Bhagavad Gita: Chapter 5, Verse 7

ଯୋଗଯୁକ୍ତୋ ବିଶୁଦ୍ଧାତ୍ମା ବିଜିତାତ୍ମା ଜିତେନ୍ଦ୍ରିୟଃ ।
ସର୍ବଭୂତାତ୍ମଭୂତାତ୍ମା କୁର୍ବନ୍ନପି ନ ଲିପ୍ୟତେ ।।୭।।

ଯୋଗଯୁକ୍ତ - କର୍ମଯୋଗରେ ଭଗବାନଙ୍କ ସହିତ ଯୁକ୍ତ; ବିଶୁଦ୍ଧ ଆତ୍ମା - ବିଶୁଦ୍ଧ ଆତ୍ମା; ବିଜିତ-ଆତ୍ମା- ଆତ୍ମଜୟୀ; ଜିତ-ଇନ୍ଦ୍ରିୟଃ - ଇନ୍ଦ୍ରିୟମାନଙ୍କୁ ଜୟ କରିଥିବା; ସର୍ବଭୂତ ଆତ୍ମଭୂତ-ଆତ୍ମା -ସବୁ ଜୀବଙ୍କ ଭିତରେ ପରମାତ୍ମାଙ୍କର ଦର୍ଶନ କରନ୍ତି; କୁର୍ବନ୍ ଅପି -ଯଦିଓ କର୍ମରତ; ନ-ନାହିଁ; ଲିପ୍ୟତେ -ବନ୍ଧନଯୁକ୍ତ ହୁଏ ।

Translation

BG 5.7: ଯେଉଁ କର୍ମଯୋଗୀମାନଙ୍କର ବୁଦ୍ଧି ବିଶୁଦ୍ଧ ଅଟେ ଏବଂ ଯିଏ ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିିଥାଆନ୍ତି, ସେମାନେ ସମସ୍ତ ପ୍ରାଣୀଙ୍କଠାରେ ଆତ୍ମାର ଆତ୍ମା ପରମାତ୍ମାଙ୍କୁ ଦେଖିଥାନ୍ତି । ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ ସେମାନେ ସେଥିରେ ଛନ୍ଦି ହୁଅନ୍ତି ନାହିଁ ।

Commentary

ବୈଦିକ ସାହିତ୍ୟରେ ଆତ୍ମା ଶବ୍ଦଟି ଅନେକ ଅର୍ଥରେ ବ୍ୟବହୃତ ହୋଇଥାଏ: ଭଗବାନ, ଆତ୍ମା, ମନ,ଏବଂ ବୁଦ୍ଧି । ଏହି ଶ୍ଲୋକଟି ଏହାର ସମସ୍ତ ବ୍ୟବହାର ଦର୍ଶାଇଥାଏ । ଶ୍ରୀକୃଷ୍ଣ କର୍ମଯୋଗୀଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି ଯେ ସେମାନେ: ୧) ବିଶୁଦ୍ଧାତ୍ମା, ଶୁଦ୍ଧ ବୁଦ୍ଧିଯୁକ୍ତ, ୨) ବିଜିତାତ୍ମା, ଯିଏ ମନକୁ ଜୟ କରିଛି, ଏବଂ ୩) ଜିତେନ୍ଦ୍ରିୟ, ଇନ୍ଦ୍ରିୟଙ୍କୁ ବଶ କରିଥିବା ବ୍ୟକ୍ତି ଅଟନ୍ତି ।

ଏପରି ବିଶୁଦ୍ଧ ବୁଦ୍ଧିଯୁକ୍ତ କର୍ମଯୋଗୀମାନେ, ସମସ୍ତ ପ୍ରାଣୀଙ୍କଠାରେ ଭଗବାନଙ୍କର ଦର୍ଶନ କରନ୍ତି ଏବଂ ସମସ୍ତଙ୍କ ପ୍ରତି ଆସକ୍ତି ରହିତ  ସମ୍ମାନ ପ୍ରଦର୍ଶନ କରିଥାନ୍ତି । ଆତ୍ମସମ୍ଭୋଗ ଇଚ୍ଛାରେ ଅଭିପ୍ରେରିତ ହୋଇ ନ ଥିବା ସେମାନଙ୍କର କର୍ମ, କ୍ରମଶଃ ସେମାନଙ୍କର ଜ୍ଞାନକୁ ପରିମାର୍ଜିତ କରିଥାଏ । କାମନାର ନିବୃତ୍ତି ସହିତ, ଇନ୍ଦ୍ରିୟ ସୁଖ ପାଇଁ ଲାଳାୟିତ ସେମାନଙ୍କର ଇନ୍ଦ୍ରିୟ, ମନ ଓ ବୁଦ୍ଧି ମଧ୍ୟ ସଂଯମିତ ହୋଇଯାଏ । ସେହି ସବୁ ଉପକରଣ ବର୍ତ୍ତମାନ ଭଗବାନଙ୍କର ସେବା ପାଇଁ ଉପଲବ୍ଧ ହୁଅନ୍ତି ଏବଂ ଭକ୍ତିଯୁକ୍ତ ସେବାର ପରିଣାମ ସ୍ୱରୂପ ଭିତରେ ଅନୁଭବାତ୍ମକ ଜ୍ଞାନର ଉଦୟ ହୋଇଥାଏ । ଏହିପରି ଭାବରେ,କର୍ମଯୋଗ ଦ୍ୱାରା ସ୍ୱାଭାବିକ ଭାବରେ ଜ୍ଞାନୋଦୟରେ କ୍ରମ ଅଭିବୃଦ୍ଧି ଘଟିଥାଏ; ତେଣୁ ଏହା କର୍ମ ସନ୍ନ୍ୟାସଠାରୁ ଭିନ୍ନ ନୁହେଁ ।

Watch Swamiji Explain This Verse