Bhagavad Gita: Chapter 16, Verse 4

ଦମ୍ଭୋ ଦର୍ପୋଽଭିମାନଶ୍ଚ କ୍ରୋଧଃ ପାରୁଷ୍ୟମେବ ଚ ।
ଅଜ୍ଞାନଂ ଚାଭିଜାତସ୍ୟ ପାର୍ଥ ସମ୍ପଦମାସୁରୀମ୍ ।।୪।।

ଦମ୍ଭଃ -କପଟ; ଦର୍ପଃ -ଗର୍ବ; ଅଭିମାନଃ -ଅଭିମାନ; ଚ-ଏବଂ; କ୍ରୋଧଃ -କ୍ରୋଧ; ପାରୁଷ୍ୟଂ -କର୍କଶତା; ଏବ- ନିଶ୍ଚିତଭାବେ; ଚ-ଏବଂ; ଅଜ୍ଞାନଂ - ଅଜ୍ଞାନ; ଚ-ଏବଂ; ଅଭିଜାତସ୍ୟ- ଯାହା ପାଖରେ ଥାଏ; ପାର୍ଥ - ହେ ପୃଥାପୁତ୍ର; ସଂପଦଂ- ପ୍ରକୃତି; ଆସୁରୀମ୍ -ଆସୁରିକ ।

Translation

BG 16.4: ହେ ପାର୍ଥ! ଆସୁରିକ ପ୍ରବୃତ୍ତି ଯୁକ୍ତ ବ୍ୟକ୍ତିମାନଙ୍କର ସ୍ୱଭାବଗୁଡ଼ିକ ହେଉଛି, କପଟାଚାର, ଅହଂକାର, ଆତ୍ମ-ଗର୍ବ, କ୍ରୋଧ, ନିଷ୍ଠୁରତା ଏବଂ ଅଜ୍ଞାନତା ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ଆସୁରିକ ପ୍ରବୃତ୍ତିଯୁକ୍ତ ବ୍ୟକ୍ତିଙ୍କର ଛଅଟି ଗୁଣ ଉପରେ ଆଲୋକପାତ କରୁଛନ୍ତି । ସେମାନେ କପଟାଚାରୀ ଅଟନ୍ତି, ଅର୍ଥାତ୍ ବାହ୍ୟ ରୂପରେ ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ସେମାନେ ଧାର୍ମିକ ଆଚରଣ ପ୍ରଦର୍ଶନ କରନ୍ତି, କିନ୍ତୁ ଆନ୍ତରିକ ସ୍ତରରେ ତଦନୁରୂପ ଗୁଣ ସେମାନଙ୍କର ନ ଥାଏ । ଏହା ଏକ କୃତ୍ରିମ (ଜେକିଲ ଏବଂ ହାଇଡ଼୍‌) ବ୍ୟକ୍ତିତ୍ୱ ସୃଷ୍ଟି କରେ, ଯାହା ଭିତରେ ଅଶୁଦ୍ଧ କିନ୍ତୁ ବାହ୍ୟତଃ ଶୁଦ୍ଧ ପ୍ରତୀତ ହୁଏ ।

ଆସୁରିକ ଗୁଣଯୁକ୍ତ ବ୍ୟକ୍ତିଙ୍କର ବ୍ୟବହାର ଅହଂକାରୀ ତଥା ଅନ୍ୟମାନଙ୍କ ପ୍ରତି ଅଶିଷ୍ଟତାପୂର୍ଣ୍ଣ ହୋଇଥାଏ । ସେମାନେ ନିଜର ଶାରୀରିକ ସମ୍ପତ୍ତି ଯେପରିକି, ଧନ, ଶିକ୍ଷା, ସୌନ୍ଦର୍ଯ୍ୟ, ପଦବୀ ଇତ୍ୟାଦିକୁ ନେଇ ଅହଂକାରଯୁକ୍ତ ରହିଥାନ୍ତି । ଯେତେବେଳେ ସେମାନଙ୍କର କାମନା ଓ ଲୋଭ ପୂରଣ ହୁଏ ନାହିଁ, ସେମାନେ ମନର ନିୟନ୍ତ୍ରଣ ହରାଇ କ୍ରୋଧିତ ହୋଇଉଠନ୍ତି । ଅନ୍ୟମାନଙ୍କ ପ୍ରତି ସେମାନଙ୍କର ବ୍ୟବହାର ନିଷ୍ଠୁର ଏବଂ କଠୋର ହୋଇଥାଏ ଏବଂ ଅନ୍ୟର ଦୁଃଖ ପ୍ରତି ସେମାନେ ସମ୍ବେଦନା ରହିତ ହୋଇଥାନ୍ତି । ଆଧ୍ୟାତ୍ମିକ ସିଦ୍ଧାନ୍ତ ବିଷୟରେ ସେମାନଙ୍କର କୌଣସି ଧାରଣା ନ ଥାଏ ଏବଂ ଅଧର୍ମକୁ ସେମାନେ ଧର୍ମ ଭାବରେ ଗ୍ରହଣ କରନ୍ତି ।