ଅସତ୍ୟମପ୍ରତିଷ୍ଠଂ ତେ ଜଗଦାହୁରନୀଶ୍ୱରମ୍ ।
ଅପରସ୍ପରସମ୍ଭୂତଂ କିମନ୍ୟତ୍କାମହୈତୁକମ୍ ।।୮।।
ଅସତ୍ୟଂ -ଅସତ୍ୟ; ଅପ୍ରତିଷ୍ଠଂ -ଭିତ୍ତିହୀନ; ତେ-ସେମାନେ; ଜଗତ୍ -ସଂସାର; ଆହୁ -କହନ୍ତି; ଅନୀଶ୍ୱରମ୍ -ଈଶ୍ୱର ବିହୀନ; ଅପରସ୍ପରଂ -ପରସ୍ପର ସମ୍ପର୍କରୁ; ସମ୍ଭୁତଂ -ସୃଷ୍ଟିହୁଏ; କିମ୍ -କ’ଣ; ଅନ୍ୟତ୍- ଅନ୍ୟ; କାମ-ହୈତୁକମ୍ -କେବଳ କାମପିପାସା ହେତୁ ।
Translation
BG 16.8: ସେମାନେ କହନ୍ତି, “ସଂସାର ସତ୍ୟ ରହିତ ଅଟେ । ଏହାର ଆଧାର (ଧାର୍ମିକ) କିଛି ନାହିଁ ଏବଂ ଏହା ଈଶ୍ୱରହୀନ (ଯିଏ ସୃଷ୍ଟି କରନ୍ତି ଏବଂ ନିୟନ୍ତ୍ରଣ କରନ୍ତି) ଅଟେ । ଏହା ଦୁଇ ଲିଙ୍ଗର ସଂଯୋଗରେ ସୃଷ୍ଟି ହୋଇଛି ଏବଂ ଯୌନ ସନ୍ତୋଷ ଅତିରିକ୍ତ ଏହାର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ।
Commentary
ଅନୈତିକ ବ୍ୟବହାରରୁ କ୍ଷାନ୍ତ ହେବାର ଦୁଇଟି ଉପାୟ ଅଛି । ପ୍ରଥମଟି, ଇଚ୍ଛାଶକ୍ତିର ଉପଯୋଗ କରି ଅଧର୍ମଠାରୁ ଦୂରେଇ ରହିବା ଏବଂ ଦ୍ୱିତୀୟ ଉପାୟଟି, ଭଗବାନଙ୍କ ଭୟରେ ପାପରୁ ନିବୃତ୍ତ ରହିବା । କେବଳ ନିଜ ଇଚ୍ଛାଶକ୍ତି ଉପଯୋଗ କରି ପାପ କର୍ମରୁ ନିବୃତ୍ତ ରହିବା ବ୍ୟକ୍ତି ବହୁତ କମ୍ ଅଛନ୍ତି । ଅଧିକାଂଶ ବ୍ୟକ୍ତି ଦଣ୍ଡ ଭୟରେ ଅସତ୍ ଆଚରଣ କରିବାରୁ ନିବୃତ ହୁଅନ୍ତି । ଉଦାହରଣ ସ୍ୱରୂପ, ଆମେ ରାଜପଥରେ ଲକ୍ଷ୍ୟ କରୁ, ଯେତେବେଳେ ଗୋଟିଏ ପୋଲିସ ଗାଡ଼ି ଦେଖାଯାଏ, ଲୋକମାନେ ତାଙ୍କ ଯାନର ଗତିକୁ ମନ୍ଥର କରିଦିଅନ୍ତି । କିନ୍ତୁ ଯେତେବେଳେ ଧରାପଡ଼ିର କୌଣସି ଭୟ ନ ଥାଏ, ସେମାନେ ଗତିକୁ ସୀମା ଅତିରିକ୍ତ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ତେଣୁ ଆମେ ଯଦି ଭଗବାନଙ୍କୁ ବିଶ୍ୱାସ କରିବା, ଅନୈତିକ କାର୍ଯ୍ୟରୁ ଦୂରରେ ରହିବା । ତା ପରିବର୍ତ୍ତେ, ଯଦି ଆମେ ଭଗବାନଙ୍କୁ ବିଶ୍ୱାସ କରିବା ନାହିଁ, ତେବେ ମଧ୍ୟ ତାଙ୍କର ସମସ୍ତ ନିୟମ ଆମ ପ୍ରତି ଲାଗୁ ହେବ ଏବଂ ଆମେ ଅନୁଚିତ୍ କର୍ମର ପରିଣତି ଭୋଗ କରିବା ।
ଆସୁରିକ ପ୍ରବୃତ୍ତିଯୁକ୍ତ ବ୍ୟକ୍ତିମାନେ କୌଣସି ପ୍ରକାରର ପ୍ରାଧିକରଣ ଏବଂ ନିୟମନକୁ ସ୍ୱୀକାର କରନ୍ତି ନାହିଁ, ଯାହା ଭଗବତ୍ ବିଶ୍ୱାସର ଏକ ଆବଶ୍ୟକୀୟ ଅନୁଶାସନ ଅଟେ । ସେମାନଙ୍କ ମତରେ ଭଗବାନ ବୋଲି କେହି ନାହାଁନ୍ତି ଏବଂ ସଂସାରର କୌଣସି ଧାର୍ମିକ ଆଧାର ନାହିଁ । ସେମାନେ “ମହା ବିସ୍ଫୋଟ ସିଦ୍ଧାନ୍ତ” ପରି ପରିକଳ୍ପନାର ପ୍ରଚାର କରନ୍ତି, ଯାହା ଅନୁଯାୟୀ ସୃଷ୍ଟିର ଶୂନ୍ୟ ସମୟରେ ଘଟିଥିବା ଏକ ଆକସ୍ମିକ ବିସ୍ଫୋରଣରୁ ସଂସାରର ସୃଷ୍ଟି ହୋଇଛି, ତେଣୁ ଏହି ସଂସାରକୁ ବ୍ୟବସ୍ଥିତ ରଖିବାକୁ କୌଣସି ଭଗବାନ ନାହାଁନ୍ତି । ଏହିପରି ସିଦ୍ଧାନ୍ତ ସେମାନଙ୍କୁ ନିଃସଂକୋଚରେ କିମ୍ବା କୌଣସି ପରିଣାମର ଭୟ ନ ଥାଇ ଇନ୍ଦ୍ରିୟ ସୁଖ ଉପଭୋଗ କରିବାରେ ନିୟୋଜିତ କରିଥାଏ ।
ବିଭିନ୍ନ ଇନ୍ଦ୍ରିୟ ସୁଖଭୋଗ ମଧ୍ୟରୁ, ଯୌନ ସମ୍ଭୋଗର ଇଚ୍ଛା ଅତି ପ୍ରବଳ ଅଟେ । ଏହାର କାରଣ ଭୌତିକ ଜଗତ ଆଧ୍ୟାତ୍ମିକ ଜଗତର ଏକ ବିକୃତ ପ୍ରତିରୂପ ଅଟେ । ଆଧ୍ୟାତ୍ମିକ ଜଗତରେ, ମୁକ୍ତ ଆତ୍ମା ଗୁଡିକର ଭଗବାନଙ୍କ ସହିତ ସମ୍ପର୍କ ଯୋଡ଼ିବାର ଆଧାର ଦିବ୍ୟପ୍ରେମ ଅଟେ । ମାୟିକ ଜଗତରେ ଏହାର ବିକୃତ ପ୍ରତିରୂପ ଯୌନ ସମ୍ଭୋଗ, ମାୟାଧୀନ ଜୀବମାନଙ୍କର ଚେତନାରେ ପ୍ରାଧାନ୍ୟ ବିସ୍ତାର କରିଥାଏ, ବିଶେଷତଃ ଯେଉଁମାନେ ରଜଗୁଣ-ପ୍ରଧାନ ଅଟନ୍ତି । ଅତଏବ, ଆସୁରିକ ସ୍ୱଭାବର ବ୍ୟକ୍ତି ଯୌନ ସମ୍ଭୋଗକୁ ମାନବ ଜୀବନର ଉଦ୍ଦେଶ୍ୟ ନିର୍ଦ୍ଧାରିତ କରିଥାଆନ୍ତି ।