Bhagavad Gita: Chapter 5, Verse 18

ବିଦ୍ୟାବିନୟସମ୍ପନ୍ନେ ବ୍ରାହ୍ମଣେ ଗବି ହସ୍ତିନି ।
ଶୁନି ଚୈବ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ ।।୧୮।।

ବିଦ୍ୟା- ଜ୍ଞାନ; ବିନୟ -ବିନୟଭାବ; ସମ୍ପନ୍ନେ - ସମ୍ପନ୍ନ ହୋଇ; ବ୍ରାହ୍ମଣେ - ବ୍ରାହ୍ମଣଙ୍କଠାରେ; ଗବି -ଗାଭୀଠାରେ; ହସ୍ତିନି- ହାତୀଠାରେ, ଶୁନି- କୁକୁରଠାରେ; ଚ-ଏବଂ; ଏବ-ନିଶ୍ଚିତଭାବେ; ଶ୍ୱପାକେ- କୁକୁରମାଂସ ଭୋଜୀ ଚଣ୍ଡାଳଠାରେ; ଚ-ଏବଂ; ପଣ୍ଡିତାଃ - ଜ୍ଞାନୀମାନେ; ସମଦର୍ଶିନଃ - ସମାନ ଦୃଷ୍ଟିରେ ଦେଖନ୍ତି ।

Translation

BG 5.18: ଜଣେ ବାସ୍ତବିକ ଜ୍ଞାନୀ, ତାଙ୍କର ଦିବ୍ୟ ଜ୍ଞାନଯୁକ୍ତ ଚକ୍ଷୁରେ, ଜଣେ ବ୍ରାହ୍ମଣ, ଗାଈ, ହାତୀ, କୁକୁର ଏବଂ କୁକୁର ମାଂସାହାରୀଙ୍କୁ ସମାନ ଦୃଷ୍ଟିରେ ଦେଖିଥାଆନ୍ତି ।

Commentary

ଯେତେବେଳେ ଆମେ କୌଣସି ବସ୍ତୁକୁ ଜ୍ଞାନର ଦୃଷ୍ଟିକୋଣରୁ ଉପଲବ୍‌ଧି କରିଥାଉ, ତାହାକୁ ପ୍ରଜ୍ଞା ଚକ୍ଷୁ କୁହାଯାଏ, ଅର୍ଥାତ୍ “ଜ୍ଞାନର ଚକ୍ଷୁରେ” । ଶ୍ରୀକୃଷ୍ଣ ବିଦ୍ୟା ସମ୍ପନ୍ନେ ଶବ୍ଦ ସେହି ଅର୍ଥରେ ବ୍ୟବହାର କରିଛନ୍ତି, କିନ୍ତୁ ତା’ ସହିତ ସେ ବିନୟ ଶବ୍ଦ ମଧ୍ୟ ଯୋଡ଼ିଛନ୍ତି, ଅର୍ଥାତ୍ ଦିବ୍ୟ ଜ୍ଞାନ ବିନୟ ଭାବ ଉତ୍ପନ୍ନ କରିଥାଏ । କିନ୍ତୁ ସ୍ୱଳ୍ପ ପୁସ୍ତକଗତ ଜ୍ଞାନ ବିଦ୍ୱତ୍ତାର ଗର୍ବ ଉତ୍ପନ୍ନ କରିଥାଏ ।

ଦିବ୍ୟ ଜ୍ଞାନ ଆମକୁ ଯେଉଁ ଦୃଷ୍ଟି ପ୍ରଦାନ କରିଥାଏ, ତାହା କିପରି ଭାବରେ ଶାରୀରିକ ଦୃଷ୍ଟି ଠାରୁ ଭିନ୍ନ, ଏହି ଶ୍ଳୋକରେ ଶ୍ରୀକୃଷ୍ଣ ତାହା ଦର୍ଶାଇଛନ୍ତି । ସେହି ଜ୍ଞାନରେ ସମ୍ପନ୍ନ ହୋଇ, ଭକ୍ତ ସମସ୍ତ ପ୍ରାଣୀଙ୍କୁ ଭଗବାନଙ୍କର ଅଂଶ ଏବଂ ସେହି ଦୃଷ୍ଟିରୁ ଦିବ୍ୟଗୁଣଯୁକ୍ତ ଭାବରେ ଦେଖିଥାଆନ୍ତି । ଶ୍ରୀକୃଷ୍ଣ ଦେଇଥିବା ଉଦାହରଣ ସବୁ ପୂର୍ଣ୍ଣ ବିଷମତା ଯୁକ୍ତ ପ୍ରାଣୀ ମାନଙ୍କର ଅଟେ । ଜଣେ ବେଦଜ୍ଞ ବ୍ରାହ୍ମଣଙ୍କୁ ସମ୍ମାନ ଦିଆଯାଉଥିବା ସ୍ଥଳେ, ଜଣେ କୁକୁର ମାଂସଭୋଜୀକୁ ଘୃଣା କରାଯାଇଥାଏ । ଗାଈଠାରୁ ମନୁଷ୍ୟର ଖାଦ୍ୟ ରୂପେ ଦୁଗ୍ଧ ଦୋହନ କରାଯାଇଥାଏ, କିନ୍ତୁ କୁକୁର ଠାରୁ ନୁହେଁ । ହସ୍ତୀକୁ ଉତ୍ସବର ଶୋଭାଯାତ୍ରାରେ ବ୍ୟବହାର କରାଯାଏ, କିନ୍ତୁ ଗାଈ ବା କୁକୁରକୁ ନୁହେଁ । ଶାରୀରିକ ଦୃଷ୍ଟିକୋଣରୁ ମଧ୍ୟ ଏମାନଙ୍କ ମଧ୍ୟରେ ବହୁ ବିଷମତା ପରିଲକ୍ଷିତ ହୋଇଥାଏ । କିନ୍ତୁ ଦିବ୍ୟ ଜ୍ଞାନ ପ୍ରାପ୍ତ ଜଣେ ବାସ୍ତବିକ ଜ୍ଞାନୀ ସମସ୍ତଙ୍କୁ ଶାଶ୍ୱତ ଆତ୍ମା ରୂପରେ ଦେଖନ୍ତି, ତେଣୁ ସେମାନଙ୍କ ପ୍ରତି ସମଦର୍ଶୀ ଭାବ ପୋଷଣ କରନ୍ତି ।

ବ୍ରାହ୍ମଣମାନେ ଉଚ୍ଚଜାତି ବିଶିଷ୍ଟ ଏବଂ ଶୂଦ୍ରମାନେ ନୀଚ ଜାତିର - ଏହି ମତକୁ ବେଦ ସମର୍ଥନ କରେ ନାହିଁ । ଯଦିଓ ବ୍ରାହ୍ମଣମାନେ ପୂଜାଦି କର୍ମ କରିଥାନ୍ତି, କ୍ଷତ୍ରିୟମାନେ ସମାଜକୁ ଶାସନ କରିଥାନ୍ତି, ବୈଶ୍ୟମାନେ ବ୍ୟବସାୟ କରିଥାନ୍ତି ଏବଂ ଶୂଦ୍ରମାନେ ଶ୍ରମରେ ନିଯୁକ୍ତ ଥାନ୍ତି, ଜ୍ଞାନ ଦୃଷ୍ଟିରେ ସେମାନେ ସମସ୍ତେ ଚିରନ୍ତନ ଆତ୍ମା ଅଟନ୍ତି । ସେମାନେ ସମସ୍ତେ ଭଗବାନଙ୍କର କ୍ଷୁଦ୍ର ଅଂଶ ଅଟନ୍ତି, ତେଣୁ ସମସ୍ତେ ସମାନ ଅଟନ୍ତି ।