Bhagavad Gita: Chapter 16, Verse 18

ଅହଂକାରଂ ବଳଂ ଦର୍ପଂ କାମଂ କ୍ରୋଧଂ ଚ ସଂଶ୍ରିତାଃ ।
ମାମାତ୍ମପରଦେହେଷୁ ପ୍ରଦ୍ୱିଷନ୍ତୋଽଭ୍ୟସୂୟକାଃ ।।୧୮।।

ଅହଙ୍କାରଂ -ଅହଙ୍କାର; ବଳଂ -ବଳ; ଦର୍ପଂ -ଗର୍ବ; କାମଂ-କାମ; କ୍ରୋଧଂ-କ୍ରୋଧ; ଚ-ଏବଂ; ସଂଶ୍ରିତାଃ -ଆବୃତ ହୋଇ; ମାଂ - ମୋତେ; ଆତ୍ମ-ପର-ଦେହେଷୁ -ନିଜ ଭିତରେ ଏବଂ ଅନ୍ୟମାନଙ୍କର ଶରୀରରେ; ପ୍ରଦ୍ୱିଷନ୍ତଃ -ନିନ୍ଦା କରନ୍ତି; ଅଭ୍ୟସୂୟକାଃ -ଆସୁରିକ ।

Translation

BG 16.18: ଆତ୍ମ-ଗର୍ବ, ଦମ୍ଭ, ଅହଂକାର, କାମନା ଏବଂ କ୍ରୋଧ ଦ୍ୱାରା ଅନ୍ଧ ହୋଇ, ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ନିଜ ଶରୀରରେ ତଥା ଅନ୍ୟମାନଙ୍କ ଶରୀରରେ ମୋର ଉପସ୍ଥିତିକୁ ଅପମାନିତ କରିଥାନ୍ତି ।

Commentary

ଏଠାରେ ଶ୍ରୀକୃଷ୍ଣ ଆସୁରିକ ପ୍ରବୃତ୍ତିର ବ୍ୟକ୍ତିମାନଙ୍କର ଲକ୍ଷଣକୁ ଅଧିକ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି । ସେମାନେ ନୀଚ, ଈର୍ଷାପରାୟଣ, ନିଷ୍ଠୁର, କଳହପ୍ରିୟ ଏବଂ ଅଭଦ୍ର ହୋଇଥାନ୍ତି । ସେମାନଙ୍କର ନିଜର କୌଣସି ସଦ୍‌ଗୁଣ ନ ଥାଏ, ଅଥଚ ସେମାନେ ଅନ୍ୟମାନଙ୍କଠାରେ ଦୋଷ ଦର୍ଶନ କରି ଆନନ୍ଦିତ ହୁଅନ୍ତି । ସେମାନେ ନିଜକୁ ସର୍ବଶ୍ରେଷ୍ଠ ମନେ କରନ୍ତି ଏବଂ ତାଙ୍କ ଆତ୍ମ-ବଡ଼ିମାର ଫଳ ସ୍ୱରୂପ, ସେମାନେ ଅନ୍ୟର ସଫଳତାରେ ଈର୍ଷାପରାୟଣ ହୁଅନ୍ତି । ଯଦି ତାଙ୍କ ଯୋଜନାର ପ୍ରତିରୋଧ କରାଯାଏ, ସେମାନେ କ୍ରୋଧାନ୍ୱିତ ହୋଇ ଅନ୍ୟମାନଙ୍କର ତଥା ନିଜର କ୍ଷତି କରିଥାଆନ୍ତି । ଫଳସ୍ୱରୂପ, ସେମାନେ ତାଙ୍କ ନିଜ ମଧ୍ୟରେ ତଥା ଅନ୍ୟମାନଙ୍କ ହୃଦୟରେ ବାସ କରୁଥିବା ପରମାତ୍ମାଙ୍କୁ ଅଗ୍ରାହ୍ୟ ଏବଂ ଅସମ୍ମାନ କରିଥାନ୍ତି ।