Bhagavad Gita: Chapter 16, Verse 10

କାମମାଶ୍ରିତ୍ୟ ଦୁଷ୍ପୂରଂ ଦମ୍ଭମାନମଦାନ୍ୱିତାଃ ।
ମୋହାଦ୍‌ଗୃହୀତ୍ୱାସଦ୍‌ଗ୍ରାହାନ୍ ପ୍ରବର୍ତନ୍ତେଽଶ୍ରୁଚିବତାଃ ।।୧୦।।

କାମଂ- କାମନା ସବୁକୁ; ଆଶ୍ରିତ୍ୟ - ଆଶ୍ରୟକରି; ଦୁଷ୍କୂରଂ - ଅସନ୍ତୋଷ (ଅତି ଲୋଲୁପ); ଦମ୍ଭ-ଗର୍ବ; ମାନ-ମିଥ୍ୟା ଅଭିମାନ; ମଦ-ଅନ୍ୱିତାଃ - ଅହଂକାରରେ ଗ୍ରସ୍ତ; ମୋହାତ୍ - ଭ୍ରମରୁ; ଗୃହୀତ୍ୱା-ଆକର୍ଷିତ ହୋଇ; ଅସତ୍‌-ଅସ୍ଥାୟୀ; ଗ୍ରାହାନ୍ -ପଦାର୍ଥମାନ; ପ୍ରବର୍ତନ୍ତେ- ବୃଦ୍ଧି ପାଏ; ଅଶୁଚି-ବ୍ରତାଃ - ଅପବିତ୍ର ସଂକଳ୍ପ ।

Translation

BG 16.10: ଆସୁରିକ ସ୍ୱଭାବଯୁକ୍ତ ବ୍ୟକ୍ତିମାନେ, ଅତୃପ୍ତ ଯୌନ-କାମନା, ପୂର୍ଣ୍ଣ କପଟତା, ଗର୍ବ ଏବଂ ଅହଂକାର ମନୋଭାବ ପୋଷଣ କରି, ତାଙ୍କର ଅସତ୍ୟ ମତବାଦକୁ ଦୃଢ଼ଭାବେ ଧରି ରଖିଥାନ୍ତି । ଏହିପରି ବିଭ୍ରାନ୍ତ ହୋଇ ସେମାନେ ଅସ୍ଥାୟୀ ପଦାର୍ଥ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ତ୍ରୁଟିଯୁକ୍ତ ସଂକଳ୍ପ ନେଇ କାର୍ଯ୍ୟ କରିଥାନ୍ତି ।

Commentary

ଅତୃପ୍ତ ଯୌନ-କାମନାକୁ ପ୍ରଶ୍ରୟ ଦେଇ, ଆସୁରିକ ମନୋବୃତ୍ତିର ବ୍ୟକ୍ତିଗଣ ଏକ ଅଶୁଦ୍ଧ ଦୁର୍ବଳ ଅନ୍ତଃକରଣ ସୃଷ୍ଟି କରିଥାନ୍ତି । କପଟତାରେ ପରିପୂର୍ଣ୍ଣ ହୋଇ, ସେମାନେ ପ୍ରକୃତରେ ଯାହା ନୁହଁନ୍ତି ତାହା ଦେଖାଇବାର ଛଳନା କରିଥାନ୍ତି । ତାଙ୍କର ଭ୍ରଷ୍ଟ ବୁଦ୍ଧି ଭ୍ରାନ୍ତ ଧାରଣାକୁ ସ୍ୱୀକାର କରିଥାଏ ଏବଂ ତାଙ୍କର ଗର୍ବ ତାଙ୍କୁ ଏହି ବିଶ୍ୱାସ ଦେଇଥାଏ ଯେ, ତାଙ୍କଠାରୁ ଅଧିକ ବୁଦ୍ଧିମାନ କେହି ନାହାନ୍ତି । ଇନ୍ଦ୍ରିୟ ବିଷୟ ମାନଙ୍କର କ୍ଷଣସ୍ଥାୟୀ ସୁଖରେ ମୋହିତ ହୋଇ, ତାଙ୍କର ବୁଦ୍ଧି ସଙ୍କୀର୍ଣ୍ଣମନା ଏବଂ ଅହଂକାରୀ ହୋଇଯାଏ । ସେଥିପାଇଁ ସେମାନେ ଶାସ୍ତ୍ରମାନଙ୍କର ନିର୍ଦ୍ଦେଶକୁ ଅବଜ୍ଞା କରନ୍ତି ଏବଂ ଯାହା ଉଚିତ୍ ଓ ସତ୍ୟ, ତା’ର ବିପରୀତ ଆଚରଣ କରନ୍ତି ।