Bhagavad Gita: Chapter 5, Verse 15

ନାଦତ୍ତେ କସ୍ୟଚିତ୍ ପାପଂ ନ ଚୈବ ସୁକୃତଂ ବିଭୁଃ ।
ଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତବଃ ।।୧୫।।

ନ-ନାହିଁ; ଆଦତ୍ତେ - ସ୍ୱୀକାର କରନ୍ତି; କସ୍ୟଚିତ୍ - କାହାର; ପାପଂ- ପାପ; ନ-ନାହିଁ; ଚ-ଏବଂ; ଏବ-ନିଶ୍ଚିତଭାବେ; ସୁକୃତଂ -ପୁଣ୍ୟ କର୍ମ; ବିଭୁଃ - ପରମେଶ୍ୱର; ଅଜ୍ଞାନେନ- ଅଜ୍ଞାନ ବା ଅବିଦ୍ୟାଦ୍ୱାରା; ଆବୃତଂ -ଆଚ୍ଛାଦିତ; ଜ୍ଞାନଂ-ଜ୍ଞାନ; ତେନ-ତଦ୍ୱାରା; ମୁହ୍ୟନ୍ତି - ବଶୀଭୂତ ହୁଅନ୍ତି; ଜନ୍ତବଃ -ଜୀବଗଣ ।

Translation

BG 5.15: ସର୍ବଶକ୍ତିମାନ ଭଗବାନ, କୌଣସି ବ୍ୟକ୍ତିର ପୁଣ୍ୟକର୍ମ ବ ପାପକର୍ମରେ ଅଂଶୀଦାର ହୁଅନ୍ତି ନାହିଁ । ଅଜ୍ଞାନରେ ଆବୃତ୍ତ ଜୀବର ଜ୍ଞାନ, ତାହା ବୁଝିପାରି ନ ଥାଏ ।

Commentary

ଭଗବାନ କୌଣସି ବ୍ୟକ୍ତିର ପୁଣ୍ୟ କର୍ମ ବା ପାପ କାର୍ଯ୍ୟ ପାଇଁ ଦାୟୀ ନୁହନ୍ତି । ସେ ଦିଗରେ ଭଗବାନଙ୍କର କାର୍ଯ୍ୟ ତିନି ପ୍ରକାର ଅଟେ: ୧. ସେ ଜୀବକୁ କର୍ମ କରିବାର ଶକ୍ତି ପ୍ରଦାନ କରନ୍ତି । ୨. ସେହି ଶକ୍ତି ଦ୍ୱାରା କର୍ମ କରିସାରିବା ପରେ, ସେ ଆମ କର୍ମର ହିସାବ ରଖନ୍ତି । ୩. ଆମ କର୍ମର ଫଳ ପ୍ରଦାନ କରନ୍ତି ।

ପ୍ରତ୍ୟେକ ଜୀବର ନିଜ ଇଚ୍ଛା ଅନୁସାରେ ଭଲ ବା ମନ୍ଦ କର୍ମ କରିବାର ସ୍ୱାଧୀନତା ରହିଛି । ସେହି ସ୍ୱତନ୍ତ୍ର ଇଚ୍ଛା ହିଁ ସୃଷ୍ଟିର ସମସ୍ତ ଖେଳର ଆଧାର ଅଟେ ଏବଂ ଜୀବର ଚେତନାରେ ପରିଲକ୍ଷିତ ହେଉଥିବା ପ୍ରଭେଦର କାରଣ ମଧ୍ୟ ତାହା ହିଁ ଅଟେ । ଭଗବାନଙ୍କର ଭୂମିକା କ୍ରିକେଟ୍ ଖେଳର ଅମ୍ପେୟାରଙ୍କ ପରି ଅଟେ । “ଚାରି ରନ୍‌!” “ଛଅ ରନ୍‌!” “ଆଉଟ୍‌” ଇତ୍ୟାଦିର ଫଳ ସେ ଦେଇ ଚାଲିଥାଆନ୍ତି । ଅମ୍ପେୟାର୍‌ଙ୍କୁ ତାଙ୍କର ନିଷ୍ପତ୍ତି ପାଇଁ ଦାୟୀ କରାଯାଇପାରିବ ନାହିଁ, କାରଣ ତାହା ଖେଳାଳିଙ୍କ ଖେଳ ଉପରେ ନିର୍ଭର କରିଥାଏ ।

ଜଣେ ପଚାରି ପାରନ୍ତି, ଭଗବାନ ଜୀବକୁ ଏହି ସ୍ୱତନ୍ତ୍ରତା କାହିଁକି ଦେଲେ । ଏହା ଏଥିପାଇଁ ଯେ ଜୀବ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଅଟେ ଏବଂ ସ୍ୱଳ୍ପମାତ୍ରାରେ ହେଲେ ମଧ୍ୟ ଭଗବାନଙ୍କର ସବୁ ଗୁଣ ଜୀବଠାରେ ରହିଥାଏ । ଭଗବାନ ଅଭିଜ୍ଞ ସ୍ୱରାଟ୍ (ପୂର୍ଣ୍ଣ ସ୍ୱାଧୀନ) ଅଟନ୍ତି ଏବଂ କିଛି ପରିମାଣରେ ସେହି ସ୍ୱାଧୀନତା ଜୀବଠାରେ ରହିବା ସ୍ୱାଭାବିକ, ଯଦ୍ୱାରା ସେ ଯେପରି ଇଚ୍ଛା ନିଜ ଇନ୍ଦ୍ରିୟ, ମନ ଓ ବୁଦ୍ଧିର ଉପଯୋଗ ସେହିପରି କରିପାରିବ ।

ସ୍ୱତନ୍ତ୍ର ଇଚ୍ଛା ନ ଥିଲେ ପ୍ରେମ ମଧ୍ୟ କରାଯାଇ ପାରିବ ନାହିଁ । ଗୋଟିଏ ମେସିନ୍ କାହାକୁ ପ୍ରେମ କରିପାରିବ ନାହିଁ କାରଣ ତା’ର ବାଛବିଚାର କରିବାର ସ୍ୱାଧୀନତା ନ ଥାଏ । କେବଳ ଜଣେ ବ୍ୟକ୍ତି, ଯିଏ ବାଛବିଚାର କରିପାରନ୍ତି, ତାଙ୍କ ପାଇଁ ହିଁ ଭଲ ପାଇବାର ବିକଳ୍ପ ଥାଏ । ଯେହେତୁ ଭଗବାନ ତାଙ୍କୁ ଭଲ ପାଇବା ପାଇଁ ଆମକୁ ସୃଷ୍ଟି କରିଛନ୍ତି, ସେ ଆମକୁ ସେଥିପାଇଁ ସ୍ୱତନ୍ତ୍ର ଇଚ୍ଛା ମଧ୍ୟ ପ୍ରଦାନ କରିଛନ୍ତି । ସେହି ସ୍ୱାଧୀନ ଇଚ୍ଛାର ଉପଯୋଗ କରି ଆମେ ଯେଉଁ ଭଲ ବା ମନ୍ଦ କର୍ମ କରିଥାଏ, ସେଥିପାଇଁ ଆମେ ଭଗବାନଙ୍କୁ ଦାୟୀ କରିବା ଉଚିତ ନୁହେଁ ।

ଅଜ୍ଞାନବଶତଃ, କେତେକ ଜୀବ ଏହା ହୃଦୟଙ୍ଗମ କରିପାରନ୍ତି ନାହିଁ ଯେ କର୍ମର ବାଛବିଚାର କରିବାରେ ସେମାନେ ସ୍ୱତନ୍ତ୍ର ଅଟନ୍ତି ଏବଂ ନିଜର ଭୁଲ ପାଇଁ ସେମାନେ ଭଗବାନଙ୍କୁ ଦାୟୀ କରନ୍ତି । ଅନ୍ୟମାନେ ଜାଣନ୍ତି ଯେ କର୍ମ କରିବାରେ ସେମାନେ ସ୍ୱତନ୍ତ୍ର ଅଟନ୍ତି, କିନ୍ତୁ  ଶରୀର ସହିତ ତାଦାତ୍ମ୍ୟ କରି, ସେମାନେ କର୍ତ୍ତୃତ୍ୱାଭିମାନ ଯୁକ୍ତ ରହନ୍ତି । ଏହା ମଧ୍ୟ ଅଜ୍ଞାନତାର ଏକ ଲକ୍ଷଣ ଅଟେ । ଶ୍ରୀକୃଷ୍ଣ ଏହାପରେ ଏହି ଅଜ୍ଞାନତା କିପରି ଦୂର ହେବ ତାହା ବର୍ଣ୍ଣନା କରିଛନ୍ତି ।