Bhagavad Gita: Chapter 5, Verse 19

ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ ।
ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ ।।୧୯।।

ଇହ ଏବ- ଏହି ଜୀବନରେ; ତୈଃ - ସେମାନଙ୍କ ଦ୍ୱାରା; ଜିତଃ - ବିଜିତ; ସର୍ଗଃ- ସୃଷ୍ଟି; ଯେଷାଂ - ଯେଉଁମାନଙ୍କର; ସାମ୍ୟେ - ସମଭାବରେ; ସ୍ଥିତଂ -ସ୍ଥିତ; ମନଃ -ମନ; ନିର୍ଦ୍ଦୋଷଂ - ନିର୍ଦ୍ଦୋଷ; ହି-ନିଶ୍ଚିତଭାବେ; ସମଂ -ସମ ଭାବରେ; ବ୍ରହ୍ମ -ବ୍ରହ୍ମ; ତସ୍ମାତ୍ - ତେଣୁ; ବ୍ରହ୍ମଣି- ପରମ ସତ୍ୟରେ; ତେ-ସେମାନେ; ସ୍ଥିତାଃ - ଅବସ୍ଥିତ ।

Translation

BG 5.19: ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ, ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି । ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି ।

Commentary

ଶ୍ରୀକୃଷ୍ଣ ଏଠାରେ ସାମ୍ୟେ ଶବ୍ଦକୁ, ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଥିବା ପରି, ସମସ୍ତ ପ୍ରାଣୀଙ୍କ ପ୍ରତି ସମାନ ଦୃଷ୍ଟି ରଖୁଥିବା ବ୍ୟକ୍ତିଙ୍କ ପ୍ରତି ବ୍ୟବହାର କରିଛନ୍ତି । ପୁନଶ୍ଚ, ସମଦର୍ଶିତାର ଅର୍ଥ ମଧ୍ୟ ଏପରି ହୋଇପାରେ ଯେ ପସନ୍ଦ ଓ ଅପସନ୍ଦ, ସୁଖ ଓ ଦୁଃଖ, ଆନନ୍ଦ ଓ ଯନ୍ତ୍ରଣା ଇତ୍ୟାଦି ଦ୍ୱନ୍ଦ୍ୱର ଊର୍ଦ୍ଧ୍ୱକୁ ଉଠିବା । ଶ୍ରୀକୃଷ୍ଣ କହୁଛନ୍ତି, ଯେଉଁମାନେ ଏପରି କରିବାକୁ ସକ୍ଷମ ହୁଅନ୍ତି, ସେମାନେ ସଂସାରର ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାଆନ୍ତି ।

ଯେ ପର୍ଯ୍ୟନ୍ତ ଆମେ ନିଜକୁ ଶରୀର ମନେ କରୁଥିବା, ସେ ପର୍ଯ୍ୟନ୍ତ ଆମେ ସମଦର୍ଶିତା ହାସଲ କରିପାରିବା ନାହିଁ, କାରଣ ଆମେ ଶାରୀରିକ ସୁଖ ଓ ଦୁଃଖ ଅନୁସାରେ, ଆସକ୍ତି ଓ ବିରକ୍ତିର ଅନୁଭବ କରି ଚାଲିଥିବା । ମହାପୁରୁଷମାନେ ଶାରୀରିକ ଚେତନାର ଊର୍ଦ୍ଧ୍ୱରେ ଥାନ୍ତି ଏବଂ ଭଗବାନଙ୍କଠାରେ ମନୋନିବେଶ କରି ସମସ୍ତ ସାଂସାରିକ ଆସକ୍ତିକୁ ପରିତ୍ୟାଗ କରିଦେଇ ଥାଆନ୍ତି । ରାମାୟଣ କହେ:

ସେବହିଁ ଲଖନୁ ସୀୟ ରଘୁବୀରହି, ଜିମି ଅବିବେକୀ ପୁରୁଷ ସରୀରହି ।

“ଲକ୍ଷ୍ମଣ ପ୍ରଭୁ ରାମ ଓ ସୀତାଙ୍କର ଏପରି ସେବା କରୁଥିଲେ, ଯେପରି ଜଣେ ମୁର୍ଖବ୍ୟକ୍ତି ନିଜ ଶରୀରର ସେବା କରେ ।”

ଏହିପରି ଦିବ୍ୟ ଚେତନାରେ ଯେତେବେଳେ ବ୍ୟକ୍ତିର ମନ ସ୍ଥିତ ହୋଇଯାଏ, ସେ ଶାରୀରିକ ସୁଖ ଓ ଦୁଃଖ ଜନିତ ଆସକ୍ତିକୁ ଅତିକ୍ରମ କରି   ସମଦର୍ଶୀ ସ୍ତରରେ ଉପନୀତ ହୋଇଯାଏ । ଏହି ସମଦର୍ଶିତା, ଯାହା ଶରୀରର ସ୍ୱାର୍ଥଯୁକ୍ତ କାମନାକୁ ପରିତ୍ୟାଗ କରିବା ଦ୍ୱାରା ଆସିଥାଏ, ତାହା ବ୍ୟକ୍ତିକୁ ଭଗବତ୍ ଗୁଣଯୁକ୍ତ କରିଥାଏ । ମହାଭାରତ କହେ: ଯୋ ନ କାମୟତେ କିଞ୍ôଚତ ବ୍ରହ୍ମ ଭୂୟାୟ କଳ୍ପତେ “ଯିଏ କାମନା ତ୍ୟାଗ କରିଦିଏ, ସେ ଭଗବାନଙ୍କ ପରି ହୋଇଯାଏ ।”