Bhagavad Gita: Chapter 5, Verse 26

କାମକ୍ରୋଧବିଯୁକ୍ତାନାଂ ଯତୀନାଂ ଯତଚେତସାମ୍ ।
ଅଭିତୋ ବ୍ରହ୍ମନିର୍ବାଣଂ ବର୍ତତେ ବିଦିତାତ୍ମନାମ୍ ।।୨୬।।

କାମ-କାମନା; କ୍ରୋଧ-କ୍ରୋଧ; ବିମୁକ୍ତାନାଂ - ଯେଉଁମାନେ ଏ ସବୁରୁ ମୁକ୍ତ; ଯତୀନାଂ - ଯତି ବା ମୁନିମାନଙ୍କର; ଯତ୍‌-ଚେତସାମ୍‌- ସମ୍ପୂର୍ଣ୍ଣରୂପେ ମନକୁ ବଶ କରିଥିବା ଆତ୍ମଜ୍ଞାନୀ ; ଅଭିତଃ - ସବୁ ଦିଗରୁ, ବ୍ରହ୍ମ -ବ୍ରହ୍ମ; ନିର୍ବାଣଂ - ମାୟିକ ସ୍ଥିତିରୁ ମୁକ୍ତ; ବର୍ତତେ - ରହନ୍ତି; ବିଦିତ ଆତ୍ମନାମ୍‌- ଯେଉଁମାନେ ଆତ୍ମାନୁଭୂତି ଲାଭ କରିଥାଆନ୍ତି ।

Translation

BG 5.26: ଯେଉଁ ସନ୍ନ୍ୟାସୀମାନେ, କ୍ରମାଗତ ଉଦ୍ୟମ ଦ୍ୱାରା, କାମନା ଓ କ୍ରୋଧରୁ ମୁକ୍ତ ହୋଇଯାଇ ଥାଆନ୍ତି, ଯେଉଁମାନେ ନିଜର ମନକୁ ସଂଯତ କରି ଆତ୍ମ ଅନୁଭୂତି ଲାଭ କରିଥାଆନ୍ତି, ସେମାନେ ସର୍ବତୋ ଭାବରେ ମାୟିକ ବନ୍ଧନରୁ ମୁକ୍ତ ରହନ୍ତି ।

Commentary

ଶ୍ଲୋକ ୫.୨ରେ ବର୍ଣ୍ଣନା କରାଯାଇଛି ଯେ କର୍ମଯୋଗ ଅଧିକାଂଶ ବ୍ୟକ୍ତିଙ୍କ ପାଇଁ ନିରାପଦ ପଥ ଅଟେ । ସେଥିପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହି ମାର୍ଗରେ ଯିବା ପାଇଁ ଉପଦେଶ ଦେଉଛନ୍ତି । ତଥାପି ଯେଉଁମାନେ ସଂସାରରୁ ବାସ୍ତବରେ ବିରକ୍ତ, ସେମାନଙ୍କ ପାଇଁ କର୍ମସନ୍ନ୍ୟାସ ମଧ୍ୟ ଉପଯୁକ୍ତ ଅଟେ । ଏହା ଏଥିପାଇଁ ଲାଭଦାୟକ ଯେ ଏଥିରେ ସାମାଜିକ କର୍ତ୍ତବ୍ୟ ତୁଲାଇବା ପାଇଁ ସମୟ ଓ ଶକ୍ତି ଖର୍ଚ୍ଚ କରିବାକୁ ପଡ଼େନାହିଁ ଏବଂ ବ୍ୟକ୍ତି ଆଧ୍ୟାତ୍ମିକ କାର୍ଯ୍ୟରେ ପୂର୍ଣ୍ଣତଃ ନିଜକୁ ନିୟୋଜିତ କରିପାରେ । ଇତିହାସରେ ଏହିପରି ଅନେକ ଉଚ୍ଚକୋଟୀର ସନ୍ୟାସୀ  ରହିଛନ୍ତି । ଶ୍ରୀକୃଷ୍ଣ କହୁଛନ୍ତି, ଏହିପରି କର୍ମସନ୍ନ୍ୟାସୀମାନେ ମଧ୍ୟ ଦ୍ରୁତ ଗତିରେ ଉନ୍ନତି କରିଥାଆନ୍ତି ଏବଂ ସର୍ବତ୍ର ସୁଖ ଅନୁଭବ କରିଥାନ୍ତି । କାମ ଓ କ୍ରୋଧର ଆବେଗକୁ ସମାପ୍ତ କରି ଏବଂ ନିଜ ମନକୁ ପରାଭୂତ କରି, ସେମାନେ ଏହି ଜନ୍ମରେ ଓ ତା ପରେ ମଧ୍ୟ ପୂର୍ଣ୍ଣ ଶାନ୍ତି ଲାଭ କରିଥାନ୍ତି ।

ଅଧିକାଂଶତଃ ଆମେ ମନରେ ଏହି ଭ୍ରାନ୍ତ ଧାରଣା ପୋଷଣ କରିଥାଏ ଯେ ବାହ୍ୟ ପରିସ୍ଥିତି ଆମ ଅଶାନ୍ତିର କାରଣ ଅଟେ ଏବଂ ଆମେ ଆଶା କରେ ଦିନେ ନା ଦିନେ ପରିସ୍ଥିତି ସବୁ ଆମର ଶାନ୍ତି ପାଇଁ ଅନୁକୁଳ ହେବେ । କିନ୍ତୁ ଶାନ୍ତି କୌଣସି ବାହ୍ୟ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ । ଏହା ଶୁଦ୍ଧ ହୋଇଥିବା ଇନ୍ଦ୍ରିୟ, ମନ ଓ ବୁଦ୍ଧିର ପରିଣାମ ଅଟେ । ବାହ୍ୟ ପରିସ୍ଥିତି ଯେପରି ହୋଇଥିଲେ ବି, ମନ ଓ ଚିନ୍ତନରେ ଅନ୍ତର୍ମୁଖୀ ହୋଇଥିବା ସନ୍ନ୍ୟାସୀମାନେ ସୁଖର ସାଗର ନିଜ ମଧ୍ୟରେ ପାଇଥାନ୍ତି ଏବଂ ଆଭ୍ୟନ୍ତରୀଣ ସମସ୍ତ ପ୍ରକ୍ରିୟାକୁ ସୁନିୟୋଜିତ କରି, ସେମାନେ ସର୍ବତ୍ର ଏକପ୍ରକାର ଶାନ୍ତି ଅନୁଭବ କରନ୍ତି ଓ ଏହିଠାରେ ହିଁ ମୁକ୍ତିପ୍ରାପ୍ତ କରନ୍ତି ।