରିୟ ।

Translation

BG 12.15: ଯେଉଁମାନେ ଅନ୍ୟମାନଙ୍କ ଅସନ୍ତୋଷର କାରଣ ନୁହଁନ୍ତି, ଯେଉଁମାନେ କାହା ଦ୍ୱାରା ଉତ୍ତେଜିତ ହୁଅନ୍ତି ନାହିଁ, ଯେଉଁମାନେ ହର୍ଷ-ବିଷାଦ ଏବଂ ଭୟ ଓ ଉତ୍କଣ୍ଠାରୁ ମୁକ୍ତ ରହନ୍ତି, ସେହିପରି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।

Commentary

ଆତ୍ମା ସ୍ୱଭାବତଃ ପବିତ୍ର ଏବଂ ବିଶୁଦ୍ଧ ଅଟେ । କିନ୍ତୁ ସମସ୍ୟା ଏହା ଯେ ସେ ଅଶୁଦ୍ଧ ମନ ଦ୍ୱାରା ଆବୃତ୍ତ ହୋଇଯାଇଛି । ସେହି ସବୁ ମଳୀନତା ଅପସରି ଗଲେ, ଆତ୍ମାର ଗରିମାମୟ ଗୁଣ ସ୍ୱତଃ ଉଦ୍‌ଭାସିତ ହୋଇଥାଏ । ଶ୍ରୀମଦ୍ ଭାଗବତମ୍ ଉଲ୍ଲେଖ କରେ;

ଯସ୍ୟାସ୍ତି ଭକ୍ତିର୍ ଭଗବତ୍ୟକିଞ୍ଚନା ସର୍ବେର୍ ଗୁଣୈସ୍ତତ୍ର ସମାସତେ ସୁରାଃ,
ହରାବଭକ୍ତସ୍ୟ କୁତୋ ମହଦ୍‌-ଗୁଣା ମନୋରଥେନାସତି ଧାବତୋ ବହିଃ । (୫-୧୮-୧୨)

“ଯେଉଁମାନେ ପରମାତ୍ମାଙ୍କଠାରେ ନିଜକୁ ସମର୍ପିତ କରିଥାଆନ୍ତି, ସେମାନଙ୍କଠାରେ ସ୍ୱର୍ଗର ଦେବତାମାନଙ୍କର ସମସ୍ତ ଅଦ୍ଭୁତ ଗୁଣ ବିକଶିତ ହୋଇଥାଏ । କିନ୍ତୁ ଯେଉଁମାନେ ଭକ୍ତି କରନ୍ତି ନାହିଁ, ମନ ରୂପକ ରଥରେ ବସି ଘୂରି ବୁଲୁଥାଆନ୍ତି । (ଯେତେ ସବୁ ଆତ୍ମ-ସଂଶୋଧନର ଉପାୟ ଅଭ୍ୟାସ କଲେ ମଧ୍ୟ) ।” ଏଠାରେ ଶ୍ରୀକୃଷ୍ଣ, ତାଙ୍କ ଭକ୍ତଙ୍କଠାରେ ବିକଶିତ ହେଉଥିବା ଅନ୍ୟ ଗୁଣମାନଙ୍କର ବର୍ଣ୍ଣନା କରୁଛନ୍ତି ।

ଅନ୍ୟମାନଙ୍କ ଅସନ୍ତୋଷର କାରଣ ନୁହଁନ୍ତି - ଭକ୍ତି ହୃଦୟକୁ ଦ୍ରବିତ ଓ କୋମଳ କରେ, ତେଣୁ ଭକ୍ତମାନେ ସ୍ୱାଭାବିକ ଭାବରେ ସମସ୍ତଙ୍କ ପ୍ରତି ବ୍ୟବହାରରେ ଭଦ୍ର ଓ ନମ୍ର ହୁଅନ୍ତି । ଏତଦ୍‌ବ୍ୟତିତ, ସେମାନେ ସମସ୍ତଙ୍କୁ ଭଗବାନଙ୍କର କ୍ଷୁଦ୍ର ଅଂଶ ମନେକରି ସମସ୍ତଙ୍କ ମଧ୍ୟରେ ଭଗବାନଙ୍କୁ ଦେଖନ୍ତି । ତେଣୁ ସେମାନେ କାହାର ଅନିଷ୍ଟ କରିବା କଥା ଚିନ୍ତା କରି ପାରନ୍ତି ନାହିଁ ।

କାହା ଦ୍ୱାରା କ୍ଷୁବ୍‌ଧ ହୁଅନ୍ତି ନାହିଁ - ଭକ୍ତମାନେ କାହାର ଅନିଷ୍ଟ କରନ୍ତି ନାହିଁ, ତା’ର ଅର୍ଥ ଏହା ନୁହେଁ ଯେ ଅନ୍ୟମାନେ ତାଙ୍କର ଅନିଷ୍ଟ କରିବେ ନାହିଁ । ସାରା ପୃଥିବୀର ମହାପୁରୁଷମାନଙ୍କର ଇତିହାସ ଏହା ଦର୍ଶାଇ ଥାଏ ଯେ ସେମାନଙ୍କର କଲ୍ୟାଣକର କାର୍ଯ୍ୟ ଏବଂ ସିଦ୍ଧାନ୍ତ ଯେଉଁମାନଙ୍କୁ ଆତଙ୍କିତ କରିଥାଏ, ସେମାନେ ସେହି ମହାପୁରୁଷମାନଙ୍କୁ ନାନା ପ୍ରକାରରେ ଉତ୍ପୀଡ଼ିତ କରିଥାନ୍ତି । ତଥାପି ମହାପୁରୁଷମାନେ ସେମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଥାନ୍ତି । କ୍ରୁଶବିଦ୍ଧ ଯୀଶୁଖ୍ରୀଷ୍ଟ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, “ହେ ପିତା! ସେମାନଙ୍କୁ କ୍ଷମା କରିଦିଅନ୍ତୁ, କାରଣ ସେମାନେ କ’ଣ କରୁଛନ୍ତି ତାହା ସେମାନଙ୍କୁ ଜଣାନାହିଁ ।” (ଲ୍ୟୁକ୍ ୨୩.୩୪)

ହର୍ଷ ଓ ବିଷାଦ ସମତୁଲ୍ୟ - ଭକ୍ତମାନେ ଶାସ୍ତ୍ରଜ୍ଞାନରେ ସମୃଦ୍ଧ ଥାଆନ୍ତି । ତେଣୁ ସେମାନେ ଜାଣନ୍ତି ଯେ ଗ୍ରୀଷ୍ମ ଏବଂ ଶୀତ ଋତୁ ପରି ଉଭୟ ହର୍ଷ ଏବଂ ବିଷାଦ ଜୀବନର ପ୍ରବାହରେ ଅବଶ୍ୟମ୍ଭାବୀ ଅଟେ । ସେଥିପାଇଁ ସେମାନଙ୍କର ଅଜସ୍ର ସକାରାତ୍ମକ ବିଚାର ଦ୍ୱାରା, ସେମାନେ ଉଭୟ କ୍ଷେତ୍ରରେ ଭଗବାନଙ୍କ କୃପାର ଦର୍ଶନ କରି ସମସ୍ତ ପରିସ୍ଥିତିକୁ ତାଙ୍କର ଭକ୍ତି ବୃଦ୍ଧି କରିବାରେ ବ୍ୟବହାର କରିଥାଆନ୍ତି ।

ଭୟ ଓ ଉତ୍କଣ୍ଠା ମୁକ୍ତ - ଭୟ ଓ ଉତ୍କୃଣ୍ଠାର କାରଣ ଆସକ୍ତି ଅଟେ । ଯେଉଁ ସାଂସାରିକ ବସ୍ତୁ ପ୍ରତି ଆମେ ଆସକ୍ତ, ତା’ର ପ୍ରାପ୍ତି ନିମନ୍ତେ ଆମ ମନ ବ୍ୟାକୁଳ ବା ଉତ୍କଣ୍ଠିତ ରହିଥାଏ ଏବଂ ତା’ର ବିୟୋଗ ଆଶଙ୍କାରେ ଆମ ମନ ଭୟଭୀତ ରହିଥାଏ । ଭୌତିକ ବସ୍ତୁ ପ୍ରତି ଆମର ଆସକ୍ତି ସମାପ୍ତ ହୋଇଯିବା କ୍ଷଣି ଆମେ ଉତ୍କଣ୍ଠା ଓ ଭୟଶୂନ୍ୟ ହୋଇଯାଏ । ଭକ୍ତମାନଙ୍କର କେବଳ ଆସକ୍ତି ସମାପ୍ତ ହୋଇ ନ ଥାଏ, ବରଂ ସେମାନେ ଭଗବାନଙ୍କ ଇଚ୍ଛାରେ ଇଚ୍ଛା ରଖିଥିବା କାରଣରୁ, ନିଜକୁ ଭୟ ଓ ଉତ୍କଣ୍ଠାରୁ ମୁକ୍ତ ଅନୁଭବ କରିଥାଆନ୍ତି ।