Bhagavad Gita: Chapter 12, Verse 17

ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି ନ ଶୋଚତି ନ କାଙ୍‌କ୍ଷତି ।
ଶୁଭାଶୁଭପରିତ୍ୟାଗୀ ଭକ୍ତିମାନ୍ୟଃ ସ ମେ ପ୍ରିୟଃ ।।୧୭।।

ଯଃ -ଯିଏ; ନ -ନୁହେଁ; ହୃଷ୍ୟତି - ଆନନ୍ଦିତ; ନ -ନାହିଁ; ଦ୍ୱେଷ୍ଟି-ଦୁଃଖକରେ; ନ-ନାହିଁ; ଶୋଚତି -ପଶ୍ଚାତାପ କରିବା; ନ-ନାହିଁ; କାଙ୍‌କ୍ଷତି- କାମନା କରେ; ଶୁଭ-ଶୁଭ; ଅଶୁଭ-ଅଶୁଭ; ପରିତ୍ୟାଗୀ -ପରିତ୍ୟାଗୀ; ଭକ୍ତିମାନ୍ -ଭକ୍ତିଯୁକ୍ତ; ଯଃ- ଯିଏ; ସଃ - ସେ; ମେ-ମୋର; ପ୍ରିୟଃ-ପ୍ରିୟ ।

Translation

BG 12.17: ଯେଉଁମାନେ ଦୈନନ୍ଦିନ ଜୀବନରେ ଖୁସିରେ ଆତ୍ମହରା ହୁଅନ୍ତି ନାହିଁ, କିମ୍ବା ଦୁଃଖରେ ମର୍ମାହତ ହୁଅନ୍ତି ନାହିଁ; ଯେଉଁମାନେ କୌଣସି କ୍ଷତିରେ ପଶ୍ଚାତାପ କରନ୍ତି ନାହିଁ ବା କୌଣସି ଲାଭ ପାଇଁ ଲାଳାୟିତ ହୁଅନ୍ତି ନାହିଁ; ଯେଉଁମାନେ ଉଭୟ ଭଲ ଓ ମନ୍ଦ କର୍ମକୁ ତ୍ୟାଗ କରିଥାନ୍ତି, ଏବଂ ଯେଉଁମାନେ ପୂର୍ଣ୍ଣ ଭକ୍ତିଯୁକ୍ତ ରହନ୍ତି, ସେମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।

Commentary

ସେମାନେ ଦୈନନ୍ଦିନ ଜୀବନର ଖୁସିରେ ଆତ୍ମହରା ହୁଅନ୍ତି ନାହିଁ କିମ୍ବା ସାଂସାରିକ ଦୁଃଖରେ ମର୍ମାହତ ହୁଅନ୍ତି ନାହିଁ - ଆମେ ଯଦି ଅନ୍ଧକାର ମଧ୍ୟରେ ଥାଏ ଏବଂ କେହି ଜଣେ ଆଲୋକ ଦେଖାଇ ଆମକୁ ସାହାଯ୍ୟ କରନ୍ତି, ଆମେ ଖୁସୀ ହେବା ସ୍ୱାଭାବିକ । ଯଦି ସେତେବେଳେ କେହିଜଣେ ସେହି ଆଲୋକକୁ ଲିଭାଇ ଦିଏ, ଆମେ ବିରକ୍ତ ହେବା ମଧ୍ୟ ସ୍ୱାଭାବିକ । କିନ୍ତୁ ମଧ୍ୟାହ୍ନ ସୂର୍ଯ୍ୟାଲୋକରେ ଠିଆ ହୋଇଥିବା ସମୟରେ କେହି ଜଣେ ଯଦି ଆମକୁ ଆଲୋକ ଦେଖାନ୍ତି କିମ୍ବା ସେହି ଆଲୋକକୁ ଲିଭାଇ ଦିଅନ୍ତି, ତେବେ ଆମେ ତା ପ୍ରତି ଉଦାସୀନ ରହେ । ସେହିପରି ଭକ୍ତମାନେ, ଭଗବାନଙ୍କ ଦିବ୍ୟ ପ୍ରେମରେ ତୃପ୍ତ ହୋଇ, ସୁଖ ଦୁଃଖର ଊର୍ଦ୍ଧ୍ୱରେ ଥାଆନ୍ତି ।

କ୍ଷତିରେ ପଶ୍ଚାତାପ କରନ୍ତି ନାହିଁ କିମ୍ବା ଲାଭର କାମନା କରନ୍ତି ନାହିଁ - ଏପରି ଭକ୍ତମାନେ ସାଂସାରିକ ସୁଖଦ ଅନୁଭୂତି ପଛରେ ଧାଇଁ ନ ଥାନ୍ତି କିମ୍ବା ଅପ୍ରୀତିକର ପରିସ୍ଥିତିରେ ଦୁଃଖିତ ହୋଇନଥାନ୍ତି । ନାରଦଭକ୍ତି ଦର୍ଶନ କହେ ।

ଯତ୍‌ପ୍ରାପ୍ୟ ନ କିଞ୍ôଚଦ୍‌ବାଞ୍ଛତି, ନ ସୋଚତି, ନ ଦ୍ୱେଷ୍ଟି, ନ ରମତେ ନୋତ୍ସାହୀ ଭବତି (ସୂତ୍ର-୫) ।

“ଭଗବାନଙ୍କ ଦିବ୍ୟ ପ୍ରେମ ଲାଭ କରି, ଭକ୍ତମାନେ ସୁଖଦ ବସ୍ତୁ ପାଇଁ ଆଗ୍ରହୀ ହୁଅନ୍ତି ନାହିଁ କିମ୍ବା ସେମାନଙ୍କର ବିୟୋଗରେ ବ୍ୟଥିତ ହୁଅନ୍ତି ନାହିଁ । ତାଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି ମାନଙ୍କୁ ସେମାନେ ଘୃଣା କରନ୍ତି ନାହିଁ । ସାଂସାରିକ ଖୁସୀ ପ୍ରତି ସେମାନଙ୍କର ଆଗ୍ରହ ନ ଥାଏ । ସାଂସାରିକ ପଦୋନ୍ନତି ପାଇଁ ସେମାନେ ଉତ୍କଣ୍ଠିତ ହୁଅନ୍ତି ନାହିଁ ।” ଭକ୍ତମାନେ ଭଗବାନଙ୍କ ଆନନ୍ଦରେ ବିଭୋର ରହନ୍ତି, ଯାହା ତୁଳନାରେ ଭୌତିକ ବସ୍ତୁର ଆନନ୍ଦ ସେମାନଙ୍କୁ ନଗଣ୍ୟ ବୋଧହୁଏ ।

ସମସ୍ତ ଭଲ ଓ ମନ୍ଦ କର୍ମ ତ୍ୟାଗ କରନ୍ତି - ଭକ୍ତମାନେ ମନ୍ଦ କର୍ମ (ବିକର୍ମ) ତ୍ୟାଗ କରିବା ସ୍ୱାଭାବିକ, କାରଣ ତାହା ତାଙ୍କ ସ୍ୱଭାବର ବିପରୀତ ଅଟେ ତଥା ଭଗବାନଙ୍କ ପାଇଁ ଅରୁଚିକର ଅଟେ । ଶ୍ରୀକୃଷ୍ଣ କହୁଥିବା ଭଲ କର୍ମର ତାତ୍ପର୍ଯ୍ୟ, ଶାସ୍ତ୍ରବର୍ଣ୍ଣିତ ବିଭିନ୍ନ ବିଧିବିଧାନ ଯୁକ୍ତ କର୍ମ-ଧର୍ମ ଅଟେ । ଭକ୍ତମାନେ କରୁଥିବା ସମସ୍ତ କର୍ମ ଅକର୍ମରେ ପରିଣତ ହୋଇଥାଏ, କାରଣ ତାହା ସ୍ୱାର୍ଥଯୁକ୍ତ ନ ହୋଇ ଭଗବାନଙ୍କ ପ୍ରତି ସମର୍ପିତ ହୋଇଥାଏ । ଅକର୍ମର ପରିଭାଷା ବିସ୍ତାର ପୂର୍ବକ ଶ୍ଲୋକ ୪.୧୪ରୁ ୪.୨୦ରେ ବର୍ଣ୍ଣିତ ହୋଇଅଛି ।

ଭକ୍ତିରେ ପରିପୂର୍ଣ୍ଣ - ଭକ୍ତିମାନ୍ ଅର୍ଥାତ୍ “ଭକ୍ତିରେ ପରିପୂର୍ଣ୍ଣ । ଦିବ୍ୟପ୍ରେମର ସ୍ୱରୂପ ଏପରି ଯେ, ଏହା ଅନନ୍ତ କାଳ ଯାଏଁ ନିରନ୍ତର ବୃଦ୍ଧି ପାଉଥାଏ । ଭକ୍ତ କବିମାନେ କହିଛନ୍ତି: “ପ୍ରେମ ମେଁ ପୂର୍ଣ୍ଣିମା ନହିଁ” ଚନ୍ଦ୍ରର ଆକାର ଗୋଟିଏ ସୀମା ପର୍ଯ୍ୟନ୍ତ ବୃଦ୍ଧି ପାଇବା ପରେ ପୁନର୍ବାର ହ୍ରାସ ପାଇଥାଏ । କିନ୍ତୁ ଦିବ୍ୟ ପ୍ରେମ ଅନ୍ତହୀନ ଭାବେ ବୃଦ୍ଧି ଲାଭ କରିଥାଏ । ଅତଏବ, ଭକ୍ତର ହୃଦୟ ଭଗବାନଙ୍କ ପ୍ରେମର ସାଗରକୁ ଧାରଣ କରିଥାଏ । ଶ୍ରୀକୃଷ୍ଣ କହୁଛନ୍ତି, ଏପରି ଭକ୍ତମାନେ ତାଙ୍କର ଅତି ପ୍ରିୟ ଅଟନ୍ତି ।