ସପ୍ତଦଶ ଅଧ୍ୟାୟ: ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ

ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ

ଚତୁର୍ଦ୍ଦଶ ଅଧ୍ୟାୟରେ, ଶ୍ରୀକୃଷ୍ଣ ଭୌତିକ ପ୍ରକୃତିର ତିନିଗୁଣ ଏବଂ ସେଗୁଡ଼ିକ ମନୁଷ୍ୟଙ୍କୁ କିପରି ପ୍ରଭାବିତ କରନ୍ତି, ତାହା ବର୍ଣ୍ଣନା କରିଥିଲେ । ସପ୍ତଦଶ ଅଧ୍ୟାୟରେ, ସେ ଗୁଣ ଗୁଡ଼ିକର ପ୍ରଭାବ ବିଷୟରେ ସବିଶେଷ ଆଲୋଚନା କରିଛନ୍ତି । ପ୍ରଥମେ ସେ ଶ୍ରଦ୍ଧା ବିଷୟରେ ଆଲୋଚନା କରିବାକୁ ଯାଇ କହିଛନ୍ତି ଯେ କୌଣସି ବ୍ୟକ୍ତି ଶ୍ରଦ୍ଧାରହିତ ନୁହଁନ୍ତି, କାରଣ ମନୁଷ୍ୟ ସ୍ୱଭାବର ଏହା ଏକ ଅବିଚ୍ଛେଦ୍ୟ ଗୁଣ ଅଟେ । କିନ୍ତୁ  ମନର ସ୍ୱଭାବ ଅନୁସାରେ ସେମାନଙ୍କ ଶ୍ରଦ୍ଧାର ଚିତ୍ରଣ ହୋଇଥାଏ- ସାତ୍ତ୍ୱିକ, ରାଜସିକ ଓ କିମ୍ବା ତାମସିକ । ଶ୍ରଦ୍ଧା ତାଙ୍କ ଜୀବନର ଗୁଣବତ୍ତା ନିର୍ଣ୍ଣୟ କରିଥାଏ । ଲୋକେ ଖାଦ୍ୟର ପସନ୍ଦ ମଧ୍ୟ ନିଜ ସ୍ୱଭାବ ଅନୁଯାୟୀ କରିଥାଆନ୍ତି । ଶ୍ରୀକୃଷ୍ଣ ଖାଦ୍ୟକୁ ତିନୋଟି ଶ୍ରେଣୀଭୁକ୍ତ କରିଛନ୍ତି ଏବଂ ଆମ ସମସ୍ତଙ୍କ ଉପରେ ସେଗୁଡ଼ିକର ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି । ତାପରେ ସେ ଯଜ୍ଞ ଦିଗକୁ ଅଗ୍ରସର ହୋଇଛନ୍ତି ଏବଂ ମାୟିକ ଗୁଣର ପ୍ରଭାବରେ ଯଜ୍ଞ କିପରି ଭିନ୍ନ ରୂପ ନେଇଥାଏ, ତାହା ଆଲୋଚନା କରିଛନ୍ତି । ତାପରେ ଏହି ଅଧ୍ୟାୟରେ ତପସ୍ୟା  ଉପରେ ଆଲୋକପାତ କରି ସେ ଶରୀର, ବାଣୀ ଏବଂ ମନର ସଂଯମ ବିଷୟରେ ବର୍ଣ୍ଣନା କରିଛନ୍ତି । ପ୍ରତ୍ୟେକ ପ୍ରକାରର ସଂଯମ, ସତ୍ତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ଦ୍ୱାରା ପ୍ରଭାବିତ ହୋଇ ଭିନ୍ନ ରୂପରେ ପ୍ରକଟିତ ହୋଇଥାନ୍ତି । ତତ୍‌ପଶ୍ଚାତ୍ ଦାନ ବିଷୟରେ ଆଲୋଚନା କରି ତା’ର ତିନିସ୍ତରୀୟ ପ୍ରଭେଦର ବର୍ଣ୍ଣନା କରାଯାଇଛି ।

ଶେଷରେ, ଶ୍ରୀକୃଷ୍ଣ ତିନିଗୁଣରୁ ଊର୍ଦ୍ଧ୍ୱକୁ ଯାଇ, “ଓଁ-ତତ୍‌-ସତ୍‌” ଶବ୍ଦଗୁଡ଼ିକର ପ୍ରାସଙ୍ଗିକତା ଏବଂ ମହତ୍ତ୍ୱ ପ୍ରତିପାଦିତ କରିଛନ୍ତି, ଯାହା ଚରମ ସତ୍ୟର ବିଭିନ୍ନ ସ୍ୱରୂପର ପ୍ରତୀକ ଅଟନ୍ତି । ‘ଓଁ’ ଶବ୍ଦଟି ଭଗବାନଙ୍କର ନିରାକାର ସ୍ୱରୂପର ପ୍ରତୀକ ଅଟେ । ‘ତତ୍‌’ ଶବ୍ଦର ଉଚ୍ଚାରଣ ଭଗବାନଙ୍କ ନିମନ୍ତେ ଉଦ୍ଦିଷ୍ଟ କର୍ମ ଏବଂ ଅନୁଷ୍ଠାନ ଗୁଡ଼ିକର ପବିତ୍ରୀକରଣ ପାଇଁ କରାଯାଇଥାଏ । ‘ସତ୍‌’ ଶବ୍ଦର ଅର୍ଥ ଚିରନ୍ତନ ସତ୍ୟ ଏବଂ ସଦ୍‌ଗୁଣ । ଏକତ୍ରିତ ଭାବରେ, ସେମାନେ ପରାତ୍ପରତାର ଅବଧାରଣାକୁ ଅଭିବ୍ୟକ୍ତ କରନ୍ତି । ଅଧ୍ୟାୟର ଶେଷରେ, ଶାସ୍ତ୍ର ନିର୍ଦ୍ଦେଶର ଅବମାନନା କରି କରାଯାଉଥିବା ଯଜ୍ଞ, ତପ ଓ ଦାନର ମୂଲ୍ୟହୀନତା ଉପରେ ଗୁରୁତ୍ୱାରୋପଣ କରାଯାଇଛି ।

ଅର୍ଜୁନ କହିଲେ : ହେ କୃଷ୍ଣ! ଯେଉଁମାନେ ଶାସ୍ତ୍ର ନିର୍ଦ୍ଦେଶକୁ ଅବଜ୍ଞା କରିଥାନ୍ତି, କିନ୍ତୁ ଶ୍ରଦ୍ଧାର ସହିତ ଆରାଧନା କରନ୍ତି, ତାଙ୍କର ସ୍ଥିତି କ’ଣ? ତାଙ୍କର ଶ୍ରଦ୍ଧାକୁ ସତ୍ତ୍ୱଗୁଣୀ କୁହାଯିବ କି ରଜୋଗୁଣୀ ଅଥବା ତମୋଗୁଣୀ କୁହାଯିବ?

ପରମ ପୁରୁଷ ଭଗବାନ କହିଲେ: ପ୍ରତ୍ୟେକ ମନୁଷ୍ୟ ଅନ୍ତର୍ନିହିତ ଶ୍ରଦ୍ଧା ସହିତ ଜନ୍ମ ହୋଇଥାନ୍ତି, ଯହା ତିନି ପ୍ରକାରର ହୋଇଥାଏ - ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ । ବର୍ତ୍ତମାନ ଏହି ବିଷୟରେ ମୋଠାରୁ ଶୁଣ ।

ପ୍ରତ୍ୟେକ ମନୁଷ୍ୟର ବିଶ୍ୱାସ ତାଙ୍କ ମନର ସ୍ୱଭାବ ଅନୁରୂପ ହୋଇଥାଏ । ଶ୍ରଦ୍ଧା ସମସ୍ତଙ୍କର ଥାଏ ଏବଂ ଯାହାର ଶ୍ରଦ୍ଧା ଯେପରି ହୋଇଥାଏ, ସେମାନେ ବାସ୍ତବରେ ସେହିପରି ଅଟନ୍ତି ।

ଯେଉଁମାନେ ସାତ୍ତ୍ୱିକ ଗୁଣଯୁକ୍ତ, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି । ରାଜସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଯକ୍ଷ ଏବଂ ରାକ୍ଷସ ମାନଙ୍କର ପୂଜା କରନ୍ତି ଏବଂ ତାମସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଭୂତ ଓ ପ୍ରେତମାନଙ୍କ୍‌ୁ ପୂଜା କରିଥାନ୍ତି ।

କେତେକ ବ୍ୟକ୍ତି କଠୋର ସଂଯମ ଆଚରଣ କରିଥାନ୍ତି ଯାହା ଶାସ୍ତ୍ରସମ୍ମତ ନୁହେଁ, ବରଂ କେବଳ କପଟ ଓ ଅହଂକାର ଦ୍ୱାରା ପ୍ରେରିତ ହୋଇଥାଏ । କାମନା ଓ ଆସକ୍ତି ଦ୍ୱାରା ପ୍ରରୋଚିତ ହୋଇ, ସେମାନେ କେବଳ ତାଙ୍କ ଶରୀରର ଉପାଦାନମାନଙ୍କୁ ଯନ୍ତ୍ରଣା ଦିଅନ୍ତି ନାହିଁ, ବରଂ ତା ସହିତ ତାଙ୍କ ମଧ୍ୟରେ ପରମାତ୍ମା ରୂପରେ ନିବାସ କରିଥିବା ମୋତେ ମଧ୍ୟ ଯନ୍ତ୍ରଣା ଦେଇଥାନ୍ତି । ଏହି ବିବେକହୀନ ବ୍ୟକ୍ତିମାନଙ୍କୁ ଆସୁରିକ ପ୍ରବୃତ୍ତିଯୁକ୍ତ ଭାବରେ ଜାଣ ।

ଲୋକମାନେ ତାଙ୍କର ପ୍ରବୃତ୍ତି ଅନୁସାରେ ଖାଦ୍ୟକୁ ଅଗ୍ରାଧିକାର ଦେଇଥାନ୍ତି । ଏହା ସେମାନେ ପ୍ରବୃତ୍ତ ହେଉଥିବା ଯଜ୍ଞ, ସଂଯମ ଓ ଦାନ ପ୍ରତି ମଧ୍ୟ ପ୍ରଯୁଜ୍ୟ । ବର୍ତ୍ତମାନ ଏମାନଙ୍କ ମଧ୍ୟରେ ରହିଥିବା ପ୍ରଭେଦ ବିଷୟରେ ମୋଠାରୁ ଶୁଣ ।

ସାତ୍ତ୍ୱିକ ଗୁଣଯୁକ୍ତ ବ୍ୟକ୍ତିମାନେ ସେହି ପ୍ରକାର ଖାଦ୍ୟକୁ ପସନ୍ଦ କରନ୍ତି ଯାହା ଜୀବନର ଅବଧି ବଢ଼ାଏ ଏବଂ ସଦ୍‌ଗୁଣ, ଶକ୍ତି, ସ୍ୱାସ୍ଥ୍ୟ, ଆନନ୍ଦ ଏବଂ ସନ୍ତୋଷ ବୃଦ୍ଧି କରେ । ଏହିସବୁ ଖାଦ୍ୟ ରସଯୁକ୍ତ, ନରମ, ପୌଷ୍ଟିକ ଏବଂ ପ୍ରାକୃତିକ ଭାବେ ସ୍ୱାଦିଷ୍ଟ ଅଟନ୍ତି ।

ଯେଉଁ ଖାଦ୍ୟ ଅତ୍ୟନ୍ତ ପିତା, ଖଟା, ଲବଣାକ୍ତ, ଅଧିକ ଗରମ, ଦୁର୍ଗନ୍ଧଯୁକ୍ତ, ଶୁଷ୍କ ଏବଂ ଉତ୍କଟ ଅଟେ, ସେସବୁ ଖାଦ୍ୟ ରାଜସିକ ଗୁଣଯୁକ୍ତ ବ୍ୟକ୍ତିଙ୍କର ପ୍ରିୟ ଅଟେ । ଏହିପରି ଖାଦ୍ୟ ଯନ୍ତ୍ରଣା, ଦୁଃଖ ଏବଂ ରୋଗ ଜାତ କରେ ।

ଯେଉଁ ଖାଦ୍ୟ ଅତ୍ୟଧିକ ପାକ ହୋଇଥିବା, ବାସି, ସଢ଼ି ଯାଇଥିବା, ଅପମିଶ୍ରିତ ଏବଂ ଅଶୁଦ୍ଧ ସେସବୁ ତାମସିକ ବ୍ୟକ୍ତିଙ୍କର ପସନ୍ଦ ଅଟେ ।

ଯେଉଁ ଯଜ୍ଞ ଶାସ୍ତ୍ର ଅନୁମୋଦିତ ପ୍ରଣାଳୀରେ ଦୃଢ଼ ବିଶ୍ୱାସର ସହିତ କୌଣସି ଫଳାସକ୍ତି ନ ରଖି କର୍ତ୍ତବ୍ୟ ଦୃଷ୍ଟିରୁ ସମ୍ପାଦିତ ହୋଇଥାଏ, ତାହା ସ୍ୱାତ୍ତିକ ଗୁଣଯୁକ୍ତ ଅଟେ ।

ହେ ଭରତଶ୍ରେଷ୍ଠ! ଯେଉଁ ଯଜ୍ଞ ଭୌତିକ ଲାଭ ଆଶାରେ କପଟ ଭାବରେ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ ବୋଲି ଜାଣ ।

ଯେଉଁ ଯଜ୍ଞ ଶ୍ରଦ୍ଧା ରହିତ ଏବଂ ଶାସ୍ତ୍ରର ବିଧିବିରୁଦ୍ଧ ହୋଇଥାଏ, ଯେଉଁଠାରେ ଖାଦ୍ୟ ଅର୍ପଣ କରାଯାଏ ନାହିଁ, ମନ୍ତ୍ର ଉଚ୍ଚାରଣ କରାଯାଏ ନାହିଁ କିମ୍ବା କୌଣସି ଦାନ ଦିଆଯାଏ ନାହିଁ, ତାହା ତାମସିକ ବିବେଚିତ ହୁଏ ।

ପରମାତ୍ମା, ବ୍ରାହ୍ମଣ, ଆଧ୍ୟାତ୍ମିକ ଗୁରୁ, ବିଜ୍ଞ ଏବଂ ଗୁରୁଜନ ମାନଙ୍କର ଉପାସନା ଯେତେବେଳେ ପବିତ୍ରତା, ବିନମ୍ରତା, ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା ପୂର୍ବକ କରାଯାଇଥାଏ, ତାହାକୁ ଶାରୀରିକ ତପସ୍ୟା କୁହାଯାଏ ।

ଯେଉଁ ବାଣୀ ଉଦ୍‌ବେଗ ଉତ୍ପନ୍ନ କରେ ନାହିଁ, ଯାହା ସତ୍ୟ, ସମ୍ମାନସୂଚକ, ହିତକାରୀ ଏବଂ ଯେଉଁ ବାଣୀ ନିୟମିତ ବେଦଶାସ୍ତ୍ର ଆବୃତ୍ତି କରିଥାଏ - ତାହା ବାଣୀର ସଂଯମ ରୂପେ ବିବେଚିତ ହୋଇଥାଏ ।

ଶୁଦ୍ଧ ବିଚାର, ଶିଷ୍ଟତା, ମୌନଭାବ, ଆତ୍ମ ସଂଯମ ଏବଂ ମହତ୍ ଉଦ୍ଦେଶ୍ୟ - ଏଗୁଡିକୁ ମାନସିକ ତପସ୍ୟା କୁହାଯାଏ ।

ଜଣେ ତପସ୍ୱୀ ଯେତେବେଳେ ପ୍ରଗାଢ଼ ଶ୍ରଦ୍ଧାର ସହିତ, କୌଣସି ଭୌତିକ ଫଳ ପ୍ରତି ପ୍ରଲୋଭିତ ନହୋଇ, ଏହି ତିନି ପ୍ରକାର ସଂଯମ ଆଚରଣ କରନ୍ତି, ତାହାକୁ ସତ୍ତ୍ୱଗୁଣୀ ତପସ୍ୟା ଭାବରେ ଅଭିହିତ କରାଯାଏ ।

ଯଶ, ଖ୍ୟାତି, ପ୍ରଶଂସା ଇତ୍ୟାଦି ପ୍ରାପ୍ତ କରିବା ପାଇଁ ଆଡ଼ମ୍ବରପୂର୍ଣ୍ଣ ଯେଉଁ ତପସ୍ୟା କରାଯାଏ, ତାହା ରାଜସିକ ଶ୍ରେଣୀଭୁକ୍ତ ଅଟେ । ଏହାର ସମସ୍ତ ଲାଭ ଅସ୍ଥିର ଏବଂ କ୍ଷଣସ୍ଥାୟୀ ଅଟେ ।

ଯେଉଁମାନଙ୍କର କୌଣସି ବିଷୟରେ ଧାରଣା ସ୍ପଷ୍ଟ ନ ଥାଏ, ସେମାନେ ନିଜ ଶରୀରକୁ କଷ୍ଟ ଦେଇ ଏବଂ ଅନ୍ୟମାନଙ୍କର ହାନି କରି ଯେଉଁ ତପସ୍ୟା କରିଥାଆନ୍ତି, ତାହାକୁ ତମୋଗୁଣୀ ତପସ୍ୟା କୁହାଯାଏ ।

କୌଣସି ପ୍ରତ୍ୟାଶା ନ ରଖି, କେବଳ ଦାନ କରିବା ଉଚିତ୍ ମନେକରି, ଯୋଗ୍ୟ ବ୍ୟକ୍ତିକୁ ଉପଯୁକ୍ତ ସମୟରେ ଏବଂ ଉପଯୁକ୍ତ ସ୍ଥାନରେ ଯେଉଁ ଦାନ ଦିଆଯାଇ ଥାଏ, ତାହାକୁ ସାତ୍ତ୍ୱିକ ଗୁଣଯୁକ୍ତ ଦାନ କୁହାଯାଏ ।

କିନ୍ତୁ ଅନିଚ୍ଛା ସତ୍ତ୍ୱେ, ପ୍ରତିଦାନ ଆଶାରେ କିମ୍ବା ପୁରସ୍କାରର ଅଭିଳାଷ ରଖି ଦିଆଯାଇଥିବା ଦାନକୁ ରାଜସିକ ଦାନ ଭାବରେ ଅଭିହିତ କରାଯାଏ ।

ଯେଉଁ ଦାନ ଅନୁପଯୁକ୍ତ ସ୍ଥାନରେ, ଅସମୟରେ, ଅସତ୍ ପ୍ରାତ୍ରରେ ଅସମ୍ମାନ ପ୍ରଦର୍ଶନ ପୂର୍ବକ ବା ଅପମାନ ସୂଚକ ଭାବେ ଦିଆଯାଇଥାଏ, ତାହାକୁ ତାମସିକ ଶ୍ରେଣୀଭୁକ୍ତ କରାଯାଇଛି ।

ସୃଷ୍ଟିର ପ୍ରାରମ୍ଭରୁ “ଓଁ ତତ୍ ସତ୍‌” ପରମ ଅନ୍ତିମ ସତ୍ୟର ପ୍ରତୀକ ଭାବରେ ସ୍ୱୀକୃତ । ତାଙ୍କଠାରୁ ପୁରୋହିତ, ଶାସ୍ତ୍ର ଏବଂ ଯଜ୍ଞ ଜାତ ହୋଇଛନ୍ତି ।

ତେଣୁ ବୈଦିକ ଆଦେଶନୁସାରେ ଯଜ୍ଞ, ଦାନ କିମ୍ବା ତପସ୍ୟା କଲାବେଳେ ବେଦଜ୍ଞ ପୁରୁଷଗଣ ଓଁ ଶବ୍ଦ ଉଚ୍ଚାରଣ ପୂର୍ବକ ସେସବୁର ପ୍ରାରମ୍ଭ କରିଥାନ୍ତି ।

ଯେଉଁମାନେ ଫଳ ପ୍ରାପ୍ତିର କାମନା କରନ୍ତି ନାହିଁ ଏବଂ ମାୟା ଜାଲରୁ ମୁକ୍ତ ହେବାକୁ ଇଚ୍ଛା କରନ୍ତି, ସେମାନେ ତପ, ଯଜ୍ଞ ଏବଂ ଦାନ କରିବା ସହିତ ‘ତତ୍‌’ ଶବ୍ଦର ଉଚ୍ଚାରଣ କରିଥାନ୍ତି ।

ସତ୍ ଶବ୍ଦର ଅର୍ଥ ଚିରନ୍ତନ ଅସ୍ତିତ୍ୱ ଏବଂ ସତ୍ୟ । ହେ ଅର୍ଜୁନ! ଏହା ଏକ ପବିତ୍ର କର୍ମକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଯଜ୍ଞ, ତପ ଏବଂ ଦାନରେ ସ୍ଥିତ ହେବାକୁ ମଧ୍ୟ ‘ସତ୍‌’ ଶବ୍ଦ ଦ୍ୱାରା ବର୍ଣ୍ଣନା କରାଯାଇଥାଏ । ତେଣୁ ସେହି ଉଦ୍ଦେଶ୍ୟରେ କରାଯାଉଥିବା ସମସ୍ତ କର୍ମ ‘ସତ୍‌’ ନାମରେ ଅଭିହିତ ହୁଏ ।

ହେ ପୃଥା ପୁତ୍ର! ଯେ କୌଣସି ଯଜ୍ଞ, ତପସ୍ୟା ଅଥବା ଦାନ ଯଦି ଶ୍ରଦ୍ଧା ରହିତ ହୋଇ କରାଯାଏ, ତାହା ‘ଅସତ୍‌’ ଭାବରେ ବିବେଚିତ ହୁଏ । ସେଗୁଡ଼ିକ ଉଭୟ ଇହଲୋକ ଓ ପର ଲୋକରେ ମୂଲ୍ୟହୀନ ଅଟନ୍ତି ।