Bhagavad Gita: Chapter 12, Verse 12

ଶ୍ରେୟୋ ହି ଜ୍ଞାନମଭ୍ୟାସାଜ୍‌ଜ୍ଞାନାଦ୍ଧ୍ୟାନଂ ବିଶିଷ୍ୟତେ ।
ଧ୍ୟାନାତ୍‌କର୍ମଫଳତ୍ୟାଗସ୍ତ୍ୟାଗାଚ୍ଛାନ୍ତିରନନ୍ତରମ୍ ।।୧୨।।

ଶ୍ରେୟଃ - ଉତ୍ତମ; ହି - ନିଶ୍ଚିତଭାବେ; ଜ୍ଞାନଂ -ଜ୍ଞାନ; ଅଭ୍ୟାସାତ୍ - ଅଭ୍ୟାସଠାରୁ; ଜ୍ଞାନାତ୍ - ଜ୍ଞାନଠାରୁ ଉତ୍ତମ; ଧ୍ୟାନଂ - ଧ୍ୟାନ; ବିଶିଷ୍ୟତେ- ଶ୍ରେଷ୍ଠ ଅଟେ, ଧ୍ୟାନାତ୍ - ଧ୍ୟାନଠାରୁ; କର୍ମ-ଫଳ-ତ୍ୟାଗଃ - ସକାମ କର୍ମର ଫଳତ୍ୟାଗ; ତ୍ୟାଗାତ୍ - ଏପରି ତ୍ୟାଗଦ୍ୱାରା; ଶାନ୍ତିଃ - ଶାନ୍ତି; ଅନନ୍ତରମ୍ -ତତ୍‌ପଶ୍ଚାତ୍ ।

Translation

BG 12.12: ଯାନ୍ତ୍ରିକ ଅଭ୍ୟାସ ଅପେକ୍ଷା ଶ୍ରେଷ୍ଠ ଜ୍ଞାନ ଅଟେ; ଜ୍ଞାନ ଠାରୁ ଧ୍ୟାନ ଶ୍ରେଷ୍ଠ ଏବଂ ଧ୍ୟାନ ଠାରୁ ଶ୍ରେଷ୍ଠ କର୍ମଫଳ ତ୍ୟାଗ ଅଟେ, କାରଣ ତ୍ୟାଗ ଦ୍ୱାରା ଶାନ୍ତି ସ୍ୱତଃ ପ୍ରାପ୍ତ ହୁଏ ।

Commentary

ଭକ୍ତିରେ ଅନେକ ବ୍ୟକ୍ତି ଯାନ୍ତ୍ରିକ ଅଭ୍ୟାସ ସ୍ତରରେ ଥାଆନ୍ତି । ସେମାନେ ତାଙ୍କର ଧାର୍ମିକ ବିଶ୍ୱାସ ଅନୁସାରେ ବିଧିବିଧାନ ପାଳନ କରିଥାନ୍ତି, କିନ୍ତୁ ଭଗବାନଙ୍କଠାରେ ମନ ଲଗାନ୍ତି ନାହିଁ । ଗୋଟିଏ ନୂଆ କାର୍ କିମ୍ବା ନୂଆ ଘର କିଣିଲେ, ସେମାନେ ପୂଜା କରିବାକୁ ଜଣେ ପୁରୋହିତଙ୍କୁ ଡ଼ାକିଥାନ୍ତି । କିନ୍ତୁ ପୁରୋହିତ ପୂଜା କରୁଥିବା ସମୟରେ, ସେମାନେ ଅନ୍ୟ କୋଠରୀରେ ବସି ଗପସପ କରୁଥାନ୍ତି କିମ୍ବା ଚା’ପିଉଥାନ୍ତି । ତାଙ୍କ ପାଇଁ ଭକ୍ତି କେବଳ ଏକ ଅର୍ଥହୀନ ବିଧିବିଧାନ ପାଳନ କରିବା ଅଟେ । ଅନେକ ସମୟରେ ଏହା ଏକ ପରମ୍ପରାଗତ ଅଭ୍ୟାସର ରୂପ ନେଇଥାଏ, ଯାହା ଆମର ପିତା ମାତା ଏବଂ ଗୁରୁଜନ ମାନଙ୍କ ଠାରୁ ଆମକୁ ପ୍ରାପ୍ତ ହୋଇଥାଏ । ଯନ୍ତ୍ରବତ୍ ବିଧିବିଧାନର ପାଳନ କିଛି ଖରାପ କଥା ନୁହେଁ, କାରଣ କିଛି ନ କରିବା ଅପେକ୍ଷା କିଛି କରିବା ଭଲ । ଅନ୍ତତଃ ବହିରଙ୍ଗ ସ୍ତରରେ ତ ସେମାନେ ଭକ୍ତି ଆଚରଣ କରୁଥାଆନ୍ତି ।

କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି, ଯାନ୍ତ୍ରିକ ଅଭ୍ୟାସ ଅପେକ୍ଷା ଆଧ୍ୟାତ୍ମିକ ଜ୍ଞାନ ଆହରଣ ଶ୍ରେଷ୍ଠ ଅଟେ । ଜ୍ଞାନ ଆମକୁ ଏହା ବୋଧ କରାଇଥାଏ ଯେ ଜୀବନର ଲକ୍ଷ୍ୟ ଭଗବତ୍ ପ୍ରାପ୍ତି ଅଟେ, ଭୌତିକ ଉନ୍ନତି ନୁହେଁ । ଜ୍ଞାନଯୁକ୍ତ ବ୍ୟକ୍ତି ଅର୍ଥହୀନ ବିଧି ପାଳନ ଅପେକ୍ଷା ମନର ଶୁଦ୍ଧିକରଣକୁ ଅଧିକ ମହତ୍ୱ ଦେଇଥାଆନ୍ତି । କିନ୍ତୁ କେବଳ ଜ୍ଞାନ ପ୍ରାପ୍ତି ହୃଦୟକୁ ଶୁଦ୍ଧ କରିପାରେ ନାହିଁ । ସୁତରାଂ, ଶ୍ରୀକୃଷ୍ଣ କହୁଛନ୍ତି, ଜ୍ଞାନ ଆହରଣ ଠାରୁ ଧ୍ୟାନଦ୍ୱାରା ମନୋନିବେଶ କରିବା ଶ୍ରେଷ୍ଠ ଅଟେ । ଧ୍ୟାନଦ୍ୱାରା ମନକୁ ସ୍ୱତଃ ନିୟନ୍ତ୍ରଣ କରି, ଆମେ ସଂସାରିକ ସୁଖ ପ୍ରତି ବୈରାଗ୍ୟ ପ୍ରାପ୍ତ କରିଥାଏ । ମନରେ ସଂସାର ପ୍ରତି କିଛି ମାତ୍ରାରେ ବୈରାଗ୍ୟ ଜାତ ହେବା ପରେ, ଆମେ କର୍ମଫଳ ତ୍ୟାଗର ଅଭ୍ୟାସ କରିପାରିବା । ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଥିବା ପରି, ଏହା ମନରୁ ସାଂସାରିକତା ଦୂର କରି ବୁଦ୍ଧିକୁ ସୁଦୃଢ଼ କରିଥାଏ, ଯାହା ଉଚ୍ଚତର କକ୍ଷକୁ ଉନ୍ନୀତ ହେବାରେ ଆମର ସହାୟତା କରିଥାଏ ।