Bhagavad Gita: Chapter 5, Verse 14

ନ କର୍ତୃତ୍ୱଂ ନ କର୍ମାଣି ଲୋକସ୍ୟ ସୃଜତି ପ୍ରଭୁଃ ।
ନ କର୍ମଫଳସଂଯୋଗଂ ସ୍ୱଭାବସ୍ତୁ ପ୍ରବର୍ତତେ ।।୧୪।।

ନ-ନୁହେଁ; କର୍ତୃତ୍ୱଂ - କର୍ତ୍ତାପଣ; ନ - ନୁହେଁ; କର୍ମାଣି - କର୍ମସବୁ; ଲୋକସ୍ୟ- ବ୍ୟକ୍ତିର; ସୃଜତି - ସୃଷ୍ଟିକରେ; ପ୍ରଭୁଃ - ଭଗବାନ; ନ-ନୁହେଁ; କର୍ମଫଳ -କର୍ମଫଳ; ସଂଯୋଗଂ -ସମ୍ବନ୍ଧ; ସ୍ୱଭାବଃ - ସ୍ୱଭାବତଃ; ତୁ-କିନ୍ତୁ; ପ୍ରବର୍ତତେ - କରାଯାଇ ଥାଏ ।

Translation

BG 5.14: ବ୍ୟକ୍ତିର କତ୍ତୃତ୍ୱ ବା କର୍ମ ଭଗବାନଙ୍କଠାରୁ ଆସି ନ ଥାଏ; ସେ କର୍ମର ଫଳ ସହିତ ବ୍ୟକ୍ତିକୁ ସଂଯୁକ୍ତ କରନ୍ତି ନାହିଁ । ବ୍ୟକ୍ତିର ତ୍ରିଗୁଣାତ୍ମକ ସ୍ୱଭାବ ଏସବୁ କରିଥାଏ ।

Commentary

ଏହି ଶ୍ଲୋକରେ, ପ୍ରଭୁ ଶବ୍ଦଟି ଭଗବାନଙ୍କ ଉଦ୍ଦେଶ୍ୟରେ ଏହି ଅର୍ଥରେ ବ୍ୟବହାର କରାଯାଇଛି ଯେ ସେ ସଂସାରର ସ୍ୱାମୀ ଅଟନ୍ତି । ସେ ସର୍ବଶକ୍ତିମାନ ଅଟନ୍ତି ଏବଂ ସମଗ୍ର ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରନ୍ତି । କିନ୍ତୁ ସଂସାରର ସବୁକିଛି କରି ମଧ୍ୟ ସେ ସେ ଅକର୍ତ୍ତା ରହନ୍ତି । ସେ ଆମ କର୍ମର ନିର୍ଦ୍ଦେଶକ ନୁହଁନ୍ତି କି କୌଣସି ଭଲ ବା ମନ୍ଦ କର୍ମ କରିବାକୁ ସେ ଆମକୁ ଆଦେଶ ଦିଅନ୍ତି ନାହିଁ । ସେ ଯଦି ଆମର ନିର୍ଦ୍ଦେଶକ ହୋଇଥାନ୍ତେ, ତେବେ ଭଲ ବା ମନ୍ଦ କର୍ମ ବିଷୟରେ କୌଣସି ଆଲୋଚନା କରିବାର କିଛି ଆବଶ୍ୟକତା ନ ଥା’ନ୍ତା । ସମସ୍ତ ଶାସ୍ତ୍ର ତିନୋଟି କ୍ଷୁଦ୍ର ବାକ୍ୟରେ ଶେଷ ହୋଇଯାଆନ୍ତା: “ହେ ଜୀବ! ତୁମ୍ଭମାନଙ୍କର ସମସ୍ତ କର୍ମର ନିର୍ଦ୍ଦେଶକ ମୁଁ ଅଟେ । ତେଣୁ ଭଲ କର୍ମ କ’ଣ ବା ମନ୍ଦ କର୍ମ କ’ଣ, ତାହା ଜାଣିବାର ଆବଶ୍ୟକତା ତୁମର ନାହିଁ । ମୋର ଯାହା ଇଚ୍ଛା, ମୁଁ ତାହା ତୁମ ଦ୍ୱାରା କରାଇବି ।”

ସେହିପରି ଆମର ଯେଉଁ କତ୍ତୃତ୍ୱାଭିମାନ ଥାଏ, ସେଥିପାଇଁ ଭଗବାନ ଦାୟୀ ନୁହଁନ୍ତି । ସେ ଯଦି ଜାଣିଶୁଣି ଆମ ଠାରେ କତ୍ତୃତ୍ୱାଭିମାନ ସୃଷ୍ଟି କରିଥାଆନ୍ତେ, ତେବେ ଆମର କୁକର୍ମ ପାଇଁ ଆମେ ତାଙ୍କୁ ନିନ୍ଦା କରିପାରନ୍ତେ । କିନ୍ତୁ ବାସ୍ତବରେ, ଜୀବ ଅଜ୍ଞାନ ବଶତଃ ସେହି କର୍ତ୍ତାପଣର ଅଭିମାନ ନିଜଠାରେ ଉତ୍ପନ୍ନ କରିଥାଏ । ଜୀବ ଯଦି ସେହି ଅଜ୍ଞାନରୁ ମୁକ୍ତ ହେବାକୁ ଇଚ୍ଛା କରେ, ତେବେ ଭଗବାନ କୃପାବଶତଃ ସେ ଦିଗରେ ତା’ର ସହାୟତା କରିଥାଆନ୍ତି ।

ସୁତରାଂ, କର୍ତ୍ତୃତ୍ୱଭିମାନ ତ୍ୟାଗ କରିବାର ଦାୟିତ୍ୱ ଜୀବର ଅଟେ । ଶରୀର ମାୟିକ ପ୍ରକୃତିର ତିନିଗୁଣ ଦ୍ୱାରା ଗଠିତ ଏବଂ ସମସ୍ତ କର୍ମ ସେହି ତ୍ରିଗୁଣାତ୍ମିକା ମାୟାର ଖେଳ ଅଟେ । କିନ୍ତୁ ଅଜ୍ଞାନବଶତଃ ଜୀବ ନିଜକୁ ଶରୀର ମନେ କରି କର୍ମର କର୍ତ୍ତା ହୋଇଯାଏ, ଯାହା ବାସ୍ତବରେ ମାୟାର ଗୁଣ ଦ୍ୱାରା ହୋଇଥାଏ । (ଶ୍ଲୋକ ୩:୨୭)

Watch Swamiji Explain This Verse