Bhagavad Gita: Chapter 5, Verse 20

ନ ପ୍ରହୃଷ୍ୟେତ୍‌ପ୍ରିୟଂ ପ୍ରାପ୍ୟ ନୋଦ୍ୱିଜେତ୍‌ପ୍ରାପ୍ୟ ଚାପ୍ରିୟମ୍ ।
ସ୍ଥିରବୁଦ୍ଧିରସମ୍ମୂଢ଼ୋ ବ୍ରହ୍ମବିଦ୍ ବ୍ରହ୍ମଣି ସ୍ଥିତଃ ।।୨୦।।

ନ-ହୁଏ ନାହିଁ; ପ୍ରହୃଷ୍ୟେତ୍ - ହର୍ଷିତ; ପ୍ରିୟଂ - ପ୍ରିୟ; ପ୍ରାପ୍ୟ - ପ୍ରାପ୍ତହୋଇ; ନ-ହୁଏ ନାହିଁ; ଉଦ୍‌ବିଜେତ୍ -ବିଚଳିତ; ପ୍ରାପ୍ୟ- ପ୍ରାପ୍ତହୋଇ; ଚ-ମଧ୍ୟ; ଅପ୍ରିୟମ୍ - ଅପ୍ରିୟ; ସ୍ଥିର-ବୁଦ୍ଧି - ସ୍ଥିର ବୁଦ୍ଧି; ଅସଂମୂଢ଼ଃ- ବିମୋହିତ ନୁହେଁ; ବ୍ରହ୍ମବିତ୍ -ଯିଏ ଭଗବାନଙ୍କୁ ବାସ୍ତବରେ ଜାଣନ୍ତି; ବ୍ରହ୍ମଣି - ଭଗବାନଙ୍କ ଠାରେ; ସ୍ଥିତଃ - ଅବସ୍ଥିତ ।

Translation

BG 5.20: ଭଗବାନଙ୍କ ଠାରେ ସ୍ଥିତ ରହି, ଯେଉଁମାନଙ୍କର ବୁଦ୍ଧି ସ୍ଥିର ଏବଂ ମୋହଶୂନ୍ୟ ହୋଇ ଯାଇଥାଏ, ସେମାନେ ସୁଖରେ ଉତ୍‌ଫୁଲ୍ଲିତ ହୁଅନ୍ତି ନାହିଁ କିମ୍ବା ଦୁଃଖରେ ଉଦ୍‌ବେଗଗ୍ରସ୍ତ ହୁଅନ୍ତି ନାହିଁ ।

Commentary

ଶ୍ଲୋକର ଏହି ଅଂଶ - ସୁଖରେ ଉତ୍‌ଫୁଲ୍ଲିତ ନ ହେବା ଓ ଦୁଃଖରେ ପଶ୍ଚାତାପ ନ କରିବା - ବୌଦ୍ଧ ଧର୍ମ ଅନ୍ତର୍ଗତ ବିପାସ୍ସନା  ଧ୍ୟାନ ବିଧିର ଚରମ ଆଦର୍ଶ ଅଟେ । ଏହି ଆଦର୍ଶରେ ଅଧିଷ୍ଠିତ ହେବା ପାଇଁ କଠୋର ଅଧ୍ୟବସାୟ କରିବାକୁ ପଡ଼ିଥାଏ ଏବଂ ଅନ୍ତତଃ ଏହା ସମଦର୍ଶିତା ଏବଂ ନିଷ୍କାମତାକୁ ପ୍ରାପ୍ତ ହୋଇଥାଏ । କିନ୍ତୁ ଭକ୍ତି କରିବାକୁ ଯାଇ ଆମେ ଯେତେବେଳେ ନିଜର ଇଚ୍ଛାକୁ ଭଗବାନଙ୍କ ଠାରେ ସମର୍ପିତ କରିଦେଇ ଥାଏ, ଆମେ ସ୍ୱାଭାବିକ ଭାବରେ ଏହି ସ୍ଥିତିରେ ଉପନୀତ ହୋଇଯାଏ । ଶ୍ଲୋକ ୫.୧୭ ଅନୁଯାୟୀ, ନିଜର ଇଚ୍ଛାକୁ ଈଶ୍ୱରଙ୍କ ଇଚ୍ଛାରେ ଯୁକ୍ତ କରିଦେଇ ଆମେ ଉଭୟ ସୁଖ ଓ ଦୁଃଖକୁ ଶାନ୍ତ ଚିତ୍ତରେ ଭଗବାନଙ୍କର କୃପା ଭାବରେ ଗ୍ରହଣ କରିଥାଏ ।

ଗୋଟିଏ ସୁନ୍ଦର କାହାଣୀ ମାଧ୍ୟମରେ ଏହି ମନୋଭାବକୁ ବ୍ୟକ୍ତ କରାଯାଇ ପାରେ । ଥରେ ଗୋଟିଏ ଜଙ୍ଗଲୀ ଘୋଡ଼ା ଆକସ୍ମିକ ଭାବରେ ଜଣେ କୃଷକର କ୍ଷେତ ଭିତରକୁ ଚାଲି ଆସିଲା । ଲୋକମାନେ କୃଷକକୁ ତା’ର ସୌଭାଗ୍ୟ ପାଇଁ ଅଭିନନ୍ଦନ ଜଣାଇଲେ । କୃଷକ ଜଣକ  କହିଲେ “ସୌଭାଗ୍ୟ କି ଦୁର୍ଭାଗ୍ୟ, କିଏ ଜଣେ? ସବୁ ଭଗବାନଙ୍କର ଇଚ୍ଛା ।” କିଛି ଦିନ ପରେ ଘୋଡ଼ାଟି ଜଙ୍ଗଲକୁ ପୁଣି ଫେରିଗଲା । ପଡ଼ୋଶୀ ମାନେ ତାଙ୍କର ଦୁର୍ଭାଗ୍ୟ ପ୍ରତି ସମବେଦନା ଜ୍ଞାପନ କଲେ । ପୁଣି କୃଷକ କହିଲେ “ଦୁର୍ଭାଗ୍ୟ ବା ସୌଭାଗ୍ୟ, କିଏ ଜାଣେ? ସବୁ ଭଗବାନଙ୍କର ଇଚ୍ଛା ।” କିଛି ଦିନ ଅତିବାହିତ ହେଲା ପରେ ଘୋଡ଼ାଟି ଅନ୍ୟ କୋଡ଼ିଏଟି ଘୋଡ଼ାଙ୍କ ସହିତ ଫେରି ଆସିଲା । ପୁଣି ଥରେ ଲୋକମାନେ କୃଷକକୁ ତା’ର ସୌଭାଗ୍ୟ ପାଇଁ ଅଭିନନ୍ଦନ ଜଣାଇଲେ । ସେ ବିଜ୍ଞତାର ସହିତ କହିଲେ, “ସୌଭାଗ୍ୟ କି ଦୁର୍ଭାଗ୍ୟ, କିଏ ଜାଣେ? ସବୁ ଭଗବାନଙ୍କର ଇଚ୍ଛା ।” କିଛିଦିନ ପରେ କୃଷକଙ୍କର ପୁତ୍ର ଗୋଟିଏ ଘୋଡ଼ା ଉପରେ ଚଢୁଥିବା ସମୟରେ ତାଙ୍କର ଗୋଡ଼ ଭାଙ୍ଗିଗଲା । ପଡ଼ୋଶୀମାନେ ସେଥିରେ ଦୁଃଖ ପ୍ରକାଶ କଲେ । ଜ୍ଞାନୀ ଚାଷୀଟି ଉତ୍ତର ଦେଲେ, “ସୁଖ ଓ ଦୁଃଖ, ଏହା କେବଳ ଭଗବାନଙ୍କ ଇଚ୍ଛା ।” ପୁୁଣି କିଛି ଦିନ ବିତିଯିବା ପରେ, ହଠାତ୍ ରାଜ୍ୟରେ ଯୁଦ୍ଧ ଘୋଷଣା ହେଲା । ସୈନ୍ୟ ବାହିନୀରେ ଭର୍ତ୍ତି କରିବା ପାଇଁ ରାଜାଙ୍କର ସୈନ୍ୟମାନେ ଗାଁ ଗାଁ ବୁଲି ଯୁବକମାନଙ୍କର ଅନୁସନ୍ଧାନ କରିବାରେ ଲାଗିଲେ । ସେମାନେ ଗ୍ରାମର ସବୁ ଯୁବକଙ୍କୁ ନେଇଗଲେ, କିନ୍ତୁ କୃଷକଙ୍କ ପୁଅର ଗୋଡ଼ ଭାଙ୍ଗି ଯାଇଥିବା ଯୋଗୁଁ ତାକୁ ଛାଡ଼ି ଦିଆଗଲା ।

ଭଗବତ୍ ଜ୍ଞାନ ଆମକୁ ଏହା ବୋଧ କରାଏ ଯେ ଆମର ବାସ୍ତବ ସ୍ୱାର୍ଥ ଭଗବାନଙ୍କୁ ସୁୁଖ ଦେବାରେ ହିଁ ନିହିତ ରହିଛି । ଏହା ବୁଦ୍ଧିକୁ ଭଗବାନଙ୍କର ଇଚ୍ଛା ପ୍ରତି ସମର୍ପିତ କରାଇ ଥାଏ ଏବଂ ବ୍ୟକ୍ତିର ନିଜସ୍ୱ ଇଚ୍ଛା ଯେତେବେଳେ ଦିବ୍ୟ ଇଚ୍ଛାରେ ଯୁକ୍ତ ହୋଇଯାଏ, ସେତେବେଳେ ବ୍ୟକ୍ତି ସମଦର୍ଶିତାକୁ ପ୍ରାପ୍ତ ହୋଇ ସୁଖ ଓ ଦୁଃଖକୁ ଭଗବାନଙ୍କର କୃପା ଭାବରେ ଗ୍ରହଣ କରିଥାଏ । ଏହା ଦିବ୍ୟ ସ୍ତରରେ ସ୍ଥିତ ବ୍ୟକ୍ତିଙ୍କର ଲକ୍ଷଣ ଅଟେ ।