Bhagavad Gita: Chapter 16, Verse 6

ଦ୍ୱୌ ଭୂତସର୍ଗୌ ଲୋକେଽସ୍ମିନ୍‌ଦୈବ ଆସୁର ଏବ ଚ ।
ଦୈବୋ ବିସ୍ତରଶଃ ପ୍ରୋକ୍ତ ଆସୁରଂ ପାର୍ଥ ମେ ଶୃଣୁ ।।୬।।

ଦ୍ୱୌ- ଦୁଇ; ଭୂତସର୍ଗୌ - ସୃଷ୍ଟିଜୀବ; ଲୋକେ - ଏହି ପୃଥିବୀରେ; ଅସ୍ମିନ୍ - ଏହି; ଦୈବଃ -ଦିବ୍ୟ; ଆସୁରଃ - ଆସୁରିକ; ଏବ-ନିଶ୍ଚିତଭାବେ; ଚ-ଏବଂ; ଦୈବଃ - ଦିବ୍ୟ; ବିସ୍ତରଶଃ - ବିସ୍ତୃତଭାବେ; ପ୍ରୋକ୍ତଃ -କହିଲି; ଆସୁରଂ - ଆସୁରିକ ଗୁଣ ସମ୍ବନ୍ଧରେ; ପାର୍ଥ- ହେ ପୃଥାପୁତ୍ର; ମେ-ମୋ’ଠାରୁ; ଶୃଣୁ - ଶୁଣ ।

Translation

BG 16.6: ସଂସାରରେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି - ଯେଉଁମାନେ ଦିବ୍ୟ ଗୁଣସମ୍ପନ୍ନ ହୋଇଥାନ୍ତି ଏବଂ ଯେଉଁମାନେ ଆସୁରିକ ଗୁଣ ଧାରଣ କରିଥାନ୍ତି । ହେ ଅର୍ଜୁନ! ମୁଁ ଦିବ୍ୟଗୁଣ ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ସାରିଛି । ବର୍ତ୍ତମାନ ମୋଠାରୁ ଆସୁରିକ ଗୁଣ ସମ୍ପର୍କରେ ଶୁଣ ।

Commentary

ପ୍ରତ୍ୟେକ ଜୀବ ନିଜ ସହିତ ତାଙ୍କର ପୂର୍ବଜନ୍ମର ସ୍ୱଭାବ ବହନ କରିଥାନ୍ତି । ଯେଉଁମାନେ ପୂର୍ବଜନ୍ମରେ ସଦ୍‌ଗୁଣର ବିକାଶ କରିଥାନ୍ତି ଏବଂ  ପୁଣ୍ୟ କର୍ମ କରିଥାନ୍ତି, ସେହି ଅନୁସାରେ ସେମାନେ ଦିବ୍ୟଗୁଣଯୁକ୍ତ ହୋଇ ଜନ୍ମଗ୍ରହଣ କରିଥାନ୍ତି । ପୂର୍ବଜନ୍ମରେ ଯେଉଁମାନେ ପାପମୟ କର୍ମରେ ଲିପ୍ତ ରହି ମନକୁ କଳୁଷିତ କରିଥାନ୍ତି, ସେହିସବୁ ସ୍ୱଭାବକୁ ସେମାନେ ଏହି ଜନ୍ମକୁ ବହନ କରିଥାନ୍ତି । ଏହା ସଂସାରରେ ଦୃଷ୍ଟିଗୋଚର ହେଉଥିବା ସ୍ୱଭାବର ଭିନ୍ନତାକୁ ସ୍ପଷ୍ଟ କରିଥାଏ । ଦିବ୍ୟ ଓ ଆସୁରିକ ସ୍ୱଭାବ ଏହି ଭିନ୍ନତାର ଦୁଇଟି ଚରମ ଦିଗନ୍ତ ଅଟନ୍ତି ।

ସ୍ୱର୍ଗଲୋକର ଜୀବଗଣ ଅଧିକ ସଦ୍‌ଗୁଣ ଧାରଣ କରନ୍ତି, କିନ୍ତୁ ନିମ୍ନ ଲୋକମାନଙ୍କରେ ଆସୁରିକ ଗୁଣର ପ୍ରାଧାନ୍ୟ ଥାଏ । ମନୁଷ୍ୟ ଠାରେ ଉଭୟ ଦିବ୍ୟ ଏବଂ ଆସୁରିକ ଗୁଣର ମିଶ୍ରଣ ପରିଲକ୍ଷିତ ହୋଇଥାଏ । ଏପରିକି, ଜଣେ ନିର୍ଦ୍ଦୟୀ କଂସେଇ ଠାରେ ମଧ୍ୟ ଦୟାଭାବ ଥାଇପାରେ ଏବଂ ଉଚ୍ଚ କକ୍ଷର ସାଧକମାନଙ୍କଠାରେ ଦୋଷ ପରିଲକ୍ଷିତ ହୋଇପାରେ । ଏପରି କୁହାଯାଏ ଯେ ସତ୍ୟଯୁଗରେ ଦେବତା ଓ ଦାନବ ଭିନ୍ନ ଭିନ୍ନ ଲୋକରେ ବାସ କରୁଥିଲେ; ତ୍ରେତା ଯୁଗରେ, ସେମାନେ ଗୋଟିଏ ଗ୍ରହରେ ବାସ କରୁଥିଲେ; ଦ୍ୱାପର ଯୁଗରେ, ସେମାନେ ଗୋଟିଏ ପରିବାରରେ ବାସକଲେ ଏବଂ କଳି ଯୁଗରେ, ଦିବ୍ୟ ଏବଂ ଦାନବିକ ଗୁଣ ଜଣେ ବ୍ୟକ୍ତିଙ୍କ ହୃଦୟରେ ସହାବସ୍ଥାନ କରୁଛନ୍ତି । ମନୁଷ୍ୟ ଜନ୍ମର ଏହା ଏକ ଦ୍ୱନ୍ଦ୍ୱ ଅଟେ - ଉଚ୍ଚତର ସ୍ୱଭାବ ତାକୁ ଈଶ୍ୱରଙ୍କ ଦିଗକୁ ପ୍ରେରିତ କରିବା ସମୟରେ ନିମ୍ନତର ସ୍ୱଭାବ ତାକୁ ପତନ ଅଭିମୁଖୀ କରିଥାଏ । ଦୈବୀଗୁଣ ସବୁ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ନିମ୍ନ ପ୍ରକୃତି ଗୁଡିକର ବିସ୍ତୃତ ଆଲୋଚନା କରିଛନ୍ତି । ଏହା ଆମକୁ ସେଗୁଡ଼ିକୁ ଜାଣିବାରେ ଏବଂ ପରିତ୍ୟାଗ କରିବାରେ ସାହାଯ୍ୟ କରିବ ।