Bhagavad Gita: Chapter 5, Verse 16

ଜ୍ଞାନେନ ତୁ ତଦଜ୍ଞାନଂ ଯେଷାଂ ନାଶିତମାତ୍ମନଃ ।
ତେଷାମାଦିତ୍ୟବଜ୍‌ଜ୍ଞାନଂ ପ୍ରକାଶୟତି ତତ୍ପରମ୍ ।।୧୬।।

ଜ୍ଞାନେନ - ଜ୍ଞାନ ଦ୍ୱାରା; ତୁ-କିନ୍ତୁ; ତତ୍‌- ସେହି; ଅଜ୍ଞାନଂ -ଅଜ୍ଞାନ, ଅବିଦ୍ୟା; ଯେଷାଂ -ଯେଉଁମାନଙ୍କର; ନାଶିତମ୍‌- ନଷ୍ଟହୁଏ; ଆତ୍ମନଃ -ଆତ୍ମାର; ତେଷାମ୍ - ସେମାନଙ୍କର; ଆଦିତ୍ୟବତ୍ - ସୂର୍ଯ୍ୟ ପରି; ଜ୍ଞାନଂ -ଜ୍ଞାନ; ପ୍ରକାଶୟତି - ପ୍ରକାଶିତ ହୁଏ; ତତ୍ - ସେହି; ପରମ୍ -ପର ତତ୍ତ୍ୱ ।

Translation

BG 5.16: କିନ୍ତୁ ଯେଉଁମାନଙ୍କର ଆତ୍ମା ସମ୍ବନ୍ଧୀୟ ଅଜ୍ଞାନ ଦିବ୍ୟ ଜ୍ଞାନ ଦ୍ୱାରା ନଷ୍ଟ ହୋଇଥାଏ, ସେମାନଙ୍କଠାରେ ସେହି ଜ୍ଞାନ ପରତତ୍ତ୍ୱକୁ ପ୍ରକାଶିତ କରିଥାଏ, ଯେପରି ଦିବସରେ ସୂର୍ଯ୍ୟ ଦେବତା ସବୁକିଛିକୁ ଉଦ୍‌ଭାସିତ କରିଥାନ୍ତି ।

Commentary

ରାତ୍ରୀର ଅନ୍ଧକାର ଦୂର କରିବାରେ ସୂର୍ଯ୍ୟଙ୍କର ଶକ୍ତି ଅତୁଳନୀୟ ଅଟେ । ରାମାୟଣ କହେ:

ରାକାପତି ଷୋଡସ ଉଅହିଁ ତାରାଗଣ ସମୁଦାଇ,
ସକଳ ଗିରିହ୍ନ ଦବ ଲାଇଅ ବିନୁ ରବି ରାତି ନ ଯାଇ ।

“ଏକ ମେଘମୁକ୍ତ ରାତ୍ରିରେ ପୂର୍ଣ୍ଣିମାର ଚନ୍ଦ୍ର ଏବଂ ସମସ୍ତ ତାରାଗଣଙ୍କର ମିଳିତ ଆଲୋକରେ ମଧ୍ୟ ରାତ୍ରି ସମାପ୍ତ ହୁଏ ନାହିଁ, କିନ୍ତୁ ସୂର୍ଯ୍ୟ ଉଦୟ ହେବା ମାତ୍ରେ ରାତ୍ରି ଅତିଶୀଘ୍ର ଅପସାରିତ ହୋଇଥାଏ ।” ସୂର୍ଯ୍ୟର ଆଲୋକ ସମ୍ମୁଖରେ ଅନ୍ଧକାର ରହିପାରେ ନାହିଁ । ଅଜ୍ଞାନର ଅନ୍ଧକାରକୁ ଦୂର କରିବାରେ ଦିବ୍ୟ ଭଗବଦୀୟ ଜ୍ଞାନର ପ୍ରଭାବ ସେହିପରି ଅଟେ ।

ଅନ୍ଧକାର ଭ୍ରମ ଉତ୍ପନ୍ନ କରିଥାଏ । ସିନେମା ଗୃହର ଅନ୍ଧକାର ମଧ୍ୟରେ ପରଦା ଉପରେ ପଡୁଥିବା ଆଲୋକ ସତ୍ୟର ଭ୍ରମ ଉତ୍ପନ୍ନ କରିଥାଏ ଏବଂ ଲୋକମାନେ ତାହାକୁ ଦେଖିବାରେ ମଗ୍ନ ହୋଇଯାଆନ୍ତି । କିନ୍ତୁ ଯେତେବେଳେ ସିନେମା ଗୃହର ମୁଖ୍ୟ ଆଲୋକ ଜଳିଉଠେ, ସେତେବେଳେ ସେହି ଭ୍ରମ ଦୂର ହୋଇଯାଏ । ଲୋକମାନେ ତାଙ୍କ କଳ୍ପନା ଜଗତରୁ ବାହାରକୁ ଆସି ସଚେତନ ହୁଅନ୍ତି ଯେ ସେମାନେ କେବଳ ଏକ ଚଳଚ୍ଚିତ୍ର ଦେଖୁଥିଲେ । ସେହିପରି ଅଜ୍ଞାନର ଅନ୍ଧକାରରେ, ଆମେ ନିଜକୁ ଶରୀର ମନେ କରିବା ସହିତ କର୍ମର କର୍ତ୍ତା ଏବଂ ଭୋକ୍ତା ମନେ କରିଥାଏ । ଯେତେବେଳେ ଭଗବତ୍ ଜ୍ଞାନର ଉଜ୍ଜ୍ୱଳ ଆଲୋକ ଉଦ୍‌ଭାସିତ ହେବାରେ ଲାଗେ, ଭ୍ରମ ଅତି ଶୀଘ୍ର ଅପସାରିତ ହୋଇଯାଏ । ଆତ୍ମା ଜାଗ୍ରତ ହୋଇ, ଏହି ନବଦ୍ୱାର ବିଶିଷ୍ଟ ସହରରେ ରହିଥିଲେ ମଧ୍ୟ, ତାର ପ୍ରକୃତ ପରିଚୟ ଜାଣିପାରେ । ଭଗବାନଙ୍କର ମାୟିକ ଶକ୍ତି (ଅବିଦ୍ୟା ଶକ୍ତି) ଆତ୍ମାକୁ ଅନ୍ଧକାର ଦ୍ୱାରା ଆବୃତ କରିଦେଇଥିବା ଯୋଗୁଁ ଆତ୍ମା ଭ୍ରମରେ ପଡି ଯାଇଥାଏ । ଯେତେବେଳେ ଭଗବାନଙ୍କର ଦିବ୍ୟଶକ୍ତି (ବିଦ୍ୟାଶକ୍ତି) ତାହାକୁ ଜ୍ଞାନର ଆଲୋକରେ ଉଦ୍‌ଭାସିତ କରେ, ସେହି ଭ୍ରମ ଦୂର ହୋଇଯାଏ ।