Bhagavad Gita: Chapter 5, Verse 29

ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକମହେଶ୍ୱରମ୍ ।
ସୁହୃଦଂ ସର୍ବଭୂତାନାଂ ଜ୍ଞାତ୍ୱା ମାଂ ଶାନ୍ତିମୃଚ୍ଛତି ।।୨୯।।

ଭୋକ୍ତାରମ୍‌- ଉପଭୋକ୍ତା; ଯଜ୍ଞ-ଯଜ୍ଞ; ତପସାଂ-ତପସ୍ୟା ଓ ବ୍ରତାନୁଷ୍ଠାନ ମାନଙ୍କର; ସର୍ବଲୋକ-ସମସ୍ତ ଲୋକର; ମହେଶ୍ୱରମ୍‌-ପରମେଶ୍ୱର; ସୁହୃଦଂ-ସୁଦୃଦ; ସର୍ବ-ସମସ୍ତ; ଭୂତାନାମ୍‌-ଜୀବମାନଙ୍କର; ଜ୍ଞାତ୍ୱା-ଏହିପରି ଜାଣି; ମାଂ-ମୋତେ (ଭଗବାନ ଶ୍ରୀକୃଷ୍ଣଙ୍କୁ); ଶାନ୍ତିଂ-ଭୌତିକ ଦୁଃଖଯନ୍ତ୍ରଣାରୁ ମୁକ୍ତି; ଋଚ୍ଛତି- ପ୍ରାପ୍ତ ହୁଏ ।

Translation

BG 5.29: ମୋତେ ସମସ୍ତ ଯଜ୍ଞ ଓ ତପସ୍ୟାର ଉପଭୋକ୍ତା ତଥା ସମସ୍ତ ଲୋକର ପ୍ରଭୁ ଏବଂ ସମସ୍ତ ପ୍ରାଣୀଙ୍କର ନିଃସ୍ୱାର୍ଥପର ବନ୍ଧୁ ରୂପରେ ଜାଣି, ମୋର ଭକ୍ତଗଣ ଶାନ୍ତି ପ୍ରାପ୍ତ କରିଥାନ୍ତି ।

Commentary

ପୂର୍ବ ଦୁଇଗୋଟି ଶ୍ଲୋକରେ ବର୍ଣ୍ଣନା କରାଯାଇଥିବା ବୈରାଗ୍ୟ ଯୁକ୍ତ ସାଧନା ଆତ୍ମଜ୍ଞାନ (ନିଜକୁ ଜାଣିବା) କରାଇଥାଏ, କିନ୍ତୁ ବ୍ରହ୍ମଜ୍ଞାନ (ଭଗବାନଙ୍କୁ ଜାଣିବା) ଭଗବାନଙ୍କ କୃପା ଦ୍ୱାରା ହୋଇଥାଏ, ଯାହା କେବଳ ଭକ୍ତି ଦ୍ୱାରା ମିଳିଥାଏ । ସର୍ବଲୋକ ମହେଶ୍ୱରମ୍ ର ଅର୍ଥ “ସମସ୍ତ ବ୍ରହ୍ମାଣ୍ଡମାନଙ୍କର ଏକମାତ୍ର ପ୍ରଭୁ” ଏବଂ ସୁହୃଦମ୍ ସର୍ବ ଭୂତାନାମ୍ ଶବ୍ଦର ଅର୍ଥ “ସମସ୍ତ ପ୍ରାଣୀଙ୍କର ସହୃଦୟ ହିତୈଷୀ ।” ଏହିପରି କହିବା ଦ୍ୱାରା, ସେ ଗୁରୁତ୍ୱ ଦେଉଛନ୍ତି ଯେ ଯେହେତୁ ସମସ୍ତ ସାଧନା ଓ ଯଜ୍ଞର ଉପଭୋକ୍ତା ଭଗବାନ ଅଟନ୍ତି, ସନ୍ୟାସର ପଥ ସହିତ ଭଗବାନଙ୍କର ଶରଣାଗତି ମଧ୍ୟ ମିଶ୍ରିତ ହେବା ଆବଶ୍ୟକ । ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଏହାକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି:

ହରି କା ବିୟୋଗୀ ଜୀବ ଗୋବିନ୍ଦ ରାଧେ, ସାଁଚୋ ଯୋଗ ସୋଈ ଯୋ ହରି ସେ ମିଲାଦେ ।

(ରାଧାଗୋବିନ୍ଦ ଗୀତ)

“ଅନାଦି କାଳରୁ ଆତ୍ମା ପରାମାତ୍ମାଙ୍କ ଠାରୁ ବିମୁଖ ରହିଛି । ଯାହା ଆତ୍ମାକୁ ପରମାତ୍ମାଙ୍କ ସହିତ ମିଳିତ କରାଏ, ତାହା ହିଁ ପ୍ରକୃତ ଯୋଗ ଅଟେ ।”  ତେଣୁ ଭକ୍ତି ସହିତ ଯୁକ୍ତ ନ ହୋଇ କୌଣସି ଯୋଗ ପ୍ରଣାଳୀ ସମ୍ପୂର୍ଣ୍ଣ ନୁହେଁ ।

‘ଭଗବତ୍ ଗୀତା’ରେ ଶ୍ରୀକୃଷ୍ଣ ଆଧ୍ୟାତ୍ମିକ ସାଧନାର ସମସ୍ତ ସମୁଚିତ ମାର୍ଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛନ୍ତି କିନ୍ତୁ ସର୍ବଶେଷରେ ସେ ସମସ୍ତ ମାର୍ଗର ସଫଳତା ପାଇଁ ଭକ୍ତିର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛନ୍ତି । ଉଦାହରଣ ସ୍ୱରୂପ, ଏହିପରି ଉପସ୍ଥାପନା ସେ ଶ୍ଲୋକ ୬.୪୬-୪୭, ୮.୨୨, ୧୧.୫୩-୫୪-୫୫ କରିଛନ୍ତି । ଏଠାରେ ମଧ୍ୟ ଶ୍ରୀକୃଷ୍ଣ, ଭକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଅଧ୍ୟାୟର ପରିସମାପ୍ତି କରିଛନ୍ତି ।